Unknown

 

 

 

 

 

 

 

 

 

 

 

ଭୂତ-ଗଳ୍ପ

ଶ୍ରୀ କମଳାକାନ୍ତ ଦାଶ

 

ଏଇ ଲେଖକଙ୍କର କେତୋଟି ସାର୍ଥକ ସୃଷ୍ଟି

 

ଉପନ୍ୟାସ

ବୋଉ, ଆଶ୍ରିତ, ଭାଉଜ-ବୋଉ, ମନଚୋର, ଜୀବନ-ସଉଦା, ମଣିଷର ଦାବୀ, ମନର ଦାଉ, ଶରଦୀ ନାନୀ, ରୂପ-ହୀନାର ଜୀବନ, ଚରିତ୍ରହୀନ, ମିଳନ ସନ୍ଧ୍ୟା, ମଦଭାଟି, ସଦର-ମଫସଲ, ଚବିଶ ନମ୍ବର କେବିନ, ନର୍ତ୍ତକୀ, ବନାନୀର ନିଦ୍ରାଭଙ୍ଗ, ଦୀପ-ଶିଖା, ବାପା, ଚାନ୍ଦିନୀଚଉକ, ଆଜାନ, ଚିତ୍ର ତାରକା, ପଦ୍ମାଳୟା ହୋଟେଲ, ରକ୍ତରାଗ (ଅନୁବାଦ), ଚିଡ଼ିଆଖାନା, ଇଚ୍ଛାବରଣ ।

 

 

 

ଗଳ୍ପ

ଧର୍ମ ପଥ, ଦାସଙ୍କ ଚଟଣି, ନବ ପର୍ଣ୍ଣିକା, ଘାସୀପଡ଼ାର ମାୟା, ଭୂତ ଗଳ୍ପ ।

 

 

 

ଜୀବନୀ

କବି ଗଙ୍ଗାଧର ।

Image

 

ଭୂମିକା

 

ଅତି ପିଲା ଦିନେ ଥରେ ମୁଁ ଜଣେ ଅଭିଭାବକ ସଙ୍ଗରେ ସମୁଦ୍ର କୂଳକୁ ବୁଲି ଯାଇଥିଲି-। ସନ୍ଧ୍ୟା ପରେ ଅନ୍ଧକାର ମଧ୍ୟରେ ସମୁଦ୍ର-ପାଣି ଲହଡ଼ା ଟେକି କୂଳ ଆଡ଼କୁ ମାଡ଼ି ଆସୁଥାଏ । ଦେଖା ଯାଉଥାଏ, ସତେକି ସଫେଦ ନିଆଁର ଆଲୁଅ ଧାର ଧାର ହୋଇ ନାଚି ଖେଳି ମାଡ଼ି ମାଡ଼ି ଆସୁଚି । ଧୀରେ ଧୀରେ ଅନ୍ଧକାର ଗାଢ଼ତର ହେବା ସଙ୍ଗେ ସଙ୍ଗେ ଆହୁରି କୂଳ ବାଲି ଉପରେ ମେଞ୍ଚା ମେଞ୍ଚା ହୋଇ ଜକ ଜକ ଦିଶିଲା । ଭୟରେ ମୋ ଦେହ ଥରି ଉଠିଲା । ପିଲାଦିନେ ବୁଢ଼ୀମା ଅନେକ ଗପ କହି ଥାଆନ୍ତି ! ତା’ ଭିତରେ ଭୂତ, ପ୍ରେତ, ଚିରୁକୁଣୀ, ପିତାଶୁଣୀଙ୍କ କଥା ଖୁବ୍‌ ବେଶୀ-। ଅଭିଭାବକଙ୍କ ପାଖକୁ ଲାଗିଆସି କାନ ପାଖରେ ପଚାରି ଦେଲି—ଏଗୁଡ଼ାକ କଅଣ ଚିରୁକୁଣୀ ଆଲୁଅ ?

 

ହସିଦେଇ ଅଭିଭାବକ ପଚାରିଲେ—ଡରୁଚୁ କି ? ନା ! ଏଗୁଡ଼ାକ ଜୁଳୁଜୁଳୁଆ ପୋକ ପରି ଜକ ଜକ ଦିଶେ ସିନା, କିଛି ନୁହେଁ ! ଫସଫରସ୍‌ ।

 

—ଫସଫରସ୍‌ କଅଣ ଚିରୁକୁଣୀ ପରି ଆଉ ଗୋଟାଏ କିଛି ?

 

—ନା ନା, ସମୁଦ୍ର ପାଣି ଉପରେ ଲହଡ଼ି ଆସିଲେ ଅନ୍ଧାର ରାତିରେ ଏମିତି ଦିଶିଥାଏ । ଆଉ ହେଇଟି, ବାଲି ଉପରେ ଯେଉଁ ସବୁ ଜକଜକ ଦିଶୁଛି, ସେ ଗୁଡ଼ାକ ସମୁଦ୍ର ମାଛ । ଅନ୍ଧାରରେ ସେମିତି ଦିଶେ । ଦେଖିନାହୁଁ ଜୁଳୁ ଜୁଳିଆ ପୋକ ? ଅନ୍ଧାରରେ କେମିତି ଜୁକୁ ଜୁକୁ ଦିଶେ ?

 

—ହଁ ଦେଖିଚି । କାହିଁକି ଜଳେ ?

 

—ଜଳେ ନାହିଁ ଯେ, ତା’ ଦିହରେ ଥିବା ଫସଫରସ୍‌ ବୋଲି ଗୋଟାଏ ପଦାର୍ଥ, ଅନ୍ଧାରକୁ ସେମିତି ଦିଶେ ।

 

—ଆଚ୍ଛା—ସତେ କଅଣ ଚିରୁକୁଣୀ କି ପିତାଶୁଣୀ ବୋଲି କିଛି ନାହାନ୍ତି ? ତେବେ ମଶାଣି ପଦାରେ ନିଆଁ ଜାଳେ କିଏ ?

 

ଅଭିଭାବକ ନୀରବ ରହିଲେ । ଉତ୍ତର ଦେଇ ପାରିଲେ ନାହିଁ । ମନ ଭିତରେ ସନ୍ଦେହ ମୋର ଯେମିତି ଥିଲା, ସେମିତି ରହିଗଲା ।

 

ଏ ଘଟନାର କିଛି ଦିନ ପରେ ଚାହାଳିରେ ବିଦ୍ୟାରମ୍ଭ କଲି । ସେତେବେଳେକୁ ସ୍କୁଲ ଆଦି ନ ଥାଏ ବୋଲି କହିଲେ ଚଳେ । ଗାଁ ଗାଁକେ ଜଣେ ଜଣେ ଅବଧାନ ଇଆ ତା’ ପିଣ୍ଡା କିମ୍ବା ଗାଁ ଭାଗବତ ଘରେ ଚାହାଳି ଖଣ୍ଡିଏ ଲେଖାଁ କରି ଗାଁ ପିଲା କେତୋଟିଙ୍କୁ ଧରି ପଢ଼ାଉ ଥାଆନ୍ତି । “ସୋରେ ଅ ସୋରେ ଆ” ଠାରୁ ଆରମ୍ଭ କରି “ଓ ରେ ହ, ଓ ରେ କ୍ଷ”ପର୍ଯ୍ୟନ୍ତ ଆଉ କ ବ ଖ ଗ ବ ଘ ବ, ଅଙ୍କେଇତୋର” ଆଦି ଘୋଷୋଉ ଥାଆନ୍ତି । ପଣିକିଆ ପଚିଶକଠାରୁ ଆରମ୍ଭ କରି ହର–ଗୁଣ–ଫେଡ଼–ମିଶାଯାକେ ପାଠ ହୋଇଗଲେ ବୋଲାନ୍ତିକମଳ ଲୋଚନ ଶ୍ରୀହରି, କଳାକଳେବର କହ୍ନାଇ ଆଦି । ଗୋଟିଏ ଗୋଟିଏ ଗାଁ’ରୁ ପାଞ୍ଚ ଦଶଟି ପୁଅ ପିଲା ଏବଂ ଏଇ ହିସାବରେ ପାଖ ଆଖ ଚାରି ପାଞ୍ଚ ଖଣ୍ଡ ଗାଁ’ରୁ ପୁଅ ପିଲା କୋଡ଼ିଏ ପଚିଶଟି ହେଲେ ଚାହାଳିଟି ଚାଲିଲା । ଝିଅ ପିଲା ବୋଲି ଗୋଟିଏ ହେଲେ ନ ଥାଆନ୍ତି । ସେମାନେ ପରା ହାଣ୍ଡିଶାଳକୁ !

 

‘ବାପ୍‌ରେ’ ବୋଲି ପାଟିକରି ହାଣ୍ଡି ନିକଟରେ ଏକୁଟିଆ ଠିଆ ହୋଇଥିବା ସାଙ୍ଗ ଜଣକ ଆମ ଦି ଜଣଙ୍କ ପାଖକୁ ପଳାଇ ଆସିଲା । ଆମକୁ ସାହାସ ଦେବାକୁ କହିଲା—ଡରୁଚ କାହିଁକି, କଅଣ ଗୋଟାଏ ଜୀବଜନ୍ତୁ ହୋଇଥିବ ସିନା; ଭୂତ ପ୍ରେତ କିଛି ନୁହେଁ । ବାପା କହୁଥିଲେ ଚିରକୁଣୀ, ପିତାଶୁଣୀ କି ଭୂତ ପ୍ରେତ କିଛି କୁଆଡ଼େ ନାହିଁ । ମଣିଷ ମଲା ତ ଗଲା । ଆଉ ରହିଲା କଅଣ ?

 

କହିଲି—ବାପା କହିଲା କଥାକୁ ସତ ମଣୁଚୁ ତ ହାଣ୍ଡି ଉପରକୁ ଢେଲାଟାଏ ପକା । ଭାଙ୍ଗିଯିବ, କି ଜନ୍ତୁ ଜନାର ବାହାରି ପଳେଇବ ।

 

କିନ୍ତୁ ସାଙ୍ଗ ପିଲାର ସାହସ ପାଇଲା ନାହିଁ ।

 

ଦୂରରୁ ଶୁଭୁଥାଏ ଧୁଡ଼ୁଧୁଡ଼ୁ, ଖୁଡ଼ୁ ଖୁଡ଼ୁ । ଦେଖା ଯାଉଥାଏ ହାଣ୍ଡିଟି ଟିକିଏ ଟିକିଏ ଉଠୁଚି ପୁଣି ପଡ଼ୁଚି । ଚାରିଆଡ଼ ଶୁନ୍‍ ଶାନ । ଧୁଡ଼ୁ ଧୁଡ଼ୁ ଶବ୍ଦଟା ସତେ କି ଆମ ତିନିଜଣଙ୍କ ଛାତି ତଳେ ଢୋଲ ପିଟୁ ଥାଏ । ଡରେ ଭୟେ ତିନି ଜଣ ଯାକ ପଛକୁ ପଳାଇ ଯାଇ ବାଁ କଡ଼କୁ ଥିବା କିଆ ହୁଡ଼ା କଡ଼ ବାଟେ ଗହୀର ବିଲର ହିଡ଼ ବାଟେ ପ୍ରାଣ ବିକଳେ ଦୌଡ଼ି ଦୌଡ଼ି ପଳେଇ ଗଲୁ ମାଇଲିଏ ବାଟ । ପଛକୁ ପଡ଼ି ରହିଲା ମଶାଣି, ମୁର୍ଦାର ଓ କୋକେଇ ଆଦି । ତିନିଙ୍କ ଦିହରୁ ଗମ୍‍ ଗମ୍‍ ଝାଳ ବହି ଯାଉଥାଏ । ଗୋଟାଏ ଗଛ ମୂଳରେ ଘଣ୍ଟାଏ ଖଣ୍ଡେ ବସି ରହି ଦମ ନେଲୁଁ, ତା’ ପରେ ଗାଁକୁ ଫେରିଲୁ । ଏହି ଭଳି ଭାବରେ କେତେ ଗୁଡ଼ିଏ ଅନୁଭୂତି ଭିତରେ ମୁଁ ଧୀରେ ଧୀରେ ବଢ଼ି ଚାଲିଲି । ସେ ଦିନର ସେ ହାଣ୍ଡିଟାକୁ କିଏ ଏମିତି ଧୁଡ଼ୁ ଧୁଡ଼ୁ କରୁଥିଲା, ସେ କଥା ପରଖି ନେବାକୁ ସାହାସ ହୋଇ ନାହିଁ ।

 

ସବୁ ଦେଶର ଲୋକେ କହୁଛନ୍ତି ଭୂତ-ପ୍ରେତ ଅଛି । ମୃତ୍ୟୁ ପରେ ମଣିଷ ସୂକ୍ଷ୍ମ ଶରୀର ଘେନି କିଛି କାଳ ଶୂନ୍ୟରେ ବିଚରଣ କରିଥାଏ । ପ୍ରକୃତରେ ଅଜ୍ଞାତ ଶକ୍ତିଟାଏ ବିଦ୍ୟମାନ ଅଛି କି ନାହିଁ, ଏ ପ୍ରଶ୍ନର ଯଥାର୍ଥ ଉତ୍ତର ଏବେ ବି କେହି ଦେଇପାରୁ ନାହିଁ । ହୁଏ ତ ଭବିଷ୍ୟତରେ ସେ ବିଜ୍ଞାନଟି ଆବିଷ୍କୃତ ହୋଇପାରିବ । ହଁ ବୋଇଲେ ହଁ ଅଛି ବୋଲି ପ୍ରମାଣ କରି ହୁଏ ନାହିଁ କି ନାହିଁ ବୋଇଲେ ନାହିଁ ବୋଲି ମୀମାଂସ କରି ଦିଆଯାଇ ପାରେ ନାହିଁ । ସବୁ ସଭ୍ୟ ଦେଶର ସାହିତ୍ୟରେ ଭୂତ ପ୍ରେତର ଅଦ୍ଭୁତ ଶକ୍ତି କଥା ପ୍ରଚାରିତ ହୋଇଆସିଚି । ତହିଁରେ ସମ୍ପୂର୍ଣ୍ଣ ମିଥ୍ୟା ପ୍ରଚାର ହୋଇଚି ବୋଲି କହିବା ବି ଠିକ୍ ହେବ ନାହିଁ ।

 

ମୁଁ ନିଜେ କେତୋଟି ଘଟନାର ସମ୍ପର୍କରେ ଆସିଚି ଏବଂ କେତେ ଗୁଡ଼ିଏ ବିଶିଷ୍ଟ ବ୍ୟକ୍ତିଙ୍କଠାରୁ ଅଙ୍ଗେ ନିଭେଇବା କଥା କେତୋଟି ଶୁଣିଚି । ସେଗୁଡ଼ିକୁ ଗୋଟି ଗୋଟି କରି ନିଖୁଣ ଭାବେ ଲେଖିଲି । ବିଚାର ବିବେଚନା ଓ ସିଦ୍ଧାନ୍ତର ଭାର ପାଠକମାନଙ୍କ ଉପରେ ଛାଡ଼ି ଦେଲି ।

 

–ଲେଖକ–

Image

 

ଏକ

 

ବୁଢ଼ା ବୁଢ଼ୀ ଭିତରେ ଭଲପଡ଼େ କି ମନ୍ଦ ପଡ଼େ, ଏତେ ଅଳ୍ପ ବୟସରେ ମୁଁ କିଛି ଠଉରେଇ ପାରେ ନାହିଁ । ବୁଢ଼ା ବୋଇଲେ ବାପାଙ୍କ ବାପା । ତାଙ୍କୁ ଆମେ ବୁଢ଼ା’ପା ବୋଲି ଡାକୁଁ । ବୁଢ଼ୀ କହିଲେ ଆମ ସାଆନ୍ତ ମାଆ । ତେତେବେଳକୁ ଦିହିଁଙ୍କ ବୟସ ଯଥାକ୍ରମେ ଅଣସତୁରି ଓ ଷାଠିଏ । ଦିହିଙ୍କ କେବେ ସିଧା ସଳଖ କଥାଭାଷା ହେବାର ଆମେ ଦେଖିନାହୁଁ । ନାତି ତିନିଙ୍କି ନେଇ ବୁଢ଼ା ଶୁଅନ୍ତି ଦାଣ୍ଡଘରେ । ବୁଢ଼ୀ ଶୁଅନ୍ତି ଖଞ୍ଜା ସେପଟ ଘରେ । ମଝିରେ ତିରିଶ ଚାଳିଶ ହାତ ଲମ୍ବର ଅଗଣାଟି । କେତେବେଳେ କେମିତି ଦିପଦ କଥାଭାଷା ହେଉଥିବାର ଶୁଣିଲେ ଆମର ଛୋଟ ମନ ଚିଡ଼ିଯାଏ । ବୁଢ଼ା ସଦାବେଳେ କିଡ଼ି କିଡ଼ି ବିଡ଼ି ବିଡ଼ି । ବୁଢ଼ୀ କହୁଥିବେ—ମୋରି ଉପରେ ସବୁଯାକ ରଗ ଉଡ଼ଉଚି । ଇଆ ଦାଉ ଆଉ ସହି ପାରିବି ନାହିଁ । ଭଗବାନ, ମତେ କେମିତି ମରଣ ହୁଅନ୍ତା କି !

 

ବୁଢ଼ା ଜବାବ ଦିଏ—ଆଲୋ ହେ, ଗୋବରିଆ ମା, ମୋ କଥାଟାକୁ ଲେଖିରଖ । ମୁଁ ଆଗ ଯିବି, ତୁ ବିଧବା ଦୁଃଖ ଭୋଗିବୁ । ପିଲାଏ ଦୂର୍‍ ଦୂର୍‍ ଛୁର୍‍ ଛୁର୍‍ କରିବେ । ହାତ ପିଠିରେ ଲୁହ ପୋଛୁଥିବୁ କହୁଚି ।

 

—କହୁଚତ କହୁଥାଅ । ମୁଁ ଯାହା କହୁଚି ଲେଖିରଖ । ମୁଁ ଆଗ ଚାଲିଯିବି । ତମରି ଆଗରେ । ତମରି କୋଳରେ । ପିଲାଏ କେହି ନ ଥିବେ । ତୁମେଇ ଦବ ମୁଖାଗ୍ନି । ହେଇଟି ଦେଖ କାନିରେ ଗଣ୍ଠି ପଡ଼ିଲା ।

 

ବୁଢ଼ା ବୁଢ଼ୀ ଉପରକୁ ଚିଡ଼ି ଉଠି କହେ—ହେଇ ଦେଖ ଚୁରୁକିରେ ଗଣ୍ଠି ପକାଇଲି । ଚାଣକ୍ୟ ଥରେ ଗଣ୍ଠି ପକାଇଥିଲେ । ପରେ ମୁଁ ପକାଇଲି । ଆଗ ମୁଁ ମରିବି । ତା’ ପରେ ତୁ । ତୁ ମତେ ଯେମିତି ଜଳଉଚୁ, ଭୋଗି ନ ମରିଲେ ଦିହ ଛାଡ଼ିବୁ କେମିତି । ତୋ ହାତ ଧଇଲା ଦିନୁ ମୁଁ ଯେତକ ସବୁ ଦୁଃଖ କଷ୍ଟ ଭୋଗୁଚି ତାର ହିସାବ ମୋ ମନ ଭିତରେ ଗୋଟି ଗୋଟି ହୋଇ ଗୁନ୍ଥା ହୋଇ ରହିଚି ।

—ରହିଚି ସବୁଯାକ, ମୋରି ମନ ଭିତରେ । ତୋ ହାତ ଧରିଲା ଦିନୁ ସବୁଯାକ ଦୁଃଖ ଭୋଗିଚି ମୁଁ । ତୁ ନୁହେଁ ।

ଏମିତି ଏମିତି ନିତି ପ୍ରତି, ଘଡ଼ିଏ ପହର ବୁଢ଼ା ବୁଢ଼ୀଙ୍କ ଯାଉଁଳି ପାଲା ଲାଗେ । ବୋଉ ହେରିକା ଓଢ଼ଣୀ ତଳେ ହସନ୍ତି । ଆମେ କିନ୍ତୁ ଭାରି ଚିଡ଼ୁଁ ।

ବୁଢ଼ା ଖାଇବସି ଏଣେ ତେଣେ ଅନାଏ । ଡାକେ ବୁଢ଼ୀକି । କହେ—ଖାଇ ବସିଲେ, ପେଟ ପୂରା ଖାଇଲି କି ନାହିଁ, ଦେଖିବାକୁ କେହି କଅଣ ଅଛି ? ଗରମ ଭାତ, ପଙ୍ଖାଟିକେ କରିଦେବାକୁ ମୋର କଅଣ କେହି— ।

ବୁଢ଼ାର କଥା ସରିଥିବ କି ନାହିଁ ବୁଢ଼ୀ ତେଣୁ ଟହଲ ପକେଇ ଆସିବ । ଆସୁ ଆସୁ କହିବ—ମଲାଣି ଯିଏ ଥିଲା । ସେ ମଶାଣିକି ଗଲାଣି ।

ବୁଢ଼ା ଗୁଣ୍ଡା ଗିଳି ସାରି ତଳକୁ ମୁହଁ ରଖି ବସି ବହିବ—ଅଛି ଲୋ ଅଛି ମରି ନାହିଁ ମରି ପାରିବ ନାହିଁ । ଆଗ ମୁଁ । ତା’ ପଛକୁ ସେ ।

ବୁଢ଼ୀ ଆସି ପାଖରେ ବସି ପଙ୍ଖା ହଲେଇବ । ବୁଢ଼ା ଖାଇ ସାରି ଥାଳିରେ ଦି ଚାରି ଗୁଣ୍ଡା ଛାଡ଼ି ଯାଇ କହିବ—ବୁଢ଼ୀ, ବସିପଡ଼ । ମୁଁ ମଲେ କେହି ତତେ ପଚାରିବେ ନାହିଁଲୋ ।

—ଆହା, ପଚାରିବାକୁ ଅଛି ? ଶୁଖିଲା ଅଇଁଠା କଣ୍ଟା ଦି ଖଣ୍ଡ ଗୋଟେଇ ପୋଟେଇ ନ ଖାଇଲେ ମୋର ଆଉ ମୁକ୍ତି ଅଛି ?

ବୁଢ଼ା ଥାଳୀ କଡ଼କୁ ତଳେ ପଡ଼ିଥିବା ଅଇଁଠା କଣ୍ଟା ତକ ଗୋଟେଇ ପୋଟେଇ ଥାଳି ଉପରକୁ ଉଠାଉ ଉଠାଉ କହେ—ଏତକ ରହିଲା ତୋରି ପାଇଁଲୋ ଗୋବରିଆ ମା । ବସିପଡ଼ । ଇଏ ଅଇଁଠା କଣ୍ଟା ନୁହେଁଲୋ—ପ୍ରସାଦ, ପ୍ରସାଦ ।

ବୁଢ଼ୀ—ଆହା ହା, ପ୍ରସାଦ ତ ନୁହେଁ, ସାକ୍ଷାତ ମହାପ୍ରସାଦ । ବିଲେଇ ଅଇଁଠା, ଧୂଳି ମାଟି ଗୋଳିଆ ପାଟି କଢ଼ା ଶୁଖିଲା ଝଡ଼ା ଭାତ କେଇଟା ସାଙ୍ଗକୁ ଖଡ଼ା ଚୋପା ଆଉ କାଠିକୁଟା ।

ବୁଢ଼ା—ଉଠି ଯାଉ ଯାଉ କହେ—ଆଲୋ ହେ, ତାକୁଇ କହନ୍ତି ପ୍ରସାଦ । “ସ୍ୱାମୀ” ମାନେ କଅଣ ଜାଣିଚୁନା, ଗିରସ୍ତ—ଦେବତା !

—ହଁ ହଁ ଜାଣିଚି । ଉଠିଯାଅ । ପିଲାଏ ଶୁଣିବେ । ବୁଢ଼ା ଉଠି ଯାଉ ଯାଉ ମୁରୁକି ମୁରୁକି ହସୁଥାଏ । ଏତିକି ଏତିକି ଚାଲେ ବୁଢ଼ା ବୁଢ଼ୀଙ୍କ ସ୍ନେହ ଶ୍ରଦ୍ଧା । ନୋହଲେ ବୁଢ଼ା ଠାକୁର ଘରେ ତ ବୁଢ଼ୀ ବାଡ଼ିପଟ କୂଅ ମୂଳେ । ବୁଢ଼ା ଦାଣ୍ଡ ଘରେ ତ, ବୁଢ଼ୀ ବାରିଆଡ଼ କଣ ଘରେ । ସବୁବେଳେ ଗର ଗର ଖର ଖର । ଏକୁ ଯିଏ ଯାହା ବୁଝିବ ବୁଝୁଥାଉ, ମୁଁ କିନ୍ତୁ ପସନ୍ଦ କରେ ନାହିଁ-। ବୁଢ଼ୀ ମାଆଟି କେଡ଼େ ସୁନ୍ଦର ସୁନ୍ଦର ଗପ କହେ, କେତେ ଗେହ୍ଲା କରେ । କିନ୍ତୁ ନାଣ୍ଢିଆ ଚୁରୁକି ଲଗା ବୁଢ଼ାଟା ସଦାବେଳେ ଖାଉଁ ଖାଉଁ ଗାଉଁ ଗାଉଁ । ବୁଢ଼ାଥିଲେ ସେ କାଳର ଜିଣେ ଜଣାଶୁଣା କବିରାଜ-। ବଟୁଆମୁଣିଟି ଭିତରେ ବାତପିତ୍ତ କଫ ଜନିତ ସବୁ ରୋଗର ବଟିକା । ମୁହେଁ ମୁହେଁ ବୈଦ୍ୟ ଶାସ୍ତ୍ରର ସବୁଯାକ ଶ୍ଳୋକ । ବାଟ ଘାଟରେ ଚିକିତ୍ସା ବ୍ୟବସ୍ଥା ଓ ଔଷଧ ବିତରଣ । କବିରାଜଙ୍କର ଫିସ୍ କିଛି ନାହିଁ—ଯିଏ ଯାହା ଆଣି ଦେଇଗଲା—ସଜନା ଛୁଇଁ ପୁଳାକରୁ ଆରମ୍ଭ କରି ଲୁଗା ଯୋଡ଼ିଟି ପର୍ଯ୍ୟନ୍ତ । ରୋଗୀକୁ ରୋଗ ବ୍ୟାଧି ଯମପୁରକୁ ଟାଣୁଥିବା ବେଳେ ସେ କାଳର ବୈଦ୍ୟମାନେ ଆଜିକାଲିର ଚିକିତ୍ସଙ୍କ ପରି ରୋଗୀର ଦରିଦ୍ର ପରିବାରକୁ ଲୁଟି କରିବାକୁ ଚେଷ୍ଟା କରୁ ନ ଥିଲେ । ବରଂ ଅଭାବ ଦେଖିଲେ ରୋଗର ଔଷଧ ସାଙ୍ଗକୁ ପାଥ୍ୟ ମଧ୍ୟ ସାହାଯ୍ୟ କରୁଥିଲେ ।

ବୁଢ଼ା ବାପା ଅତି ଭୋରରୁ ଉଠି ଗୋ–ସେବା ଓ ଗାଧୁଆ ପାଧୁଆ ସାରି ଠାକୁର ପୂଜା କରନ୍ତି; ତା’ ପରେ ବାହାରକୁ ବୁଲି ବାହାରନ୍ତି । ଯାଆନ୍ତି ଘର ଘର ବୁଲି ରୋଗୀ ଦେଖିବାକୁ । ଫେରନ୍ତି ବାରଟା ଗୋଟାଏ ବେଳକୁ । ତା’ପରେ ଖାଇପିଇ ବିଶ୍ରାମ ନେଇ, ଯିଏ କେହି ଡାକିଲେ ତା’ ଘରକୁ ଚାଲି ଯାଆନ୍ତି । ଫେରୁ ଫେରୁ ଦିନେ ଦିନେ ଆଠ ନଅ ହୁଏ ।

 

ଦିନେ ହଠାତ୍ ସଞ୍ଜବେଳକୁ ବୁଢ଼ୀର ଅସ୍ୱାଭାବିକ ଝାଡ଼ା ହେଲା । ଝାଡ଼ା ପରେ ବାନ୍ତି । ବୁଢ଼ା ଫେରିଲା ବେଳକୁ ବୁଢ଼ୀ ବେଚେଷ୍ଟା । ବୁଢ଼ା ପାଖକୁ ଗଲେ । ହାତଠାରି ବୁଢ଼ୀ କହିଲା, “ବସ”-। ବୁଢ଼ା ବାପା ମୁଣ୍ଡ ପାଖକୁ ବସି କୋଳ ବଢ଼ାଇ ଦେଲାରୁ ବୁଢ଼ୀ ମୁଣ୍ଡ ଥୋଇ ମୁହଁକୁ ଚାହିଁଲା । ଆଖିରୁ ଲୁହ ବହି ଯାଉଚି—ବୁଢ଼ୀ ଶେଷ ନିଃଶ୍ୱାସ ଛାଡ଼ିଲା । ବୁଢ଼ା ବାପ ନିଜ ଆଖିରୁ ଲୁହ ଗଡ଼ାଉ ଗଡ଼ାଉ ବୁଢ଼ୀର ଆଖି ପୋଛିଦେଇ କରୁଣ ସ୍ୱରରେ କହି ଉଠିଲେ—ସତରେ ତୁ ଆଗ ଚାଲିଗଲୁ ! ମୋରି କୋଳରେ ! !

 

ବୁଢ଼ା ନାଡ଼ି ଦେଖିଲା । ଜାଣିଲା—ବୁଢ଼ୀ ସତକୁ ସତ ଚାଲି ଯାଇଚି ।

 

ଆମେ ସବୁ କାନ୍ଦି ଉଠିଲୁ । ସାଇରେ ଜାଣିଲେ କବିରାଜଙ୍କ ବୁଢ଼ୀ ହଇଜାରେ ମଲା ।

 

ହଇଜା ବୋଇଲେ ଆଜିକାଲିର ଲୋକେ ସମସ୍ତେ ଜାଣନ୍ତି, ଏହା ଗୋଟାଏ ସଂକ୍ରାମକ ରୋଗ—ପାଣି ଓ ମାଛି ବାଟ ଦେଇ ଏ ରୋଗର ଜୀବାଣୁ ରୋଗୀର ମଳ ଓ ବାନ୍ତିରୁ ଆସି ଅନ୍ୟ ଲୋକକୁ ଆକ୍ରମଣ କରେ । କିନ୍ତୁ ତେତେବେଳେ ସେ ଅଞ୍ଚଳରେ ହଇଜାର ନାମ ଗନ୍ଧ କିଛି ନ ଥିଲା । କେବଳ ଆମ ଗାଁ କାହିଁକି, ଚତୁର୍ପାଶ୍ୱରେ ଚାରି ପାଞ୍ଚକୋଶ ଆକ୍ରାନ୍ତରେ ହଇଜାର ନାମ ଶୁଣା ଯାଉ ନ ଥାଏ । ପୁଣି ଆମ ଘର ଗୋଟାଏ ଗଡ଼ ପରି । ବାଡ଼ିରେ ପୋଖରୀ, କୂଅ, ଆମ ଘରୁ ବାହାରକୁ କେହି ଗାଧୋଇ ଯାଆନ୍ତି ନାହିଁ, କି ବାହାରୁ କେହି ଆସି ଆମ ହତାର ଜଳ ବ୍ୟବହାର କରନ୍ତି ନାହିଁ । ହଇଜା ଜୀବାଣୁ ଆସିଲା ତେବେ କେଉଁଠୁ ଏବଂ କେମିତି ? ବୁଢ଼ୀ ନିଶ୍ଚୟ ହଇଜାରେ ମଲା ନାହିଁ ।

 

କିନ୍ତୁ ମଲା, ଏବଂ ବୁଢ଼ାର କୋଳ ଉପରେ ମୁଣ୍ଡ ଥୋଇ ! ବୁଢ଼ା କାନ୍ଦି କାନ୍ଦି କହିଲାଗଲୁ ତ ଯା । କିନ୍ତୁ ମୁଁ ଯିବା ଯାକେ ତକେଇ ଥିବୁଟିକି । ମୁଁ ବି ତୋ ପଛେ ପଛେ ଯାଉଚି ।

 

ଏ ଘଟନାରେ ତିନୋଟି ବର୍ଷ ପରେ । ବାପା କୌଣସି ଗୋଟାଏ କାମରେ ମାହାଙ୍ଗା ଯାଇଥିଲେ । ଫେରିଲା ବେଳକୁ ବାଟରେ କୋଉଠି କଅଣ ଖିଆ ପିଆ କରି ଆସିଲେ ଯେ, ରାତି ବାରଟା ଗୋଟାଏ ବେଳକୁ ଝାଡ଼ା ହେଲା । ସେ ଦିନ ବୁଧବାର ।

 

ଯାହା ପୁଅକୁ ସାପ କାମୁଡ଼େ

ସେ ପାଳ ଦଉଡ଼ି ଦେଖିଲେ ଡରେ

 

ବଡ଼ କକେଇ ବୁଢ଼ା ବାପାଙ୍କୁ ଡାକି କହିଲେ—ନନାଙ୍କୁ ହଇଜା ଧଇଲା । ଝାଡ଼ା ପଛେ ପଛେ ବାନ୍ତି ।

 

ଘରେ ଚହଳ ପଡ଼ିଗଲା । ରୋଜଗାରିଆ ପୁଅ ସେ—ପରିବାରର ପୋଷଣହାରୀ । ସକାଳକୁ ଗାଯାକ ହାଲୋର ପଡ଼ିଗଲା । ସେ ଦିନ ଗୁରୁବାର । ବୁଢ଼ା ବାପା କର୍ପୂଗରିଷ୍ଟ ଓ ଅନ୍ୟାନ୍ୟ କଅଣ ସବୁ ବଟିକା ଖାଇବାକୁ ଦେଇ ଇଷ୍ଟ ଦେବତା ନୃସିଂହନାଥଙ୍କୁ ମନର ଦୁଃଖ ଜଣାଇଲେ ।

 

ବାପାଙ୍କ ଅବସ୍ଥା ଦିନକୁ ଦିନ ଖରାପ ହେଲା । ଝାଡ଼ା ଓ ବାନ୍ତି ଲାଗି ରହିଲା । ଧୀରେ ଧୀରେ ସେ ଦୁର୍ବଳ ହୋଇ ପଡ଼ିଲେ ଏବଂ ଶେଷକୁ ଶେଯରୁ ଆଉ ଉଠି ପାରିଲେ ନାହିଁ । ବୁଢ଼ା ନିଜେ ଆସନ୍ତି, ପାଖରେ ବସନ୍ତି, ନାଡ଼ି ଦେଖନ୍ତି, ଦିହ ମୁଣ୍ଡ ଆଉଁସି ଦିଅନ୍ତି, ବଟିକା ଖୁଆନ୍ତି; ଆଉ ବାବାଙ୍କ ପାଟିରେ ଦିଅନ୍ତି ଔଷଧ ସାଙ୍ଗକୁ ଇଷ୍ଟଦେବଙ୍କ ପାଦୁକ । କାନ୍ଦୁଣୁ ମାନ୍ଦୁଣୁ ହୋଇ ବୋଉ ପଚାରିଲେ କହନ୍ତି—କିଛି ପରବାୟ ନାହିଁ । ପୁଅର କିଛି ହବ ନାହିଁ ମୁଁ ଅଛି ।

 

ବୁଢ଼ା ବାପାଙ୍କର “ମୁଁ ଅଛି” କଥାଟା ପରିବାରର ସମସ୍ତଙ୍କ ଦମ୍ଭ ଆଣିଦିଏ । ଠାକୁରଙ୍କୁ ପୂଜା କରି ବୁଢ଼ାବାପା କାନ୍ଦି କାନ୍ଦି ଦୁଃଖ ଜଣାନ୍ତି—ଦେଖ ନୃସିଂହନାଥ, ମୋ କୋଳରୁ ଗୋଟାଏ ପିଲାକୁ ନେଇ ଯାଇଚୁ । ବାସ୍ତରୀ ବର୍ଷ ବୟସରେ ଆଉ ଥରେ ପୁତ୍ର ଶୋକ ଦେଏନା । ତାକୁ ରଖିଯା, ମତେ ନେଇଯା ।

 

ବୁଢ଼ାଙ୍କୁ ଯେତେବେଳେ ପଚାଶ ବର୍ଷ, ତେତେବେଳେ ସଭା ସାନ କକେଇ ସାପ କାମୁଡ଼ାରେ ମରିଥିଲେ । ସେ ପୁତ୍ର ଶୋକ କଥା ମନେ ପଡ଼ିଗଲା ବେଳକୁ ଏବେ ବି ବୁଢ଼ାର ଘାଇଲା କଲିଜାରୁ କଞ୍ଚାରକ୍ତ ଝରି ପଡ଼ୁଥାଏ ।

 

ଏହିଭଳି ଭାବରେ ଦିନଟିପରେ ରାତିଟିଏ ହୋଇ ଆସିଲା ବୁଧବାର । ବୁଢ଼ା ବାପା ତେଣେ ଠାକୁର ଘରେ ବିଶ୍ରାମ ନେଉଚନ୍ତି ଠିକ୍ ଉଦୁଉଦିଆ ଖରାବେଳକୁ ଆମ ଘରେ କାନ୍ଦ ବୋବାଳି ପଡ଼ିଗଲା । ବାପା ଆଉ ନିଃଶ୍ୱାସ ମାରୁ ନ ଥାନ୍ତି କି ହଲଚଲ ହେଉ ନ ଥାନ୍ତି । ଗୋଲମରିଚ ପାଟିରେ ପୂରାଇ କକେଇ ବାପାଙ୍କକାନ ଫୁଙ୍କି ଫୁଙ୍କି ନୟାନ୍ତ ହେଲେଣି । ସମସ୍ତେ କହୁଚନ୍ତି—ଚାଲିଗଲେ । କଥାଟାକୁ ଠଉରାଇ ନେଇ ବୁଢ଼ା ତେଣେ ଠାକୁରଙ୍କ ଆଗରେ ଢ଼ୁ ଢ଼ୁ କରି ମୁଣ୍ଡ ପିଟି ଡାକ ଛାଡ଼ିଲେ—ନୃସିଂହନାଥ ! ଆରେ ହେ ନିଦା ପଥର, ନିଦାରୁଣ ଠାକୁର, ମତେ ନେଇ ଯା ତାକୁ ଛାଡ଼ି ଯା ।

 

ଏତିକି କହି ଉଠିଆସି ସମସ୍ତଙ୍କୁ ବାପାଙ୍କ ଘରୁ ବାହାର କରି ଭିତରୁ କବାଟ କିଳି ଦେଇ ବାପାଙ୍କ ମୁଣ୍ଡକୁ ନିଜ କୋଳ ଉପରେ ଥୋଇ କଅଣ ସବୁ ମନ୍ତ୍ର ଯନ୍ତ୍ର ପଢ଼ିବାକୁ ଲାଗିଲେ । ଆମେ ସବୁ ବାହାରେ ଡକାହାଲୁର ପକାଇ କନ୍ଦାକଟା କରୁ ଥାଉଁ । ପ୍ରାୟ ଅଧ ଘଣ୍ଟାକ ପରେ କବାଟ ଫିଟିଲା । ବୁଢ଼ା ବାହାରକୁ ବାହାରି ଆସି କକେଇ ଓ ବୋଉଙ୍କୁ ପାଖକୁ ଡାକି କହିଲେ—ପୁଅ ପାଖକୁ ଯାଅ, ମୁଁ ଚାଲିଲି । ଆଉ ଏ ଘରକୁ ଆସି ପାରିବି ନାହିଁ ।

 

ବୁଢ଼ା ଠାକୁରଙ୍କ ପାଖକୁ ଚାଲିଗଲେ । ବାପା ଚେଇଁ ଉଠି କଡ଼ ଲେଉଟାଉଚନ୍ତି । ପାଖକୁ ଯାଇ ବୋଉ ଆଉଁସୁ ଆଉଁସୁ କାନ୍ଦିବାକୁ ଲାଗିଲେ । କକେଇ ବୁଢ଼ା ବାପାଙ୍କ ପଛେ ପଛେ ଧାଇଁ ଗଲେ । ଶୁଣିଲେ ମୁଣ୍ଡିଆ ମାରି ସେ କହୁଚନ୍ତିତୋର ବ୍ୟବସ୍ଥା ତୁ କର ନରସିଂହନାଥ । ମୁଁ ଚାଲିଲି । ମୁଁ ଆଉ ତୋ ଘରକୁ ଆସି ପାରିବି ନାହିଁ ।

 

ଠାକୁରଙ୍କ ପାଖରୁ ଫେରି ଆସି ହସ ହସ ମୁହଁରେ ବୁଢ଼ା ଦାଣ୍ଡ ଘରେ ବିଛଣା ଧଇଲେ-। ସେଇ ଦିନ ସଞ୍ଜକୁ ତାଙ୍କର ଝାଡ଼ା ଆରମ୍ଭ ହୋଇଗଲା । ଧୀରେ ଧୀରେ ବାପା ଭଲ ହେବାକୁ ଲାଗିଲେ ଏବଂ ବୁଢ଼ା ବାପାଙ୍କ ଦିହ ଖରାପ ଆଡ଼କୁ ଗତି କଲା । କୌଣସି ଔଷଧ ଖାଇବାକୁ ତାଙ୍କର ଇଚ୍ଛା ନ ଥାଏ, କିନ୍ତୁ କକେଇ ଜୋର କରି ଖୁଆଉ ଥାଆନ୍ତି । ଝାଡ଼ା ଆଉ ବାନ୍ତି ଅଳ୍ପ ଅଳ୍ପ ହେଉଥାଏ । ଛଅ ଦିନ ବେଳକୁ ବୁଢ଼ା ଆଉ ଉଠି ପାରିଲେ ନାହିଁ । କକେଇ ଆଉ ଖୁଡ଼ି ତାଙ୍କ ପାଖେ ପାଖେ ଥାଆନ୍ତି । ବୋଉ ଜଗିରହି ଥାଆନ୍ତି ବାପାଙ୍କୁ । ସପ୍ତମ ଦିନର ରାତିଟି କଥା ଆମେ ଜୀବନରେ ଭୁଲି ପାରିବୁ ନାହିଁ । ରାତି ସେତେବେଳକୁ ଗୋଟାଏ ଦୁଇଟା ହେବ । ବାପା ସୁସ୍ଥ ପୁରାଜ୍ଞାନରେ ଥାଆନ୍ତି । ଲଗାଏତ ରାତି ଉଜାଗର ଓ କ୍ଳାନ୍ତି ହେତୁ ବୋଉ ଟିକେ ଶୋଇ ଯାଇ ଥାଆନ୍ତି । ବାପା ଘୁଷୁରି ଘୁଷୁରି ଘର ଭିତରକୁ ଆସି ବାରଣ୍ଡା ଉପରେ ପଡ଼ିଥାଆନ୍ତି । ବୁଢ଼ା ବାପାଙ୍କ ଦେହ ଏକ ପ୍ରକାର ଭଲ ଥିବାରୁ ଖୁଡ଼ି ଓ କକେଇ ବିଶ୍ରାମ ନେବା ପାଇଁ ଅଗଣା ସେ ପାଖକୁ ଥିବା ତାଙ୍କ ଶୋଇଲା ଘରକୁ ଯାଇ ଟିକେ ଶୋଇ ପଡ଼ି ଥାଆନ୍ତି । ଘର ଗୁଡ଼ିକ ଭିତରେ ଆମର ଥାଏ ପୂର୍ବ ପଟକୁ ଦି ବଖରା । ଦକ୍ଷିଣ ପଟ ପାଚେରି ଦିହରେ ବାଡ଼ି ପଟକୁ ପଟିକିଆ କବାଟଟାଏ ଲାଗିଥାଏ । ଫିଟେଇଲେ “କେଏଁ” ବନ୍ଦକଲେ “କେଏଁ” ଶବ୍ଦ କରେ । ଘରେ ବା ଗାଁରେ ହଇଜା ହେଲେ ଡର ଭୟରେ ସମସ୍ତେ ତାଟିକବାଟ କୀଳିବା ବିଷୟରେ ଜାଗତିଆର ଥାଆନ୍ତି—କାଳେ କେଉଁ ଠାକୁରାଣୀ ଘର ଭିତରକୁ ପଶିଆସିବେ ! ଆମର ବାଡ଼ି କବାଟଟା ସଞ୍ଜ ବେଳୁ ନିଶ୍ଚୟ ବନ୍ଦ କରାଯାଇଥାଏ । ଅଗଣା ଭିତରେତ କୂଅ—ବାହାରକୁ ଯିବା ଦରକାର କଅଣ ?

 

ଜହ୍ନ ଆଲୁଅରେ ଅଗଣାଟା ପୂରାପୁରି ପରିଷ୍କାର ଦେଖାଯାଉଥାଏ । କେହି କୁଆଡ଼େ ନାହିଁ । ଦି ରୋଗୀଙ୍କ ଅବସ୍ଥା ଭଲ ଥିବାରୁ ଦୀର୍ଘ ଚଉଦ ଦିନର ଅକ୍ଳାନ୍ତ ଶ୍ରାନ୍ତି ପରେ ପରିବାରର ସମସ୍ତେ ଶାନ୍ତିରେ ଟିକେ ଅଜ୍ଞାନ ହୋଇ ପଡ଼ି ଯାଇଛନ୍ତି । ଏକା ଜାଗିଚନ୍ତି ବାପା । ବାଡ଼ି କବାଟଟା କେଁ କେଁ ଶବ୍ଦ କରିଉଠିଲା । ବାପା ଚାହିଁଲେ ଏବଂ ଦେଖିଲେ—କିଏ ଗୋଟିଏ ନାରୀ ଧୀରେ ଧୀରେ କବାଟଟାକୁ ଫିଟାଇ ଭିତରକୁ ଆସିଲା । ଭିତରପଟେ କୀଳା ହୋଇଥିବା ଶିକୁଳୀଟା ଫିଟିଲା କେମିତି, ସେ କଥା ଚିନ୍ତା କରିବାକୁ ବାପାଙ୍କର ଶକ୍ତି-ସାମଥ୍ୟ ନଥାଏ । ଦେଖିଲେ—ନାରୀ ମୂର୍ତ୍ତିଟି ଧୀରେ ଧୀରେ ଅଗଣା ପାରିହୋଇ ଦାଣ୍ଡ ଘରର ଆଉଜା କବାଟଟିକୁ ଫିଟାଇ ଭିତରକୁ ପଶିଲା । ଘଟନାଟାକୁ ଅସ୍ୱାଭାବିକ ମନେକରି ବାପା ପଛେଇ ପଛେଇ ଘରଭିତରକୁ ଘୁଷୁରି ଘୁଷୁରି ଯାଇ ପାଦରେ ଠେଲି ତଳେ ଶୋଇପଡ଼ିଥିବା ବୋଉଙ୍କୁ ଡାକି ତୁନି ତୁନି ସବୁକଥା କହିଲେ-। ତା’ପରେ ଦୁହେଁଯାକ ବାରଣ୍ଡା ଉପରକୁ ଆସି ଦେଖିଲେ—ଦାଣ୍ଡଘର କବାଟଟାକୁ ପୁଣି ଥରେ ମେଲାଇ, ବାହାରକୁ ବାହାରି ଆସି, ଅଗଣା ଭିତର ଦେଇ ବାଡ଼ି—ଦୁଆରଯାକେ ଚାଲି ଚାଲି ଯାଇ ନାରୀ ମୂର୍ତ୍ତିଟି ବାଡ଼ି ପଟକୁ ଚାଲିଯାଇ କବାଟଟାକୁ ଆଉଜାଇ ନେଲା । କେଁ କେଁ ଶବ୍ଦ ଶୁଭିଲା ।

 

ବାପା ପଚାରିଲେ—କଅଣ ଦେଖିଲ ?

 

ବୋଉ କହିଲେ—କିଏ ଗଲା ?

 

ବାପା—କିଏ ଗଲା ?

 

ବୋଉ—କେଜାଣି !

 

ବାପା—କେହି ଜାଣିନାହଁ, ବଳିକି ଡାକ । ବୋହୂଟା ଏକୁଟିଆ ବାପାଙ୍କ ପାଖକୁ ଆସିଥିଲା; ବାରିଆଡ଼କୁ ଗଲା । ହୁଏତ ତାର ଝାଡ଼ା ଆରମ୍ଭ ହୋଇଗଲା !

 

ବୋଉ ଛାନିଆରେ ଥରି ଥରି ଅଗଣା ପାରି ହୋଇ ଡାକିଲେ—ବଳି, ବଳି କିହୋ !

 

ଶୋଇବାଘର କବାଟକୁ ଭିତରପଟୁ ଫିଟାଇ ବଡ଼କକେଇ ବାହାରକୁ ଆସି ପଚାରିଲେ–କଅଣ ?

 

ବୋଉ କହିଲେ—ସାନ ବୋହୂ ବାହାରକୁ ଗଲାକି ?

 

କକେଇ—କାହିଁକି, ନାହିଁତ !

 

ଭିତରକୁ ଯାଇ ନିଘଡ଼ ନିଦରେ ଶୋଇଥିବା ଅବସ୍ଥାରେ ଖୁଡ଼ିକି ଦେଖିଆସି କକେଇ ବାରିପଟ କବାଟ ପାଖକୁ ଯାଇ ଛାନିଆରେ ଭିତରପଟ ଶିକୁଳି ଲଗାଇ ଦେଇ କହିଲେ—ସେ’ତ ଶୋଇଚି ! ବାରିକବାଟ ଫିଟାଇଲା କିଏ ? ମୁଁ ନିଜେ ବନ୍ଦ କରି ଦେଇଥିଲି । ତୁମେ କଅଣ ବାହାରକୁ ଯାଇଥିଲ ?

 

ବୋଉ ବିରକ୍ତ ହୋଇଉଠି କହିଲେ—ମୁଁ ପଚାରୁଚି କଅଣ, ଆଉ ତୁମେ କହୁଚ କଅଣ-? ଆସ ଶୁଣିବ ତମ ଭାଇ କଅଣ କହୁଚନ୍ତି । ସେ ଏକା କହୁନାହାନ୍ତି; ମୁଁ ବି ନିଜ ଆଖିରେ ଦେଖିଚି—କିଏ ଗୋଟିଏ ମାଇପୀ ଲୋକ ବାପାଙ୍କ ଘରକୁ ଆସିଥିଲା, ଏଇବାଟେ ଫେରିଗଲା । କବାଟଟାକୁ ତ ମେଲା କରିଦେଇ ଯାଇଚି; ଶୁଣୁଚ କଅଣ, ଆଉ ମତେ ପଚାରୁଚ କଅଣ ? ପାଟିଶୁଣି ଖୁଡ଼ି ଉଠି ଆସିଲା । ଭୟରେ ସେ ଛାନିଆ । ସମସ୍ତେ ଆସିଲେ ବାପାଙ୍କ ପାଖକୁ । ସବୁକଥା ଶୁଣିଲେ । ବୁଢ଼ାପାଙ୍କ ପାଖକୁ ଯାଇ ପଚରା ଉଚରା କଲାରୁ ବୁଢ଼ା ହସିଲେ । କହିଲେ—ସେଥିରୁ ତୁମକୁ କଅଣ ମିଳିବ ? ବୋଉ ଆସିଥିଲା । ସେଦିନୁ ମଲାଣି; ସେ ମତେ ଅପେକ୍ଷା କରି ରହିଚି । ଆସିଥିଲା ମତେ ଦେଖିବାକୁ, ଆଉ ଡାକିବାକୁ । ମୋ ଆଶା ଛାଡ଼ । ତୁମ ସଂସାର ତୁମେ ସମାଳ ।

 

ସମସ୍ତେ କାକୁସ୍ତ ହୋଇ ବୁଢ଼ାଙ୍କ ଆଡ଼କୁ ଅନାଇ ରହିଲେ । ଘରେ ଗୋଟାଏ ଲଣ୍ଠନ ଆଉ ବାହାର ବାରଣ୍ଡାରେ ଆଉ ଗୋଟାଏ ଲଣ୍ଠନ ଜଳୁଥାଏ । ଆକାଶରେ ନିର୍ମଳ ଜହ୍ନ । ଅଗଣା ଯାକ ସଫା ଆଲୁଅ । ତେବେବି ସମସ୍ତଙ୍କୁ ଚାରିଆଡ଼ ଅନ୍ଧାର ଦିଶିଲା । କକେଇ କାନ୍ଦି ଉଠିଲେ—ବୋଉ ଆସିଥିଲା ? ମୁଁ ଚଣ୍ଡାଳ ଶୋଇ ପଡ଼ିଲି, ଦେଖି ପାରିଲି ନାହିଁ ?

 

ଖୁଡ଼ି ଭୟରେ ମୋ ବୋଉକୁ କୁଣ୍ଢାଇ ପକାଇଲା । ବୁଢ଼ାପା ସେ ଦୃଶ୍ୟକୁ ପୂର୍ଣ୍ଣ ଭାବେ ଅନୁଭବ କରିନେଇ କହିଲେ—ଭୟ ନାହିଁଲୋ ମା, ସେ ତୁମର କିଛି କରିବ ନାହିଁ । ଶାଶୁ ସେ, ମାଆ ସେ ତୁମର, ମଙ୍ଗଳାକାରିଣୀ । ନିଶ୍ଚିନ୍ତ ହୁଅ । ଯାଅ ଶୋଇବ, ମୁଁ ଭଲ ଅଛି । ସେ ଏଇ ପାଖ ଆଖରେ ଘୁର ଘୁର୍ ହେଉଚି । ପୁଣି ଥରେ ଦେଖା ଦେଇପାରେ !

 

ବଡ଼ କକେଇ କହିଉଠିଲେ—ମୁଁ ଆଉ ଶୋଇବାକୁ ଯିବି ନାହିଁ । ଆସୁ ବୋଉ । ମୁଁ ତାକୁ ଦେଖିବି ।

 

ବୁଢ଼ାଙ୍କ ଦେହ ଭଲଥାଏ । ତହିଁ ଆରଦିନ ଗୁରୁବାର । ସକାଳୁ ମନ୍ତ୍ରସ୍ନାନ କରି ନେଇ କକେଇଙ୍କି କହିଲେ—ଗୀତା ପଢ଼ ଶୁଣିବି । ନୃସିଂହନାଥଙ୍କ ପାଦୁକ ଆଣିଦିଅ । ଆଜି ମୁଁ କିଛି ଆଉ ଔଷଧ ଖାଇବି ନାହିଁ ।

 

ପ୍ରଥମେ ଭାଗବତ ଏକାଦଶସ୍କନ୍ଦ, ତା’ପରକୁ ଗୀତା ବୋଲା ହେଲା । ଭଲ ମଣିଷଟା, ଚାରିଟାବେଳକୁ ଚାଲିଗଲା । ଚାଲିଯିବା ପୂର୍ବରୁ ସେ ଦେଖେଇ ଦେଇଗଲା ଯେ ବୁଢ଼ୀ ତାକୁ ସତକୁ ସତ ଭଲ ପାଉଥିଲା । ସତୀ ପରି ସଧବାରେ ସେ ଚାଲିଯାଇ ବୁଢ଼ାପାଇଁ ଶୂନ୍ୟ ମଣ୍ଡଳରେ ତିନୋଟି ବର୍ଷ ଅପେକ୍ଷା କରି ରହିଥିଲା । ଶେଷକୁ ବୁଢ଼ାର ଯିବାବେଳ ହେବାରୁ ଆଗରୁ ଆସି ଆଗୁଳେଇ ନେଇଗଲା । ତା’ପରେ କଅଣ କାହାର ଘଟିଲା ସେ କଥାଟି କହି ହେବ ନାହିଁ । ତେଣିକି ସେ ଅଜଣା ରାଜ୍ୟରେ କିଏ କାହାର କଅଣ ହେଲା, ଏବଂ ସେ ରାଜ୍ୟରେ ସ୍ୱାମୀ ସ୍ତ୍ରୀ, ପୁରୁଷ ନାରୀର ସମ୍ପର୍କଟା ସେମାନଙ୍କ ଭିତରେ ଅନ୍ୟ କି ପ୍ରକାରର ରୂପରେଖ ନେଲା, ସେ କଥାରେ କିଏ ବା କଅଣ କହିବ ?

 

ଦୁଇ

 

କେନ୍ଦ୍ରାପଡ଼ା ଆଠ ମାଇଲି ଦୂର ରହିବ । ବାଟରେ ଚାନ୍ଦୋଳ ନିକଟରେ ଗୋଟିଏ ଗାଁ । ସେଇ ଗାଁରେ ବନ କକେଇ ଝିଅଟିର ଶାଶୁଘର । ନବଘନ ହେଲା ଆମ ଭିଣୋଇ । ପୁଅ ଦିଓଟି ଗୋଇ, ମହି ଓ ଝିଅ ତିନିଟି । ସେମାନେ ଗାଁରେ ଜଣାଶୁଣା ଘର । ଖଞ୍ଜା ଘରଟିଏ । ପଛ ପଟକୁ ମେଲା ବାଡ଼ି । ବାଡ଼ିର ସେ ମୁଣ୍ଡକୁ ବାଉଁଶ ବୁଦା । ଦାଣ୍ଡ ଦୁଆର ପାହାଚ ତଳକୁ ସାଇ ଦାଣ୍ଡ । ଦାଣ୍ଡ ସେପଟକୁ ନବଘନର ଖୁଡ଼ୁତା ପୁଅ ଭାଇ ଦିଜଣଙ୍କ ଘର । ତା’ଭିତରେ ନାବନ ଥିଲା ନବଘନର ସମବୟସ୍କ ଏବଂ ସାଙ୍ଗ । ଦୁହିଙ୍କର ଭାରି ମନ ମିଳେ । ପିଲାଦିନୁ ସାଙ୍ଗ ସାଥୀ ହୋଇ ଖେଳୁଥିଲେ । ବଡ଼ ହେଲାରୁ ପଢ଼ାଶୁଣା ଓ ବୁଲାଚଲାରେ ଦିହେଁ ସାଥି ହୋଇଥିଲେ । ହଠାତ୍ ଦିନେ ଜଣାଗଲା ନାବନକୁ ଯକ୍ଷ୍ମା । ଦୁରାରୋଗ୍ୟ ବ୍ୟାଧି । ଧୀରେ ଧୀରେ ନାବନ ଦୁର୍ବଳ ହୋଇପଡ଼ିଲା ଏବଂ ସାଧ୍ୟମତେ ଯେତେ ଯାହା ଚିକିତ୍ସା କଲା, କିଛି ଫଳ ହେଲା ନାହିଁ । ଯକ୍ଷ୍ମା ସଂକ୍ରାମକ ରୋଗ ଜାଣି ସାଇ ଭାଇଏ ଧୀରେ ଧୀରେ ତା’ ଘରକୁ ଆସିବା ଯିବା ବନ୍ଦ କରିଦେଲ । ଅତି ହତାଶ ହୋଇ କନ୍ଦାକଟା କଲାବେଳକୁ ନବଘନହିଁ ତା’ ପାଖକୁ ଯାଏ ଏବଂ ଆଶ୍ୱାସନା ଦିଏ । ଦୁରାରୋଗ୍ୟ ରୋଗ ଶଯ୍ୟାରେ ପଡ଼ି ପଡ଼ି ନାବନ ନିଶ୍ଚିତ—ମୃତ୍ୟୁର ବିକଟ ରୂପର ସ୍ୱରୂପ କଳ୍ପନା କରି ବେଳେ ବେଳେ ଚିତ୍କାର କରି ଉଠେ—ମଲିହୋ ନବ ନନା, ମୋ ପାଖକୁ ଟିକେ ଆସ ।

 

ନବ ଯାଏ । ଯଥା ସାଧ୍ୟ ସାହାଯ୍ୟ କରେ, ପ୍ରବୋଧ ଦିଏ । ତା’ ପାଇଁ କାନ୍ଦେ; କିନ୍ତୁ ଫଳ କିଛି ହେଲା ନାହିଁ । ନବଘନର ପେଟମରା ବେମାରି । ଦାଣ୍ଡ ପିଣ୍ଡାରେ ସେ ପ୍ରାୟ ସବୁଦିନେ ଶୁଏ । ସେ ବି ବେଳେବେଳେ ପେଟର ଯନ୍ତ୍ରଣାରେ ଛଟପଟ ହେଉଥାଏ । ନିଜ ଜୀବନରେ ଦୁଃଖର ଅନୁଭୂତି ନଥିଲେ ଅନ୍ୟର ଦୁଃଖରେ କେହି କେବେ ସମବେଦନା ଅନୁଭବ କରିପାରେ ନାହିଁ । ଦିନେ ରାତିରେ ନିଘୁଡ଼୍ ନିଦରେ ଶୋଇ ନବଘନ ଗୋଟାଏ ସ୍ୱପ୍ନ ଦେଖିଲା—ନାବନ ଆସି ପାଖକୁ ଲାଗି ଠିଆ ହୋଇ ଡାକୁଚି—ନବ ନନା, ଉଠ । ମୁଁ ଯାଉଚି ।

 

ନବଘନ ଉଠି ବସିଲା । ସେଇ ପିଣ୍ଡାଟି ଉପରେ ଅଳ୍ପ ଦୂରରେ ନବର ଜଣେ ସମ୍ପର୍କୀୟ କକେଇ ଶୁଅନ୍ତି । ତାଙ୍କୁ ଡାକି ଉଠାଇ କହିଲା—ଶୁଣିଲଣି ମକରାକେଇ, ମୁଁ ଏମିତି ଏମିତି ସ୍ୱପ୍ନଟାଏ ଦେଖିଲି । ନାବନର ପାଟି ତୁଣ୍ଡ କିଛିତ ଆଜି ଶୁଭୁ ନାହିଁ ! ଚାଲିଲ ଦେଖି ଆସିବା ।

 

କେତେଦିନ ହେଲା ନାବନ ନିତାନ୍ତ ଦୁର୍ବଳ ଓ ନିସ୍ତେଜ ହୋଇ ପଡ଼ିଥାଏ । ଦିହେଁଯାକ ତା’ ଘରଆଡ଼କୁ ଗଲେ । ଦାଣ୍ଡ କବାଟ ତାର ପ୍ରାୟ ଖୋଲା ଥାଏ । ଅଗଣା ବାରଣ୍ଡାରେ ନାବନ ଶୁଏ । ଭିତରକୁ ପଶି ନବଘନ ଟିପା–ବତି ଜାଳି ଦେଖିଲା—ପୂରା ପରି ବିକୃତ ରୂପ ଘେନି ନାବନ ପଡ଼ିଚି । ଡାକିଲାରୁ ଶୁଣୁ ନାହିଁ । ପାଖକୁ ଯାଇ ଦିଜଣଯାକ ବୁଝିପାରିଲେ ଯେ ନାବନ ମରି ଯାଇଚି-

 

ମରି ଯାଇଚି ଏବଂ ଅଳ୍ପ ସମୟ ପୂର୍ବରୁ ନବଘନକୁ ସ୍ୱପ୍ନ ରୂପରେ ଦେଖା ଦେଇ କହି ଯାଇଚି । ଶବଟା ତାର ପଡ଼ି ରହିଚି । ସୂକ୍ଷ୍ମ ଶରୀର ତାର ଚାଲି ଯାଇଚି । ଚାଲିଯିବା ଆଗରୁ ନବଘନଠାରୁ ବିଦାୟ ନେଇ ଯାଇଚି ।

 

ସାଇରେ ଚହଳ ପଡ଼ିଗଲା । କିଏ କହିଲା ସାଇରୁ ବାଘ ମଲା, କଣ୍ଟା ଗଲା । କେହି ଅବା ନବଘନ ସାଙ୍ଗରେ ଯୋଗ ଦେଇ ଶବ–ସଂସ୍କାର ପାଇଁ ବ୍ୟବସ୍ଥା କଲା ।

 

ନାବନ ଗଲା । ରହିଲା ନବ । ସେ ସେମିତି ଦାଣ୍ଡ ବାରଣ୍ଡାରେ ଶୁଏ । ଡର ଭୟ ତାର କିଛି ନଥାଏ । ସେ ଜାଣେ ନାବନ ତାର ଅନ୍ତରଙ୍ଗ ବନ୍ଧୁ । ନାବନର ଶୁଦ୍ଧିକ୍ରିୟା ସରିଲା । ମାସେ ଖଣ୍ଡେ ଗଲା । ତାକୁ ନବଘନ ବାରମ୍ୱାର ସ୍ୱପ୍ନ ଦେଖିଲା । କେତେବେଳେ ହସି ହସି, କେତେବେଳେ ଅବା କାନ୍ଦି କାନ୍ଦି ପାଖକୁ ଆସୁଚି ନାବନ । କହୁଚି—ନବ ନନା, ତମର ମୋର ଏତେ ସାଙ୍ଗ; ମୁଁ ଘର ଛାଡ଼ି ଏକୁଟିଆ ବୁଲୁଚି, ଆଉ ତୁମେ ନିଶ୍ଚିନ୍ତ ହୋଇ ଶୋଇଚ ?

 

ସ୍ୱପ୍ନ ଭାଙ୍ଗିଲେ ପ୍ରତିଥର ନବଘନ ଉଠି ମକରା କକେଇ ଓ ଅନ୍ୟାନ୍ୟମାନଙ୍କୁ ସବୁକଥା କହେ । ସମସ୍ତେ ଡରନ୍ତି । କହନ୍ତି ନବକୁ—ନାବନର ଆତ୍ମା ମୁକ୍ତି ପାଇ ପାରିନାହିଁ । ସେ ତୁମରି ପାଖକୁ ଆସୁଚି । ତୁମେ ଏଣିକି ଘର ଭିତରେ ଶୁଅ । ଗୁଣିଆ ଡକାଇ ନିଜ ଦିହକୁ କୀଳି ନିଅ ।

 

ନବଘନ କିଛି ଶୁଣେ ନାହିଁ । କହେ—ସାଙ୍ଗଟା ମୋର, ମୋ ପାଖକୁ ଆସୁଛିତ ଆସୁ । କଅଣ କହୁଚି କହୁ । ମୋର କିଛି ସେ ଅନିଷ୍ଟ କରିବି ନାହିଁ । ମୁଁ କିଆଁ ତାକୁ ଡରିବି ?

 

ନବଘନ ଡରିଲା ନାହିଁ ସତ, ମାତ୍ର ତା ପେଟମରା ରୋଗଟା ଧୀରେ ଧୀରେ ବଢ଼ିଲା । ସାନବଡ଼ ହୋଇ ପାଞ୍ଚଟି ଛୁଆ ଏବଂ ତାଙ୍କର ମାଆ । ବଡ଼ ଭାଇ ଲମ୍ୱୋଦରଟି ବୁଢ଼ା । କକେଇ ପୁଅ ଭାଇ ରଘୁ । ଶେଷକୁ ସମସ୍ତେ ମିଳି ନବକୁ କଟକ ବଡ଼ ଡାକ୍ତରଖାନାକୁ ଆଣିଲେ । ନାବନ ମରିବାର ପ୍ରାୟ ଛଅଟି ମାସ ବିତି ଥାଏ । ବିଶେଷଜ୍ଞ ଡାକ୍ତର ଏକସ୍‍ରେ ଫଟ ଉଠାଇ କହିଲେ ଗେଷ୍ଟିକ ଅଲ୍‍ସର, ପେଟ ଭିତରେ ଘାଆ । ଅପରେସନ କରିବାକୁ ହେବ । ତେତେବେଳକୁ ନବଘନ ନିତାନ୍ତ ଦୁର୍ବଳ ହୋଇ ପଡ଼ିଥାଏ । ଅପରେସନ ହେଲା । ବଡ଼ ପୁଅଟି ଏବଂ ଭାଇ କେଇ ଜଣ ପାଖରେ ଥାଆନ୍ତି । ଚାରି ଛଅ ଦିନ ପରେ ଅବସ୍ଥା ଅତି ଖରାପ ଦିଗକୁ ଗତିକଲା । ନବ ଖୋଜିଲା, ସାନ ପୁଅ ମହିଟିକି ଦେଖିବା ପାଇଁ । ତାକୁ କିନ୍ତୁ ବାପ ପାଖକୁ ଅଣାଗଲା ନାହିଁ । ସାନ ପିଲାଟି ସମ୍ଭାଳି ପାରିବ ନାହିଁ ଯେ ! ନବଘନ ଚାଲିଗଲା । ସମସ୍ତେ କହିଲେ—ନାବନ ଡାକି ନେଲା-। ନିଜେତ ଗଲା ଯକ୍ଷ୍ମାରେ, ନବ–ନନାକୁ ନେଲା ପେଟ–ବେମାରିରେ । ଦି ସାଙ୍ଗ ଆଗିଲି ପିଛିଲି ହୋଇ ଚାଲିଗଲେ ।

 

ଦି ତିନି ମାସ ପରେ ମହି ଦିନେ ବାପାକୁ ତା’ର ସ୍ୱପ୍ନ ଦେଖିଲା ବାପା ତା’ ପାଖରେ ବସି ଆଉଁସି ଦେଉ ଦେଉ ପଚାରୁଚି—ମତେ ତୁ ଦେଖିବାକୁ ଯାଇ ପାରିଲୁ ନାହିଁ ବାପା ?

 

ଦଶ ବର୍ଷର ପିଲାଟି, ସତେକି ସ୍ୱପ୍ନରେ ଜବାବ ଦେଉ ଥାଏ ମତେତ କେହି ନେଲେ ନାହିଁ, କେମିତି ଯାଇ ଥାଆନ୍ତି ? ବାପା କହିଲେ—ଆଚ୍ଛା ହଉ ନଗଲୁ ନାହିଁ । ମୁଁ ତମ ପଛେ ପଛେ ଜଗି ରହିଚି ବୋଲି ଜାଣିବୁ । ମନ ଦେଇ ପଢ଼ା ପଢ଼ି କରିବୁକି, ବଡ଼ ମଣିଷ ହେବୁ । ଭାଇ’ନା ସାଙ୍ଗରେ କଳି ଗୋଳ କରିବୁ ନାହିଁ ।

 

ତଳ ଉପର ଭାଇ–ଭଉଣୀ ଖୁପୁରା ଲଗାନ୍ତି । ନିଦରୁ ଉଠି ମହି ବୋଉକୁ ତାର ଡାକି ଉଠାଇଲା । ସବୁ କଥା କହିଲା । ବୋଉ କାନ୍ଦୁ କାନ୍ଦୁ କହିଲେ—ଶୋଇ ପଡ଼ ବାପା । ସେ ସବୁ ସ୍ୱପ୍ନ କିଛି ନୁହେଁ । ଯାହା ଯେମିତି ତୁ ଭାବୁଚୁ, ସେମିତି ସ୍ୱପ୍ନ ଦେଖୁଚୁ ।

 

ମହିର ମନଟା କିନ୍ତୁ ବୋଉ କଥାରେ ବୋଧ ହେଲା ନାହିଁ । ଆଜି ସେ ବଡ଼ଟିଏ ହେଲାଣି । ଏବେବି ତାକୁ ସେଦିନର ସ୍ୱପ୍ନଟା ମିଥ୍ୟା ବୋଲି ମନେ ହେଉ ନାହିଁ । ସ୍ୱପ୍ନ ସେ ଅନେକ ଦେଖିଚି । ଏଉଟା କିନ୍ତୁ ସମ୍ପୂର୍ଣ୍ଣ ସ୍ୱତନ୍ତ୍ର ସ୍ୱପ୍ନ ।

 

ତାଙ୍କ ଘରେ ମୂଲିଆ ହଳିଆ କେତେ ଜଣ କାମ କରନ୍ତି । ପଛ ପଟକୁ ଖଳା ବାଡ଼ି । ସେଇଥି ଭିତରେ ଧାନଉଁସା ଚୁହ୍ଲି । ବଡ଼ ବଡ଼ ଜାହାଲା ଦିଇଟାରେ ଧାନ ଭିଜା ହୋଇ ଓଳିଏ ଖଣ୍ଡେ ରଖାଯାଇ ସକାଳୁ ସିଝା ହୁଏ । ଧାନ ତିନ୍ତେଇବା, ଉଁସେଇବା, ଶୁଖେଇବା ଆଦି କାମ କରନ୍ତି, ମୂଲିଆ ମୂଲିଆଣିଏ । ବାରିପଟେ ଧାନ ତିନ୍ତି ଥାଏ । କିନ୍ତୁ ଦିନେ ହେଲେ ଚୋରିର ଭୟ ନଥାଏ । ମହି ସ୍ୱପ୍ନ ଦେଖିବାର ବର୍ଷକ ପରେ ଦିନେ ସଞ୍ଜ ବେଳେ ଧାନ ଗୁଡ଼ିଏ ତିନ୍ତେଇ ଦେଇ ଯାଇଥାଏ ଜଣେ ମୂଲିଆ । ଅଭାବ ଘରର ପିଲା ସେ । ଭେଣ୍ଡା ମରଦଟିଏ । ଛୁଆ ପିଲା କେତୋଟି ଏବଂ ସ୍ତ୍ରୀ କି ମିଶାଇ ପାଞ୍ଚପ୍ରାଣୀ କୁଟୁମ୍ୱ । ମୂଲ ତକରେ ଚଳି ହୁଏ ନାହିଁ । ଧାନ ତିନ୍ତେଇ ଗଲାବେଳୁ ମନରେ ତାର ଲୋଭ ଜନ୍ମି ଯାଇଥାଏ । ରାତି ଗୋଟାକ ବେଳକୁ ଟୋକେଇ ଗୋଟାଏ ଧରି ଲୁଚି ଛପି ଆସିଲା ଚାଲି, ଧାନ କିଛି ଚୋରେଇ ନେବାକୁ । ଫରଚା ଆଲୁଅରେ ସବୁ ଆଡ଼ ସଫା ଦିଶୁଥାଏ । କିଛି ଶବ୍ଦ ନକରି ଟୋକେଇରେ ଟୋକେଇଏ ତିନ୍ତା ଧାନ ପୂରେଇଲା-। ପାଣି ନିଗିଡ଼ି ଯିବା ଯାକେ ଅପେକ୍ଷା କଲା । ଦେଖିଲା—କେହି କୁଆଡ଼େ ନାହିଁ । ମୁଣ୍ଡରେ ଗାମୁଛା ଭିଡ଼ି ଧାନ ଟୋକେଇଟାକୁ ଉଠାଇ ମୁଣ୍ଡାଇ ଧୀରେ ଧୀରେ ଉତ୍ତର ପଟ ବାଡ଼ ଆଡ଼କୁ ଚାଲି ଚାଲି ଯାଉଥାଏ । ବାଡ଼ରେ ଗୋଟାଏ ଡିଆଁ ଅଛି । ଡିଆଁଟା ଟପିଲେ ଶୂନ୍‍ଶାନ ରାସ୍ତାଟା ପଡ଼ିଚି ତା’ର ଘର ଦୁଆର ମୁହଁ ଯାକେ । ଡିଆଁଟା ଆଉରି ଥୋଡ଼ା ଦୂର ଅଛି । ସଫା ଖଳା–ବାଡ଼ିଟାର ଚାରିଆଡ଼କୁ ସେ ଆଖି ବୁଲାଇ ଦେଖିଲା—କେହି କୁଆଡ଼େ ନାହିଁ । ହଠାତ୍ କିଏ ଜଣେ ପଛଆଡ଼ୁ ଧାଇଁ ଆସି ବେକରେ ତାର ଖୁବ୍ ଜୋରରେ ଧକ୍‍କା ଟାଏ ପକାଇଲା । ମୁଣ୍ଡ ଉପରୁ ତାର ଟୋକେଇଟା ଦା’ଲୁକିନା ଆଗକୁ ଖସି ପଡ଼ି ଧାନତକ ଖଳା ଉପରେ ବିଞ୍ଚି ହୋଇଗଲା-। ଆଗକୁ ସେ ଆଁଠେଇ ପଡ଼ି ନିଜକୁ କୌଣସି ପ୍ରକାରେ ସମ୍ଭାଳି ନେଇ ପଛକୁ ଚାହିଁ ଦେଖିଲା–ସଫା ଲୁଗା ପିନ୍ଧି ନବଘନ ଅଦୂରରେ ଠିଆ ହୋଇ ତାଆରି ଆଡ଼କୁ ଅନାଇ ହାତ ହଲାଉଚି । ପ୍ରାଣ ବିକଳରେ ମୂଲିଆଟି ଚିତ୍କାର କରି ଉଠିଲା—ବୋଉଲୋ ମରି ଗଲି । ଧାଇଁପଡ଼ ହୋ, କିଏ କୁଆଡ଼େ ଅଛ ।

 

ଚୋରି କରିବାକୁ ଆସିଥିଲା ସେ । ଧାନ ଟୋକେଇକ ତାଆରି ଗୋଡ଼ ଆଡ଼କୁ ବିଞ୍ଚି ହୋଇ ପଡ଼ିଚି । ଘରୁ ଆଣି ଥିବା ଟୋକେଇଟା ତାଆରି ଆଗରେ । ସମୟ ସେତେବେଳକୁ ରାତି ଗୋଟାଏ ହେବ । ସବୁ କଥାକୁ ପାଶୋରି ପକାଇ ପ୍ରାଣ ବିକଳରେ ସେ ଡାକ ହୁଲର ପକାଇ ପଛକୁ ଚାହିଁ ରହିଲା । ଠିକ୍ ନବଘନ ଏବଂ ତାରି ଚାଲି, ତାରି ଠିଆ, ତାଆରି ଢଙ୍ଗ ଢାଙ୍ଗ । କିଛି ହେଲେ ଟିକେ ତଫାତ ନାହିଁ । ହେଲେ ମୁହଁଟା ସଫା ବାରି ହେଉ ନାହିଁ । ଚାହୁଁ ଚାହୁଁ ଏ ଘରୁ ସେ ଘର୍ “କିଏସେ କିଏସେ” ବୋଲି ସାଇ ଲୋକେ ଉଠି ଆସୁଚନ୍ତି । ଦେଖିଲାନବଘନ ମୂର୍ତ୍ତିଟା ଧୀରେ ଧୀରେ ପଛକୁ ଚାଲି ଚାଲି ଯାଇ ବାଉଁଶ ବୁଦାର ଛାଇରେ କୁଆଡ଼େ କେମିତି ମିଳେଇ ଗଲା-। ସାଇ ଲୋକେ ଆସି ଦେଖିଲେ ଲୋକଟାର ହୋସ ଅଛି, କିନ୍ତୁ ଗୋଟିପଣେ ଥରୁଚି । ପାଖକୁ ଗଲାରୁ ପାଣି ମାଗୁଚି । ଶୋଷରେ ତଣ୍ଟି ଶୁଖି ଯାଉଚି । ଲୋକେ ପଚାରିଲାରୁ ଗୋଡ଼ ତଳେ ପଡ଼ି କ୍ଷମା ମାଗି ବୁଲେଇ ବୁଲେଇ ସବୁ କଥା କହି ଗଲା । କହିଲା—ନବବାବୁ ଜଗିଚନ୍ତି । ହେଇଟି ଏ ବାଉଁଶ ବୁଦାରେ ସେ ଅଛନ୍ତି ।

 

ଏ ଘଟନାର କିଛି ଦିନ ପରେ ସେଇ ବାଡ଼ିପଟକୁ କେତେ ଗୁଡ଼ିଏ ଚିରା କାଠ ପଡ଼ି ଶୁଖୁଥାଏ । ସଞ୍ଜ ହେଲେ ସେପଟକୁ ଏଙ୍କ ଘରୁ କେହି ଯାଆନ୍ତି ନାହିଁ । ରାତି ସେତେବେଳକୁ ପ୍ରାୟ ଆଠଟା ହେବ । ପଡ଼ିଶା ଘରର ଗୋଟିଏ ବୋହୂ, ରାନ୍ଧିବାକୁ ଘରେ ତାର ଜାଳ ନଥିବାରୁ, ତା’ ବାଡ଼ି ବାଟ ଦେଇ ଏଙ୍କ ଖଳା ବାଡ଼ିକୁ ଆସିଲା–ଦି’ଚାରିଖଣ୍ଡ ଶୁଖିଲା ଜାଳେଣି କାଠ ନେଇ ଯିବାକୁ-। ପୁଳିଏ ଧରି ତା’ ଘର ଆଡ଼କୁ ମୁହିଁଚିତ, ଦେଖିଲା ବାପଟେ ଥିବା ବାଉଁଶ ବୁଦା ଆଡ଼ୁ କିଏ ଜଣେ ଧାଇଁ ଆସୁଚି । ବୋହୂଟିର ପାଦ ଚଳିଲା ନାହିଁ । ସେ ଥକ୍କା ହୋଇ ଛିଡ଼ା ହୋଇଗଲା । ମୂର୍ତ୍ତିଟା ଅତି ପାଖକୁ ଚାଲି ଆସିଲା ସିନା, କିନ୍ତୁ ଛୁଇଁଲା ନାହିଁ । ହିସାବରେ ବୋହୂଟି ନବଘନର ଭାଇ–ବୋହୂ । ହାତ ହଲାଇ ଭୟ ଦେଖାଇଲା । ବୋହୂଟି କାଠତକ ଖଳା ବାଡ଼ିକୁ ଫିଙ୍ଗି ଦେଲା । ମୂର୍ତ୍ତିଟା ଧୀରେ ଧୀରେ ବାଉଁଶ ବୁଦା ଆଡ଼କୁ ଚାଲି ଚାଲି ଯାଇ ଉଭେଇ ଗଲା ।

 

କେତେବେଳକେ ବୋହୂଟି ଘରକୁ ଫେରି ନିଜକୁ ସମ୍ଭାଳି ଢାଳେ ପାଣି ପିଇ ଧୀରେ ଧୀରେ ସବୁକଥା ସ୍ୱାମୀକି ତାର କହି ଗଲା । ସ୍ୱାମୀ ତାକୁ ଗାଳି ଦେଇ କହିଲା—ତୁ କିଆଁ ତାଙ୍କ ବାଡ଼ିକି ଯାଉଥିଲୁ ? ନବନନା ପରା ଜଗି ରହିଚି ।

 

ନବଘନ ମରିଚି । ମରି ସୁଦ୍ଧା ନିଜ ଘରଦ୍ୱାରକୁ ସେ ଜଗି ରହିଚି । ନିଜ ପିଲା କବିଲାଙ୍କୁ ନବ ଜଗି ରହିଚି । ସେ ଅପମୃତ୍ୟୁରେ ମରିଚି । ମରି ସୁଦ୍ଧା ସେ ବଞ୍ଚି ରହିଚି । ଶରୀର ତାର ଯାଇଚି, ସୂକ୍ଷ୍ମ ଶରୀରଟା ଅଛି । ତାର ମାୟା, ମମତା, ଆଶା ଓ ଆକାଂକ୍ଷା ସବୁ ଅଛି । ତା’ ପୁଅକୁ ସେ ସ୍ୱପ୍ନରେ କହିଚି—ମୁଁ ତମ ପଛେ ପଛେ ଜଗି ରହିଚି ବୋଲି ଜାଣିବୁ ।

 

ମରିବାକୁ ଦେଢ଼ ବର୍ଷ ଭିତରେ ଦୁଇଥର ସେ ପ୍ରମାଣ ଦେଇଗଲା ଯେ ସେ ଏମାନଙ୍କୁ ଛାଡ଼ି କୁଆଡ଼ିକି ଯାଇ ନାହିଁ । ପାଖେ ପାଖେ ଅଛି ଏବଂ ଜଗି ରହିଚି ।

 

ମକରା କକେଇ ନବଘନର ଦାଣ୍ଡ ବାରଣ୍ଡାରେ ପୂର୍ବ ପରି ମଶୁରି ଟାଙ୍ଗି ଶୁଏ । ନିତିପ୍ରତି ସେ ଶୁଏ । ଦ୍ୱିତୀୟ ଘଟନାର ଚାରି ଛଅମାସ ପରେ ଦିନେ ରାତିରେ ପିଲାଏ ନାଚ ଦେଖି ଯାଇ ଥାଆନ୍ତି । ଘରେ ଥାଏ ଏକା ଗୋଇ–ବୋଉ ଏବଂ ତା’ ସାନ ଛୁଆ ଦୁଇଟି । ରାତି ସେତେବେଳକୁ ବାରଟା ହେବ । ସାଇଯାକ ସମସ୍ତେ ହୁଏତ କିଏ ଯାତ୍ରା ଦେଖି ଯାଇଚି, ନୁହେତ କେହି ନିଘୁଡ଼ ନିଦରେ ଶୋଇ ପଡ଼ିଚି । ଖଣ୍ଡି କାଶ ଶୁଣି ମକରା କକେଇର ନିଦ ଭାଙ୍ଗିଗଲା । ମଶୁରି ଭିତରେ ଥାଇ ସେ ସ୍ପଷ୍ଟ ଭାବେ ଦେଖିଲା—ବାରଣ୍ଡାର ଆର କଡ଼କୁ ନବଘନ ଯେଉଁଠି ଶୋଉଥିଲା, ଠିକ୍‍ ସେଇଠି ଛିଡ଼ା ହୋଇ ରହିଚି ତାର ଛାୟାର ମୂର୍ତ୍ତି । ଅସ୍ପଷ୍ଟ ଖଣ୍ଡି–କାଶ କାଶିବାର ଶବ୍ଦ କରୁଚି । ବା ହାତରେ କୁଞ୍ଚ କାନିଟିକୁ ଯେମିତି ସେ ଟେକି ଧରିଥାଏ, ଠିକ୍‍ ସେମିତି ଧରିଚି । ଜୀବଦ୍ଦଶାରେ ଥିଲା ବେଳେ ଚାଳରେ ଖୋସିଥିବା ଖଡ଼ିକା ଖଣ୍ଡମାନ ଧରି ଯେମିତି ସେ ଦାନ୍ତ ଖୁଣ୍ଟୁଥାଏ, ଠିକ୍‍ ସେମିତି ଦାନ୍ତ ଖୁଣ୍ଟୁଚି ।

 

ମକରା କକେଇ ମଶୁରୀ ଭିତରେ ବସିପଡ଼ି ନିଜ ଆଖିକୁ ମଳି ନେଇ ମନେ ମନେ ଭାବିଲା—ସ୍ୱପ୍ନ ନୁହଁତ ! ବୁଝିଲା ସ୍ୱପ୍ନ ନୁହଁ । ଅଣ୍ଟାରୁ ଖଡ଼ି ଗୋଟା କାଢ଼ି ଧୀରେ ଧୀରେ ମଶୁରୀର ଗୋଟାଏ କଡ଼ ଟେକି କାନ୍ଥରେ ଗାର ଦିଇଟା ଗାରିଲା । ଦେଖିଲା ନବଘନର ଛାୟା ମୂର୍ତ୍ତିଟା ଧୀରେ ଧୀରେ ଦାଣ୍ଡ କବାଟ ପାଖକୁ ଗଲା । କବାଟକୁ ଠେଲି ପରୀକ୍ଷା କରିନେଲା—ଭିତରୁ ବନ୍ଦ ଅଛିକି ନା । ତା’ପରେ ପାହାଚ ତଳକୁ ଓହ୍ଲାଇ ପଡ଼ି ଧୀରେ ଧୀରେ ଘରର ମୋଡ଼ ଭାଙ୍ଗି ଖଳା ବାଡ଼ି ଆଡ଼କୁ ଚାଲିଲା । ମକରା କକେଇ ଭୟରେ ଥରି ଥରି ତା’ ପଛେ ପଛେ ଚାଲି ଚାଲି ଚାଲିଥାଏ । ଦେଖିଲା ବାଡ଼ି ଟପି ଛାୟା ମୂର୍ତ୍ତି ବାଉଁଶ ଗଛ ଛାଇକି ଗଲା ଏବଂ ଅନ୍ତର୍ଦ୍ଧାନ ହୋଇଗଲା । ମକରା କକେଇ ଫେରି ଆସି ସାଇର ସମସ୍ତଙ୍କୁ ଡାକି ଉଠାଇଲା । ସବୁକଥା କହିଲା-। ସ୍ୱପ୍ନ ନୁହେଁ ବୋଲି ପରଖିବା ପାଇଁ କାନ୍ଥରେ ଖଡ଼ି ଗାରଟିକୁ ଦେଖିନେଲା ।

 

ସେଇ ଦିନଠଉଁ ସେ ଆଉ ବରଣ୍ଡାରେ ଶୁଏ ନାହିଁ । ଯେତେ ସାହସ ଥିଲେବି ତା’ ମନରେ ଭୟ ଅଛି । ଲୋକେ ଜାଣିବାକୁ କହିଲା—ନବଘନତ ତା’ ପିଲାଙ୍କୁ ଜଗିଚି, ମୁଁ କିଆଁ ଆଉ ତା’ ଦାଣ୍ଡ ପିଣ୍ଡାରେ ଶୋଇବି ?

 

ଆଜିକି ପ୍ରାୟ ବାର ବର୍ଷର କଥା ହେଲାଣି । ନବଘନ ଆଉ କେବେ କାହାରିକି ଦେଖା ଦେଇ ନାହିଁ । ଆଜି ସୁଦ୍ଧା ତାର ଅଶରୀରୀ ଆତ୍ମା ପୂର୍ବପରି ବିଦ୍ୟମାନ ଅଛି, କି କୁଆଡ଼େ କଅଣ ତାର ପରିବର୍ତ୍ତନ ଘଟିଲାଣି ସେ ବିଷୟରେ କେହି କିଛି କହିପାରିବେ ନାହିଁ । ହେଲେ ଉପରୋକ୍ତ ଘଟନା ଗୁଡ଼ିକ ସେ ଗାଁର ପ୍ରତ୍ୟେକ ଲୋକ ଜାଣନ୍ତି ।

 

ତିନି

 

ବିଶେଷ କାରଣ ବଶତଃ ଭଦ୍ର ବ୍ୟକ୍ତିଙ୍କଠାରୁ ଅନୁମତି ମିଳିବାର ଆଶା ନଥିବାରୁ ନାମ ଓ ଗ୍ରାମର ନାମ ଦେଇ ପାରୁନାହିଁ । କାଳ୍ପନିକ ନାମ ଦେଇ ସତ୍ୟ ଘଟନାଟିକୁ ପୂରାପୂରି ନିଖୁଣ ଭାବେ ଲେଖୁଚି । ପାଠକ ପାଠିକାଙ୍କ ମଧ୍ୟରୁ ଅଳ୍ପେ ବହୁତେ କାହାରି କାହାରି ଏ ବିଷୟରେ ନିଶ୍ଚୟ ପ୍ରତ୍ୟକ୍ଷ ଅନୁଭୂତି ଥିବ ।

 

ପରିଲୋ ଗ୍ରାମର ନିର୍ମଳ ଦାସ, ସରକାରୀ କୌଣସି ବିଭାଗରେ କାମ କରୁଥିଲେ । ଛୋଟ ଚାକିରୀରୁ ବଢ଼ି ବଢ଼ି ଶେଷକୁ ବଡ଼ ଚାକିରିରୁ ବିଦାୟ ନେଲେ । ପରିଲୋ ଗ୍ରାମଠାରୁ ମାଇଲିଏ ଦେଢ଼ ମାଇଲ ବାଟରେ ମଧୁସୂଦନ ପୁର ଗ୍ରାମ । ମଧ୍ୟବିତ୍ତ ଶ୍ରେଣୀର ଜଣେ ବୁଢ଼ୀଙ୍କି ଲୋକେ ବାସନ୍ତୀ–ମାଆ ବୋଲି ଡାକନ୍ତି । ବିଧବାର ଏକ ମାତ୍ର ସନ୍ତାନ ସେଇ ବାସନ୍ତୀ ବୋଲି ଝିଅଟି । ବୁଢ଼ୀ ଅନ୍ତେ ବାସନ୍ତୀହିଁ ହେବ ସମ୍ପତ୍ତିର ଅଧିକାରିଣୀ । ନିର୍ମଳ ଦାସ ତେତେବେଳକୁ ମଝିଲା ଚାକିରିରେ ଥାଆନ୍ତି । ବାସନ୍ତୀ ସହିତ ତାଙ୍କର ବିଭାଘର ହେଲା । ସ୍ୱାମୀ ସ୍ତ୍ରୀ ବର୍ଷେ ଦିବର୍ଷ ଏକତ୍ର ବାସ କଲା ପରେ ନିର୍ମଳ ଦାସଙ୍କ ମନରେ ସନ୍ଦେହ ଜାତ ହେଲା ଯେ, ବିଧବାର ପିଲା ବାସନ୍ତୀଟି ବିବାହର ଢେର ଦିନ ଆଗରୁ ଗୃହ–ଯୋଗ୍ୟା ହୋଇ ବାପ ଘରେ ବେମୁରବୀ ଭାବେ ଏଣେ ତେଣେ ବୁଲୁଥିଲା ଏବଂ ସେଇ ବୁଲିବା ଅବସ୍ଥାର କାହାରି କାହାରି ସ୍ମୃତିକୁ ସମ୍ୱଳ କରି ଏବେବି ସେ ମନେ ମନେ ଝୁରି ହେଉଚି । ନିର୍ମଳ ଦାସ ଜାଣି ଶୁଣି ବାସନ୍ତୀଠାରୁ ଦୂରେଇ ଯିବାକୁ ଚାହିଁଲେ । ଶେଷକୁ ତାକୁ ସେ ଦିନେ ମାଆ ପାଖକୁ ପଠାଇ ଦେଲେ । ବାସନ୍ତୀ ତେତେବେଳକୁ ଅନ୍ତସତ୍ୱା ଥାଏ ।

 

ମାଆ ପାଖରେ କାନ୍ଦିଲାରୁ ମାଆ କହିଲା—ନିର୍ମଳର ମନ କଥା ଏତେଦିନକେ ଜଣା ପଡ଼ିଲା । ସମ୍ପତ୍ତି ପାଇବା ଆଶାରେ ସେ ତୋତେ ବିଭା ହୋଇଥିଲେ ସିନା, ତାର ମନ ତୋ ଠେଇଁ ନାହିଁ । ହୁଏତ ତାର ସମ୍ପର୍କ ଆଉ କାହା ସହିତ ରହି ଯାଇଚି, ଏବଂ ତୁ ତା ପାଖରେ ଥାଇ ବାଧା ସୃଷ୍ଟି କରୁଚୁ । ସେଇଥି ପାଇଁ ସେ ତୋତେ ମୋ ପାଖରେ ଛାଡ଼ି ଦେଇଗଲା । କିଛି ପରବାୟ ନାହିଁ-। ମୁଁ ବି ଜଣେ ବୁନିଆଦି ଘରର ପିଲା । ନିର୍ମଳ ତୋ ପାଦତଳକୁ ନଆସିବା ଯାକେ ମୁଁ ତାକୁ ଚିଠି ଖଣ୍ଡିଏ ସୁଦ୍ଧା ଦେବି ନାହିଁ ।

 

କଥାକୁ କଥା ସେଇଆ ହେଲା । ସ୍ୱାମୀ–ସ୍ତ୍ରୀ ଭତିରେ ମନାନ୍ତରଟା ଦିନକୁ ଦିନ ଗାଢ଼ତର ହୋଇ ଉଠିଲା । ଇଏ ତାକୁ ସେ ୟାକୁ ସନ୍ଦେହ କରିକାକୁ ଲାଗିଲେ । ଚାହୁଁ ଚାହୁଁ ବାସନ୍ତୀର ମାସ ଗଡ଼ି ଚାଲିଲା । ଶେଷକୁ ସେ ମାଆକୁ ଡାକି କହିଲା—ତାଙ୍କୁ ଚିଠି ଖଣ୍ଡେ ଦିଅ ମା, ମତେ କଟକ ନେଇ ଡାକ୍ତରକୁ ଦେଖାନ୍ତୁ ।

 

ମା ଗର୍ଜିଉଠି କହିଲେ—ନା, ନା । ସେ ଚଣ୍ଡାଳକୁ ଚିଠି ପତ୍ର ଦେବି ନାହିଁ । ତତେବି କଟକ ପଠାଇବି ନାହିଁ । ଏଇଠି ତୁ ପିଲା ଜନ୍ମ କରିବୁ ।

 

ବାସନ୍ତୀ କାକୁତି କରି କହିଲା—ମରିଯିବି ମା । ମତେ ଭଲ କିଛି ଦିଶୁନାହିଁ ।

 

ମା ଜବାବ ଦେଲେ—ତୁ କଅଣ କହୁଛୁ ଗାଁରେ କେହି ଛୁଆପିଲା ଜନ୍ମ କରୁ ନାହାନ୍ତି ?

 

ବାସନ୍ତୀ—ଜନ୍ମ କରୁଛନ୍ତି ଯେ, ମରୁଛନ୍ତି ବି ବହୁତ ।

 

ମା—ହେଲେ ହବ—ଯାହା କପାଳରେ ଥିବ, ତାହାହିଁ ଘଟିବ । ମରିବା କଥାଟା ତୋ ହାତରେ ନାହିଁ କି ମୋ ହାତରେ ନାହିଁ । ଜନ୍ମ କଲା ମାଆ ତୋର ମୁଁ ବସି ରହିଚି—ଚିନ୍ତା କଅଣ ? କାହିଁକି ମୁଁ ସେ ଅଘରିଆ ଅକୁଳାଟାକୁ ଚିଠି ଦେଇ ଡକେଇବି ? କାହିଁ ଏତେଦିନ ହେଲା ଆସିଲୁଣି ଯେ, ସେ’ତ ଖଣ୍ଡେ ଭାଷା ଲେଖି ପଚାରୁ ନାହିଁ—କେମିତି ଅଛୁ ବୋଲି ।

 

—ନ ପଚାରନ୍ତୁ ମା । ସେ ଭଲରେ ଥାଆନ୍ତୁ । ତୁମେ ନ ଦେଲେ ମୁଁ ହେଲେ ଖଣ୍ଡେ ଚିଠି ଲେଖି ଡକଉଚି ?

 

—ନା, ନା, ନା । ମୋର କ’ଣ ମାନ ଥାନ କିଛିନାହିଁ ?

 

—ନିଜ ପିଲା ପରି ସେ, ଜୋଇଁକିଏ, ପୁଅ କିଏ ? ତାଙ୍କ ଉପରେ ଏତେ ରାଗ ସୁନ୍ଦର ନୁହେଁ ମା ।

 

—ଜୋଇଁ ସେ, ପୁଅ ନୁହେଁ । ଅପାତ୍ର, ଅପଦାର୍ଥ । ତା’ ସହିତ ମୋର ଆଉ ତୋର କିଛିମାତ୍ର ସମ୍ପର୍କ ନାହିଁ ବୋଲି ଜାଣିବୁ । ମୁଁ ତାର ଶାଶୁ, ମାଆ ସମାନ । କଅଣ ନାହିଁ କଅଣ ସବୁ କହି ମତେ ସେ କମ ଅପମାନ ଦେଉନାହିଁ । କଟକରେ ଆଉ ତା’ ଗାଁରେ ସେ କାହା ଆଗରେ କଅଣ କହିବୁଲୁଚି ସେ ସବୁକଥା ମୋ କାନକୁ ଆସିଚି ଓ ଆସୁଚି ।

 

ବାସନ୍ତୀ ନୀରବ ହୋଇଗଲା । ସେ ବି ଚିଠି ଖଣ୍ଡିଏ ଦେଇ ପାରିଲା ନାହିଁ । ଅନ୍ତସତ୍ତା ସ୍ତ୍ରୀକୁ ବିଦାୟ କରିଦେଇ ଆଜିସୁଦ୍ଧା ନିର୍ମଳବାବୁ ପଚାରିବାକୁ ଆସିଲେ ନାହିଁ । ହଠାତ୍ ଦିନେ ସଞ୍ଜ ବେଳକୁ ଜଣା ପଡ଼ିଲା—ବାସନ୍ତୀ ଦୁଃଖ ପାଉଚି । ବୁଢ଼ୀ ଡାକିଆଣିଲା ଅଶିକ୍ଷିତା ଅପରିଷ୍କାର ଧାଈଟାକୁ । ଇଆର ବୁନିଆଦି ଇଆ ଘରେ, ଆଉ ତାର ବୁନିଆଦି ତା’ ଘରେ ରହିଗଲା । ରାତି ଦୁଇଟା ବେଳକୁ ନିର୍ମଳ ବାବୁ ସ୍ୱପ୍ନ ଦେଖିଲେ—ଆଲୁଲାୟିତ କେଶା ରକ୍ତାକ୍ତ ଶରୀର ବାସନ୍ତୀ ତାଙ୍କ ଖଟ କଡ଼କୁ ଲାଗି ଛିଡ଼ା ହୋଇ ହାତ ମାରି ହଲେଇ ଦେଇ ଡାକି କହୁଚି—ତୁମେ ତ ପଚାରିଲ ନାହିଁ; ମୁଁ ଚାଲିଲି । ଝିଅଟାକୁ ଛାଡ଼ି ଯାଉଚି । ତାକୁ ହେଲେ ପଚାରିବ । ତୁମରି ଛୁଆ ପରା ଇଏ ?

 

ନିର୍ମଳର ନିଦ ଭାଜିଗଲା । ଧଡ଼ ପଡ଼ ହୋଇ ଉଠି ବସି ଦେଖିଲା—କେହି କୁଆଡ଼େ ନାହିଁ । ଶୂନ୍ୟ ଘରେ ଭୟରେ ଦିହ ଥରିଲା । ଉଠିପଡ଼ି ବାହାରକୁ ଆସି ସାଙ୍ଗ ସାଥିଙ୍କି ଡାକି ସବୁ କଥା କହିଲା । ମନଟା ବିକଳ ଲାଗିଲାରୁ ପୋଷାକ ପିନ୍ଧି ମଟର ସାଇକେଲ ଖଣ୍ଡିକ ବାହାର କରି ମଧୁସୂଦନପୁର ଗ୍ରାମକୁ ଧାଇଁଲା । ପ୍ରାୟ ଅଧ ଘଣ୍ଟାକ ପରେ ପହଞ୍ଚି ଯାହା ସେ ଦେଖିଲା, ସେଥିରେ ତାର ଜ୍ଞାନ ହଜିଗଲା । ପ୍ରାୟ ଗୋଟାଏ ବେଳକୁ ଝିଅ ପିଲାଟିଏ ପ୍ରସବ କରି ବାସନ୍ତୀ ମରି ଯାଇଚି । ଶବଟା ତାର ରକ୍ତାକ୍ତ ଅବସ୍ଥାରେ ତଳେ ପଡ଼ିଚି । ଛୁଆଟିକି ଧାଈ ଗାଧୋଇ ଦେଉଚି-। ବାରଣ୍ଡା ଉପରେ ନିର୍ମଳବାବୁ ମୁଣ୍ଡରେ ହାତ ଦେଇ ବସି ପଡ଼ିଲେ ।

 

ବାସନ୍ତୀ ମରିବା ପରେ ପରେ କଟକ ଯାଇ ସ୍ୱାମୀକି ଖବର ଦେଇଚି । ସ୍ୱପ୍ନରେ ଦେଖା ଦେଇ ସବୁ କଥା କହି ଯାଇଚି । ସ୍ୱପ୍ନଟା ତେବେ ତ ମିଥ୍ୟା ନୁହେଁ ! ବାସନ୍ତୀ ମରିବା କଥା ମିଥ୍ୟା ନୁହେଁକି ଝିଅ ଜନ୍ମ କରିଥିବା କଥା ମିଥ୍ୟା ନୁହେଁ । ତେବେ ଅଶରୀର ଆତ୍ମାଟା କଟକ ଧାଇଁ ଯାଇ ସ୍ୱାମୀକି ଖବର ଦେବା କଥାଟା ବି ମିଥ୍ୟା ନୁହେଁ । ବାସନ୍ତୀ ଜୀଇ ଥିବାବେଳେ ଚିଠିପତ୍ର ଦ୍ୱାରା ସ୍ୱାମୀକୁ ଜଣାଇ ନପାରି ସୂକ୍ଷ୍ମ ଆତ୍ମାଟିକୁ କଅଣ ପଠାଇ ଦେଇ ପାରି ନ ଥାଆନ୍ତା ? ବୋଧହୁଏ ପାରି ଥାଆନ୍ତା । ହୁଏତ ସେଥିଲାଗି କିଛି ବେଶି ଏକାଗ୍ରତ ଓ ସାଧନା ଆବଶ୍ୟକ ହୋଇ ଥାଆନ୍ତା । ସ୍ୱପ୍ନକୁ କିଏ କେତେ ପ୍ରକାରେ ବ୍ୟାଖ୍ୟା କରନ୍ତି । ଉପନିଷଦ ଯୁଗରେ ସ୍ୱପ୍ନକୁ ବ୍ରହ୍ମ ବୋଲି କେହି କେହି କହୁଥିଲେ । ସବୁ ସ୍ୱପ୍ନ ନହେଲେ ସୁଦ୍ଧା ଗୋଟାଏ ଗୋଟାଏ ସ୍ୱପ୍ନ ସମ୍ପୂର୍ଣ୍ଣ ସତ୍ୟ ବୋଲି ପ୍ରାମାଣିତ ହୋଇଥାଏ ।

 

ତହିଁ ଆର ଦିନ ବାସନ୍ତୀର ଶବ-ସଂସ୍କାର କରିସାରି ସଦା ଜାତ ଶିଶୁ-କନ୍ୟାଟିକୁ ସଙ୍ଗରେ ଧରି କଟକ ବାହାରି ଆସିଲେ ନିର୍ମଳବାବୁ । ଠିକା ଦାସୀଟିଏ କିଛିଦିନ ତାକୁ ପାଳିଲା ପରେ ନିର୍ମଳ ବାବୁ ପୁଣି ଥରେ ବିବାହ କଲେ । ନବାଗତ ବଧୂଟି କିନ୍ତୁ ବାସନ୍ତୀ ପିଲାଟିର ବିମାତାର ପ୍ରମାଣ ଦେଲା ନାହିଁ । ନିଜ କୋଳକୁ ଛୁଆଟିକି ଟେକି ନେଇ ଚୁମା ଖାଇ ଆଖିରୁ ଲୁହ ଗଡ଼ାଇଲା । ସେ ହେଲା ତାର ଯଥାର୍ଥରେ ମାଆ । ପିଲାଟିର ଗୁହମୂତ ପୋଛିବାକୁ ସେ ଆଦୌ କୁଣ୍ଠାବୋଧ କରେ ନାହିଁ । ନିଜ କୋଳରେ ଶୁଆଏ । ମାତୃ-ସ୍ତନ୍ୟ ଦେଇ ନ ପାରିଲେ ସୁଦ୍ଧା ମାତୃ-ସ୍ନେହରୁ ତାକୁ ତିଳେ ହେଲେ ବଞ୍ଚିତ କରେ ନାହିଁ । ଧୀରେ ଧୀରେ ପିଲାଟି ବଢ଼ି ତିନି ବର୍ଷର ହେଲା-

 

ଶୀତ–ଦିନ ରାତି । କବାଟ ଝରକା ଭିତରପଟୁ ବନ୍ଦ ଅଛି । ଗୋଟିଏ ଖଟରେ ମାଆ–ଝିଅ ଓ ଅଦୂରରେ ଆଉଖଣ୍ଡେ ଖଟ ଉପରେ ନିର୍ମଳବାବୁ ଶୋଇଛନ୍ତି । ରାତି କେତେହେବ କହିହେବ ନାହିଁ । ପକ୍‍କା ଘରଟି ଭିତରେ ସ୍ୱଳ୍ପ-ଶକ୍ତି ସମ୍ପନ୍ନ ଈଷତ୍ ନୀଳ ବର୍ଣ୍ଣର ଇଲେକ୍‍ଟ୍ରିକ ବଲ୍‍ବଟିଏ ଜଳୁଚି । ଶୋଇ ପଡ଼ିଚନ୍ତି ସମସ୍ତେ; ମାର କୋଳ ଭିତରକୁ ଛୁଆଟି । ମା’ ଅନୁଭବ କଲା–ସତେକି ତା’ ମୁହଁ ଓ କରାଳରେ ସସ୍ନେହରେ କେହି ଜଣେ କର ସଞ୍ଚାଳନ କରୁଚି । ଭାବିଲା–ହୁଏତ ନିର୍ମଳବାବୁ ଉଠି ଆସିଚନ୍ତି । ଧୀରେ ଧୀରେ ନିଦ ଭାଙ୍ଗି ଯାଉଚି । ଆଖି ମେଲି ଦେଖିଲା–ଅସ୍ପଷ୍ଟ ନାରୀ ମୂର୍ତ୍ତିଟିଏ, ଦୀର୍ଘ ନିଶ୍ୱାସ ଟାଣୁଚି । ଚମକି ପଡ଼ି ପରା ଆଖି ଖୋଲି ଚାହିଁଦେଲା–ଛୁଆର ନୂଆ ମା । ଛାୟାମୂର୍ତ୍ତି ଶେଯ ପାଖ ଛାଡ଼ି ଧୀରେ ଧୀରେ ଦୂରେଇ ଗଲା । ଦୂରେଇ ଗଲା ଏବଂ କବାଟ ପାଖରେ ଉଭେଇଗଲା । ତା’ପରେ ଶୁଭିଲା ବାହାର ବାରଣ୍ଡାରେ ତାର ଚଲାବୁଲାର ଶବ୍ଦ ।

 

ବାସନ୍ତୀର ସପତ୍ନୀ ସେ । ଭୟରେ ତାର ଦିହଟା ଥରି ଉଠିଲା । ଉଠିଯାଇ ସ୍ୱାମୀକି ଡାକିଲା । ନିର୍ମଳ ବାବୁଙ୍କର ପୂରାପୂରି ନିଦ ଭାଜି ନ ଥାଏ । ସେ କହିଲେ—ରହ ରହ; ଭଲ ସ୍ୱପ୍ନଟା ଦେଖୁଥିଲି ଉଠେଇଦେଲ ।

 

ତା’ ପରେ ସେ ଖଟ ଉପରେ ଉଠି ବସିଲେ । ସ୍ତ୍ରୀ ପଚାରିଲେ—କି ସ୍ୱପ୍ନ ତୁମେ ଦେଖୁଥିଲ ?

 

—ଦେଖୁଥିଲି ବାସନ୍ତୀ ଆସି ତୁମ ପାଖରେ ଛିଡ଼ାହେଲା । ଛୁଆ ଆଡ଼କୁ ଚାହିଁଲା । ତୁମରି ମୁହଁ ଓ କପାଳରେ ହାତ ବୁଲାଇ ସ୍ନେହ କଲା । ତା’ପରେ—ତା’ପରେ ? ହଁ ତା’ପରେ ?

 

—ତା’ପରେ ମୁଁ କହୁଚି ଶୁଣ—ସ୍ତ୍ରୀ କହି ଉଠିଲା—ତା’ପରେ ସେ କବାଟ ଯାକେ ଯାଇ ଉଭେଇ ଗଲେ ।

 

ସ୍ୱାମୀ କହିଲେ—ଉଭେଇ ଗଲାନାହିଁ ଯେ, ବାହାର ବାରଣ୍ଡାରେ ଯାଇ ବୁଲିଲା । ଖିଡ଼ିକିବାଟେ ମୋ ଆଡ଼କୁ ଚାହିଁଲା । ଦୀର୍ଘନିଶ୍ୱାସ ଛାଡ଼ୁଥାଏ, କଅଣ କହିବ କହିବ ହେଉଥାଏ, ହଠାତ୍ ତୁମେ ଉଠେଇ ଦେଲ । କଥା ତାର ଅକୁହା ରହିଗଲା ।

 

ସ୍ତ୍ରୀ ସ୍ୱାମୀର ପାଖକୁ ଲାଗିଯାଇ ଠିଆ ହେଲା । ହାତକୁ ଧରି ଭିଡ଼ି କହିଲା—ବାହାରକୁ ଆସ, ଦେଖିବା ସେ ଅଛନ୍ତି କି ଗଲେଣି ।

 

ନିର୍ମଳ କହିଲେ—ତୁମେ କେମିତି ଜାଣିଲ ?

 

ସ୍ତ୍ରୀ ନିଜର ଅନୁଭୂତି କହିଗଲା ।

 

ଦୁହେଁ ଯାକ ନିଶ୍ଚିତଭାବେ ଜାଣିଲେ ଯେ ବାସନ୍ତୀ ଅଛି ଏବଂ ଆସିଥିଲା । ଆସିଥିଲା ତା’ ଝିଅକୁ ଦେଖିବାକୁ । ଆସିଥିଲା ତା’ ପିଲାର ପାଳିକା ମାଆକୁ ସ୍ନେହରସ୍ପର୍ଶ ଦେଇଯିବାକୁ । ଗଲାବେଳେ କବାଟ ପାଖକୁ ଯାଇ ମିଳାଇ ଗଲା । ତା’ପରେ ବାହାର ବାରଣ୍ଡାରେ ବୁଲି ଖିଡ଼ିକିବାଟେ ସ୍ୱାମୀ ଆଡ଼କୁ ଚାହିଁ ଦୀର୍ଘ ନିଶ୍ୱାସ ଟାଣିଲା ।

 

କବାଟ ନ ଖୋଲି ଭିତରକୁ ଆସିଥିଲା । କବାଟ ନଫିଟାଇ ବାହାରକୁ ମଧ୍ୟ ଚାଲିଗଲା । ସୂକ୍ଷ୍ମ–ଆତ୍ମା ତେବେ କାଠ ପଥର ଭିତରେ ଅନାୟାସରେ ଗତି କରିପାରେ ! ଏକ୍‍ସରେର ଆଲୋକ ଶରୀରର ଚମଡ଼ା ଓ ରକ୍ତ ମାଂସ ମଧ୍ୟରେ ଅକ୍ଳେଶରେ ଭେଦ କରିଗଲା ପରି । ସୂକ୍ଷ୍ମସତ୍ତା ଅସ୍ପଷ୍ଟ ରୂପ ଧରିପାରେ । ଉଭେଇ ବି ଯାଇପାରେ । ପାଥିବ ସ୍ନେହ ମମତା ଓ କୃତଜ୍ଞତା ତାଠାରେ ବିଦ୍ୟମାନ ଥାଏ । ନିଜ ପିଲାକୁ ସେ ସ୍ନେହ କରୁଚି । ସଉତୁଣୀର ଭଲ ବ୍ୟବହାର ଦେଖି ସନ୍ତୁଷ୍ଟ ହେଉଚି ଏବଂ ତାକୁ ସ୍ନେହ କରି ନିଜର କୃତଜ୍ଞତା ଜଣାଉଚି । ପୁଣି ଛାଡ଼ି ଯାଇଥିବା ସ୍ୱାମୀ ଆଡ଼କୁ ଅନାଇ ଦୀର୍ଘନିଶ୍ୱାସ ଟାଣୁଚି । ତାର ବି ପ୍ରାଣରେ ଦୁଃଖ ଓ ବେଦନା ଅନୁଭୂତ ହୁଏ । ତାର ମଧ୍ୟ ବୁଦ୍ଧି ଅଛି, ବିବେକ ଅଛି, ବିଚାର ମଧ୍ୟ ଅଛି ।

 

ସ୍ୱାମୀ ଦେଖିଲା ନିଦ୍ରିତ ଅବସ୍ଥାରେ ସ୍ୱପ୍ନ । ସ୍ତ୍ରୀ ଦେଖିଲା ତନ୍ଦ୍ରା ବା ଜାଗ୍ରତ ଅବସ୍ଥାରେ ଅସ୍ପଷ୍ଟ ଦୃଶ୍ୟ । ଉଭୟ କଥା ମିଳିଗଲା । ସ୍ୱପ୍ନକୁ ଅନେକେ କହନ୍ତି ଅଳିକ ଏବଂ ନିଜ କଳ୍ପନାରୁ ପ୍ରସୂତ । ସ୍ତ୍ରୀ ଦେଖିଥିବା ଅସ୍ପଷ୍ଟ ଦୃଶ୍ୟଟାକୁ କେହି କେହି କହିବେ ନିଜ ଚିନ୍ତାର ରୂପମାତ୍ରା । ବାଜିକର ମେସ ମେରାଇଜ୍ କଲାବେଳେ ସମମୋହିତ ବ୍ୟକ୍ତିଟି ହାତରେ ସେ ନଜାଣିଥିବା ଭାଷାର ବହି ଖଣ୍ଡିଏ ଧରେଇ ଦେଇ କହେ—ପଢ଼ିଯା । ଭାଷାଟାକୁ ଆଦୌ ନ ଜାଣିଥିଲେ ସୁଦ୍ଧା ଲୋକଟି ପଢ଼ିଯାଏ । ସେଥିରୁ ଜଣାପଡ଼େ ସମମୋହିତ ବ୍ୟକ୍ତିଟିର ଭିତରକୁ ବାଜିକର ନିଜେ ଆତ୍ମସତ୍ତା ପ୍ରେରଣ କରି ନିଜ ଭାଷାରେ ବହି ପଢ଼ି ତା’ ମୁଖରେ ଶୁଣାଏ । ସେହିପରି ଅର୍ଥକଲେ ଏଠି ସ୍ୱାମୀ ସ୍ତ୍ରୀ ଉଭୟଙ୍କୁ ଏକା ପ୍ରକାରେ ସମମୋହିତ କରିଦେଲା କିଏ ? କେହି ତ କୁଆଡ଼େ ନଥିଲେ ! ସୁତରାଂ ଏକମାତ୍ର ଅଶରୀରୀ ବାସନ୍ତୀର ଆକସ୍ମିକ ଆବିର୍ଭାବକୁ ସ୍ୱୀକାର କରିବାକୁ ହିଁ ହେବ । ଦୁହିଁଙ୍କର ସ୍ୱପ୍ନ ବା ଜଣକର ସ୍ୱପ୍ନ ଓ ଆଉ ଜଣକର କଳ୍ପନାକୁ ଏକ କରିଦେବାର ଅନ୍ୟ କୌଣସି କାରଣତ ଏଠି ବିଦ୍ୟମାନ ନାହିଁ ! ମନର ଭୂତ ବା ହାଲୁସିନେସନ୍‍ର ଏଠି କି ପ୍ରମାଣ ଅଛି-?

 

ଏ ଘଟନା ଘଟିଲା ପରେ ସ୍ୱାମୀ ସ୍ତ୍ରୀ ଆଉ କେବେ ବାସନ୍ତୀକି ଦେଖିଚନ୍ତି କି ନାହିଁ ଜାଣିପାରିନାହିଁ । ମରିଗଲା ପରେ ବାସନ୍ତୀ ଏହିଭଳି ଭାବେ ଦେଖା ଦେଇଥିଲା ।

 

ଏହି ଭଳି ଘଟନା ଆମରି ଦେଶରେ ଯେ କେବଳ ଘଟୁଚି ତାହା ନୁହେଁ । ଆମେରିକାରେ ଏଦିଗରେ ପ୍ରେତତତ୍ତ୍ୱବିତ୍‍ମାନେ ଅନେକ ଦୂର ଆଗେଇ ଗଲେଣି । ଅଶରୀରୀ ଆତ୍ମା ଆଉ ଏକ୍‍ସରେ ଆଲୁଅ ଆଖିକି ନଦିଶିଲେ ମଧ୍ୟ ସୂକ୍ଷ୍ମ ସତ୍ତା ରୂପେ ବିଦ୍ୟମାନ । ଆମେ ଧୀରେ ଧୀରେ ସବୁକଥାକୁ ଅବିଶ୍ୱାସ କରୁଚୁଁ, କିନ୍ତୁ ସେ ଦେଶରେ ପଣ୍ଡିତମାନେ ପ୍ରେତାତ୍ମାର ଫଟ ଉଠାଇ ଦେଖାଇ ଦେଇ ପାରୁଚନ୍ତି ।

 

ଏ ଘଟନାତକ ଶୁଣିବା ପରେ ମୋ ମନରେ ଆଉ ଗୋଟିଏ ପ୍ରଶ୍ନ ଜାଗିଲା । ତାହା ହେଲା—ମୃତ୍ୟୁ ପରେ ସୂକ୍ଷ୍ମ ଶରୀର ଦେଖା ଦେଉଚି, ଗତି କରୁଚି ଏବଂ ସ୍ୱପ୍ନ ଦେଖାଇ ପାରୁଚି । ତେବେ ଜୀବନ୍ତ ଥିଲା ବେଳେ ସେ ସତ୍ତାଟି ନିଶ୍ଚୟ ତ ମଣିଷ ଭିତରେ ଥାଏ । ତେତେବେଳେ ସେ ଗତି ପାରେ କି ନାହିଁ ?

 

ପାରେ ବୋଲି ମୋର ବିଶ୍ୱାସ । ପରବର୍ତ୍ତୀ ଘଟନାଟିକୁ ପାଠ କଲେ ପାଠକ ମାତ୍ରେ ବିଶ୍ୱାସ ନକରି ରହି ପାରିବେ ନାହିଁ । ଆମେ ମୋଟା ମୋଟି କହିଥାଉଁ ଆତ୍ମା ଆଉ ମନ ମଧ୍ୟରେ ଘନିଷ୍ଟ ସମ୍ପର୍କ ଅଛି । ମନ ଯେବେ ଅକ୍ଲେଶରେ ଯେଣିକି ଇଚ୍ଛା ତେଣିକି ଗତି କରି ପାରୁଚି, ତେବେ ସୂକ୍ଷ୍ମ ଆତ୍ମା ପାରିବ ନାହିଁ କାହିଁକି ? କଥାହେଲା—ସେଥିଲାଗି ଏକାଗ୍ରତା ଓ ସାଧନା ଲୋଡ଼ା । ସାଧାରଣତଃ ଆମର ବେଳେ ବେଳେ ତଣ୍ଟିରେ ଛେପ ଲାଗେ । ବେଳେ ବେଳେ ସ୍ୱପ୍ନବି ଦେଖି ଭାବୁଁ–ମତେ ଅମୁକ ମନେ ପକେଇଚି । କଥାଟାକୁ ପୂରା ପରି ଅନ୍ଧ-ବିଶ୍ୱାସ ବୋଲି ଉଡ଼େଇ ଦିଆଯାଇ ନପାରେ । ପରବର୍ତ୍ତୀ ଲେଖାଟିରେ ତହିଁର ଆଭାସ ଦେବି ବୋଲି ଭାବିଚି । ବିଚାର ଭାର ରହିଲା ପାଠକମାନଙ୍କ ଉପରେ ।

 

ଚାର

 

ଜୀବଦ୍ଦଶାରେ ଥିଲାବେଳେ ମନୁଷ୍ୟ ନିଜର ଅଶରୀରୀ ଆତ୍ମାକୁ ପ୍ରେରଣ କରି ପାରିବକି ନାହିଁ—ଏହି ପ୍ରଶ୍ନର ଉତ୍ତର ଦେଇ ପାରିବ ନିମ୍ନଲିଖିତ ଘଟନାଟି । ଘଟନାଟି ଅତି ଛୋଟ ହେଲେବି ବିଚାର କରି ଦେଖିବା ପାଇଁ ବିଷ-ବସ୍ତୁ ଏଥି ମଧ୍ୟରେ ଯଥେଷ୍ଟ ଅଛି ।

 

ଭଗବାନଙ୍କ ବିଷୟରେ ପାଞ୍ଚ ମନ ଓ ପଚିଶ ପ୍ରକୃତିର ଏକାଗ୍ରତା ଆଣିବା ପାଇଁ ଭକ୍ତ ଓ ଧର୍ମ-ପ୍ରଚାରକମାନେ ମୋଟା ମୋଟି ଚାରୋଟି ଭାବର ପ୍ରଚାର କରି ଯାଇଚନ୍ତି । ଦାସ୍ୟ, ସଖ୍ୟ, ବାତ୍ସଲ୍ୟ ଓ ମଧୁର । ଭଗବାନ ପ୍ରଭୁ ଓ ମୁଁ ଦାସ, ଭଗବାନ ମୋର ସଖା ବା ବନ୍ଧୁ । ଭଗବାନ ନନ୍ଦ-ଯଶୋଦାଙ୍କର ବାତ୍ସଲ୍ୟରସର ଆଧାର ରୂପୀ ସନ୍ତାନା ରାଧା ହେଲେ କୃଷ୍ଣଙ୍କର ପ୍ରଣୟିନୀ ଅର୍ଥାତ୍ ପ୍ରାଣର ପ୍ରାଣ, ଜୀବନର ଜୀବନ, ଅତଏବ ସର୍ବସ୍ୱ । ଓମରଖାୟାମ ସାକୀର କଳ୍ପନା କରି ସେହି ମଧୁର ରସର ଅବତାରଣା କରି ଯାଇଚନ୍ତି । ନିମ୍ନୋକ୍ତ ଘଟନାଟି ହେଲା ସେହି ମଧୁରରସାତ୍ମକ ବିଷୟ ବସ୍ତୁ ।

 

ମଧୁର ରସଟି ହେଲା ସର୍ବାଧିକ ଶକ୍ତି-ସମ୍ପନ୍ନ ଏବଂ ସର୍ବଶ୍ରେଷ୍ଠ ପଥ । ଏହି ବାଟରେହିଁ ମଣିଷ ମନରେ ସୂକ୍ଷ୍ମତମ ଏକାଗ୍ରତା ଆସିଥାଏ । ସେହି ଏକାଗ୍ରତାଟି ହେଲା ସର୍ବ-ଶକ୍ତି-ସମ୍ପନ୍ନ ଅସ୍ତ୍ର ଏବଂ ତାହାରି ବଳରେ ମଣିଷ ଅସାଧ୍ୟ ସାଧନ କରିପାରେ ।

 

ପାଞ୍ଚ ବର୍ଷ ତଳେ ପନ୍ଦର ବର୍ଷ ବୟସର ଝିଅ ରାଧାଟି ବିଧବା ହୋଇ ବାପ ଘରକୁ ଚାଲି ଆସିଥିଲା । ଛୁଆ ପିଲା କିଛି ନଥାଆନ୍ତି । କଥା କଥାରେ ଶାଶୁ ଖୁଣ୍ଟା ଦେଲେ—“ଇଆରି ହାତ ଧରି ମୋ ପୁଅ ମଲା । ଅମଙ୍ଗଳୀଟାକୁ ଘରେ ଆଉ ରଖିବି କାହିଁକି ? ଯାଉ ତା ବାପ ଘରକୁ”-। ରାଧା ଏକ ପ୍ରକାର ପଳାଇ ଆସିଲା ।

 

ଏଠିକି ଆସିଲେବି ନିସ୍ତାର ନାହିଁ । ଅଭାଗା ଚାହିଁ ଦେଲେ ସମୁଦ୍ରବି ଶୁଖି ଯାଏ । କିଛି ଦିନ ରହିଲା ପରେ ତାରି ଦୁଃଖ କଥା ଭାଳି ଭାଳି ବୁଢ଼ା ବାପା ଓ ବୁଢ଼ୀ ମାଆ ବି ଆଗିଲି ପିଛିଲି ହୋଇ ଚାଲିଗଲେ । ଶେଷକୁ ବାକି ରହିଲା—ଭଙ୍ଗା ଦଦରା ଚାଳଘର ଦିବଖୁରି ଓ ଉଞ୍ଚା ଡିହ ଖଣ୍ଡେ-। ଗରିବର ସଂସାରକୁ ଠେଲି ପେଲି ଚଳେଇ ନେବା ପାଇଁ କେହି କୁଆଡ଼େ ଆଉ ନଥାଆନ୍ତି-। ରାଧା ହେଲା ବାପ ମାଆଙ୍କର ଏକମାତ୍ର ଝିଅ । ହେଲେ ଦିହରେତ ଶୁଖିଲା ଅନ୍ନ-ବସ୍ତ୍ରର ଅଭାବଟା ଅଛି । ଶେଷକୁ ସେ ଏକମାତ୍ର ଅବଲମ୍ୱନ ଦୂର ସମ୍ପର୍କୀୟା ଆଈ ଘରକୁ ଧାଇଁଲା-। ଆଈ ବୁଢ଼ୀକି ତେତେବେଳକୁ ବୟସ ପ୍ରାୟ ପଁଷଠୀ ସତୁରି ଭିତରେ । ରାଧା କିଛି ପଢ଼ି ଥିଲା । ଆଈ ବୁଢ଼ୀର କୁଡ଼ିଆ ତଳେ ମୁଣ୍ଡଗୁଞ୍ଜି ରହି ସାନ ବଡ଼ କେତେଟି ପିଲା ସଂଗ୍ରହ କରି ଟିଉସନ କରିବାକୁ ଲାଗିଲା—“ପେଟ ପୋଷ, ନାହିଁ ଦୋଷ” । କିଛି ଉପାର୍ଜନ ନକଲେ ଗରିବ ଆଈର ନିଅଣ୍ଟିଆ ସଂସାରରେ ବୋଝ ଉପରେ ନଳିତା ବିଡ଼ା ଲଦିଲେ କେତେ ଦିନ ଚଳିବ ?

 

ବୁଢ଼ୀଙ୍କି ବେଳେ ବେଳେ ସାହାଯ୍ୟ କରିବା ପାଇଁ ଆସେ ଯାଏ ଗାଁର ଜଣେ ଯୁବକ—ନବ କୁମାର । ବୟସରେ ପଚିଶ ଛବିଶ ହେବ । ଏଇ ଯାଆ ଆସ କଲା ଭିତରେ ତାର ପରିଚୟ ହେଲା ରାଧା ସାଙ୍ଗରେ । ପରିଚୟରୁ ଆତ୍ମୀୟତା ଏବଂ ତାପରେ ସ୍ନେହ, ମମତା ଓ ମାନ ଅଭିମାନ-। ଧୀରେ ଧୀରେ ଦୁଇଟି ମନ ନଈ ଏକ ଦିଗକୁ ବହି ଚାଲିଲେ । ବୁଢ଼ୀ କିଛି କିଛି ଠଉରେଇଲେ ସୁଦ୍ଧା କିଛି କାହାରିକି କହିଲା ନାହିଁ । ତାର କାରଣ ଅଭାଗୀ ରାଧାଟିର ସଂସାରରେ ଆପଣାର ବୋଲି କେହି କୁଆଡ଼େ ନାହିଁ । ତାକୁ ଯେବେ ନବକୁମାର ସ୍ନେହ କଲା, ତେବେ ଦୋଷ କାହାର କଅଣ ? ଦରିଦ୍ର ଅନାଥାକୁ ସ୍ନେହ ଆଦର କରିବା ତ ଅପରାଧ ନୁହେଁ ! ସାହା ଭରଷା କେହି ନାହିଁ ଯାହାର, ତାକୁ ଆହା କଲେ ପାପ ହୁଏ ନାହିଁ ।

 

ଜଣକର ମନ-ଗଙ୍ଗାରେ ଆର ଜଣକର ମନ-ଯମୁନା ଆସି ମିଶିଗଲା । ଏକୁ ଦେଖିବା ପାଇଁ ସେ ବାଟ ଚାହିଁ ବସିଥାଏ ଏବଂ ତା’ ପାଇଁ ଇଏ ଧାଇଁ ଆସେ । ଗଙ୍ଗାର ଧଳା-ଧାର ଏବଂ ଯମୁନାର କଳା-ଧାର ଧୀରେ ଧୀରେ ମିଶି ଏକ ହୁଏ । ଦିନକର ଅଦେଖାରେ ରାଧା କାନ୍ଦି ପାକାଏ-। ବୁଢ଼ୀ ବୁଝେ ସବୁ କଥା, କିନ୍ତୁ କିଛି କହେ ନାହିଁ । ଦୀର୍ଘ ନିଃଶ୍ୱାସ ଟାଣେ । ନିଜ ଜୀବନର ପଛ କଥା ମନେ ପକାଏ । ଦୁହିଁଙ୍କ ମନ ଭିତରେ ପରସ୍ପର ପାଇଁ ଏକାଗ୍ର ଚିନ୍ତା ଓ ଭାବନା ଜାଗ୍ରତ ହୁଏ, ଏବଂ ଏକୁଇ କହନ୍ତି ମଧୁରରସାପ୍ଳୁତ ଧ୍ୟାନ ।

 

ଥରେ ନବକୁମାର ଦଶ ପନ୍ଦର ମାଇଲ ଦୂରକୁ କେତେ ଦିନ ପାଇଁ ଚାଲି ଯାଇଥାଏ । ଅଦର୍ଶନ–ଜନିତ ଚିନ୍ତାରେ ହେଉ କି ଅନ୍ୟ ଯେ କୌଣସି କାରଣରୁ ହେଉ ରାଧାକୁ ହେଲା ଜ୍ୱର । ଉତ୍ତାପ ପ୍ରାୟ ସର୍ବଦା ଥାଏ ଏବଂ ଅପରାହ୍ନକୁ ତାହା ବଢ଼ି ଚାଲେ । ରାଧା ପ୍ରାୟ ଅଜ୍ଞାନ ଅବସ୍ଥାରେ ପଡ଼ି ରହେ ଏବଂ ବୁଢ଼ୀ ତା’ ପାଇଁ ବ୍ୟତିବ୍ୟସ୍ତ ହୋଇ ପଡ଼ି କହେ—ନବଟିତ ଆସିଲା ନାହିଁ, ମୁଁ କଅଣ କରିବି ?

 

ଲଙ୍ଗଳା ମୁକୁଳା ହୋଇ ତଳେ ଗଡ଼ୁ ଗଡ଼ୁ ରାଧା କହେ ନ ଆସୁ ସେ; ମୁଁ ମରେ । କେବେ ଆସିଲେ ଶୁଣିବ ମୁଁ ଆଉ ନାହିଁ । ହେଲେ ଶୁଣିଲା ମାତ୍ରେ କନ୍ଦି କାଟି ଗଢ଼ିବ ।

 

ଏତିକି କହି ନିଜ କଥାର କରୁଣତା ଅନୁଭବ କରି ନିଜେ ହିଁ କାନ୍ଦି ପକାଏ । ତା’ ପାଖରେ ବସି ନିଜେ କାନ୍ଦୁ କାନ୍ଦୁ ଆଖି ତାର ପୋଛି ଦେଇ ଆଈ କହେ—ଏତେ ବିକଳ ହଅ ନାହିଁ ଲୋ ମାଆ, ଦିନେ ଓଳିକେ ସେ ନିଶ୍ଚେ ଆସିବ । ଏତେ ଉଚ୍ଚାଟ ହଉଚୁ କାହିଁକି ? ତାର କଅଣ ତଣ୍ଟିରେ ଲାଗୁ ନଥିବ ?

 

ରାଧା—କିଛି ନାହିଁ ଆଈ । ନିଦା ପଥର ସେ । ଅକର୍ମଶୀଳା ପଥରରେ ଗାର ପଡ଼େ ନାହିଁ ।

 

ସେ ଦିନ ସଞ୍ଜ ପହରକୁ ରାଧା ବେହୋସ ହୋଇଗଲା । ସାଇ ପିଲାଏ ଆସି ପାଣି ଛିଞ୍ଚା ଛିଞ୍ଚି କରି ହୋସ କରାଇଲେ । ଗାଁ ଡାକ୍ତର ପାଖରୁ ଔଷଧ ଆଣି ଦେଲେ ।

 

ତେଣେ ସଞ୍ଜବେଳକୁ କାମରୁ ଫେରି ନବକୁମାର କ୍ଳାନ୍ତ ହୋଇ ଶୋଇ ପଡ଼ିଲା । ରାତି ଦଶଟା ସରିକି ସାଙ୍ଗରେ ଥିବା ଲୋକଟି ଖାଇବା ପାଇଁ ଡାକି ଉଠାଇଲା । “ଉହୁ, ତୁ କଅଣ କଲୁରେ ଚଣ୍ଡାଳ” ବୋଲି କହି ନବକୁମାର ଉଠି ବସିଲା । ଦି ଆଖିରୁ ତାର ଲୁହ–ଧାର ବହି ପଡ଼ୁଚି–ମୁଁ ଗୋଟାଏ ସ୍ୱପ୍ନ ଦେଖିଲି । ଜଣେ ଆତ୍ମୀୟ ଭୀଷଣ ଜ୍ୱରରେ ଅଜ୍ଞାନ ହୋଇ ପଡ଼ି ମତେ ଡାକୁଚି, ଡାକୁଚି ଅତି ବିକଳ ହୋଇ ହୋଇ । ମୁଁ କିଛି ଖାଇ ପାରିବି ନାହିଁ । ସେମିତି ଯିବି-। ସାଇକଲ ଖଣ୍ଡିକ ଧରି ନଈଟା ମତେ ଚାଲି ପାରି କରାଇ ଦେଇ ଆସିବୁ ।

 

ଆବା କାବା ହୋଇ ସାଙ୍ଗଟି ନବକୁମାର ମୁହଁକୁ ଚାହିଁ କହିଲା—ପାଗଳ ହେଲ ନା କଅଣ ? ସ୍ୱପ୍ନଟା କଅଣ ସତ ହୁଏ ?

 

ନବ–ସବୁ ସ୍ୱପ୍ନ ସତ ନହେଇ ପାରେ, କିନ୍ତୁ ଏ ସ୍ୱପ୍ନଟା ନିଶ୍ଚୟ ସତ । ଚାଲ ସମୟ ନାହିଁ । ମନଟା ଭାରି ବିକଳ ଲାଗୁଚି ।

 

—ପାଗଳ ହେଲ ! କେମିତି ଯିବ ଏତେ ରାତିରେ, ଏତେ ବାଟ ! ନଈ ନାଳ, ଗହୀର ବିଲ ପରେ ଧୂଳିଆ ବାଟ ଦଶ ବାର ମାଇଲ !!

 

—ମୋ ପକ୍ଷେ ସମ୍ଭବ । ମୁଁ କେମିତି ଯିବି ସେ ଚିନ୍ତା କରିବା ଦରକାର ନାହିଁ । ଦିନ ପରି ଜହ୍ନ ପଡ଼ିଚି, ଚାଲିଯିବି ।

 

ନବକୁମାର ଲୁଗାପଟା ପିନ୍ଧି ସାଇକେଲ ଧରି ବାହାରି ପଡ଼ିଲା । ସାଙ୍ଗ ଜଣକ ଅଖିଆ ଅପିଆ ତାରି ସାଥିରେ ତିନି ଚାରି ମାଇଲ ଚାଲିଲା । ରାସ୍ତା ଧରିଲାରୁ ନବକୁମାର ତା’ ହାତକୁ ଟଙ୍କାଟିଏ ବଢ଼ାଇ ଦେଇ କହିଲା—ହେଇଟି ନେ । ପାଖରେ ଗୁଡ଼ିଆ ଦୋକାନ ଅଛି । ଡାକି ଉଠେଇବୁ । ଖାଇ ପିଇ ତାରି ବରଣ୍ଡାରେ ଶୋଇ ପଡ଼ିବୁ । ସକାଳ ହେଲେ ଗାଁକୁ ଯିବୁ ।

 

ଏତିକି କହି ସାଇକେଲ ଚଢ଼ି ନବକୁମାର ବାଇବିଛ ପରି ଧାଇଁଲା । ଆବା କାବା ହୋଇ ତାରି ଗତି ଆଡ଼କୁ ସାଥିରେ ଆସିଥିବା ଲୋକଟି ଚାହିଁ ରହିଲା ।

 

ତେତେବେଳକୁ ରାତି ଅନେକ । ଦାଣ୍ଡ ଦୁଆରେ ସାଇକେଲ ଘଣ୍ଟି–ଶବ୍ଦ ଶୁଣି ବୁଢ଼ୀ ଧୀରେ ଧୀରେ ଉଠି ଆସି କବାଟ ଫିଟାଇ ଦେଲେ । କହିଲେ—ଏତେ ରାତିରେ ? କେମିତି ଆସିଲୁ-? କୋଉଠୁ ?

 

ନବ ଉତ୍ତର ଦେଲା—ଯୋଉଠିକି [ଯାଇଥିଲି ସେଇଠୁଁ] ରାଧା ଭଲ ଅଛିତ ?

 

ବୁଢ଼ୀ—ନାହିଁ । ଭାରି ଜର । ସଞ୍ଜ ପହର ବେଚେତା ହୋଇ ଯାଇଥିଲା ।

 

—କାହିଁ ସେ ?

 

—ସେ ଘରେ ।

 

ସେ ଘରଯାକେ ନବକୁମାରକୁ ଯିବାକୁ ଦରକାର ପଡ଼ିଲା ନାହିଁ । ପାଟି ଶୁଣି ଉଠି ପଡ଼ି ଶହେଚାରି ପାଞ୍ଚ ଡିଗ୍ରି ଜର ଘେନି ତୀବ୍ର ଉତ୍ତେଜନାରେ ଟଳି ଟଳି ଚାଲି ଚାଲି ପାଖକୁ ଆସିଲା—ରାଧା । ମୁଣ୍ଡ ତାର ମୁକୁଳା, ଲୁଗା ପଟା ତଳକୁ ଲମ୍ୱିଚି । ପାଦ ଉପରେ ଶରୀରର ଭାରା ସମ୍ଭାଳି ହେଉ ନାହିଁ । ଟଳି ଟଳି ତଳେ କଚାଡ଼ି ହୋଇ ଯିବା ଅବସ୍ଥାରେ; ବୁଢ଼ୀ ଆଉ ନବକୁମାର ଧରି ପକାଇ ଟେକି ନେଇ ବୁଢ଼ୀଙ୍କ ଖଟ ଉପରେ ଶୁଆଇ ଦେଲେ । ରାଧା ଦୀର୍ଘ ଶ୍ୱାସକୁ କୌଣସି ପ୍ରାକାରେ ସମ୍ଭାଳି ନେଇ କହିଲା—ଏତେ ଚଞ୍ଚଳ କାହିଁକି ଆସିଲ ? ମୁଁ ମରିଗଲା ପରେ ଆସିଥାଆନ୍ତ ସିନା !

 

ନବକୁମାର ପାଖକୁ ବସି ଧୀରେ ଧୀରେ ତା’ କପାଳକୁ ଆଉଁସି ଦେଇ ପଚାରିଲାଭାରୀ ଜର ନା ? ବେଚେତା ହୋଇ ଯାଇଥିଲ ?

 

—ଖାଲି ସେତିକି ନୁହେଁ ।

 

—ଆଉ କଅଣ ?

 

—ସ୍ୱପ୍ନ ବି ଦେଖିଲି ।

 

—କଅଣ ଦେଖିଲ ।

 

—ଦେଖିଲି କେତେ ଦୂର ବାଟରେ ତମେ ଅଛ । ନଈ ନାଳ, ଗହୀର ବିଲ । ବଡ଼ କଷ୍ଟରେ ଯାଉଚି । ଚାଲି ପାରୁନାହିଁ, ଶକ୍ତି ପାଉନାହିଁ । ତୁମରି ପାଖକୁ ଗଲି । କହିଲି—ମତେ ଏତେ ଜର । ତୁମ ଛଡ଼ା ମୋର ପରା କେହି ନାହିଁ ?

 

ରାଧା ଆଉ କହି ପାରିଲା ନାହିଁ । କଇଁ କଇଁ ହୋଇଁ କାନ୍ଦି ଉଠିଲା । ନବକୁମାର ଦୀର୍ଘ ଶ୍ୱାସ ଛାଡ଼ି ଭାବିଲା—ସ୍ୱପ୍ନଟା ନିଶ୍ଚୟ ସତ୍ୟ ହୁଏ ।

 

ଅଜ୍ଞାତ ସାରରେ ରାଧା ତା ଆତ୍ମାକୁ ନବକୁମାର ନିକଟକୁ ପଠାଇଥିଲା । ହିପ୍ନୋଟିଜମ୍ ବେଳେ ଯାଦୁକର ନିଜ ଆତ୍ମାକୁ ସମ୍ମୋହିତ ବ୍ୟକ୍ତି ମଧ୍ୟକୁ ପ୍ରେରଣ କରିଥାଏ । ଆଗ କାଳରେ ଜଣେ ଜଣକୁ ସ୍ମରଣ କରି ନିଜ ସମ୍ୱାଦ ତା ପାଖରେ ପହୁଞ୍ଚାଇ ଦେଇ ପାରୁଥିଲା । ଏବେ ବାହାରିଚି ଟେଲିଫୋନ୍, ଟେଲିଗ୍ରାଫ ଏବଂ ବେତାର ଯତ୍ନ । ଇଥରକୁ ଏବେ ଚିହ୍ନିଲେ ଲୋକେ । ଟେଲିଭିଜନ ଯନ୍ତ୍ରରେ ଦୂର ଦେଶର ମଣିଷ ଚଳ ପ୍ରଚଳ ହୋଇ କଥା କହିବାର ଦେଖାଯାଉଚି । ପୁରୁଣାକାଳର ମଣିଷ ହୁଏତ ଗୋଟିଏ କିଛି ଉପାୟ ଜାଣି ପାରିଥିଲେ ଯଦ୍ୱାରା ଶୂନ୍ୟେ ଶୂନ୍ୟେ ଏବଂ ମନେ ମନେ ସମ୍ୱାଦ ପ୍ରେରଣ କରି ପାରୁଥିଲେ । ସେ ବିଦ୍ୟା ଏବେ ଭୁଲି ଗଲେଣି ସମସ୍ତେ । ରାଧା ନିଜ ଜୀବନରେ ପ୍ରମାଣ କରି ଦେଲା ସେଇ ଅଦ୍ଭୁତ କଥା ଟିକି । ମାତ୍ର କୌଶଳଟାକୁ ସେ ଜାଣି ପାରିନାହିଁ । ଅନ୍ଧାରୁଆ ଟେକାଟା ଲକ୍ଷ୍ୟସ୍ଥଳରେ ବାଜି ଯାଇଚି । ଅନେକ ସ୍ୱପ୍ନ ମିଥ୍ୟା ହୁଏ, କିନ୍ତୁ ଗୋଟାଏ ସତ୍ୟ ହୁଏ । ଏକାଗ୍ରତା ଓ ଧ୍ୟାନ କଲେ ଦୁନିଆର ସବୁ ସମ୍ୱାଦ ଲୋକେ ଜାଣି ପାରୁଥିଲେ ବୋଲି ଶାସ୍ତ୍ର ପୁରାଣରେ ବର୍ଣ୍ଣିତ ହୋଇଅଛି । ଜୀବଦ୍ଦଶାରେ ଥିଲା ବେଳେ ବି ମଣିଷ ନିଜର ସୂକ୍ଷ୍ମ ସତ୍ତାକୁ ପରିଚାଳିତ କରିପାରେ ।

 

ମଣିଷ ଦେହରେ ସ୍ଥୂଳ ଶରୀର ବୋଲି ଯାହାକୁ ଆମେ କହୁଚୁ, ସେ ବି ନିଜେ ହେଲା ସକ୍ଷ୍ମାତି ସୂକ୍ଷ୍ମ ଅଣୁ ଗୁଡ଼ିକର ସମଷ୍ଟି ମାତ୍ରା । ସନ୍ତରଣ ଶିଖିବାକୁ ମନ କଲେ ମଣିଷ ପାଣି ଭିତରକୁ ଯାଇ ଶିଖେ ଏବଂ ଅଭ୍ୟାସ କରେ । ସୂକ୍ଷ୍ମ ସତ୍ତାକୁ ପରିଚାଳିତ କରାଇବାର କୌଶଳ ଶିକ୍ଷା କରିବାକୁ ମନଥିଲେ ରିତିମତ ଚର୍ଚ୍ଚା ଓ ସାଧନା କରିବାକୁ ପଡ଼େ । ପୁଣି ସେ ବିଜ୍ଞାନ ଯିଏ ଜାଣିଚି, ତାଆରି ପାଖକୁ ଯିବାକୁ ପଡ଼େ ।

 

ସୂକ୍ଷ୍ମ-ସତ୍ତା ବା ସୂକ୍ଷ୍ମ ଶରୀରକୁ କେହି ଯେବେ ଭୂତ ପ୍ରେତ ବୋଲି କହେ, ତେବେ ମୁଁ କହିବି ସୂକ୍ଷ୍ମ ଶରୀର ହେଉ କି ଭୂତ ପ୍ରେତ ହେଉ ମଣିଷର ମୃତ୍ୟୁ ପରେ ଏବଂ ଜୀବିତ ଅବସ୍ଥାରେ ଉଭୟ ଭିତରେ ବିଦ୍ୟମାନ ଥାଏ । ଆମର ଏ ଦୃଶ୍ୟମାନ ଶରୀରଟା ବି ମୋଟା ମୋଟି ଭାବେ ଗୋଟାଏ ସୂକ୍ଷ୍ମ ସତ୍ତାର ଛାୟା ବିଶେଷ । ସ୍ଥୂଳ ହେଉ କି ସୂକ୍ଷ୍ମ ହେଉ ଶରୀର ଓ ସତ୍ତା ଉଭୟେ ଅଦୃଶ୍ୟମାନ ଅରୂପର ସତ୍ତା ମାତ୍ରା । ମୃତ୍ୟୁ ପରେ କିଛି ଗୋଟାଏ ପରିବର୍ତ୍ତନ ହୋଇ ଯାଏ । କିନ୍ତୁ ସେ ପରିବର୍ତ୍ତନଟା କଅଣ, ସେତିକି ଜାଣିବା କଥାଟି ହେଲା କଠିନ । କଠିନ ହେଲେ ବି ବିଜ୍ଞାନ ଦୃଷ୍ଟିରୁ ଅନ୍ତତଃ ଜାଣିବା ନିମନ୍ତେ ଚେଷ୍ଟା କରିବା ଦରକାର । ସେ ଚେଷ୍ଟାକୁ ସାଧନ କୁହ କି ଯୋଗ-ଧ୍ୟାନ କୁହ । ଜୀବିତାବସ୍ଥାରେ ମଣିଷର ସ୍ଥୂଳ ଶରୀର ଭିତର ଦେଇ ଏକ୍‍ସରେ ରଶ୍ମି ପ୍ରବେଶ କରି ଭେଦ କରି ଗଲା ବେଳେ ଅସ୍ଥି ଛଡ଼ା ମାଂସ ହେଉ କି ମେଦ ହେଉ କାହାରିତ କିଛି ଚିତ୍ର ଉଠେ ନାହିଁ ! ଭବିଷ୍ୟତରେ ଅତି ସୂକ୍ଷ୍ମ କୌଣସି ଏକ ଏକ୍‍ସରେ ରଶ୍ମି ଆବିଷ୍କୃତ ହେଲେ ଅସ୍ଥି ମଧ୍ୟରେ ବି ଅବାଧରେ ପ୍ରବେଶ କରି ତାହା ତାହାର ଅସ୍ତିତ୍ୱ କିଛି ନାହିଁ ବୋଲି ମଧ୍ୟ ପ୍ରମାଣ କରି ଦେଇ ପାରିବ-। ମୋଟା ମୋଟି କଥା ହେଲା—ପ୍ରାଣୀର ଶରୀର ଜୀବଦ୍ଦଶାରେ ମଧ୍ୟ ସୂକ୍ଷ୍ମ ସତ୍ତାର ଛାୟାମୟ ମରୀଚିକା ତୁଲ୍ୟ ନାସ୍ତି ବାଦର ଅସ୍ତିତ୍ୱ ସ୍ୱୀକୃତି ପରି ମାୟାବାଦ ମାତ୍ରା ।

 

ପାଞ୍ଚ

 

୧୯୬୬ ମାର୍ଚ୍ଚ ପଚିଶ ତାରିଖ ସଞ୍ଜବେଳେ ବ୍ରହ୍ମପୁରଠାରୁ କଟକ ଫେରି ଆସୁଥିବା ଖଣ୍ଡେ ଆମ୍ୱାସାଡ଼ର ଗାଡ଼ି ଖଲିକୋଟର ନିର୍ମଳ ଝର ପାଖରେ ଗୋଟାଏ ଟ୍ରକ ସାଙ୍ଗରେ ଧକ୍‍କା ଖାଇଲା । ଯାତ୍ରୀ ଭିତରେ ସ୍ୱାମୀ ସ୍ତ୍ରୀ ଦି ଜଣ ଡାକ୍ତର, ସ୍ତ୍ରୀଙ୍କର ଭଉଣୀ, ସାନ ଝିଅଟିଏ, ଜଣେ ଇଞ୍ଜିନିୟର ଓ ଆଉ ଦୁଇ ଜଣ ସାଥି । ଗାଡ଼ି ଖଣ୍ଡିକର ଅବସ୍ଥା ଖୁବ୍ ଭଲ ଥିଲା ଏବଂ ଡ୍ରାଇଭରଟି ମଧ୍ୟ ଅତି ପୁରୁଣା ଲୋକ । ଆଗ ଆଡ଼ୁ ଖଣ୍ଡେ ବଡ଼ ଟ୍ରକ ଧୀରେ ଧୀରେ ଆସୁଥାଏ ଠିକ ବାଁ କଡ଼ ଧରି । ମାତ୍ର କାହିଁକି କେଜାଣି କାର୍‍ ଡ୍ରାଇଭରର ହଠାତ୍‍ ଭୁଲ୍‍ ହୋଇଗଲା । ଗାଡ଼ିଟା ବାଁ କଡ଼ ଛାଡ଼ି ଚାଲିଲା ଡାହାଁଣ କଡ଼କୁ । ବ୍ରେକରେ ପାଦ ପଡ଼ିବା ବଦଳରେ ପଡ଼ିଲା ଏକ୍‍ସିଲେଟର ଉପରେ । ଗତିର ବେଗ କମିବା ପରିବର୍ତ୍ତେ ବଢ଼ିଗଲା ଏବଂ ଗାଡ଼ି ଖଣ୍ଡିକ ତୀର ବେଗରେ ଗତି କରି ଟ୍ରକ ଦେହରେ ଧକ୍‍କା ଖାଇଲା । ଯାତ୍ରୀମାନେ ଖଣ୍ଡିଆ ଖାବରା ଓ ଅଜ୍ଞାନ ହୋଇ କିଏ କୁଆଡ଼େ ପଡ଼ିଲେ ଠିକ୍‍ ଠିକଣା ରହିଲା ନାହିଁ । ଇଞ୍ଜିନିୟର ବାବୁଟି ଘଟନା ସ୍ଥଳରେ ହିଁ ମରିଗଲେ । କିଛି ସମୟ ପରେ ପଥଚାରୀ ଅନ୍ୟ ଏକ ଗାଡ଼ି ଏମାନଙ୍କୁ ଉଠାଇ ନେଇ ଖଲିକୋଟ ପ୍ରାଇମେରି ଚିକିତ୍ସା କେନ୍ଦ୍ରରେ ଛାଡ଼ିଲା । ଟେଲିଫୋନ ଖବର ପାଇ ରାତି ନଅଟାବେଳକୁ ବ୍ରହ୍ମପୁର ହାସପାତାଳରୁ ଆମ୍ୱୁଲେନ୍‍ସ ଗାଡ଼ି ଆସି ଏମାନଙ୍କୁ ନେଇଗଲା । ବାଟରେ ଛତ୍ରପୁରଠାରେ ଇଞ୍ଜନିୟରଙ୍କ ଶବଟିକୁ ପୋଷ୍ଟମଟମ ପାଇଁ ରଖି ଗଲା । ଖବର ପାଇ ଆତ୍ମୀୟ ସ୍ୱଜନମାନେ କଟକରୁ ଧାଇଁ ଯାଇ ପୋଷ୍ଟମଟମ ପରେ ଇଞ୍ଜିନିୟରଙ୍କ ମୃତ ଶରୀରକୁ ଗାଁକୁ ନେଇ ସଂସ୍କାର କଲେ । ଇଞ୍ଜିନିୟର ବାବୁଙ୍କ ନାମ ହେଲା ନରେନ୍ଦ୍ର ବାବୁ । କଟକ ଟାଉନ ଉନ୍ନୟନ ସଂସ୍ଥାର ସେ ଇଞ୍ଜିନିୟର ଥିଲେ ।

 

ଡାକ୍ତର ଦୟାନିଧିବାକୁ ବ୍ରହ୍ମପୁର କୋଟରେ କୌଣସି ଏକ ମକଦ୍ଦମାରେ ସାକ୍ଷ ଦେବା ପାଇଁ ଯିବାକୁ ବାହାରିଲା ବେଳେ ତାଙ୍କ ସ୍ତ୍ରୀ ଓ ଶାଳୀ ଏବଂ ସାନ ଛୁଆଟି ସାଙ୍ଗରେ ବାହାରିଲେ । ନରେନ୍ଦ୍ର ବାବୁ କିଛି କାମ ନଥିଲେବି କେବଳ ବୁଲି ଆସିବା ପାଇଁ ଛୁଟି ନେଇ ଯାଇଥିଲେ । ଏମାନେ ଜଣେ ବନ୍ଧୁଙ୍କ ଗାଡ଼ି ମାଗି ନେଇଥିଲେ । ଡ୍ରାଇଭରଟି ପୁରୁଣା ଓ ଦକ୍ଷ ଲୋକ ।

 

ନରେନ୍ଦ୍ରବାବୁ ଥିଲେ କଟକର ସୁପ୍ରସିଦ୍ଧ ପ୍ରକାଶକ ଉମାଚରଣ ବାବୁଙ୍କ ସମ୍ପର୍କୀୟ ନାତି-। ଉମାଚରଣ ବାବୁଙ୍କ ପୁତୁରା ରାମକୃଷ୍ଣ ବାବୁ ଓ ଶଶିଭୂଷଣ ବାବୁ । ନରେନ୍ଦ୍ର ବାବୁ ରାମକୃଷ୍ଣ ବାବୁଙ୍କ ପୁଅ । ନିଜର ପିଲା ପିଲି କିଛି ନଥିବା ଅବସ୍ଥାରେ ଶଶିବାବୁ ନରେନ୍ଦ୍ରଙ୍କୁ ପୁଅ କରିଥିଲେ । ପରେ ନିଜର ପିଲା ଝିଲା ଜନ୍ମ ହେଲେ ସୁଦ୍ଧା ନରେନ୍ଦ୍ରକୁ ସେ ଅତ୍ୟନ୍ତ ସ୍ନେହ କରୁଥିଲେ । ଏ ପରିବାରର ପ୍ରକୃତ ଘର ହେଲା ବରି-ଆନନ୍ଦପୁର ଗ୍ରାମରେ । ଡୋଲିପୁରଠାରେ ରାମକୃଷ୍ଣ ବାବୁ ଥାଆନ୍ତି ଏବଂ ଶଶିବାବୁ ରହୁଥିଲେ ବରି ଆନନ୍ଦପୁରଠାରେ । ଶଶିବାବୁ ଥିଲେ ଜଣେ ଆଡ଼ଭୋକେଟ (ଓକିଲ) । କଂଗ୍ରେସ କର୍ମୀ ହିସାବରେ ସେ ଅଞ୍ଚଳରେ ତାଙ୍କର ଖୁବ୍ ସୁନାମ ଥିଲା-। ଡୋଲିପୁରଠାରେ ଗୋଟିଏ କଲେଜ ସ୍ଥାପନ କରିବା ପାଇଁ ସେ ପରିକଳ୍ପନା କରିଥିଲେ ଏବଂ ନିଜ ଅଞ୍ଚଳରୁ ଏମ୍. ଏଲ. ଏ. ଛିଡ଼ା ହେବାକୁ ପ୍ରସ୍ତୁତ ହେଉଥିଲେ । ମଝିରେ ମଝିରେ ଯାଜପୁରକୁ ଯାଇ ସେ ଓକିଲାତି ମଧ୍ୟ କରୁ ଥିଲେ ।

 

ଊଣେଇଶ ଶହ ତେଷଠୀ ମସିହା ମାର୍ଚ୍ଚ ପଚିଶ ତାରିଖ ଦିନ ସକାଳୁ କୌଣସି ଗୋଟିଏ ମକଦ୍ଦମା ସମ୍ପର୍କରେ ଓକିଲାତି କରିବା ପାଇଁ ଡୋଲିପୁରଠାରୁ ସେ ଯାଜପୁର ବାହାରି ଥିଲେ । ଖଣ୍ଡିଏ ଗାଡ଼ିରେ ସେ ବସି ସାରିଥିଲେ । ତାଙ୍କୁ ଆଉ ଜଣେ ଆସି ଡାକିଲା—ଆସନ୍ତୁ ନୂଆ ଗାଡ଼ିରେ ଯିବେ । ନୂଆ ଆମ୍ୱାସାଡ଼ର ଗାଡ଼ିଟିଏ ଏବଂ ଡ୍ରାଇଭରଟି ଜଣେ ଘରୋଇ ଭଦ୍ରବ୍ୟକ୍ତିଙ୍କ ଗାଡ଼ିର ପୁରୁଣା ଡ୍ରାଇଭର । ଗାଡ଼ିରେ ପାଞ୍ଚ ଜଣ ଜଣ ମାତ୍ର ଯାତ୍ରୀ । ଖୁବ୍ ଭଲ ଚାଲୁଥାଏ ଯାନ ଖଣ୍ଡିକ । ଯାଜପୁର ଆଉ ପ୍ରାୟ ତିନି ମାଇଲ ଅଛି, ପାଖରେ ଶିବ ମନ୍ଦିରଟିଏ । ଯାଜପୁରରେ ପହୁଞ୍ଚିଲେ ବାରୁଣି ଯାତ୍ରା ଦେଖିବେ । ହଠାତ୍ ଗାଡ଼ି ଖଣ୍ଡିକ ଗୋଟିଏ ଗଛରେ ବାଡ଼େଇ ହୋଇଗଲା । ଶଶିବାବୁ ଏବଂ ଆଉ ଚାରି ଜଣ ଯାତ୍ରୀ ଘଟନା ସ୍ଥଳରେ ମରିଗଲେ ।

 

୧୯୬୩ ମାର୍ଚ୍ଚ ୨୫ ତାରିଖ ସକାଳର ଘଟନା ଇଏ ।

 

ପୁଣି ୧୯୬୬ ମାର୍ଚ୍ଚ ୨୫ ତାରିଖ ସଞ୍ଜ ଛଅଟା ବେଳର ଘଟନା ହେଲା—ନରେନ୍ଦ୍ର ବାବୁଙ୍କ ମୃତ୍ୟୁ । ଦୁଇଟିଯାକ ଆକସ୍ମିକ ଏବଂ ଦୁଇଟି ଯାକ ଦୁର୍ଘଟନା ଓ ଦୁହିଁଙ୍କ ଗାଡ଼ି ହେଲା ଆମ୍ୱାସାଡ଼ର ଗାଡ଼ିର କଳକବ୍‍ଜାରେ ଦୋଷ କିଛି ନାହିଁ, କାରଣ ଦୁଇଖଣ୍ଡଯାକ ଦୁର୍ଘଟନା ପୂର୍ବରୁ ଅନେକ ଗୁଡ଼ିଏ ବାଟ ଚାଲି ସାରିଥିଲେ ଏବଂ ଯନ୍ତ୍ରପାତିରେ ଦୋଷ କିଛି ନଥିବାର ପରୀକ୍ଷା ହୋଇ ସାରିଥିଲା ।

 

ଶଶିବାବୁ ନରେନ୍ଦ୍ରଙ୍କୁ ଅତି ସ୍ନେହ କରୁଥିଲେ । ମୃତ୍ୟୁପୂର୍ବରୁ ତାଙ୍କର ଅଭିଳାଷ ପୂର୍ଣ୍ଣ ହୋଇ ପାରି ନଥିଲା । ୧୯୬୬ ମାର୍ଚ୍ଚ ୨୫ ତାରିଖ ଦିନ ତାଙ୍କର ସାମ୍ୱତ୍ସରିକ ଶ୍ରାଦ୍ଧ ସମ୍ପନ୍ନ ହୋଇଥିଲା । ହିନ୍ଦୁ ବିଶ୍ୱାସ ଅନୁସାରେ ଆମର ବର୍ଷଟି ପ୍ରେତର ଦିନଟିଏ । ପ୍ରେତାତ୍ମା ବର୍ଷକୁ ଥରେ ଆତ୍ମୀୟ ସ୍ୱଜନ ନିକଟକୁ ଆସେ ଏବଂ ଭୋଜ୍ୟ ବା ପିଣ୍ଡ ଗ୍ରହଣ କରି ପରିତୃପ୍ତ ହୋଇଥାଏ ବୋଲି ଆମର ବିଶ୍ୱାସ । ଥିଓଜଫିଷ୍ଟମାନଙ୍କ ମତ ଅନୁସାରେ ମୃତ୍ୟୁପରେ ପ୍ରେତାତ୍ମା ନିଜ ଆବାସ ନିକଟରେ ହିଁ ରହିଥାଏ ଏବଂ ଡାକିଲେ ପାଖକୁ ଆସେ । ନରେନ୍ଦ୍ରକୁ ଶଶିବାବୁ ପୁଅ କରିଥିଲେ । ତେଣୁ ନିଜ ସାଙ୍ଗକୁ ନେଇ ଯିବା ପାଇଁ ୧୯୬୬ ମାର୍ଚ୍ଚ ୨୫ ତାରିଖରେ ଦୁର୍ଘଟନାଟି ଘଟାଇ ନରେନ୍ଦ୍ରର ମୃତ୍ୟୁ କରରାଲେ । ନରକଳେବରରେ ଜୀବିତ ଥିବା ଏବଂ ମୃତ୍ୟୁ ପରେ ପ୍ରେତ ହେବା ଏ ଦୁଇଟି ଅବସ୍ଥା ମଧ୍ୟରେ ପ୍ରେତ ଦୃଷ୍ଟିରେ ହୁଏତ କୌଣସି ତାରମମ୍ୟ ଲକ୍ଷ୍ୟିତ ହୁଏ ନାହିଁ ।

 

ଊଣେଇଶ ଶହ ତେଷଠୀ ମାର୍ଚ୍ଚ ପଚିଶ ତାରିଖ ଏବଂ ଊଣେଇଶ ଶହ ଛଷଠୀ ମାର୍ଚ୍ଚ ପଚିଶ, ତାରିଖ ମଧ୍ୟରେ ନିମ୍ନ ଲିଖିତ କେତୋଟି ଘଟନା ଘଟି ଯାଇଚି । ସେଗୁଡ଼ିକୁ ଗଭୀର ଭାବେ ପର୍ଯ୍ୟାଲୋଚନା କଲେ ଯେ କେହି ହେଲେ ନିଶ୍ଚିତ ଭାବେ ଜାଣି ପାରିବେ ଯେ ନରେନ୍ଦ୍ରଙ୍କ ଆକସ୍ମିକ ମୃତ୍ୟୁ ପଛରେ କୌଣସି ଏକ ଅଜ୍ଞାତ ଶକ୍ତିର ହାତ ଅଛି ଏବଂ ତାହା ଏକ ଅଦ୍ଭୂତ ପ୍ରେତ–ସତ୍ତା ଛଡ଼ା ଅନ୍ୟ କିଛି ନୁହେଁ । ପୁଣି ତାହାକୁହିଁ କହିବା ମୃତ ଶଶିବାବୁଙ୍କ ଅମୁକ୍ତ ଆତ୍ମା ବୋଲି । ଜୀବନ କାଳ ମଧ୍ୟରେ ଆତ୍ମାର ଅଭିଳାଷ ଅପୂରଣ ରହିଗଲେ ମୃତ୍ୟୁ ପରେ ପ୍ରେତାତ୍ମା ଅନେକ କାଳ ଯାକେ ଅତୃପ୍ତ ଅମୋକ୍ଷ ଅବସ୍ଥାରେ ରହିଥାଏ ।

 

୧୯୬୩ ମାର୍ଚ୍ଚ ୨୫ ତାରିଖ ସକାଳ ନଅଟା ବେଳେ ଶଶିବାବୁଙ୍କର ଦୁର୍ଘଟନା । ତାପରେ ତାଙ୍କ ଶବ ସଂସ୍କାର କରାଗଲା ବରି ଆନନ୍ଦପୁର ଗ୍ରାମରେ । ରେଳଲାଇନର ସେପଟେ ଶ୍ମଶାନ, ଏପଟକୁ ଶଶିବାବୁଙ୍କ ଘର । ମଝିରେ ଠାଏ ଛୋଟ ସମାଧି ମଧ୍ୟରେ ଶଶିବାବୁଙ୍କ ଅସ୍ଥି ରକ୍ଷା କରାଯାଇ ପତକା ପୋତା ଯାଇଥାଏ । ଶବ ସଂସ୍କାର ପରେ ଲାଗ ଲାଗ ଦୁଇଦିନ ଖରାବେଳକୁ ଶଶି ବାବୁଙ୍କର ପିଲା ଦୁଇଟି ସେହି ଆଡ଼କୁ ଚାହିଁ ରହି “ହେଇଟି ବାପା” ବୋଲି କହି ଧାଇଁ ଯାଆନ୍ତି । ହୁଏତ ସେମାନେ ସମାଧି ପୀଠ ପତାକା ତଳେ ଶଶିବାବୁଙ୍କ ଛାୟା ରୂପ ଦେଖିବାକୁ ପାଆନ୍ତି । ତାଙ୍କୁ ବହୁ କଷ୍ଟରେ ଅଟକାଇ ରଖାଯାଏ । ବର୍ଷେ ଦିବର୍ଷ ପରେ ନରେନ୍ଦ୍ର ଶଶିବାବୁଙ୍କୁ ସ୍ୱପ୍ନ ଦେଖି ଲୁଚାଇ ରଖନ୍ତି ଏବଂ ମାମୁଁ ପୁଅ ଭାଇ ଭିକାରୀ ଚରଣଙ୍କୁ ଏଣୁ ତେଣୁ କେତେ ଗୁଡ଼ିଏ କଥା କହନ୍ତି—ମୁଁ ମରିଯିବି ଜାଣିଥାଅ । ମୋ ସାଇକେଲ ଖଣ୍ଡିକ ଖାନନଗର ଶ୍ମଶାନରେ ଥୋଇ ଦେଇ ଆସିବ ।

 

ଭୁଲାଇ ଦେବାକୁ ଭିକାରୀ ବାବୁ ଏଣୁ ତେଣୁ ବୁଝାନ୍ତି । ନରେନ୍ଦ୍ର ମୁଖ ଗମ୍ଭୀର କରି ଅକୁହା କଥାକୁ ଚାପିରଖେ ।

 

ଭିକାରୀ ଚରଣ ଓ ନରେନ୍ଦ୍ରଙ୍କ ମଧ୍ୟରେ ଖୁବ୍ ମନ—ମିଳେ ଏବଂ ଉଭୟେ ସାଙ୍ଗ ସାଥି ହୋଇ ଏଣେ ତେଣେ ବୁଲାବୁଲି କରନ୍ତି ।

 

ନରେନ୍ଦ୍ର ବାବୁଙ୍କ ବୋଉ ରହନ୍ତି ବରି ଆନ୍ଦପୁର ଗ୍ରାମରେ । ରାମକୃଷ୍ଣବାବୁ ରହନ୍ତି ଡୋଲିପୁରଠାରେ । ୧୯୬୬ ମାର୍ଚ୍ଚ ୨୫ ତାରିଖ ପୂର୍ବରୁ ଲାଗ ଲାଗ ତିନି ଦିନ ରାତିରେ ନରେନ୍ଦ୍ର ବୋଉ ତିନୋଟି ଅଦ୍ଭୂତ ସ୍ୱପ୍ନ ଦେଖି ବିକଳ ବିଚଳିତ ହୋଇ ପଡ଼ିଲେ । ପ୍ରଥମ ରାତିରେ ଦେଖିଲେ କେତେଗୁଡ଼ିଏ ଲୋକ ନାଲିଆ ଲୁଗା ଓ ପଗଡ଼ି ପିନ୍ଧିଛନ୍ତି, ଦିହ ସାରା ରକ୍ତାକ୍ତ ।

 

ଦ୍ୱିତୀୟ ରାତ୍ରିରେ ସେ ଅଧିକ କୁତ୍ସିତ ସ୍ୱପ୍ନଟିଏ ଦେଖିଲେ । ଜଣେ ଲୋକ ଅଦ୍ଭୂତ ଉଲଗ୍ନ ଅବସ୍ଥାରେ ସାରା ଶରୀରରେ ତୈଳ ମର୍ଦ୍ଦନ କରି ଛିଡ଼ା ହୋଇଛି ।

 

ତୃତୀୟ ରାତ୍ରିର ସ୍ୱପ୍ନ ହେଲା ନିତାନ୍ତ ଅଶୁଭ-ସଚକ । ଘରୁ ସବୁତକ ହାଣ୍ଡି କୁଣ୍ଡେଇ ବାହାରକୁ ବାହାର କରି ନିଆ ଯାଉଚି ।

 

ଏ ସବୁ ସ୍ୱପ୍ନ ପାଶ୍ଚାତ୍ୟ ଦେଶବାସୀଙ୍କ ନିକଟରେ ନିରର୍ଥକ ବୋଧ ହୋଇପାରେ । ମାତ୍ର ଭାରତୀୟ ହିନ୍ଦୁମାତ୍ରେ ଏଗୁଡ଼ିକୁ ଅଶୁଭ-ସୂଚକ ଭୟଙ୍କର ସ୍ୱପ୍ନ ଛଡ଼ା ଅନ୍ୟ କିଛି ଭାବି ପାରିବେ ନାହିଁ । ଶୁଭାଶୁଭ ବିଚାର ନିର୍ଭର କରେ ସାମାଜିକ ତଥା ପାରମ୍ପରିକ ଚିନ୍ତା, ବିଶ୍ୱାସ ଓ ସଂସ୍କାର ଉପରେ । ସେହି ସବୁ ସ୍ୱପ୍ନ ମାଧ୍ୟମରେ ନରେନ୍ଦ୍ର ବୋଉଙ୍କୁ ଅବଲମ୍ୱନ କରି ଯେଉଁ ଅଶରୀରୀ ଅଜ୍ଞାତ ସତ୍ତା ଅଦୂର ଭବିଷ୍ୟତର ଭୟଙ୍କର ବିକଳ ଅମଙ୍ଗଳ ଶକୂନର ଆଭାସ ଦେଇ ଗଲା, ସେ କିଏ ବୋଲି କିଏ କହିବ ? ମୋର ପୂର୍ଣ୍ଣ ବିଶ୍ୱାସ ତାହା ଶଶିବାବୁଙ୍କର ଆତ୍ମା ଛଡ଼ା ଅନ୍ୟ କେହି ନୁହେଁ ।

 

ଶେଷ ଦିନର ସ୍ୱପ୍ନ ପରେ ନରେନ୍ଦ୍ର-ବୋଉ ପୁଅ ପାଇଁ ବିକଳ ହୋଇ ରାମକୃଷ୍ଣ ବାବୁଙ୍କୁ ନିକଟକୁ ଡୋଲିପୁରକୁ ଖବର ପଠାଇଲେ ଏବଂ ତୁରନ୍ତ ନରେନ୍ଦ୍ରର ଖବର ଅନ୍ତର ବୁଝିବା ପାଇଁ ଅନୁରୋଧ କଲେ । ରାମକୃଷ୍ଣ ବାବୁ କଟକ ଆସି ନରେନ୍ଦ୍ର ବ୍ରହ୍ମପୁର ଯାଇଥିବା ଖବର ପାଇଲେ । ଅନ୍ତତଃ ପଚିଶ ତାରିଖ ଦିନଟା ବ୍ରହ୍ମପୁରଠାରେ ଅଟକି ରହିବାକୁ ନରେନ୍ଦ୍ରକୁ କହିବା ପାଇଁ ଟେଲିଫୋନରେ ଟ୍ରଙ୍କ କଲ କଲେ । ମାତ୍ର ନିୟତିର ଇଚ୍ଛାକୁ ରୋକି ନେବାର ଶକ୍ତି ସାମର୍ଥ୍ୟ କାହାରି ନାହିଁ । ନିୟତିର ଇଚ୍ଛା ନା ମୃତ ଶଶିବାବୁଙ୍କ ପ୍ରେତର ଇଚ୍ଛା ଠିକ୍‍ କହି ହେବ ନାହିଁ । ତିନି ବର୍ଷ ତଳେ ଠିକ୍ ଏଇ ତାରିଖରେ ଶଶିବାବୁ ମଟର ଦୁର୍ଘଟନାରେ ପଡ଼ି ଦେହ ତ୍ୟାଗ କରିଥିଲେ । “ଯାହା ମାଆକୁ ସାପ କାମୁଡ଼େ ସେ ପାଳ ଦୌଡ଼ି ଦେଖିଲେ ଡରେ” । କିନ୍ତୁ ଯେଉଁ ଦୁର୍ଘଟନାଟିକି ଡର ଥିଲା, ଠିକ୍ ସେଇ ଦୁର୍ଘଟନାଟି ଘଟିଲା ।

 

ରାମକୃଷ୍ଣବାବୁଙ୍କ ଟ୍ରଙ୍କ ଟେଲିଫୋନ ବ୍ରହ୍ମପୁରରେ ପହୁଁଞ୍ଚିବାର କିଛି ସମୟ ପୂର୍ବରୁ ନରେନ୍ଦ୍ର ଆଦିଙ୍କୁ ଘେନି ଆମ୍ୱାସାଡ଼ାର ଗାଡ଼ି ଖଣ୍ଡିକ କଟକ ଅଭିମୁଖେ ଯାତ୍ରା କରି ସାରିଥିଲା । ବାଟରେ ସଞ୍ଜକୁ ନିର୍ମଳଝର ନିକଟରେ ମର୍ମ୍ମନ୍ତୁଦ ଦୁର୍ଘଟନାଟି ଘଟିଲା । ଜାଣିବା ଶୁଣିବା ଡ୍ରାଇଭରଟି ଭୁଲ କଲା । ଶଶିବାବୁଙ୍କ ପ୍ରେତାତ୍ମା କୁହନ୍ତୁ ବା କୌଣସି ଏକ ଅଜ୍ଞାତ ଅଦ୍ଭୂତ ସତ୍ତା କୁହନ୍ତୁ କେହି ନିଶ୍ଚିୟ ଡ୍ରାଇଭରଟିକୁ ସମ୍ପୂର୍ଣ୍ଣଭାବେ ବଶୀଭୂତ କରିନେଇ ତାହାରି ଦ୍ୱାରା ଯନ୍ତ୍ର–ଚାଳନା ବିଷୟରେ ବିରାଟ ଭୁଲଟି କରାଇଲା; ଏବଂ ତାହାରି ଫଳରେ ନରେନ୍ଦ୍ର ବାବୁଙ୍କର ଅକାଳ ବିୟୋଗ ଘଟିଲା । ଅନ୍ୟ ଯାତ୍ରୀମାନେ ସାଙ୍ଘାତିକ ଭାବେ କ୍ଷତି ବିକ୍ଷତ ହୋଇ ପୂରାପୂରି ଅଜ୍ଞାନ ଅବସ୍ଥାରେ ଡାକ୍ତରଖାନାକୁ ନିଆଗଲେ ।

 

ଛତ୍ରପୁରଠାରେ ପୋଷ୍ଟମଟମ୍ ପରେ ନରେନ୍ଦ୍ରର ଶବକୁ ମଟର ଗାଡ଼ିରେ ବରି ଆନ୍ଦପୁରକୁ ନିଆ ଯାଇ ଅଗ୍ନି ସଂସ୍କାର କରାଗଲା । ଭିକାରୀ ବାବୁ ଏବଂ ଅନ୍ୟମାନେ ସଞ୍ଜ ବେଳେ କଟକ ଫେରି ଆସିଲେ । ସେହି ଦିନ ରାତି ପ୍ରାୟ ଏଗାରଟା ବାରଟା ମଧ୍ୟରେ ଉମାବାବୁଙ୍କ ଘରେ ଭିକାରୀ ଚରଣ ସ୍ୱପ୍ନ ଦେଖି ଦେଖି ସ୍ତମ୍ଭୀତ ହୋଇପଡ଼ିଲେ । ସ୍ୱପ୍ନଟି ଅଦ୍ଭୂତ । ନରେନ୍ଦ୍ର ଆସି ପାଖରେ ବସି ଭିକାରୀଙ୍କ ଛାତି ଉପରକୁ ଲଦି ହୋଇ ପଡ଼ିଚନ୍ତି । ଭିକାରୀ କାନ୍ଦିକାଟି ସ୍ୱପ୍ନରେ କହୁଛନ୍ତି—ତୁମେତ ସମସ୍ତଙ୍କୁ କନ୍ଦେଇ ଦେଇ ଚାଲିଗଲ, ପୁଣି ଥରେ ଏଭଳି ଅବସ୍ଥାରେ ଆସି ଅଧିକ ଦୁଃଖ ଦେଉଚ କାହିଁକି ?

 

ନରେନ୍ଦ୍ର କଅଣ ଉତ୍ତର ଦେଲେ ଭିକାରୀଙ୍କ ମନେ ରହିଲା ନାହିଁ । ଛାତି ଉପରେ ପ୍ରେତର ଚାପ ସହି ନପାରି ସେ ବିକଳରେ ଗଁ ଗଁ ଶବ୍ଦ କରିଉଠିଲେ । କିଛି ସମୟ ଏଭଳି ଭାବେ କଟିଲା ପରେ ବଡ଼ କଷ୍ଟରେ ସେ ଉଠି ପଡ଼ିଲେ । ରାତ୍ରିର ଅବଶିଷ୍ଟ ସମୟତକ ଭୀତତ୍ରସ୍ଥ ଅବସ୍ଥାରେ କଟାଇ ଦେଲେ ।

 

ଗତ ମାର୍ଚ୍ଚ ପଚିଶ ତାରିଖର ଦୁର୍ଘଟନାଟିର ପୁରା ଖବର ହେଲା ଏଇଆ । ପୂର୍ବାପର ବିଚାର କରି ଭଲଭାବରେ ଦେଖିଲେ କେହି କେବେ କହିବ ନାହିଁ ଯେ ଘଟନାଟି କାଳତାଳୀୟ ନ୍ୟାୟରେ ଘଟିତ ହେଲା ବୋଲି କୁଆ ବସି ପଡ଼ିଲାକୁ ଏଣେ ତାଳଟି ଖସି ପଡ଼ିବାକୁ । ପ୍ରେତତତ୍ତ୍ୱବିତ୍ ମାତ୍ରେ ନିଶ୍ଚୟ କହିବେ ଯେ ପରବର୍ତ୍ତୀ ଘଟନାଟି ପୂର୍ବ–ଘଟନା ସହିତ ଏକ ସୂତ୍ରରେ ଗ୍ରଥିତ । ଗୋଟିଏ ବିଶିଷ୍ଟ ପରିବାର ପ୍ରତି ମାର୍ଚ୍ଚ ପଚିଶ ତାରିଖଟି ଗୋଟିଏ ଅଶୁଭ ଦିବସ ବୋଲି ପ୍ରମାଣିତ ହେଉଚି ! ତାରି ମୂଳରେ ରହିଲା ଶଶିବାବୁଙ୍କ ଅପମୃତ୍ୟୁ । ସେ ଥିଲେ ଭାରତୀୟ ହିନ୍ଦୁ । ଗଲା ବେଳେ ତାଙ୍କର ସଂସ୍କାର, ବିଶ୍ୱାସ, ଓ ଭାବ-ପ୍ରବଣତା ତାଙ୍କରି ସଙ୍ଗରେ ଯାଇଚି । ଯାଇ ନାହିଁ ଏବେ ବି ଅଛି । ହିନ୍ଦୁ ମତରେ ତାର ସଦ୍‍ଗତି ପାଇଁ ତୁରନ୍ତ ବ୍ୟବସ୍ଥା ହେବା ଆବଶ୍ୟକ ବୋଲି ମୋର ଧାରଣା ।

 

ସ୍ୱପ୍ନ–ରହସ୍ୟ ପଛରେ ବି ଗୋଟାଏ କିଛି ରହସ୍ୟ ରହିଚି । ତାର ଯଥାର୍ଥ ସୂତ୍ର ପାଇ ନଥିବା ପର୍ଯ୍ୟନ୍ତ ତାକୁ ନିରର୍ଥକ ଏବଂ ମିଥ୍ୟା ବୋଲି କହିଦେବା ଠିକ୍‍ ହେବ ନାହିଁ । ପୁଷ୍କରିଣୀର ଜଳରାଶି ଉପରେ କୌଣସି ଅଂଶରେ ଆଘାତ ଲାଗିଲେ ତରଙ୍ଗ ସୃଷ୍ଟି ହୋଇ ସାରା ଜଳରାଶି ଉପରେ ସେ ତରଙ୍ଗକୁ ଖେଳାଇ ନିଏ । ଏକୁ ଆଗେ ପିଲାର ନିରର୍ଥ୍ୟକ କ୍ରୀଡ଼ା ବୋଲା ଲୋକେ ମନେ କରୁଥିଲେ । ପରେ ପୁଣି ଏଇ ସାମାନ୍ୟ କଥାଟିରୁ ବିଶ୍ୱ-ବ୍ୟାପୀ ଇଥରୀୟ ସତ୍ତା ଉପରେ କିଭଳି ଭାବେ ଶବ୍ଦ-ତରଙ୍ଗ ଧାଇଁ ଯାଏ ତାହା ବୈଜ୍ଞାନିକମାନେ ଜାଣି ପାରିଲେ । ତାପରେ ସୃଷ୍ଟି ହେଲା ବେତାର ବାର୍ତ୍ତା, ରେଡ଼ିଓ, ଟେଲିଭିଜନ ଇତ୍ୟାଦି । ଏବର ମଣିଷ ସେହି ସତ୍ୟକୁ ଅବଲମ୍ୱନ କରି ଯନ୍ତ୍ରପାତି ପ୍ରସ୍ତୁତ କରି ରକେଟ ଯାନ ମାଧ୍ୟମରେ ମହାକାଶ ଭେଦ କରି ଚନ୍ଦ୍ର–ମଣ୍ଡଳ ନିକଟରୁ ସେଠାରେ ବିଦ୍ୟମାନ ଥିବା ବିଭିନ୍ନ ପଦାର୍ଥରଚିତ୍ର ଓ ଶବ୍ଦ ନିଖୁଣ ନିର୍ଭୂଲ ଭାବେ ଭୂପୃଷ୍ଟର ବିଜ୍ଞାନାଗାରକୁ ପଠାଇ ପାରୁଚି । ପ୍ରେତତତ୍ତ୍ୱକୁ ଏ ଦେଶର ଲୋକେ ଆଗେ ଆୟତ୍ତ କରିପାରିଥିଲେ । ଏବେ ମିଥ୍ୟା ବୋଲି କହୁଛନ୍ତି । ଦିନ ଆସିବ ଯେତେବେଳେ ଆଜିର ଅଜ୍ଞାନତାର ଅନ୍ଧକାର ପୁଣିଥରେ ମିଥ୍ୟାବୋଲି ପ୍ରମାଣିତ ହେବ ଏବଂ ସତ୍ୟଟା ସତ୍ୟରୂପେ ଦେଖାଦେବ ।

 

ତଦ୍ଦ୍ୱାରା ଆମର ଉପକାର ହେବ କି ଅପକାର ହେବ ଏ ବିଷୟରେ ବିଭିନ୍ନ ପ୍ରଶ୍ନ ଆସିପାରେ । ବୈଦ୍ୟୁତିକ ଶକ୍ତିପରି ବ୍ୟବହାର କରିବା ବିଷୟରେ ଯଥାର୍ଥ ସାବଧାନତା ଅବଲମ୍ୱନ କରି ଜାଣିଲେ ସେ ବିଜ୍ଞାନ ନିଶ୍ଚୟ ଆମ୍ଭମାନଙ୍କ ପାଇଁ ଅସାଧ୍ୟ ସାଧନ କରାଇ ଦେଇପାରିବ, ଏଥିରେ ସନ୍ଦେହ ନାହିଁ ।

 

ଛଅ

 

ବଳଭଦ୍ର ପୁର ଶାସନ । ପଞ୍ଚାନନ ଆଚାର୍ଯ୍ୟର ସ୍ତ୍ରୀ ସୁଭଦ୍ରା ସ୍ୱାମୀ ତାକୁ ଟିଇକ କଥାକୁ ଗାଳିଦିଏ ଏବଂ ମାରଧର କରେ । ସୁଭଦ୍ରାର କିଛି ପିଲାପିଲି ହୋଇ ନଥାଏ । ଭିତରେ ଭିତରେ କଅଣ ଘଟିଲା କେଜାଣି, ବାହାରକୁ କିଛି ପ୍ରଘଟ ହେଲା ନାହିଁ । ଦାଣ୍ଡରେ ଶୁଣାଗଲା—ପଞ୍ଚାନନର ସ୍ତ୍ରୀ ହଠାତ୍ କାହିଁରେ କେମିତି ମରି ଯାଇଛି । ଗାଉଁଲି ବିଶ୍ୱାସକୁ ମାନି ପଞ୍ଚାନନ ମୁର୍ଦ୍ଦାରର ପାଦରେ ଗୋଟିଏ ଲୁହାକଣ୍ଟା ବାଡ଼େଇ ସଂସ୍କାର ପାଇଁ ଉଠାଇ ନେଲା । ତା’ର କିଛିଦିନ ପରେ ଗୋଟିଏ ପିଲା–କନ୍ୟା ଯୋଗାଡ଼ କରି ଆଉ ଥରେ ବିଭା ହେଲା ।

 

ବିବାହର ଦୁଇ ତିନି ବର୍ଷ ପରେ ପୁଆଣିଘର ହେବ । ଭାର ବେଭାର ଘେନି ନୂଆ ବୋହୂଟି ଆସିବ । ହଳଦିଆ ପତ୍ର ବାପ ଘରୁ ତାର ଆସି ଯାଇଛି । ଦିନେ ରାତିରେ ପଞ୍ଚାନନ ଘରୁ ଗୋଡ଼ କାଢ଼ି ବାହାରକୁ ଯାଇଛି ପ୍ରସାବ କରିବା ପାଇଁ, କେହି କୁଆଡ଼େ ନାହାନ୍ତି, ଦାଣ୍ଡ ଅଗଣାରେ ଥିବା ଗଛ ବୃକ୍ଷର ଡାଳ ପତ୍ର ଭେଦକରି ଖଣ୍ଡ ଖଣ୍ଡିଆ ଜହ୍ନ–ଆଲୁଅ ଭୂଇଁ ଉପରେ ପଡ଼ି ଚିତ୍ରଚିତ୍ରକା ଦିଶୁଛି । ପଞ୍ଚାନନ ଅନୁଭବ କଲା ସତେକି ହଠାତ୍ ତା’ ପଛଆଡ଼ୁ କିଏ ଜଣେ ଧାଇଁ ଆସି ଦୁଇହାତରେ ତଣ୍ଟିଟାକୁ ତାର ଚିପି ଦେଉଛି । “କିଏ” ବୋଲି ଚିତ୍କାର କରି ପଛକୁ ଘୂରିପଡ଼ିଲା ବେଳକୁ ବେକ ଚିପୁ ଥିବା ଛାୟା–ମୂର୍ତ୍ତିଟା ପଛକୁ ତାର ଘୁଞ୍ଚି ଯାଉଛି ।

 

ଜୀବନ–ବିକଳରେ କିଛି ସମୟ ଏପଟ ସେପଟ ହେଲା ବେଳକୁ ଛାୟାମୂର୍ତ୍ତିଟି ଅସ୍ପଷ୍ଟଭାବେ ସୁଭଦ୍ରାର ସ୍ୱରରେ କହିଲା ମତେ ଚିହ୍ନିପାରୁନାହଁ ? ମୁଁ ପରା । ତୁମେ ମତେ ଛାଡ଼ି ଆଉ ଗୋଟାକୁ ବାହା ହେଲଯେ ପୁଆଣି ଘର ହେବାକୁ ବସିଲାଣି ? ମୁଁ ତେବେ କୁଆଡ଼େ ଯିବି ? ଜୀବଥିବା ବେଳେ ତୁମେ ମତେତ ମାରୁଥିଲ । ଏବେ ମୁଁ କହୁଛି ଶୁଣ । ସେ ବୋହୂକୁ ଆଣ ନାହିଁ । ମୁଁ ତମ ପାଖକୁ ଆସିବି । ଏ କଥାଟି କାହାରିକି କିଛି କହିବ ନାହିଁ । କହିଲେ ନିଶ୍ଚେ ମୁଁ ତମ ତଣ୍ଟି ଚିପିଦେଇ ମାରିପକାଇବି । ତୁମେ ମୋ ପାଖକୁ ଚାଲି ଆସିବ ।

 

ପଞ୍ଚାନନର ତଣ୍ଟି ଶୁଖିଗଲା । ପାଟିରୁ ତାର କଥା ବାହାରିଲା ନାହିଁ । ଜୀବନ–ବିକଳରେ ଘର ଭିତରକୁ ସେ ଧାଇଁ ଗଲା । ତାର ବିଶ୍ୱାସ ଭୂତ ପ୍ରେତ ଦୁଆର–ବନ୍ଧ ଡେଇଁ ଭିତରକୁ ପଶିବେ ନାହିଁ । ସତକୁ ସତ ତାହାହିଁ ହେଲା । ଘର ଭିତରକୁ ପଶିଲା ପରେ ଛାତିତାର ଦୁଲ ଦୁଲ ହୋଇ ଢେଙ୍କି ପାହାର କୁଟୁଥାଏ । ଅନେକ ସମୟ ପରେ ସେ କଥାବାର୍ତ୍ତା କରିପାରିଲା-। ଯିଏ ଯେତେ ପଚାରିଲେ ସୁଦ୍ଧା କିଛି କାହାରିକି କହିଲା ନାହିଁ । ଡର ଲାଗିଲା, କାଳେ ତା ସ୍ତ୍ରୀର ପ୍ରେତ ମନା କରିଥିବା କଥାଟା କହିଦେଲେ ତଣ୍ଟି ଚିପି ମାରିଦେବ ! ତାର କାର୍ଯ୍ୟକଳାପ ଅଳ୍ପ ସମୟ ପୂର୍ବରୁ ଅଙ୍ଗେନିଭେଇ ସାରିଛି ।

 

Unknown

କିଛି ସେ କାହାରିକି କହିଲା ନାହିଁ । ତା’ ପାଖକୁ ସୁଭଦ୍ରା ପ୍ରାୟ ପ୍ରତିଦିନ ଆସି ଆକ୍ରମଣ କରି ବସେ । ଦିନକୁ ଦିନ ପଞ୍ଚାନନ ଶୁଖି ଶୁଖି ଯାଏ । ଶେଷକୁ ସେ ବର୍ଷେ ଛଅ ମାସର ମଳୁ ପରି ଦେଖାଗଲା । କିନ୍ତୁ ଯିଏ ଯେତେ ପଚାରିଲେ ସୁଦ୍ଧା କିଛି କାହାରିକି କହିପାରିଲା ନାହିଁ ।

 

କଥାରେ ଅଛି ପ୍ରେତ ସ୍ୱାମୀ ହେଲେ ସ୍ତ୍ରୀ ପାଖକୁ ଆସେ ଏବଂ ସ୍ତ୍ରୀ ହେଲେ ସ୍ୱାମୀପାଖକୁ ଆସିଥାଏ । ତଦ୍ଦ୍ୱାରା ଜୀବନ୍ତ ସ୍ତ୍ରୀ ବା ପୁରୁଷ ଅଳ୍ପଦିନ ମଧ୍ୟରେ ଅତିଶୟ କ୍ଷୀଣ ହୋଇଯାଏ । ଏକଥାଟାକୁ ଲୋକେ ସତ ମିଛ ଯାହା ଭାବନ୍ତୁ ନା କାହିଁକି, ପଞ୍ଚାନନ ନିଜେ ନିଜେ ସତ ବୋଲି ଜାଣିପାରିଲା । ଅଙ୍ଗେ ନିଭେଇବା କଥାକୁ ମିଛ ବୋଲି କେମିତି କହିବ ? କିନ୍ତୁ ଏ ବିପଦରୁ ଉଦ୍ଧାର ପାଇବାର କୌଣସି ଉପାୟ ପାଇଲା ନାହିଁ । ପାଟି ଫିଟାଇ କହିଦେଲେ ସଙ୍ଗେ ସଙ୍ଗେ ମୃତ୍ୟୁ ଘଟିପାରେ ଯେ ! “କହିଚି ଏକଥା କାହାରିକି କହି ଦେଲେ ତଣ୍ଟି ଚିପି ମାରିଦେବି” ।

 

ଏଭଳି ବିଷମ ବିପଦରେ ପଡ଼ି ପଞ୍ଚାନନ ଦିନକୁ ଦିନ ଆସନ୍ନ ମୃତ୍ୟୁ ଆଡ଼କୁ ଧୀରେ ଧୀରେ ଗତି କରିବାକୁ ଲାଗିଲା । ନିଶ୍ଚିତ ଭାବେ ଜାଣିପାରିଲା ଯେ କିଛି କାହାରିକି ନକହିଲେ ସୁଦ୍ଧା ତାର ମୃତ୍ୟୁ ସୁନିଶ୍ଚିତ ଏବଂ ଅନିବାର୍ଯ୍ୟ । ସାଇ ଲୋକେ ତାକୁ ଦେଖି ଭାବିଲେ,—ପଞ୍ଚାନନ ବୋଧହୁଏ ତା’ ପୂର୍ବ-ସ୍ତ୍ରୀକୁ ଝୁରି ଝୁରି ଏଭଳି କ୍ଷୀଣ ହୋଇ ଯାଉଛି । ତାର ବଡ଼ଭାଇ ଜଣେ ପୁଲିସ ଦାରୁଗା । ସେ ମନେ ମନେ ଭାବିଲେ—ବୋଧହୁଏ ନୂଆ ବୋହୂ—ପିଲାଟି ଆସିଗଲେ ପଞ୍ଚାନନର ପରିବର୍ତ୍ତନ ଆସିଯିବ । ପରିବାର ଭିତରେ ଅନ୍ୟମାନେ ଅତ୍ୟନ୍ତ ଚିନ୍ତିତ ହୋଇ ପଡ଼ି ନୂଆ ବୋହୂଟିକୁ ଆଣିବାର ଦିନ ସ୍ଥିର କରି ବସିଲେ । ହେଲେ ଝିଅର ବାପାଟି ଶୀଘ୍ର ପ୍ରସ୍ତୁତ ହୋଇ ପାରିଲେତ !

 

ଏହି ଭଳି ଅବସ୍ଥାରେ ଦିନେ ଖରାବେଳେ ପଞ୍ଚାନନ ଶୋଇଚି ଭିତର ଘରେ । ବଡ଼ ଭାଇଟି ତାର ଶୋଇଛି ସେ ଘରକୁ ଲାଗି ଦାଣ୍ଡ ଘରେ । ଦି ଘର ମଝିରେ ମାଟି କାନ୍ଥଟିଏ । ଉପର ଆଡ଼କୁ ମେଲା । ନିଦ୍ରିତାବସ୍ଥାରେ ପଞ୍ଚାନନ ହଠାତ୍ ବଡ଼ ପାଟିରେ ଚିରଚିରେଇ ଉଠିଲା “ମରିଗଲେ, ନନା ଧାଇଁ ଆସ” । ଆରଘରୁ ବଡ଼ ଭାଇ ତାର ଦୌଡ଼ ଆସିଲାରୁ, ଖଟ ଉପରେ ଛଟ ପଟ ହେଉଥିବା ଅବସ୍ଥାରେ ପଞ୍ଚାନନ ବିକଳ ହୋଇ କହିଲା—ମରିଗଲି ନନା, ଖଟଟାକୁ ଛୁଇଁ ଦିଅ-

 

ବଡ଼ଭାଇ ହେଲା ସୁଭଦ୍ରାର ଦେଢ଼ଶୁର । ଖଟଟାକୁ ଛୁଇଁ ଦେଲାରୁ ସୁଭଦ୍ରାର ପ୍ରେତ ଛାଡ଼ି ପଳାଇଗଲା । ନିତାନ୍ତ ବାଧ୍ୟ କଲାରୁ ପଞ୍ଚାନନ ଭାଇକି କୁଣ୍ଢେଇ ପକାଇ ସବୁ କଥା କହି ପକାଇଲା । କହିଲା—ଗାଈକି ମାଇଲେ ମଲି, ଗାଈ ମାଇଲେ ବି ମଲି । ମୁଁ ଆଉ ନନା, ବଞ୍ଚିବି ନାହିଁ ।

 

ଶେଷକୁ ବିପିନକୁ ଡକାଗଲା । ସେ ହେଲା ସେ ଅଞ୍ଚଳର ଗୁଣିଆ । ସେ ଆସି କଅଣ ସବୁ ମନ୍ତ୍ର ଯନ୍ତ୍ର କଲା । ନୂଆ ହାଣ୍ଡିକି ଚିତ୍ର କରି ତହିଁରେ ଭୋଗରାଗ, ଫୁଲ, ଚନ୍ଦନ, ସୋରିଷ, ହଳଦୀ ଗୁଣ୍ଡ ଆଦି ପୂରାଇ ମନ୍ତ୍ର ପଢ଼ିଲା । ଏକୁ କହିଲା ଛଡ଼ାଣ । ସେଇ ଛଡ଼ାଣ ହାଣ୍ଡିକି ଧରି ଦି ଭାଇଙ୍କି ଡାକି ବିପିନ କହିଲା—ଆସ ମୋ ସାଙ୍ଗରେ । ଦିହେଁ ଡରେ ଭୟେ ତା’ ପଛେ ପଛେ ଗଲେ-। ଗାଁ ମୁଣ୍ଡ ମଶାଣି ପଦା ପାଖକୁ ପଞ୍ଚାନନଙ୍କର ଖଣ୍ଡେ ବିଲ ଉପରେ ଗୋଟିଏ ମୋଟା ସାହାଡ଼ା ଗଛ ଥାଏ । ତାଆରି ମୂଳରେ ବିପିନ ହାଣ୍ଡିଟାକୁ ଥୋଇ ଦୂରେଇ ଆସିଲା । ଦି’ଭାଇଙ୍କି ପଚାରିଲା—ଦେଖିବ ତମ ବୋହୂର କରାମତି ?

 

ଏମାନେ ଡରିଲେ ।

 

ବିପିନ କହିଲା—ଡରୁଛ କାହିଁକି ? ମୁଁ ପରା ଅଛି ! ଆଉ ହେଇଟି, ମୋ ହାତରେ ପରା ମନ୍ତୁରା ବାଡ଼ିଟା ଅଛି । ହେଇଟି ଦେଖ ।

 

ଏଙ୍କୁ ଏତିକି କହି ସେ କଅଣ ଟୁପୁ ଟୁପୁ ହେଲା । ଗଛଟା ଏପଟକୁ ସେପଟକୁ ଓହଳି ପଡ଼ି ଭୂଇଁରେ ଲାଗିଗଲା । ଦି ଭାଇ ଛାନିଆ ହୋଇ କହିଲେ—ସେତିକିଥାଉ । ବିପିନ କହିଲା—ଥା ଏଇଠି ।

 

ସେଇ ଦିନୁ ପଞ୍ଚାନନ ଆଉ କିଛି ଦେଖି ନାହିଁ । ଧୀରେ ଧୀରେ ତାର ପୂର୍ବ ସ୍ୱାସ୍ଥ୍ୟ ଫେରି ଆସିଲା । ନୂଆ ସ୍ତ୍ରୀଟି ତାର ଭାର ନେଇ ଆସିଲା । ଝିଅ ପୁଅ ହୋଇ ପିଲା ଦୁଇଟି ଜନ୍ମ ହେଲେ । ଧୀରେ ଧୀରେ ସେ ତାର ପ୍ରଥମା ସ୍ତ୍ରୀକି ଭୁଲିଗଲା । ଗାଁ ଲୋକେ ମଧ୍ୟ ସୁଭଦ୍ରାକୁ ପାସୋରି ପକାଇଲେ । ଗଲା ଏମିତି କେତୋଟି ବର୍ଷ ।

 

ସେଇ ଗାଁର ମଥୁରି ମହାନ୍ତି । ଘର ତାଙ୍କର ଗୋଟାଏ ସାଇ ଛଡ଼ା । ମଥୁରି ଚାକିରି କରି ଥାଆନ୍ତି । ଖଡ଼ଗପୁରର କୌଣସି ଗୋଟିଏ ଅଫିସରେ କାମ କରନ୍ତି । ପିଲା–ପିଲି ପାଖରେ ଥାଆନ୍ତି । ତାଙ୍କ ସାନ ଭାଇର ବାହାଘର ହେବାର ସ୍ଥିର ହୋଇଥାଏ ବୋଲି ସେ ଆସିଥିଲେ ଘରକୁ-। ସଙ୍ଗରେ ସ୍ତ୍ରୀ ପିଲା ଏବଂ ଖଡ଼ଗପୁର ଅଞ୍ଚଳର ଆଦିବାସୀ ଚାକରାଣୀ ପିଲାଟିଏ ଆସିଥାଏ । ନାଆଁ ତାର ତାରିଣୀ । ବୟସ ପନ୍ଦର ଷୋଳ ହେବ । ନୂଆ ହୋଇ ଏ ଗାଁକୁ ସେ ଆସିଥାଏ । ଯେଉଁ ଦିନ ଆସିଲା, ତହିଁଆର ଦିନ ଉପର ଓଳି ପାଞ୍ଚଟା ବେଳକୁ ସେ ଅଇଁଠା-ବାସନ ପୁଳାଏ ଧରି ଅଦୂରରେ ବଳଙ୍ଗ ନଈକି ଯାଉଚି ଲୁଗାପଟା ଧୋଇ ଆସିବାକୁ । ବାଟ ମଝିରେ ଛୋଟ ଗହୀର ଖଣ୍ଡେ । ଖରାଦିନିଆ ପନିପରିବା ଲଗାଇ ଚାଷୀମାନେ ମାଟିରେ କାନ୍ଥିବାଡ଼ ଘେରେଇଚନ୍ତି-। ଅତୁଡ଼ି ଯାକେ ଚଲା ବାଟଟାଏ ପଡ଼ିଚି; ଏବଂ ଅତୁଡ଼ି ଉପରକୁ ଦି’ଟା ବର ଓ ଦିଇଟା ଓସ୍ତ ଗଛ ଛିଡ଼ା ହୋଇଚି । ବାଟ କଡ଼କୁ ବାସନ ତକ ଥୋଇ ତାରିଣୀ ଗଲା ଝାଡ଼ା । କିଛି ସମୟ ପରେ ଦେଖିଲା—ଅଦୂରରେ ଗୋଟିଏ ସ୍ତ୍ରୀଲୋକ ଲଙ୍ଗଳା ହୋଇ ନାଚୁଚି । କିଛି ବୁଝି ନ ପାରି ତାରିଣୀ ତା ଉଦ୍ଦେଶ୍ୟରେ ବକର ବକର ହୋଇ ଗାଳିଦେଲା—କିମିତିକା ମାଇପିଟାଏ ଗୋ-? ନଙ୍ଗଳା ହୋଇ ନାଚୁଚୁ ! ଏଠି କଅଣ ତମରସବୁ ଏମିତିଆ ଅସଭ୍ୟ ଚଳନି ?

 

କିନ୍ତୁ ସେ କିଛି ଶୁଣିଲା ନାହିଁ । ବେଶି ବେଶି ନାଚିଲା । ଶେଷକୁ ବିରକ୍ତ ହୋଇ ତାରିଣୀ ଉଠି ଆସି ବାସନତକ ଧରି ନଈକି ଗଡ଼ିଲା । ତେତେବେଳକୁ ନଈତୁଠରେ ଗାଧୋଉ ଥାଆନ୍ତି ମଥୁରୀଙ୍କ ପଡ଼ିଶା ଦ୍ୱିବେଦୀ ବାବୁଙ୍କ ଖୁଡ଼ି । ବୟସ ପଚାଶ ଉପର; ବିଧବା ଲୋକ । ତାରିଣୀ ତାଙ୍କ ପାଖକୁ ଯାଇ ସବୁ କଥା କହିଲା । ସେ କିନ୍ତୁ ଇଆ କଥାଟାକୁ ହସରେ ଉଡ଼େଇ ଦେଇ କହିଲେ—ଏକି ଅସମ୍ଭବ କଥା କହୁଚୁ ଲୋ ଝିଅ ? ଦିନେ କାଳେ ଦେଖା ନାହିଁ ! ତୋର କଅଣ ମୁଣ୍ଡ ଗୋଳମାଳ ଅଛି କି ମା ? ନାଇଁ ତ ଠିଆ ଠିଆ ସ୍ୱପ୍ନ ଦେଖୁଥିବୁ ।

 

ତାରିଣୀ ବିରକ୍ତି—ବ୍ୟଞ୍ଜକ ସ୍ୱରରେ କହିଲା—ଦେଖିଲି ବୋଲି କହିଲି ମା, ଆମେ ଗରିବ ଲୋକ । ଆମ କଥା କିଆଁ ସତ ମଣିବ ତୁମେ !

 

ଦ୍ୱିବେଦୀଙ୍କ ଖୁଡ଼ି ଗାଧୁଆ ସାରି ଉଠିଗଲେ । ତାରିଣୀ ବାସନ ମାଜିବସିଲା । ସରଳ-ମତି ବାଳିକାଟିଏ ସେ । ସତ କି ମିଛ କିଛି ବୁଝି ପାରୁ ନାହିଁ । ନିଜ ଆଖିରେ ଦେଖି ଆସିଚି । ମିଛ ବୋଲି ଭାବିବ ବା କେମିତି ? ହେଲେ ରହସ୍ୟଟା କଅଣ, କିଛି ବୁଝି ପାରୁ ନାହିଁ, କି ତା ମନ ମଧ୍ୟରେ ଭୟ–ଭ୍ରାନ୍ତି କିଛି ଜାତ ହେଉ ନାହିଁ ।

 

ଦ୍ୱିବେଦୀଙ୍କ ଖୁଡ଼ି ଘରକୁ ଫେରିବା ବାଟରେ ମଥୁରି—ଘରେ କଥାଟାକୁ କହି ବହେ ହସିପକାଇ ଗଲେ । ମଥୁରିଙ୍କ କକା ପୁରୁଖା ଲୋକ । ଧୀର ସ୍ଥିର । ବୟସ ଷାଠିଏ ଖଣ୍ଡେ ହେବ । ଚାକରାଣୀ ହେଲେବି ଭୁଆଷୁଣୀ ଝିଅ ପିଲାଟା ଏକୁଟିଆ ନଈକି ଯାଇଚି । ଏଣେ ସଞ୍ଜ ବୁଡ଼ି ଆସୁଚି । ଡରିବ କରିବ ବୋଲି ନଈ ଅତୁଡ଼ି ଯାକେ ନିଜେ ଉଠିଗଲେ । ତାରିଣୀକୁ ଡାକି କହିଲେ–ଆ ଆଲୋ ଝିଅ, ଘରକୁ ଯିବୁ । ଏକୁଟିଆଟା ଆସିଚୁ ବୋଲି ମୁଁ ତତେ ନବାକୁ ଆସିଚି ।

 

ତାରିଣୀ ବାସନ ତକ ଧରି ଉଠିଆସି ବୁଢ଼ାଙ୍କ ପଛେ ପଛେ ଚାଲିଲା । ବାଟଯାକ ସେଇ କଥାଟିକି କହୁଥାଏ । କିଛି ଉତ୍ତର ନ ଦେଇ ବୁଢ଼ା ଖାଲି କଥାଟିକୁ ମନେ ମନେ ବିଚାର କରୁ ଥାଆନ୍ତି । ଅଦୂରରେ ଦେଖା ଯାଉଥାଏ ସାହାଡ଼ା ଗଛଟା । କିନ୍ତୁ ମନର କଥାକୁ ମନରେ ରଖି ସେ ନୀରବ ହୋଇ ରହିଲେ । ଏ ବିଷୟରେ ଗାଁରେ କେହି କିଛି ଆଲୋଚନା କରନ୍ତି ନାହିଁ କି ସେ ମଧ୍ୟ କଲେ ନାହିଁ ।

 

ତହିଁଆର ଦିନ ଚାରିଟା ବେଳକୁ ପଖାଳ ଖାଇବା ପାଇଁ ତାରିଣୀକି ଡାକିଲେ ମଥୁରୀଙ୍କ ବୋହୂ । କିନ୍ତୁ ତାରିଣୀ କାହିଁ ? ଦେଖିଲା ବେଳକୁ ବାରିପଟ ବାରଣ୍ଡା ଉପରେ ଓଢ଼ଣାଟି ପକାଇ ସେ ଗୁମ ହୋଇ ବସି ରହିଚି । ଡାକିଲାରୁ ପଚାରିଲା—କାହିଁକି ମତେ ଡାକୁଚ ।

 

ମଥୁରୀ—ବୋହୂ କହିଲେ—ପଖାଳ ଖାଇବୁ ପରା ? ନିତି ଖାଉ, ଆଜି କିଆଁ ଏ ଫେସନ ବାହାରୁଚି ?

 

—ଫେସନ କଅଣ ମଥୁରୀ—ବୋହୂ ? ମୁଁ କେମିତି ତୁମ ଘରେ ପଖାଳ ଖାଇବି ? ଆଉ ତୁମେ ବି କୋଉ ପସନ୍ଦରେ ମତେ ଡାକୁଚ ?

 

—କାହିଁକି କଅଣ ହେଲା କି ?

 

ବିସ୍ମୟ ମିଶା ହସହସ ମୁହଁରେ ମଥୁରୀ—ବୋହୂ ଏ କଥା ପଚାରିଲେ ।

 

ତାରିଣୀ ଉତ୍ତରରେ କହିଲା—କାହିଁକି କଅଣ ହବମ ? ମତେ କଅଣ ଚିହ୍ନି ପାରୁ ନାହଁ-? ମୁଁ ପରା ସୁଭଦ୍ରା ! ଆଚାର୍ଯ୍ୟ ଘର ବୋହୂ !! ବ୍ରାହ୍ମଣ ଘର ବୋହୂ ହୋଇ ତୁମ କରଣ ଘରେ ପଖାଳ ଖାଇବି ?

 

ତା କଥା ଶୁଣି କେତେ କିଏ ଧାଇଁ ଆସିଲେ । ତାରିଣୀ ଉଠି ଠିଆ ହେଲା ଏବଂ ଛୋଟେଇ ଛୋଟେଇ ଚାଲିଲା ।

 

ଏମାନେ ପଚାରିଲେ—କିଲୋ, ଛୋଟେଇ ଛୋଟେଇ ଚାଲୁଚୁ କିଆଁ ?

 

ତାରିଣୀ କହିଲା—ସେ କଥା ତୁମେ କାହୁଁ ଜାଣିବ ? ମୁଁ ମଲାପରେ ଲୁହା କଣ୍ଟାଟାଏ ପିଟି ଦେଇଥିଲେ ମୋ ଗାଡ଼ରେ । ସେଇଦିନୁ ମୁଁ ଛୋଟା ହେଇଯାଇଚି ।

 

ତାକୁ ସବୁ ପଚାରିଲେ—ତୋ ସ୍ୱାମୀ ନାଆଁ କଅଣ କହିଲୁ ?

 

ତାରିଣୀ ଜିଭ କାମୁଡ଼ି ପକାଇ କହିଲା—ତାଙ୍କ ନାଆଁ କଅଣ ମୁହଁରେ ଧରନ୍ତି ? ଖଡ଼ି ଖଣ୍ଡେ ଦଉନ, ଲେଖି ଦେବି ।

 

ତାରିଣୀ କିଛି ଲେଖି ପଢ଼ି ଜାଣି ନ ଥିଲେ ହେଁ ଖଡ଼ି ଖଣ୍ଡିଏ ଦେଲାରୁ ଓଡ଼ିଆରେ ଲେଖିଦେଲା—ପଞ୍ଚାନନ ଆଚାର୍ଯ୍ୟ ।

 

ସମସ୍ତେ ତାଟକା ହୋଇଗଲେ । ମଥୁରୀ ବୋହୂ କହିଲେ—ସେ ଅ ଆ ବି ଜାଣେ ନାହିଁ-

 

ଏତେବେଳେ ସମସ୍ତଙ୍କ ମନେ ପଡ଼ିଲା ପଞ୍ଚାନନ—ସ୍ତ୍ରୀ ସୁଭଦ୍ରା କଥା । ପଞ୍ଚାନନ ଘରୁ କେତେ କିଏ ଧାଇଁ ଆସିଲେ । ତାରିଣୀ ଜଣ ଜଣ କରି ସମସ୍ତଙ୍କ ନାଆଁ କହିଗଲା ।

 

ଏ ଗାଁକୁ ଆସିବାର ତିନୋଟି ଦିନ ଭିତରେ ତାରିଣୀ କେବେ ହେଲେ ବାହାରକୁ ଯାଇ ନାହିଁ, କି କାହାରିକି ଚିହ୍ନି ନାହିଁ । ହେଲେ ଅତି ଚିହ୍ନା ପରି ସେ କେତେ କାଳର କେତେ କଥା କହିଗଲା । ସମସ୍ତେ କହିଲେ—ସୁଭଦ୍ରାର ପ୍ରେତ ନିଶ୍ଚୟ ଏକୁ ଆଶ୍ରୟ କରିଚି ।

 

ତା ପରେ ଲୋକେ ଧାଇଁଗଲେ ବିପିନ କତିକି । ବିପିନ ଆସିଲା ନାହିଁ । କହିଲା—ନେଇଯାଅ ଏ ମନ୍ତୁରା ବାଡ଼ି ଖଣ୍ଡିକ । ତାକୁ କହିବ ଧରିବାକୁ । ସେ ନାହିଁ ନାହିଁ ହଉଥିବ । ହେଲେ, ତା କଥା ଶୁଣିବ ନାହିଁ, ଧରେଇ ଦେବ ।

 

ମଥୁରୀ ଦୁଆରେ ଗାଁ ଯାକର ଲୋକ ସମସ୍ତେ ଆସି ରୁଣ୍ଡ ହୋଇଛନ୍ତି । ତାରିଣୀକି ମନ୍ତୁରା ବାଡ଼ି ଯଚା ଗଲାରୁ ସେ ଛୁଇଁଲା ନାହିଁ । କହିଲା—ତୁମେ ବିପିନ ପାଖରୁ ଏ ବାଡ଼ି ଆଣିଚ । ମୁଁ ତାକୁ ଭଲ ଭାବେ ଚିହ୍ନିବି । ସେଥର ମତେ ସେ ଭାରି ହଇରାଣି କଲା । ମତେ ନେଇ ସାହାଡ଼ା ଗଛରେ ଛାଡ଼ିଲା । ମତେ ଏତେ କଥାରୁ କି ମିଳିବ ? ମୁଁ ତ ଆସିଚି ମୋ ଶାଢ଼ୀଖଣ୍ଡକ ନବାକୁ; ଦେଇ ଦିଅ କି ଚାଲି ଯିବି । ଆଉ ଦିନେ ଆସିବି ନାହିଁ ।

 

ସୁଭଦ୍ରା ପାଟ ଶାଢ଼ୀ ଖଣ୍ଡେ ପିନ୍ଧୁ ଥିଲା । ଆଚାର୍ଯ୍ୟ ଘରୁ ଆସିଥିବା ପୁରୁଣା ଲୋକେ କହିଲେ—ସେ ଖଣ୍ଡିକତ ପିଲାଏ ପିନ୍ଧୁଚନ୍ତି—ତତେ କେମିତି ଦେବେ ?

 

ତାରିଣୀ କହିଲା—ମୁଁ କିଛି ଚାହୁଁ ନାହିଁ । ସେ ଲୁଗା କାନିରୁ ଟିକିଏ କାଟି ଆଣି ଦିଅ କି, ମୁଁ ଚାଲି ଯିବି ।

 

ପଞ୍ଚାନନର ପଛ ବୋହୂଟି ଥାଏ । ସେ ଭୟ କରି କହିଲା—ମୁଁ ପିନ୍ଧୁଚି । କାଟିଦେଲେ ସେ ମତେ ଧରିବ ।

 

ତାକୁ ବହୁତ ବୁଝା ସୁଝା କଲେ ମଥୁରୀ । କହିଲେ ସେ ଖଣ୍ଡିକତ ଅତି ପୁରୁଣା ହୋଇଗଲାଣି, ଦେଇ ଦିଅ ବୋହୂ । ମୁଁ ତମକୁ ନୂଆ ଖଣ୍ଡେ ଦେବି । ନ ଦେଲେ ଗରିବ ପିଲା ତାରିଣୀଟି ତାରି କବଳରେ ପଡ଼ି ଯାଇଚି । ସେଉଟି ବଞ୍ଚିବ କେମିତି ?

 

ଶେଷକୁ ସୁଭଦ୍ରା ପିନ୍ଧୁଥିବା ପାଟ ଶାଢ଼ୀର କାନିରୁ ଟିକେ କାଟି ଆଣି ଦିଆଗଲା । ତାକୁଇ ନେଇ ମହା ଖୁସିରେ ତାରିଣୀ ଗହୀର ବିଲ ଆଡ଼କୁ ଧାଇଁଗଲା । ସାହାଡ଼ା ଗଛ ଆଉ ଅଳ୍ପ ଦୂର ଥାଏ, ପଛରେ ତାର ଧାଇଁ ଥାଆନ୍ତି ଗାଁଆଟା ଯାକର ସ୍ତ୍ରୀ ପୁରୁଷ । ସେଇଠି ସେ କଚାଡ଼ି ହୋଇ ପଡ଼ି ବେହୋସ ହୋଇଗଲା ।

 

ତା’ ପରେ ପାଣି ଛିଞ୍ଚି ତାକୁ ସାଷ୍ଟାମ କରାଗଲା । ତାରିଣୀ ପୁଣି ଥରେ ସରଳ ନିରିହ ତାରିଣୀ ପାଲଟି ଗଲା ।

 

ସେଇଁ ଦିନୁ ଆଉ କିଛି ଦେଖାଯାଇ ନାହିଁ । ସୁଭଦ୍ରା ଏବେ ସୁଦ୍ଧା ଅଛି କି ନାହିଁ କହି ହେବ ନାହିଁ । କେବେହେଲେ ସେ କାହାରିକି ଆକ୍ରମଣ କରି ନାହିଁ କି ଆଶ୍ରୟ କରି ଉତ୍ପାତ କରି ନାହିଁ । ଅମୋକ୍ଷ ପ୍ରେତଭାବେ ଏବେ ବି ବୋଧ ହୁଏ ଅମୋକ୍ଷ ଅବସ୍ଥାରେ ସେ ସେଇ ସାହାଡ଼ା ଗଛଟିକୁ ଆଶ୍ରୟ କରି ପଡ଼ି ରହିଚି ।

 

ସାତ

(ବୀର ବାହୁଟି)

 

ପୁରୀ ଜିଲ୍ଲାର ଗୋପ ଥାନାର ନାଗପୁର ଗ୍ରାମ ପାଖର ଘଟନା । ନବୀନ ସ୍ୱାଇଁ କଲିକତାରେ ଥାଇ ମଟର ଡ୍ରାଇଭର କାମ କରେ । ଗାଁରେ ପଚିଶ ବର୍ଷ ବୟସର ଭୁଆଷୁଣୀଟି ଏବଂ ସାନ ସାନ ଦୁଇଟି ଛୁଆ । ଏକୁଟିଆ ବୋହୂଟା ବୋଲି ସାଇରୁ ଜଣେ ବୟସ୍କା ସ୍ତ୍ରୀ ଲୋକ ଆସି ରାତିରେ ଶୁଏ—ତା’ ପାଖରେ । ଦିନକର ଘଟନା ଦେଖି ବୁଢ଼ୀଟି ବିଚାରି ତାଟକା ହୋଇଗଲା । କୁଆ କାଆ ଡାକୁଚିତ ବୁଢ଼ୀର ନିଦ ଭାଜିଗଲା । ଭିତର ପଟୁ କବାଟରେ ଜିଞ୍ଜିର କିଳା ଯାଇଚି । ଉଠିପଡ଼ି ଶିକୁଳି ଫିଟାଇ ଅନାଇ ଦେଲାକୁ ଦେଖାଗଲା—ଛୁଆ ଦୁଇଟି ଅଜ୍ଞାନ ହୋଇ ଗଡ଼ୁଚନ୍ତି, ଭୂଆଷୁଣୀ ବୋହୁଟା ନାହିଁ । ବୁଢ଼ୀର ମୁଣ୍ଡ ଚକଚାନ୍ଦି ଘୂରିଗଲା—କବାଟତ ଭିତରପଟୁ ବନ୍ଦ ଅଛି, ବୋହୂଟି ଗଲା କୁଆଡ଼େ ! ପୁଣି, କେମିତି ବା ଗଲା ? ଏଣେ ତେଣେ ଚାରିଆଡ଼ ଖୋଜି ଡ଼ାକ ହୁଲର ପକାଇଲାରୁ ସାଇଲୋକେ ଧାଇଁ ଆସି ଯିଏ ଯୁଆଡ଼େ ପାରିଲା ସିଆଡ଼େ ଯାଇ ଖୋଜା ଖୋଜି କଲା । ସମସ୍ତଙ୍କ ମୁହଁରେ ଗୋଟିଏ ପ୍ରଶ୍ନ—କାଲି ରାତିରେ ଘର ଭିତର ପଟୁ ଜିଞ୍ଜିର କିଳି ଥିଲା କିଏ ?

ବୁଢ଼ୀ କହିଲା—ମୁଇଁ ।

—ବୋହୂଟା ବାହାରେ ରହିଯାଇ ନଥିଲା ତ ?

—ବୋହୂ ଆଗ ଭିତରକୁ ଗଲା । ବିଛଣା ପାରିଲା । ଛୁଆ ଦିଇଟାଙ୍କୁ ଶୁଆଇଲା । ନିଜେ ଶୋଇଲା ମୋରି କୋଳ ପାଖକୁ । ରାତି ଅଧ ଯାକେ ଆମେ ଗପ ସପ ହେଇଚୁଁ ।

—ରାତିରେ ବୋହୂଟି ବାହାରକୁ ଯାଇ ନାହିଁ ତ ?

—ନାହିଁ । ଯାଇଥିଲେ ଭିତର ପଟୁ ଶିକୁଳି ଲଗାଇଲା କିଏ ?

—କାହିଁକି ତୁମେ ନିଜେ, ନିଦ ବାଉଳାରେ !

—ଅଭାଗ୍ୟ କଥା । ମୁଁ ଜମା ଉଠିନାହିଁ ।

—ଛୁଆ କେହି କେହି ଉଠି କବାଟ କିଳିଥିବେ !

—ଛୁଆ ? ବିଛଣା ଧଇଲେ ଅଜ୍ଞାନ । ସାନ ଛୁଆ, ଅନ୍ଧାରରେ ଉଠି ଶିକୁଳି ଲଗେଇଲେ-? ଅସମ୍ଭବ !

—ତେବେ ବୋହୂଟା କଅଣ ଉଭାନ ହୋଇଗଲା ?

ବୁଢ଼ୀ ମୁଣ୍ଡରେ ହାତ ଦେଇ ବସି ପଡ଼ିଲା । କଅଣ ଜବାବ ଦବ, ତୁଣ୍ଡ ଲେଉଟୁ ନାହିଁ ।

ଜୋର ସୋରରେ ଚାରିଆଡ଼େ ଖୋଜା ଖୋଜି ଚାଲିଲା । ଶେଷକୁ ଦିନ ନଅଟା ବେଳକୁ ଗାଁ ଠାକୁରାଣୀଙ୍କ ପୂଜକ ଠାକୁରାଣୀ ମନ୍ଦିର ତାଲା ଫିଟାଇ ଭିତରକୁ ପଶି ବଡ଼ ପାଟିରେ ଚିତ୍କାର କରି ଉଠିଲା—ହେଇଟି ହୋ, ଅଜ୍ଞାନ ହୋଇ ପଡ଼ିଚି ।

ଲୋକେ ଧାଇଁ ଆସିଲେ । ଦେଖି ତାଟକା ହୋଇଗଲେ । ପାଣି ଛିଞ୍ଚି ଚେତା କରାଇ ଘରକୁ ନେଲେ । ଠାକୁରାଣୀଙ୍କ ଦିହରେ ସୁନାରୂପାର ଅଳଙ୍କାର ଥିବାରୁ ନିତି ପ୍ରତି ସଞ୍ଜ–ଧୂପପରେ ବାହାର ପଟୁ ତାଲା ପଡ଼େ । କାଠିଟା ଥାଏ ଆର ଗାଁରୁ ଆସୁଥିବା ପୂଜକ ପାଖରେ । ଏ ରହସ୍ୟକୁ ଭେଦ କରିବା ଲାଗି କାହାରି କିଛି ବୁଦ୍ଧି ବଳ କୁଳେଇଲା ନାହିଁ ।

 

ସେଇ ଘଟନା ପରେ ନବୀନ ସ୍ୱାଇଁ ଅଗଣାରେ ଇଟା ପଥର ଦୁଲ ଦୁଲ ହୋଇ ଶୂନ୍ୟରୁ ପଡ଼ିବାକୁ ଲାଗିଲା । ଖୋଜା ଖୋଜି କରି ଦେଖିଲାରୁ ଜଣା ପଡ଼ିଲା ସେଭଳି ଇଟା ପାଖ ଆଖରେ ନାହିଁ । ଅଛି ଯାଇଁ ମାଇଲିଏ ବାଟରେ । କିଏ ଆଣୁଛି ? କିଏ ପକାଉଛି ? କେମିତି ପକାଉଛି ? ଏ ବିଷୟରେ ଅନୁସନ୍ଧାନ କରିବା ପାଇଁ ସାଇ ଯାକର ଲୋକେ ଲାଗିପଡ଼ିଲେ । ହେଲେ ସୂତ୍ର କିଛି ପାଇଲେ ନାହିଁ । ସେଇମାନେ ଛିଡ଼ା ହୋଇ ଥାଆନ୍ତି ତ ଇଟା ଆସି ଅଗଣାରେ ଦୁଲ ଦୁଲ ହୋଇ ପଡ଼େ । ବୋହୂଟି ଭାତ ରାନ୍ଧି ଥୋଇଚି ତ ଦେଖିଲା ବେଳକୁ ବିଷ୍ଠା ଗୁଡ଼ାଏ ତା’ଉପରେ ଥୁଆ ହୋଇଛି । ଖାଇ ବସିଲା ବେଳକୁ ମଇଳା ଆସି ପାଖରେ ପଡ଼ି ଯାଉଚି । ଶେଷକୁ ଗାଁ ବାଲାଏ ବୋହୂ ଓ ଛୁଆ ଦିଇଟାଙ୍କୁ ନେଇ ଇଆତା ଘରେ ଛାଡ଼ିଲେ । ଫଳରେ ନବୀନ ଘର ଛାଡ଼ି ସେମାନଙ୍କ ଘରେ ଇଟା ପଥର ପଡ଼ିଲା । ନବୀନ ପାଖକୁ ତାର ଖବର ଗଲା । ନବୀନ ଆସି ମୁଣ୍ଡରେ ହାତ ଦେଇ ବସିଲା । ଗାଁ ଲୋକେ ସମସ୍ତେ ବସି ଭାଳେଣି କଲେ—ଏ ବିଦ୍ୟାକୁ ଉପାୟ କଅଣ ? ଗୁଣୀ ଗାରିଡ଼ି କିଏ କେତେ ଆସିଲେ, ଝଡ଼ା ଫୁଙ୍କା କଲେ, କିଛିମାତ୍ର ପରିବର୍ତ୍ତନ ଲକ୍ଷ୍ୟ କରାଗଲା ନାହିଁ । ଏମାନେ ଖାଇବେ କେମିତି, ବଞ୍ଚିବେ କେମିତି, ଏଇ କଥା ଘେନି ସମସ୍ତେ ଭାଳି ହେଲେ । ପ୍ରାଣ ବିକଳେ ଘୋଡ଼ିଆ ଘୋଡ଼ି କରି ଭାତ ଦିଇଟା ରାନ୍ଧନ୍ତି । ପାଞ୍ଚ ସାତଜଣ ଘେରିବସି ବଡ଼ ବଡ଼ ଗୁଣ୍ଡା ବଳନ୍ତି । ତାକୁ ପୁଣି ଘୋଡ଼େଇ ଘାଡ଼େଇ ଧରନ୍ତି । ଟପ କିନା ଜଣେ ଲେଖାଏଁ ଗୋଟିଏ ଗୋଟିଏ ଗୁଣ୍ଡା ଏଙ୍କ ପାଟିକି ପକାନ୍ତି । ଏମାନେ ପାଟିବୁଜି ଗିଳି ଦିଅନ୍ତି । ଥାଳି ବାସନରେ କିଛି ରହିଗଲା ତ—ପଇଲା ବିଷ୍ଠା । ଛି, ଛି, ଥୁଉ ଥୁଉ ହୋଇ ସମସ୍ତେ ଉଠି ପଳାନ୍ତି ।

 

ତା’ ପରେ ସାଇଲୋକେ ଗୋଟିଏ ଗୋଟିଏ ଛୁଆକୁ ନିଜ ନିଜ ଘରକୁ ନେଇଗଲେ । ନବୀନବି ଥାଇ ଇଆତା ଘରେ ଖାଇବାକୁ ଆରମ୍ଭ କରିଦେଲା । ବୋହୂଟି ପାଇଁ ରକ୍ଷାର ଉପାୟ ନାହିଁ ! ଯେଉଁଠିକି ସେ ଗଲା, ସେଠି ଏ ଦୌରାତ୍ମ୍ୟ ଆରମ୍ଭ ହୋଇଗଲା ।

 

କୃଷ୍ଣବାବୁ ବୋଲି ଜଣେ ସରକାରୀ କର୍ମଚାରୀ ଥରେ ସେ ଗାଁକୁ ଯାଇଥିଲେ । ଆବଶ୍ୟକ ଥିବାରୁ ନବୀନକୁ ଡକାଇଲେ । ନବୀନ ଆସି ନିଜ ଦୁଃଖ କହିଗଲା । ଗାଁଲୋକେ କୃଷ୍ଣବାବୁଙ୍କୁ ନେଇ ଦେଖାଇଲେ—ଇଟା ପଡ଼ୁଚି, କବାଟ ଫିଟିଯାଉଚି, ଏଣେ ତେଣେ ବିଷ୍ଠା ପଡ଼ୁଚି-। କିଛି ବୁଝିନପାରି କୃଷ୍ଣବାବୁ ନଅ ମାଇଲ ଦୂରରେ ଥିବା ନିମାପଡ଼ା ଯାକେ ଆସି ଆଉ କେତେଜଣ ସରକାରୀ କର୍ମଚାରୀଙ୍କୁ ସଙ୍ଗରେ ଘେନି ସେ ସ୍ଥାନକୁ ଗଲେ । କଥାଟା କୃଷ୍ଣବାବୁଙ୍କ ଠାରୁ ଶୁଣି ଯେଉଁ ବାବୁମାନେ ବିଶ୍ୱାସ କରୁ ନଥିଲେ, ସେମାନେ ବି ନବୀନର ପିଣ୍ଡା ଉପରକୁ ଉଠିବାକୁ ଡରିଲେ । ଗାଁ ଲୋକଙ୍କର ଆତଙ୍କ ଦେଖି ସେମାନଙ୍କ ଅବିଶ୍ୱାସ ଭାଙ୍ଗିଗଲା । ଛାତି ଦବିଲା । ନବୀନ ଆସି ଡାକି ନେଲା—ଆସନ୍ତୁ ବାବୁ, ନିତି-ପ୍ରତି ଘଟନାଇଏ । ଆମେତ ପୁଣି ଅଛୁଁ-। ଦେଖିବେ ଆସନ୍ତୁ କେମିତି କଅଣ ସବୁ ହଉଚି । ମୋ ସ୍ତ୍ରୀ ଛଡ଼ା ଅନ୍ୟ କାହାରି ସେ କିଛି ଅନିଷ୍ଟ କରିବ ନାହିଁ-

 

ସମସ୍ତେ କୌଣସି ପ୍ରକାରେ ଛାତି ଦମ୍ଭ କରି ଭିତରକୁ ଯାଇ ମଝିଘରେ ପଡ଼ିଥିବା ଖଟ ଖଣ୍ଡିକ ଉପରେ ବସିଲେ । ବୋହୂଟି ଓଢ଼ଣା ଟାଣି କିଏ କିଏ ଆସିଛନ୍ତି ବୋଲି ଆଖି ବୁଲାଇ ନେବା ପାଇଁ କୌତୁହଳୀ ହୋଇ ଦୁଆର ମୁହଁରେ ଉଢ଼ୁଆଳକୁ ଛିଡ଼ା ହେଲା । ଗୋଟି ଗୋଟି ହୋଇ ନିଜ ଦୁଃଖଯାକ ନବୀନ କହିଯାଉଥାଏ । ଦୁଲ ଦୁଲ ହୋଇ ଅଗଣାରେ ଇଟା ଖଣ୍ଡମାନ ଆସି ପଡ଼ୁଥାଏ-। ହଠାତ୍ ଦେଖାଗଲା—ଘର ଭିତରେ ବାବୁମାନଙ୍କ ସାମନାକୁ କାହୁଁ ଆସି ଛାଁ କୁ ଛାଁ ଧାନ ଗୁଡ଼ାଏ ବୁଣିହୋଇଗଲା । ହାଁ ହାଁ ବୋଲି କହି କାନିଟାକୁ ଧରି ନବୀନ ଖଟତଳୁ ଗଳିଯାଇ ଗୋଟାଏ ଟୋକେଇ ଉପରେ ଘୋଡ଼େଇ ପକେଇଲା । ବାବୁମାନେ ତଳକୁ ଓହ୍ଲାଇ ଖଟତଳକୁ ଚାହିଁ ପଚାରିଲେ—କଅଣ କରୁଚ ?

 

ନବୀନ ସେଇ ଅବସ୍ଥାରେ ଥାଇ କହିଲା—ଟୋକେଇ ଭିତରେ ଧାନ ରଖିଥିଲି । ଆଣି ବୁଣି ଦେଉଥିଲା । କାନିଟାକୁ ଘୋଡ଼େଇ ପକାଇଲାରୁ ବନ୍ଦ କରିଛି ।

 

କିଛି ସମୟ ସେହିଭାବେ ରହି ନବୀନ ସ୍ତ୍ରୀ ଉଦ୍ଦେଶ୍ୟରେ କହିଲା—ଯା ସେଘରକୁ । ପାନ ଭାଙ୍ଗିବୁ ।

 

ବାବୁମାନେ ପଚାରିଲାରୁ କହିଲା—ମୋ ସ୍ତ୍ରୀ ଦୁଆର ମୁହଁରେ ଠିଆ ହୋଇଚି ବୋଲି ଏ ଘରେ ଏମିତି କାଣ୍ଡ ଘଟିଲା । ସେ ଚାଲିଗଲେ ଛାଁ କୁ ଛା ବନ୍ଦ ହୋଇଯିବ ।

 

ସ୍ତ୍ରୀଟି ଶୋଇଲା ଘରକୁ ଚାଲିଗଲା । ପରୀକ୍ଷା କରି ଦେଖିବା ପାଇଁ ବାବୁମାନେ ଗୋଟି ଗୋଟି ହୋଇ ନବୀନର ଶୋଇଲା ଘର ଦୁଆର ମୁହଁକୁ ଆସି ଠିଆ ହେଲେ । ସ୍ତ୍ରୀ ଲୋକଟି କବାଟ ଉଢ଼ୁଆଳକୁ ବସି ପାନ ଭାଙ୍ଗିବାକୁ ଲାଗିଲା । ଏହି ସମୟରେ ସମସ୍ତେ ଦେଖିଲେ—ଘର ମଝିକି ଗୋଟାଏ ମାଟି ସରା କାହୁଁ ଆସି ତଳେ ପଡ଼ି ଖଣ୍ଡ ଖଣ୍ଡ ହୋଇଗଲା । ତହିଁରେ ଥିବା ଅଙ୍ଗାର ଗୁଡ଼ିକ ଏଣେ ତେଣେ ବିଞ୍ଚିହୋଇ ପଡ଼ିଲା । “ଇଏ କଅଣ ହେଲା” ବୋଲି ପଚାରିଲାରୁ ନବୀନ ତାକୁ ଗୋଟେଇ ଗାଟେଇ ଉଠେଇ ନେଇ ଅଗଣା ମଝିକି ଫିଙ୍ଗି ଦେଉ ଦେଉ କହିଲା—ଝୁଣା ଗୁଗୁଳ ଧୂପ ଦିଆଯାଏ ଏଥିରେ । ଏଇ ଘରେ ପଲଙ୍କ ତଳେ ଥିଲା । ବୋହୂ ଏ ଘରକୁ ଆସିଲାରୁ ସେଇ ସରାଟାକୁ ଆଣି ତଳେ ବାଡ଼େଇ ଭାଙ୍ଗିଦେଉଚି ତ ଦେଖୁଛନ୍ତି, ମୁଁ ଆଉ ବେଶି କଅଣ କହିବି-?

 

ଏତିକି ସେ କହିଚିକି ନାହିଁ, ଦେଖାଗଲା ଟିଣ ଡବା ଦିଇଟା କାହୁଁ ଆସି ତଳେ କଚାଡ଼ି ହୋଇ ପଡ଼ିଲା । ପଚାରିଲାରୁ ନବୀନ କହିଲା—ହେଇଟି ବାବୁ, ସେ ଦିଇଟି ସେପଟ କାନ୍ଥରେ ଠଣା ଉପରେ ଥିଲା ।

 

ତାକୁ ନବୀନ ଉଠାଇ ନେଇ ପୁଣି ଥରେ ସେ ଠଣାରେ ଥୋଇ ଦେଇ ଆସିଲା । ସମସ୍ତେ ଚାହିଁଚନ୍ତି । ଦେଖିଲେ ଡବା ଦୁଇଟା ପୁଣିଥରେ ଛାଁ କୁ ଛାଁ ଆସି ତଳେ ପଡ଼ିଗଲା । ଏଇ ସମୟରେ କଅଣ କେମିତି ଇସାରା ପାଇ ନବୀନ କହିଉଠିଲା—ହେଇଟି ହେ ବାବୁ, ପଲଙ୍କ ତଳେ ଟ୍ରଙ୍କଟାକୁ ଫିଟେଇଲାଣି ।

 

ସମସ୍ତେ ଲଇଁ ପଡ଼ି ଦେଖିଲେ ଟ୍ରଙ୍କଟା ସତକୁ ସତ ଫିଟିଚି । ଭିତରେ ଥିବା ଲୁଗାପଟା ଗୁଡ଼ିକ ଛାଁ କୁ ଛାଁ ଉଠି ଯାଉଚି । କୁଆଡ଼େ ଯାଉଚି ବୋଲି ପଚାରିଲାରୁ ନବୀନ କହିଲା—ଦେଖିବେ ଆସନ୍ତୁ କୁଆଡ଼େ ନେଇ ରଖୁଚି ।

 

ନବୀନ ସାଙ୍ଗରେ ସମସ୍ତେ ଗଲେ ବାଡ଼ିପଟକୁ । ଦେଖିଲେ ସେଠି ପୁଲାଙ୍ଗ ଗଛ ଗୋଟାଏ ଏବଂ ଆମ୍ୱ ଗଛଟାଏ ଅଛି । ସେଇ ଦୁଇଟାର ଡାଳରେ କେତେ ଖଣ୍ଡି ଲୁଗାପଟା ଝୁଲୁଚି ଏବଂ ତଳେ କେତେଖଣ୍ଡି ପଡ଼ିଚି । ନବୀନ ସେସବୁ ଗୋଟେଇ ଆଣୁ ଆଣୁ କହିଲା—ଥରେ ଥରେ ଦୂରକୁ ଘେନି ପଳାଏ । ଗାଁ ସେ ମୁଣ୍ଡ ବର ଗଛରେ ନେଇ ଲଟକାଇ ଦିଏ ।

 

ସମସ୍ତେ ପ୍ରାୟ ଏକ ସ୍ୱରରେ ପଚାରିଲେ—କିଏ କୁଆଡ଼େ ତ ଚୋରିକରି ସେସବୁ ଗଛରୁ ନେଇ ଯାଉଥିବେ ?

 

ନବୀନ ଉତ୍ତର ଦେଲା—ସେ ସବୁ କିଏ ଛୁଇଁବ ବାବୁ ? ବୀର ବାହୁଟି ଲାଗିବ ନାହିଁ ତାଙ୍କ ଘରେ ? ଡରେ କେହି ଛୁଅନ୍ତି ନାହିଁ ।

 

କୃଷ୍ଣବାବୁ କହି ଉଠିଲେ—ରକ୍ଷା ହେଲା । ନେହିଲେ ତୁମେ ସବୁ ତ ଲଙ୍ଗଳା ହୋଇ ଯାଆନ୍ତ ହେ !

 

ନବୀନ କହିଲା—ଥରେ ପିନ୍ଧିଥିବା ଲୁଗାଟାକୁ ଘୋସାରି ନେଉଥିଲା ବାବୁ । ମୋ ସ୍ତ୍ରୀକୁ ଲଙ୍ଗଳା କରି ପକାଉଥିଲା । ଟିକକେ ରକ୍ଷା ପାଇଗଲା । ଲୁଗାଟାକୁ ନିଜ ଦିହରେ ଗୁଡ଼େଇ ପକାଇ ସେ ଭିଡ଼ି ଧରି ଘର ଭିତରକୁ ପଳାଇଗଲା ବୋଲି ।

 

ଶେଷକୁ ମୁଣ୍ଡରେ ହାତମାରି ଭଗବାନଙ୍କ ଉଦ୍ଦେଶ୍ୟରେ ନବୀନ ପରିବାର ପାଇଁ ମନେ ମନେ ପ୍ରାର୍ଥନା କରି ବାବୁମାନେ ସଞ୍ଜବେଳକୁ ନିମାପଡ଼ାକୁ ଫେରି ଆସିଲେ । ପରେ ଶୁଣିଲେ ବହୁତ ଗୁଣୀ ଗାରିଡ଼ି କଲାପରେ ଜଣେ କାହାକୁ ସାକ୍ଷୀଗୋପାଳଠାରୁ ଆଣି କଅଣ କେମିତି କରିବାରୁ ଭୂତ ବାହୁଟି ଛାଡ଼ିଲା । ସେଥିରେ ନବୀନର ପ୍ରାୟ ହଜାରେ ଟଙ୍କା ଯାକେ ଖରଚ ହେଲା-

 

ମୋଟେ ଦଶବାର ବର୍ଷ ତଳର କଥା ଇଏ । ଏବେବି ସେ ଅଞ୍ଚଳର ଲୋକେ ଏ ଘଟନାକୁ ଭୁଲି ପାରି ନାହାନ୍ତି । ଏଭଳି ବୀରବାହୁଟି କଥା ଓଡ଼ିଶାର ବହୁ ଅଞ୍ଚଳରେ ଶୁଣାଯାଏ । କିନ୍ତୁ କଅଣ ତାର ମୂଳ-ସୂତ୍ର ସେ କଥାଟି କେହି ଏବେ ସୁଦ୍ଧା ଜାଣିପାରି ନାହାନ୍ତି । କେହି ଜଣେ ଗୁଣିଆ ଅଦୃଶ୍ୟ ବୀରକୁ ପଠାଇ ଏଭଳି କୁକର୍ମ କରାଏ ବୋଲି ଲୋକଙ୍କର ବିଶ୍ୱାସ । କେହି କାହାରିକି ଦେଖି ପାରନ୍ତି ନାହିଁ, ଅଥଚ ଅଦୃଶ୍ୟ କୌଣସି ଏକ ଶକ୍ତି ବଳରେ ଏଭଳି ଅସାଧ୍ୟ କାମ ସଂସାଧିତ ହେଉଥିବାର ସମସ୍ତେ ଦେଖନ୍ତି । ପ୍ରତ୍ୟେକ କର୍ମର କର୍ତ୍ତା ନିଶ୍ଚୟ ଅଛି ଏବଂ କର୍ମ କରିବାର ସୂତ୍ର ଓ ପ୍ରଣାଳି ମଧ୍ୟ ଅଛି । କର୍ମ ଓ କର୍ମ-ଫଳକୁ ଆମେ ସ୍ୱଚକ୍ଷୁରେ ଦେଖିବାକୁ ପାଉଚୁଁ । ଅତଏବ ଏ କର୍ମର କର୍ତ୍ତା ଏବଂ ସୂତ୍ର-ପ୍ରଣାଳୀ ନିଶ୍ଚୟ ଅଛି । ନିଶ୍ଚୟ ଅଛି ଏବଂ ଆମକୁ ତାହା ଜଣା ନାହିଁ ବୋଲି ତାକୁ ମିଥ୍ୟା ବୋଲି କହିଦେବା ଭୁଲ ହେବ ନିଶ୍ଚୟ ।

 

ଆଠ

 

ଗଞ୍ଜାମ ଜିଲ୍ଲାର ଋଷିକୁଲ୍ୟା ନଦୀ କୂଳରେ ଗୋଟିଏ ଗାଁ । ନଈ ଅତୁଡ଼ି ଉପରକୁ ଖଣ୍ଡେ ପଦର ଭୂଇଁ । ଠା ଠା ହୋଇ କେତେଗୁଡ଼ିଏ ଗଛ ଓ ବାଗ ବଗିଚା । ପଦରକୁ ଲାଗି ଗାଁ’ଟି ଆରମ୍ଭ-। ପ୍ରଥମେ ଗୋଟି ଗୋଟିକିଆ ଘର । ଭିତରକୁ ଦୁଇ ପାଖରେ ଦୁଇଧାଡ଼ି ଘର । ମଝିରେ ଗାଁ-ଦାଣ୍ଡ-। ମଦନ ପାତ୍ରଙ୍କ ଘର ବ୍ରାହ୍ମଣ ସାଇ ଶେଷ ଆଡ଼କୁ । ସେ ଜଣେ ବ୍ରାହ୍ମଣ । ତାଙ୍କ ଘରର ଦକ୍ଷିଣକୁ ଅଳ୍ପ ଓସାରିଆ ପଡ଼ିଆ ଖଣ୍ଡେ । ପଡ଼ିଆ ସେପଟକୁ ଆଉ ଜଣେ ବ୍ରାହ୍ମଣଙ୍କ ଘର । ସେମାନେ ପାଳ ଉପାଧିଧାରୀ । ଗୋବିନ୍ଦ ପାଳଙ୍କ ବୟସ ଚାଳିଶ ପଚାଶ ମଧ୍ୟରେ । ମଝିରେ ଥିବା ଏଇ ପଡ଼ିଆ ଡିହଟି ପ୍ରଥମେ ପାଳ ପରିବାରର ଥିଲା । କେହି ଜଣେ ତାକୁ ମଦନ ପାତ୍ରଙ୍କର ବାପାଙ୍କୁ ବିକ୍ରି କରି ଦେଇଥିଲେ । ତେଣୁ ଗୋବିନ୍ଦ ପାଳଙ୍କର ମନରେ ମଦନ ପାତ୍ରଙ୍କ ପ୍ରତି ଅନେକ ଦିନରୁ ଅସନ୍ତୋଷ ରହିଯାଇଥାଏ । ଅନେକ ସମୟରେ ଉଭୟ ପରିବାର ମଧ୍ୟରେ ଅତି ଛୋଟ ଛୋଟ କଥା ଘେନି କଳି ତକରାଳ ଆରମ୍ଭ ହୋଇଯାଏ । ନୋହିଲେ ସାଧାରଣ ସମୟରେ ଗୋବିନ୍ଦ ପାଳେ ମଦନ ପାତ୍ରଙ୍କ ବୋଉ ଓ ଖୁଡ଼ିଙ୍କୁ “ସମୁଦୁଣି ସମୁଦୁଣି” ଡାକନ୍ତି । ଉଭୟ ପରିବାର ମଧ୍ୟରେ ଦୂର ସମ୍ପର୍କୀୟ ବନ୍ଧୁତ୍ୱ ଥାଏ । ଥରେ କୌଣସି ଗୋଟିଏ ରୋଗର ଅବଲମ୍ୱନ ଘେନି ଗୋବିନ୍ଦ ପାଳେ ଦେହତ୍ୟାଗ କଲେ । ଜୀବଦ୍ଦଶା ଥିବାବେଳେ ସେ ପ୍ରାୟ ଅଧିକାଂଶ ସମୟରେ ଦେହରେ ଖଣ୍ଡେ ଅଣଓସାରିଆ ଗାମୁଛା ପିନ୍ଧି, ମୁଣ୍ଡରେ ଖଣ୍ଡେ ଗାମୁଛା ଗୁଡ଼ାଇ ହୋଇ ଚଳପ୍ରଚଳ ହୁଅନ୍ତି ।

 

ମଦନ ପାତ୍ରଙ୍କର ବଡ଼ଭାଇ ମୋହନ ପାତ୍ରଙ୍କର ବିବାହ ହୋଇଯାଇଥାଏ । କିନ୍ତୁ ବୋହୂପିଲାଟି ଘରକୁ ଆସିନଥାଏ । ମୋହନ ବଳିଷ୍ଠକାୟ ଯୁବକ ଏବଂ ଦୁଷ୍ଟ ପ୍ରକୃତିର ଥିଲେ । ତେଣୁ ବାପା ତାଙ୍କୁ ପୃଥକ କରିଦେଇ ଥାଆନ୍ତି । ମୋହନ ଏଣୁ ତେଣୁ କିଛି ଆୟ କରନ୍ତି ଏବଂ ତହିଁରେ ଚଳନ୍ତି । ବାପା ଘରଦ୍ୱାର ଓ ବିଲ ବାଡ଼ି ମଧ୍ୟରୁ ମୋହନକୁ ଅଂଶ ବିଭାଗ କରି ଦେଇ ଥାଆନ୍ତି । ମୋହନ ଭାଗରେ ପଡ଼ିଥାଏ ପଡ଼ିଆ ଡିହଟି ଏବଂ ଦୁଇ ବଖରା ଘର । ବଖରାଏ ଶୋଇଲା ଘର ଏବଂ ବଖରାଏ ବାଜେ ଘର–ପଡ଼ିଆ ଖଣ୍ଡକୁ ଲାଗିଥାଏ । ତା ଛଡ଼ା ନଦୀ-ଖଣ୍ଡି ପଦରରେ ଥିବା ଖଣ୍ଡେ କୋଠିଘର ମଧ୍ୟ ତାଙ୍କ ଭାଗରେ ଥିଲା । ଏ ଅଞ୍ଚଳରେ ଲୋକେ କୋଠି ଘର ବୋଇଲେ ଯାହା ବୁଝନ୍ତି, ତାର ଅର୍ଥ ହେଲା, ବୈଠକ ଘର । ଏ ଘର ସାଧାରଣତଃ ସମ୍ଭ୍ରାନ୍ତ ପରିବାରର ଖଣ୍ଡିଏ ଲେଖାଁ ଥାଏ ଏବଂ ତାହା ଗାଁ ସାଇଠାରୁ ଦୂରରେ କରା ଯାଇଥାଏ । ସେଠି ବସ ଉଠ, ମେଳା ମଉଚ୍ଛବ, ଖେଳା ଖେଳି ଓ ଆମୋଦ ପ୍ରମୋଦ କରାଯାଇଥାଏ । ପରିବାରରୁ ଭିନ୍ନେ ହେଲା ପରେ ଏକୁଟିଆ ମୋହନ ଅଧିକାଂଶ ସମୟରେ ସାଙ୍ଗ ସାଥିକୁ ଘେନି ଏଇ କୋଠି କାଠର ଚଳପ୍ରଚଳ ହୁଏ । ଗାଁ ଭିତରେ ପଡ଼ିଥିବା ଭାଗ ଦୁଇଟି ବଖରା ଲାଗ ଲାଗ ଘର । ଗୋଟିଏ ବଖରା ପଛକୁ ଆଉ ଗୋଟିଏ ବଖରା । ପ୍ରଥମେ ବଖରାଟି ରାସ୍ତାକୁ ଲାଗି ରହିଛି । ଦ୍ୱିତୀୟ ବଖରାଟି ତାର ଶୋଇଲା ଘର । ତାରିଭିତରେ ଖଣ୍ଡିଏ ଉଚ୍ଚ ଖଟ ପଡ଼ିଥାଏ । ତା ଉପରେ ଖଣ୍ଡିଏ ସଉପ ମଶିଣା ଏବଂ ମାଣ୍ଡି ଦୁଇଟି ପଡ଼ିଥାଏ । ପାଖରେ ଗୋଟିଏ କରକୁ ଖଣ୍ଡିଏ ଦିଖଣ୍ଡି ଟ୍ରଙ୍କ ସୁଟ୍‍କେସ୍ ଥୁଆ ହୋଇଥାଏ ଏବଂ ଗୋଟିଏ କୋଣରୁ ଗୁଡ଼ିଏ ଧାନ କୁଢ଼ିଆ ଯାଇଥାଏ । ବାହାର ପଟକୁ କବାଟ କିଳାଯାଇ ତାଲାଟିଏ ପଡ଼ିଥାଏ ।

 

ସାଇର ପୁରୁଖା ଲୋକେ ରାତିକି ସମସ୍ତେ ପ୍ରାୟ ବାହାର ବାରଣ୍ଡାରେ ଶୁଅନ୍ତି । ଅନେକ ସମୟରେ ଲୋକେ ଦେଖନ୍ତି ରାତିରେ ପଡ଼ିଆ ଡିହ ଖଣ୍ଡିକ ଉପରେ ଝାପସା ହୋଇ ଗୋଟିଏ ଛାୟା ମୂର୍ତ୍ତି ଚାଲବୁଲ କରୁଛି । ଖଣ୍ଡିଏ ଗାମୁଛା ପିନ୍ଧିଛି ଏବଂ ଖଣ୍ଡେ ଗାମୁଛା ମୁଣ୍ଡରେ ଗୁଡ଼ାଇ ହୋଇଛି, ସତେକି ମୃତ ଗୋବିନ୍ଦପାଳ ଡିହ ଖଣ୍ଡିକ ଉପରେ ଚଲାବୁଲା କରୁଛି ଏବଂ ମୋହନ ପାତ୍ରର ଝରକା ପାଖକୁ ଲାଗିଆସି ଭିତରକୁ ଉଙ୍କି ମାରୁଛି । ତାରି ପୂର୍ବପୁରୁଷ ବିକ୍ରି କରିଥିବା ଡିହଟି ବର୍ତ୍ତମାନ ମୋହନର ଭାଗରେ ପଡ଼ିଛି । ତେଣୁ ସେଇ ମୋହନ ହେଲା ତା’ର ପରମ ଶତ୍ରୁ । ଏକଥା ଲୋକେ ବାରମ୍ୱାର ଦେଖନ୍ତି ଏବଂ ବାରମ୍ୱାର କୁହାକୁହି ହୁଅନ୍ତି । କେହି ବିଶ୍ୱାସ କରେ ଏବଂ କେହିବା ଅବିଶ୍ୱାସ କରେ । କିନ୍ତୁ ଯେ ଦେଖେ, ସେ ନିଜ ଆଖିକୁ ଅବିଶ୍ୱାସ କରିପାରେ ନାହିଁ-

 

ମୋହନ ମଝିରେ ମଝିରେ ଦିନେ ଅଧେ ଘରକୁ ଆସି ଏଠି ସେଠି ମାଗିକରି ଖାଇ ନିଏ-। ନୋହିଲେ ଅଧିକାଂଶ ଦିନ ଦିଅଁଙ୍କ ଦେଉଳରେ ପାରୁସ କିଣି ଖାଏ । ଗଞ୍ଜାମ ଜିଲ୍ଲାର ଅଧିକାଂଶ ଗ୍ରାମରେ ଦିଅଁ ଦେଉଳ ଅଛି, ଏବଂ ତହିଁରେ ପାରୁସର ବ୍ୟବସ୍ଥା ଅଛି । ଗାଁକୁ କେହି ଅତିଥି ଆସିଲେ ତାଙ୍କ ପାଇଁ ସେହି ପାରୁସର ବ୍ୟବସ୍ଥା କରାଯାଏ । ପାରୁସ କହିଲେ ଦିଅଁଙ୍କ ଭୋଗକୁ ବୁଝାଏ । ଅରୁଆ ଅନ୍ନ, ଡାଲି, ତରକାରି ଗୋଟିଏ ଦୁଇଟି, ଏବଂ ସମୟ ସମୟରେ ଖିରୀ ମଧ୍ୟ ଥାଏ । ଗୋଟିଏ ପାରୁସର ମୂଲ୍ୟ ସ୍ୱରୂପ ସାମାନ୍ୟ ଚାରୋଟି ପଇସା ସକାଳୁ ପୂଝାରିକୁ ଦେଇ ଆସିବାକୁ ହୁଏ । ସେତିକିରେ ଜଣକର ପୂର୍ଣ୍ଣଗ୍ରାସ ବାଦ ଆହୁରି କିଛି ବଳି ପଡ଼ିଥାଏ । ମୋହନ ନିଶ୍ଚିନ୍ତରେ ଚଳୁଥାଏ । ବୋହୂ ତାର ପୁଆଣି ହୋଇ ଆସିନଥାଏ । ନିର୍ଭୟରେ ଏଣେ ତେଣେ ସେ ବୁଲେ ଏବଂ ସେହି କୋଠି ଘରେ ଶୋଇ ପଡ଼େ । ଲୋକେ ତାକୁ ଗୋବିନ୍ଦ ପାଳ କଥା କୁହନ୍ତି । ମାତ୍ର ସେ କିଛି ବିଶ୍ୱାସ କରେ ନାହିଁ ।

 

ଦିନେ ମୋହନ ରାତି ପ୍ରାୟ ଏଗାରଟା ବାରଟା ବେଳକୁ ଘରକୁ ଆସିଲା । ଦାଣ୍ଡ ପାହାଚଠାରୁ ଅଳ୍ପ ଦୂରରେ ବସି ପରିସ୍ରା କଲା । ଠିକ୍‍ ଏହି ସମୟରେ ହଠାତ୍ ଗୋଟିଏ ଛୋଟ ଖଣ୍ଡିଆ ଭୂତ ପରି ପବନ ଅଦିନରେ କାହୁଁ ଆସି ତାର ସାରା ଦେହଟିକୁ ଦୋହଲାଇ ଦେଇ ଚାଲିଗଲା ।

 

ହଠାତ୍ ଉଠିପଡ଼ି ଚିନ୍ତିତ ମନରେ ସେ ପାହାଚ ଉପରକୁ ଚଢ଼ି ପିଣ୍ଡା ଉପରକୁ ଆସିଲା । କବାଟରେ ଲାଗିଥିବା ତାଲା ଫିଟାଇଲା ଏବଂ କବାଟ ଦୁଇଟାକୁ ଭିତରକୁ ପେଲି ଦେଲା । ବାହାରକୁ ଗୋଟିଏ ଗୋଡ଼ ଏବଂ ଭିତରକୁ ଗୋଟିଏ ଗୋଡ଼ ରଖି ସେ ଏଣେ ତେଣେ ଚାହିଁଲା—କୌଣସି ଗଛରେ ପତ୍ରଟିଏ ମଧ୍ୟ ହଲୁନାହିଁ । ମନେ ମନେ ଭାବି ହେଉଥାଏ—ଅଦିନରେ ଏଭଳି ପବନଟାଏ କାହୁଁ ଆସିଲା ? ଅଣ୍ଟାରୁ ନାସ ଡବାଟା କାଢ଼ି ବାଁ ହାତ ନେଡ଼ିରେ ଡବାଟାକୁ ଝାଡ଼ୁଥାଏ–ନାଶ କାଢ଼ିବାକୁ । ଆଗ ପଛ ଉଭୟ ପଟେ ଦେଖାଯାଉଥାଏ—ସାଇ ପଡ଼ିଶାରୁ କେହି କେହି ମେଲା ବାରଣ୍ଡାରେ ଶୋଇଛନ୍ତି । ନାଶ ଝାଡ଼ିବା ବେଳକୁ ଡବାଟିକୁ ଡାହାଣ ହାତର ଆଙ୍ଗୁଳିରେ ସେ ଜବର କରି ଧରିଥାଏ । ଏହି ଭଳି ଅବସ୍ଥାରେ ସେ ଅନୁଭବ କଲା ସତେକି କିଏ ତା ହାତରୁ ନାଶ ଡବାଟିକୁ ଛଡ଼ାଇ ନେଇ ଯାଉଛି । ଡବାଟା ପିଣ୍ଡା ଉପରେ ପଡ଼ିଗଲା । “ଦୁତ୍ ତେରି” ବୋଲି ବିରକ୍ତରେ କହି ମୋହନ ନଇଁ ପଡ଼ି ନାଶ ଡବାଟିକୁ ପିଣ୍ଡା ଉପରେ ଅଣ୍ଡାଳୁ ଅଣ୍ଡାଳୁ ଭୂଇଁକୁ ଲକ୍ଷ୍ୟ କରି ଗୋଟିଏ ଗୋଇଠା ମାରିଲା । ତା’ପରେ ନାଶ ଡବାଟିକୁ ଗୋଟାଇ ନେଇ ଘର ଭିତରକୁ ଗଲା । ଖଟ ଉପରକୁ ଉଠିଯାଇ ଛୋଟ ଖିଡ଼ିକିଟିକୁ ଖୋଲି ଦେଲା । ଖିଡ଼ିକି ସେପଟେ ପଡ଼ିଆଟି-। ଘର ଭିତରକୁ ମେଞ୍ଚାଏ ଅସ୍ପଷ୍ଟ ଆଲୋକ ପଶି ଆସିଲା । ମୋହନ ଡବାରୁ ପୁଣି ଥରେ ନାଶ ଝାଡ଼ିବାକୁ ଚେଷ୍ଟା କଲା । ପୁଣି ଥରେ ସେ ଅନୁଭବ କଲା, ହଠାତ୍ ଗୋଟାଏ ଝଙ୍କା ପବନ କେଉଁ ବାଟ ଦେଇ ଘରଭିତରକୁ ପଶି ଆସୁଛି ଏବଂ କିଏ ଜଣେ ତା’ ହାତରୁ ଡବାଟିକୁ ଜୋର କରି ଛଡ଼ାଇ ନେଉଚି । ଅତ୍ୟନ୍ତ ବିରକ୍ତ ହୋଇ ମୋହନ ଖଟଉପରୁ ତଳକୁ ଡେଇଁ ପଡ଼ିଲା ଏବଂ ଦେଖିଲା ତାକୁ ଗୋଟାଏ କୌଣସି ଅଦୃଶ୍ୟ ସତ୍ତା ଆକ୍ରମଣ କରୁଛି । ସେ ତା’ ସହିତ ସଂଙ୍ଘର୍ଷରେ ଲାଗିଗଲା । ମାତ୍ର କିଛି ସମୟ ପରେ ସେ ସମ୍ପୂର୍ଣ୍ଣ ଅଚେତ ହୋଇ ପଡ଼ିଗଲା ।

 

ମୋହନ ଘର ଭିତରକୁ ପଶି ଖଟ ଉପରକୁ ଉଠିଯିବା ପୂର୍ବରୁ ଦାଣ୍ଡପାଖ କବାଟ ଦୁଇଟିକୁ ଭିତରୁ ଶିକୁଳି ଲଗାଇ ଦେଇ ଥିଲା । ସକାଳ ହେଲା, ଅଥଚ, କବାଟ ଫିଟୁ ନାହିଁ । ସାଇ ପଡ଼ିଶାଏ ଦେଖିଲେ, ବାହାର ପଟୁ କବାଟ ଦିଆଯାଇ ନାହିଁ । ତେଣୁ ସେମାନେ ଭାବିଲେ, ରାତିରେ ମୋହନ ନିଶ୍ଚୟ ଘରକୁ ଆସି ଶୋଇଛି । ମାତ୍ର ଉଠୁ ନାହିଁ । ଦିନ ଆସି ଦଶଟା ହେଲା । ଲୋକେ ଦୁଆର ମୁହଁକୁ ଆସି କବାଟ ବାଡ଼ିଆ ପିଟା କଲେ । ତଥାପି ମୋହନ ଉଠୁନାହିଁ ଦେଖି ଖିଡ଼ିକି ବାଟେ ଭିତରକୁ ଚାହିଁ ଦେଖିଲେ ଯେ ସେ ଅଜ୍ଞାନ ହୋଇ ତଳେ ପଡ଼ିଯାଇଛି । ଲୋକେ କବାଟକୁ ତାଡ଼ି ଭିତରକୁ ପଶି ତାକୁ ଚେତା କରାଇଲେ । ତାର ଯାହା ମନେ ପଡ଼ିଲା ସେ କହିଗଲା । ଘର ଭିତର ସାରା ଧାନଗୁଡ଼ିକ ଛିତି ବିତି ହୋଇ ପଡ଼ିଥାଏ । ତହିଁରୁ ଜଣାଗଲା ଦୁଇଜଣଙ୍କ ମଧ୍ୟରେ ସେଘରେ ଗତରାତିରେ ନିଶ୍ଚୟ ସଂଙ୍ଘର୍ଷ ଘଟିଛି । କେହି କେହି ଏକଥାକୁ ବିଶ୍ୱାସ ନ କରି କହିଲେ–ହୁଏତ ମୋହନ କିଛି ନିଶାଦ୍ରବ୍ୟ ଖାଇଦେଇ ଆସି ଅଜ୍ଞାନ ଅବସ୍ଥାରେ ନିଜେ ଧାନଗୁଡ଼ିକ ବିଞ୍ଚି ଦେଇଛି ।

 

ତାର ଦିନେ ଦି ଦିନ ପରେ ଦେଖାଗଲା, କିଛି କୁଆଡ଼େ ନାହିଁ, କୌଣସି କାରଣ ମଧ୍ୟ ନାହିଁ, ମୋହନ ହଠାତ୍ ଦାନ୍ତ କଡ଼ମଡ଼ କରି ଛିଡ଼ା ହୋଇଯାଉଛି । ହାତ ଗୋଡ଼ ତାର ନାଠି ହୋଇଯାଉଛି । ଦୁଲ୍‍କିନା ତଳେ କଚାଡ଼ି ହୋଇ ପଡ଼ି ସେ ଅଜ୍ଞାନ ହୋଇ ପଡ଼ୁଛି । ପାଣି ଛିଞ୍ଚି ଚେତା କରାଇଲା ପରେ ସେ ଏଣୁ ତେଣୁ ବକୁଛି । ଦେଖିଲେ ଜଣା ପଡ଼ୁଛି, ସତେକି ସେ ମୋହନ ନୁହେଁ । ତା’ ଭିତରେ କୌଣସି ଗୋଟାଏ ଅଦୃଶ୍ୟ ସତ୍ତା ପ୍ରବେଶ କରି ତାକୁ ସମ୍ପୂର୍ଣ୍ଣ ରୂପେ ବଶୀଭୂତ କରି ଦେଇଛି । ନିଜ ଖୁଡ଼ିକୁ ସେ ଡାକୁଛି ସମୁଦୁଣୀ ବୋଲି । ପଚାରିଲାରୁ କହୁଛି–“ମୋତେ ଚିହ୍ନି ପାରୁନ ସମୁଦୁଣୀ, ମୁଁ ପରା ଗୋବିନ୍ଦ ପାଳ ।”

 

“ତୁମେ କାହିଁକି ଆସିଛ ଏବଂ ଏ ପିଲାକୁ କାହିଁକି ଆକ୍ରମଣ କରିଛ ?” —ଏକଥା ପଚାରିଲାରୁ ସେ କହିଲା—“ସେ ଡିହଟା ଆମ ବାପ ଗୋସେଇଁ ବାପାଙ୍କର ଥିଲା । ୟା ଭାଗରେ ପଡ଼ିଛି । ହେଲେ ଆମ ବାପାତ ବିକ୍ରି ଦେଇଛନ୍ତି, ସେଥିଲାଗି ମୋର କି ଅଧିକାର ଅଛି ? ମନରୁ କିନ୍ତୁ ଆଶାଟା ଛାଡ଼ୁ ନାହିଁ । ଏ ପିଲାକୁ ମୁଁ କାହିଁକି ଆକ୍ରମଣ କରନ୍ତି ? ତା’ର ଅଣ୍ଟାରେ ଥିଲା ନାଶ । ମୋର ଟିକେ ନାଶ ଖାଇବାକୁ ଇଚ୍ଛା ହେଲା । ଡିବାଟା ତାଠୁ ନେଇ ଖାଇବାକୁ ଇଚ୍ଛା କଲି ଯେ ସେ ମୋତେ ଗୋଇଠା ମାରିଲା । ସେଥିପାଇଁ ମୋର ରାଗ ହେଲା । ତେଣୁ ମୁଁ ତାକୁ ଆକ୍ରମଣ କରୁଛି-

 

ଏହିଭଳି ଭାବରେ ଦିନେ ଦିଦିନ ଛଡ଼ାରେ ସେ ମୋହନ ମଧ୍ୟରେ ପ୍ରବେଶ କରି ତାକୁ ଥରକୁ ଥର ଅଜ୍ଞାନ କରି ପକାଇଲା । ପଚାରିଲାରୁ ଥରେ ମାଗିଲା—“ସମୁଦୁଣୀ”, ତୁମେ ଆସିଲା ପରେ ମୋତେ ପିଲା ଦିନେ ଯେପରି ଖିରୀ ପିଠା ଖାଇବାକୁ ଦେଉଥିଲ ମନେ ଅଛିତ ? ମୋର ଆଶା ଅଛି । ମୋତେ ଆଉ ଥରେ ସେମିତି ପିଠା ପଣା ଦିଅ ।” ପିଠା ପଣା ମଧ୍ୟ ଦି ତିନ ଥର ଦିଆଗଲା ଓ ସେ ଖାଇଲା ।

 

ଗୋବିନ୍ଦ ପାଳର ପ୍ରେତ ଏହିଭଳି ଭାବରେ ଦୀର୍ଘ ଏକୋଇଶ ଦିନ କାଳ ମୋହନ ମଧ୍ୟରେ ପ୍ରବେଶ କରି ତାକୁ ବଶୀଭୂତ କରିରଖେ । ତଦ୍ଦ୍ୱାରା ମୋହନର ଅପ୍ରତ୍ୟାଶିତ ଭାବରେ ସ୍ୱାସ୍ଥ୍ୟ ହାନି ଘଟିଲା । ତା’ର ହୃଷ୍ଟ ପୁଷ୍ଟ ଶରୀର ସମ୍ପୂର୍ଣ୍ଣ ରୂପେ ଝଡ଼ି ଗଲା ଏବଂ କଳା କାଠ ପଡ଼ିଗଲା । ଏଇ ଏକୋଇଶ ଦିନ କାଳ ମୋହନ ବାହାରକୁ ଯାଇ ନାହିଁ । ବାପା, ଭାଇ ଏବଂ ଅନ୍ୟାନ୍ୟ ପରିଜନ ଓ ଆତ୍ମୀୟମାନେ ତାକୁ ସବୁବେଳେ ଜଗି ରହି ଥାଆନ୍ତି । ବିଭିନ୍ନ ସ୍ଥାନରୁ ଗୁଣିଆ ଆସିଲେ । କାହାଦ୍ୱାରା କି ଉପକାର ହେଲା କହି ହେବ ନାହିଁ । ଏକୋଇଶ ଦିନ କାଳ ମୋହନକୁ ସମ୍ପୂର୍ଣ୍ଣ ରୂପେ ଶଯ୍ୟାଶାୟୀ କରାଇ ଦେଇ ସାରିଲା ପରେ ଗୋବିନ୍ଦ ପାଳର ପ୍ରେତ ଦୂରେଇ ଗଲା । ଅନେକ ଦିନର କଥା ହେଲେବି ମଦନ ପାତ୍ର ବାବୁ ଏବେବି ଅଛନ୍ତି ଏବଂ ସେ ଏ କଥାଟି ବର୍ଣ୍ଣନା କରି କହିଲା ବେଳକୁ ନିଜେ ମଧ୍ୟ ଭୟରେ ଶିହରି ଉଠନ୍ତି । ଗୋବିନ୍ଦ ପାଳକୁ ଆଉ କେହି କେବେ ଦେଖୁ ନାହିଁ । ସେତେଦିନ ଯାକେ କିଏ ଚାଲ ବୁଲ ହେବାର ସାଇ ପଡ଼ିଶାଏ ଦେଖୁଥିଲେ । କିନ୍ତୁ କିଏ ମୋହନକୁ ଆକ୍ରମଣ କରି ଏଭଳି ଅବସ୍ଥାକୁ ଆଣିଥିଲା, ତାର ସନ୍ଧାନ ଏବେବି ମିଳି ନାହିଁ ।

 

ନଅ

 

୧୯୩୦।୩୧ ମସିହା କଥା ଇଏ । ପହିଲି ଖୁଡ଼ି କୌଣସି ଛୁଆପିଲା ନରଖି ମରି ଯିବାର ଦୁଇ ବର୍ଷ ପରେ କକେଇ ପୁଣି ଥରେ ବିଭା ହେଲେ । ପଛ ଖୁଡ଼ିର ଗୋଟିଏ ମାତ୍ର ଝିଅ ଗୌରୀ । ଗୌରୀ ଜନ୍ମ ହେବାକୁ କିଛିଦିନ ବାକି ଥାଏ, ପଛ ଖୁଡ଼ିର ଦେହ ଖରାପ ହେଲା । ଗର୍ଭାବସ୍ଥାର ଶେଷ ଆଡ଼କୁ କୌଣସି ରୋଗ ଧରିଲେ ଭଲ ହେବା ସହଜ ହୁଏ ନାହିଁ । ଏ ଅବସ୍ଥାରେ ଚିକିତ୍ସା କରିବା ମଧ୍ୟ ନିରାପଦ ନୁହେଁ । ରୋଗ ଧୀରେ ଧୀରେ ବଢ଼ି ଚାଲିଲା ଏବଂ ଛୁଆ ଜନ୍ମ ହେବାର ଦିନ ନିକଟେଇ ଆସିଲା । ପ୍ରଥମ ଖୁଡ଼ିଙ୍କୁ ହରାଇଥିଲେ ଏବଂ ଏ ଖୁଡ଼ିର ଅବସ୍ଥା ଏଭଳି ହେଲା, ତେଣୁ କକେଇଙ୍କ ମନର ଅବସ୍ଥା ଦିନକୁ ଦିନ ଅତି ଖରାପ ଆକାର ଧାରଣ କଲା ।

 

ରୋଗୀର ଅବସ୍ଥା ଶେଷଆଡ଼କୁ ଅତି ଖରାପ ହୋଇ ପଡ଼ିଲା, ଏବଂ ଚିକିତ୍ସିକ ଆଶା ଛାଡ଼ିବସିଲେ । କହିଲେ—ଛୁଆ କିମ୍ୱା ମା’ କେହିହେଲେ ଜଣେ ନଷ୍ଟ ହୋଇଯିବେ । ଶେଷକୁ ଗୌରୀଟି ଜନ୍ମ ହେଲା ପରେ ପରେ ନୂଆ ଖୁଡ଼ିର କଥା ସାଙ୍ଘାତିକ ହୋଇ ପଡ଼ିଲା ।

 

ଆମଘରେ ପୂର୍ବ ପଶ୍ଚିମ ଦୁଇଟା ଖଞ୍ଜା ଥାଏ । ପୂର୍ବ ପଟ ଖଞ୍ଜାର ପୂର୍ବ ଆଡ଼କୁ ଥାଏ ଦୁଇ ବଖରା ଘର । ସେହି ଘରର ପୂର୍ବକୁ ଠିକ୍ ଘର ଓଳିକି ଲାଗି ଗୋଟାଏ ମୋଟା ଆମ୍ୱଗଛ । ଗଜା ଗଛଟାଏ, ଏବଂ ତାଆର କୌଣସି ଅଂଶରେ କିଛି ମାତ୍ର ଖୁଣ ନଥାଏ । କେତେଗୁଡ଼ିଏ ଡାଳ ତାର ଏଣେତେଣେ ଲମ୍ୱି ଯାଇଥାଏ । ଖୁଡ଼ି ଥାଏ ସେହି ପୂର୍ବପଟ ଘର ଦୁଇବଖରାରେ ଏବଂ ତାଆରି ଚାଳ ଉପରକୁ ଆମ୍ୱଗଛର ଗୋଟାଏ ମୋଟା ଡାଳ ଲମ୍ୱି ଆସିଥାଏ । ତେଣିକି ପୂର୍ବ ଦକ୍ଷିଣ ଓ ଉତ୍ତର ଆଡ଼କୁ ଥାଏ ଆଉ କେତେଗୁଡ଼ିଏ ଗଛ । ସୁତରାଂ ଖୁବ ଜୋର ଧୂମାଳ ପବନ ହେଲେବି ଆମ ସାଇ ଭିତରକୁ ତାର ବେଗ ଆସିପାରେ ନାହିଁ ।

 

ଗୌରୀ ଜନ୍ମ ହେବାର ସେଦିନକୁ ସାତଦିନ । ଛୁଆଖୁଡ଼ିକୁ ସେଇ ଘରର ଅଗଣା ପଟ ବରଣ୍ଡା ଉପରେ ଶୁଆଇ ଦିଆଯାଇଥାଏ । କକେଇ ନିଜେ ପାଖରେ ବସି ଔଷଧ ଖୁଆଉ ଥାଆନ୍ତି । ଖୁଡ଼ି ଆଖି ମେଲି ଚାହିଁ କଅଣ କହିବାକୁ ଚେଷ୍ଟା କରି କହି ପାରିଲା ନାହିଁ । ଆଖିରୁ ଲୁହ ଗଡ଼ାଇ ଆଖି ବୁଜି ଦେଲା । ହଠାତ୍ ତା’ ଆଖିରୁ ଲୁହଧାର ଗଡ଼ି ପଡ଼ିଲା ଏବଂ ସେ ଶେଷ ନିଶ୍ୱାସ ଛାଡ଼ଲା-। “ଚାଲିଗଲା” ବୋଲି କକେଇ ଚିତ୍କାର କରି ଉଠିଲେ । ଆମେସବୁ କିଏ କୁଆଡ଼େ ଥିଲୁଁ ଧାଇଁ ଆସିଲୁ-

 

କକେଇ ଜଗି ବସିଥିବା ସତ୍ତ୍ୱେ ଖୁଡ଼ି ଚାଲିଗଲା । ମହାପଥର ଯାତ୍ରୀକୁ କେହି କେବେ ଅଟକାଇ ରଖି ପାରେ ନାହିଁ ।

 

ଖୁଡ଼ି ଶେଷ ଶ୍ୱାସ ଛାଡ଼ିବାର ପାଞ୍ଚଦଶ ମିନିଟ ମଧ୍ୟରେ ଗୋଟାଏ ଅଦ୍ଭୁତ ଘଟଣା ଘଟିଲା । ପୂର୍ବ ବର୍ଣ୍ଣିତ ଆମ୍ୱଗଛର ଗୋଟାଏ ମୋଟା ଡାଳ ମଡ଼ ମଡ଼ ଶବ୍ଦ କରି କାହିଁକି କେଜାଣି ଭାଙ୍ଗି ପଡ଼ିଲା । ସେତେବେଳକୁ ଦିନ ପ୍ରାୟ ବାରଟା ହେବ । କୌଣସି ଦିଗରୁ ଟିକିଏ ମାତ୍ର ପବନ ବତାସର ଆଭାସ ସୁଦ୍ଧା ନ ଥାଏ । କୌଣସି ପକ୍ଷୀ-ଛୁଆଟିଏ ସୁଦ୍ଧା ଗଛ ଉପରେ ଚଢ଼ିଥିବାର ଦେଖାଯାଉ ନାହିଁ । ସମସ୍ତେ ଯାଇ ଦେଖିଲୁ ଉକ୍ତ ଡାଳରେ ପୋକ ଲାଗି ନାହିଁ ବା ଦଦରା ଜାୟାଁ କିଛି ମାତ୍ର ନାହିଁ । ତେବେ ସେ ଡାଳଟା ସମ୍ପୂର୍ଣ୍ଣ ଅସ୍ୱାଭାବିକ ଭାବେ ଭାଙ୍ଗିପଡ଼ିଲା କାହିଁକି ? ସମସ୍ତଙ୍କ ତୁଣ୍ଡରେ ଗୋଟିଏ ମାତ୍ର ପ୍ରଶ୍ନ ।

 

ଉତ୍ତର କିନ୍ତୁ ଦେଲେ କକେଇ ନିଜେ । କହିଲେ—ସେ ମୁଁ ବିଶ୍ୱାସ କରୁ ନଥିଲି ହେ, କାଲିରାତିରେ ଯେତେବେଳେ ତାର କଥା କହିବାର ଶକ୍ତିଥିଲା, ସେତେବେଳେ ସେ କହୁଥିଲା–“ଜାଣିଲ, ମୁଁ ଆଉ ବଞ୍ଚିବି ନାହିଁ । ତୁମେ ନିଜେ ମତେ ପୋଡ଼ିବ ଏଇ ଆମ୍ୱଗଛରୁ ଡାଳ ହାଣି ସଙ୍ଗାଡ଼ି ଲଦିବ ।” ଆଜି ତାରି କଥା ସତ ହେଇଚି । ଡାଳଟାକୁ ସେ ନିଜେ ଭାଙ୍ଗି ଦେଇଚି-

 

ତାଙ୍କ କଥା ଶୁଣି ସମସ୍ତେ ଅବାକ୍ ହୋଇଗଲେ । କହିଲେ ମଲାତ ମଲା, ଛୁଆଟାକୁ ଛାଡ଼ି ଯାଇଚି । ଦୂରେଇ ଯାଇ ପାରୁ ନାହିଁ । ସାହାପୁରୁଷଟା ତାର ଆମ୍ୱ ଡାହି ଉପରେ ଆଶ୍ରା କଲାରୁ ଡାହିଟା ଭାଙ୍ଗି ପଡ଼ିଲା । କଥାରେ କହନ୍ତି—ପ୍ରେତ ଆଶ୍ରା କଲେ ଗଛ ଭାଙ୍ଗି ପଡ଼େ ।

 

ଲୋକେ କହନ୍ତି ଏବଂ ଆମେ ନିଜେ ଦେଖିଲୁଁ । ଛୁଆଖୁଡ଼ିର ପ୍ରେତ ଡାଳ ଉପରେ ଆଶ୍ରାକଲାରୁ ଡାଳଟା ଭାଙ୍ଗିପଡ଼ିଲା । ଏ କଥାକୁ ଅବିଶ୍ୱାସ କରିବାର ଅନ୍ୟ ବାଟତ କେହି କିଛି ଖୋଜି ପାଇଲୁ ନାହିଁ !

 

ଜୀବିତାବସ୍ଥାରେ ଖୁଡ଼ି ନିଜେ ସେ ଡାଳ ଉପରେ ବସିଥିଲେ କେଭେଁ ସେ ଭାଙ୍ଗି ପଡ଼ି ନଥାନ୍ତା । ମୃତ୍ୟୁ ପରେ ଶରୀରଟା ତାର ତଳେ ପଡ଼ି ରହିଲା । ତାର ଅଦୃଶ୍ୟ ସତ୍ତାଟି ଗଛ ଉପରେ ଆଶ୍ରା କଲାରୁ ଡାଳଟା ଭାଙ୍ଗି ପଡ଼ିଲା—ଏ କଥାଟାକୁ ସ୍ୱୀକାର କଲେ ଆମେ ନିଶ୍ଚୟ ଏ ମୀମାଂସାରେ ପହଞ୍ଚିପାରିବା ଯେ ମୃତ୍ୟୁ ପରେ ଯେଉଁ ପ୍ରେତାତ୍ମା ବା ସୂକ୍ଷ୍ମସତ୍ତା ଶୂନ୍ୟରେ ବିଚରଣ କରେ ତାର ଶକ୍ତି-ସାମର୍ଥ୍ୟ ଜୀବିତ ମଣିଷ ଅପେକ୍ଷା ଯଥେଷ୍ଟ ଅଧିକ । ଅଦୃଶ୍ୟ ହେଲେ ସୁଦ୍ଧା ତାର ଶକ୍ତି ତ ଅଛି; ଓଜନ ମଧ୍ୟ ଅଛି । ଅଦୃଶ୍ୟ ହେଲେବି ବିଦ୍ୟୁତ୍-ସତ୍ତାର ଶକ୍ତି ଖୁବ୍ ବେଶି । ମିଟର ବାକ୍ସ ଏବଂ ସୂକ୍ଷ୍ମ ତାର ମଧ୍ୟରେ ଗତି ଗଲାବେଳେ ଗତି ତାର ସୀମିତ ହୋଇ ଯାଏ । ସେହିଭଳି ଜୀବିତ ଅବସ୍ଥାରେ ଶରୀର ମଧ୍ୟରେ ଥାଇ ସେହି ଅଦୃଶ୍ୟ ସତ୍ତାର ଶକ୍ତି ସୀମିତ ହୋଇ ପଡ଼ିଥାଏ । ଜଡ଼ ଶରୀର ମଧ୍ୟରୁ ମୁକ୍ତିଲାଭ କଲାପରେ ଶକ୍ତି ତାର ଅକଳନୀୟ ହୋଇଉଠେ । ତେଣୁ ସେ ହୋଇଥାଏ ଅସାଧ୍ୟ ସାଧନକ୍ଷମା । ତେଣୁ ବୋଧ ହୁଏ ଖୁଡ଼ିର ପ୍ରେତ ଏତେ ବଡ଼ ଆମ୍ୱ ଡାଳଟାକୁ ଭାଙ୍ଗି ଦେବାକୁ ସମର୍ଥ ହେଲା ।

 

ଖୁବ ବଡ଼ ବଡ଼ କଥା କଳ୍ପନା କରିଥାଏ ମଣିଷର ମନ ଓ ଚିନ୍ତା । ନିଜ ହାତରେ ଖୁବ୍‍ ବେଶି ମହଣେ ଉଠାଇ ପାରିଲେବି କଳ୍ପନା ବଳରେ ବଡ଼ ବଡ଼ କ୍ରେନ ନିର୍ମାଣ କରି ସେ ଉଠାଏ ଏକା ବେଳକେ ଶହ ଶହ ମହଣ ଓଜନ । ଉଡ଼ାଜାହାଜ ଓ ବୁଡ଼ା ଜାହାଜ ଏବଂ ରକେଟ ପ୍ରସ୍ତୁତ କରି ଜଳସ୍ଥଳ ଆକାଶ ଏବଂ ଶୂନ୍ୟ ମଣ୍ଡଳରେ ବିଚରଣ କରିବାକୁ ସେ ଉପାୟ ଉଦ୍ଭାବନ କରେ । ମନୁଷ୍ୟର ଚିନ୍ତା, କଳ୍ପନା ଓ ଇଚ୍ଛା-ଶକ୍ତି ହିଁ ମୃତ୍ୟୁ ପରେ ପ୍ରେତସତ୍ତାରେ ରୂପାନ୍ତରିତ ହୋଇଥାଏ । ସୁତରାଂ ତାର ଶକ୍ତି ନିଶ୍ଚୟ ଅକଳନୀୟ ଅଟେ ।

 

ଆଜିଯାକେ ଆମେ ଅନେକ ପ୍ରକାରେ ଭାବିଛୁ; ମାତ୍ର ଛୁଆ ଖୁଡ଼ି ମରି ଯିବାର ଅବ୍ୟବହିତ ପରେ ପରେ ନିଖୁଣ ଆମ୍ୱ ଡାହିଟା ଭାଙ୍ଗି ପଡ଼ିବାର ଅନ୍ୟ କୌଣସି ଯଥାର୍ଥ କାରଣ ସନ୍ଧାନ କରି ପାରି ନାହୁଁ । ତେଣୁ ଲୋକେ ସାଧାରଣତଃ ଯାହା ବିଶ୍ୱାସ କରନ୍ତି ତାହାହିଁ ଆମେ ବିଶ୍ୱାସ କରିବାକୁ ବାଧ୍ୟ ହୋଇଛୁ ଯେ ଖୁଡ଼ିର ପ୍ରେତ ଆଶ୍ରାକରିବାରୁ ସେ ଡାଳଟି ଭାଙ୍ଗି ପଡ଼ିଲା ।

 

ସେ ଘଟନା ପରେ ଛୁଆଖୁଡ଼ିର ଅନ୍ୟ କୌଣସି ଚିହ୍ନ-ବର୍ଣ୍ଣ ଆମେ ଦେଖି ନାହୁଁ । ଗୌରୀଟି ବଡ଼ ହୋଇଚି ଓ ବିଭା ହୋଇଯାଇଚି । ତାର ବର୍ତ୍ତମାନ ଛୁଆପିଲା କେତେଗୁଡ଼ିଏ ହେଲେଣି । ତା’ ବୋଉ ଚାଲିଗଲା ପରେ ପରେ ଆମଘରେ ଯେଉଁ ଅଦ୍ଭୁତ ଘଟଣାଟି ଘଟିଥିଲା, ସେ କଥାଟି ଆଜିଯାକେ କେହି ଭୁଲି ଯାଇ ପାରି ନାହାନ୍ତି ।

 

ଦଶ

 

ବେଶି ଦିନ ତଳର କଥାନୁହେଁ । ଭାରତ ସେବକ ସମିତିର ଖ୍ୟାତନାମା ସଭ୍ୟ ସ୍ୱର୍ଗତଃ ଲକ୍ଷ୍ମୀନାରାୟଣ ସାହୁ ଜୀବିତ ଥାଆନ୍ତି । କଟକ ସହରର ତୁଳସୀ ପୁର ପୋଲିସ କଲୋନି ଭିତରେ ଜଣେ ସବ୍‍ଇନ୍‍ସପେକ୍ଟରଙ୍କ ବସା, ଅର୍ଥାତ୍ ଗୋଟିଏ ସରକାରୀ କ୍ୱାଟର ମଧ୍ୟରେ ଅଦ୍ଭୁତ ଘଟଣାଟିଏ ଘଟିଲା । ହଠାତ୍ ଦିନେ ଦିନ ୧୦ । ୧୧ ଟା ବେଳକୁ ଦେଖାଗଲା—ଗୋଟାଏ ଗୋରୁ ମୁଣ୍ଡର ଅସ୍ତି ଅଗଣା ଭିତରର ବାଡ଼ିପଟ କବାଟର ଖୁବ୍‌ ନିକଟକୁ ପଡ଼ିଗଲା । କେଉଁ ଦିଗରୁ ଆସିଲା, କିଏ ପକାଇଲା, ଏଇ କଥା ଘେନି ପରିବାର ମଧ୍ୟରେ ଚହଳ ପଡ଼ିଗଲା । ସେ ଦିନର ଘଟଣା ସେତିକି । ପୋଲିସ କଲୋନୀ ମଧ୍ୟରେ ବହୁ ସଂଖ୍ୟାରେ ସରକାରୀ କ୍ୱାଟର ତିଆରି ହୋଇଛି । ସେ ଘରଗୁଡ଼ିକ ଯେଉଁ ଅଞ୍ଚଳରେ ଅବସ୍ଥିତ ସେ ଅଞ୍ଚଳରେ ଅନ୍ୟ କୌଣସି ଲୋକର ଘର ଦ୍ୱାର ନାହିଁ ଏବଂ ତାର ସବୁଆଡ଼େ ଫାଙ୍କା ପଡ଼ିଆ । କିଛି ଦୂରକୁ ମହାନଦୀର ବନ୍ଧ । ନିକଟରେ କୌଣସି ସ୍ଥାନରେ ଗୋରୁ ମଡ଼ା ପଡ଼ିବାର ସ୍ଥାନ ନାହିଁ । କୌଣସି ଲୋକ ମଧ୍ୟ ଏତେବଡ଼ ମୁଣ୍ଡଟାକୁ ଟେକି ଏତେ ଦୂରକୁ ଫିଙ୍ଗିପାରିବ ନାହିଁ ।

 

ତହିଁଆର ଦିନ ଚଉଡ଼ା ବରଣ୍ଡା ଉପରେ କେହି କେହି ଖାଇ ବସିଛନ୍ତି, ଦେଖାଗଲା, ହଠାତ୍ ଖଣ୍ଡେ ଅସ୍ଥି ଆସି ବରଣ୍ଡା ଭିତରର କାନ୍ଥ ଏବଂ ଛାତର କୋଣରେ ବାଡ଼େଇ ହୋଇ ତଳେ ପଡ଼ିଗଲା । କାନ୍ଥର ଏଭଳି ସ୍ଥାନରେ ଯେଉଁ ଅସ୍ଥିଖଣ୍ଡକ ବାଜିଲା ତାହା କେଉଁ ଦିଗରୁ ଓ କେଉଁ ବାଟ ଦେଇ ଆସିଲା ସେ କଥା କୌଣସି ଲୋକ ଭାବି ଭାବି କିଛି ଠିକ୍‌ କରି ପାରିଲେ ନାହିଁ । ଅସ୍ଥିଖଣ୍ଡକ କୌଣସି ଲୋକ ଦୂରରୁ ଫିଙ୍ଗିଥିଲେ ତାହା ନିଶ୍ଚୟ ଅଗଣା ଭିତରେ ଥିବା ବାରଣ୍ଡାର ବାହାର ପଟ କାନ୍ଥରେ ବାଜି ଅଗଣା ଭିତରେ ହିଁ ପଡ଼ି ଯାଇଥାନ୍ତା । ଅନେକେ ଆସି ଦେଖିଲେ, ସବୁ ଶୁଣିଲେ । କେହି ବିଶ୍ୱାସ କଲା, କେହି ଅବିଶ୍ୱାସ କଲା । କିନ୍ତୁ ସେହି ଦିନଠାରୁ ଦେଖାଗଲା, ଦିନ ଭିତରେ ଅନେକ ଥର ଶୁଭିଲା ଅସ୍ଥି କାହୁଁ ଆସି ଏଣେ ତେଣେ ପଡ଼ିବାକୁ ଲାଗିଲା । ଏକଥା ଚାରିଆଡ଼ର ଲୋକେ ଜାଣିଲେ । ପୋଲିସ ବାବୁମାନେ ଆସି ଜଗିଲେ । କଲୋନିର ଚତୁର୍ଦ୍ଦିଗରେ ଜଗୁଆଳି ରଖାଗଲା । ତଥାପି ଏ ଘଟଣାର ଚେର ମୂଳ କିଛି ଜଣାପଡ଼ିଲା ନାହିଁ ।

 

ଲକ୍ଷ୍ମୀନାରାୟଣ ବାବୁଙ୍କ ଘର ସେଠାରୁ ଅଳ୍ପଦୂରରେ ଅବସ୍ଥିତ । ସେ ନିଜେ ଦୁଇ ଚାରିଥର ଯାଇଛନ୍ତି ଏବଂ ଘଟଣା ଘଟିବାର ଦେଖିଛନ୍ତି । ପୋଲିସ୍ ବିଭାଗର ଉଚ୍ଚତମ କେତେଜଣ ଅଫିସରଙ୍କୁ ସେ ଡାକିନେଇ ଏ ଘଟଣା ଦେଖାଇଛନ୍ତି । ମାତ୍ର କୌଣସି ଲୋକଦ୍ୱାରା ଏ ଘଟଣା ସଂଘଟିତ ହେଉଥିବାର କେହି କେବେ ବିଶ୍ୱାସ କରି ପାରି ନାହାନ୍ତି । କାରଣ ବହୁ ପ୍ରକାର ଅନୁସନ୍ଧାନ ସତ୍ତ୍ୱେ ସେଭଳି କୌଣସି ପ୍ରମାଣ ମିଳି ପାରିଲା ନାହିଁ । ଶେଷକୁ ଅତି ମାତ୍ରାରେ ବ୍ୟସ୍ତ ବିଚଳିତ ହୋଇ ସବ୍‍ଇନିସସ୍ପେକ୍ଟର ବାବୁ ସେ ବସାଟି ଛାଡ଼ି ଦେଲେ । ଏହି ଘଟଣା ମୂଳରେ କାହାର ହାତଥିଲା, ସେ କଥା କହି ହେବନି । ତେବେ ପରେ ଯାହା ଶୁଣାଗଲା ତାହା ହେଉଚି ଏଇଆ—ସେ କଥା ସତ ହୋଇପାରେ, ମିଛବି ହୋଇପାରେ ।

 

ଘଟଣାଟି ହେଲା—ସବ୍‍ଇନ୍‍ସସ୍ପେକ୍ଟର ବାବୁ ପ୍ରଥମେ ମାତାମଠ କାଠ ଗୋଲା ପାଖରେ ବସା କରିଥିଲେ । ତାଙ୍କ ବସାରେ ଗୋଟିଏ ଚାକରପିଲା ଥିଲା । ସେ ଚାକର ପିଲାଟିକୁ ବସା ବଦଳାଇଲା ପରେ ତୁଳସୀ ପୁରକୁ ସେ ଆଣିଥିଲେ । ଚାକର ପିଲାଟିକୁ ଆକ୍ରମଣ କରିବା ଲାଗି କୌଣସି ଦୁର୍ବୃତ୍ତ ବ୍ୟକ୍ତି ବୀର ବାହୁଟି ପୋଷଣ ବିଦ୍ୟା ବଳରେ ଅସ୍ଥି ଫିଙ୍ଗୁଥିଲା । ଶେଷକୁ ଚାକର ପିଲାଟି ତାଙ୍କ ବସା ଛାଡ଼ିଯିବା ପରେ ସେ ବିଦ୍ୟା ଆଉ କାମ ଦେଲା ନାହିଁ । ହୁଏତ ସେ ପିଲାଟି କଟକ ଛାଡ଼ି ଦୂରକୁ ଚାଲିଗଲା । ଯେଉଁଠାକୁ ଗଲା, ସେଠାରେ ପୁଣି ଏହିଭଳି ଆକ୍ରମଣ ଚାଲିଲା କି ନା କହି ହେବ ନାହିଁ ।

 

କଟକ ସହରରେ ଏ ଘଟଣାଟି ଘଟୁଥିବା କଥା ଅନେକ ଭଦ୍ର ଲୋକ ଜାଣନ୍ତି । ଅନେକ ବିଶିଷ୍ଠ ବ୍ୟକ୍ତି ମଧ୍ୟ ଏହା ନିଜ ଆଖିରେ ଦେଖି ଆସିଛନ୍ତି । କୌଣସି ଅଦ୍ଭୂତ ଶକ୍ତି ଚାଳନା ଛଡ଼ା ଅନ୍ୟ କିଛି ନୁହେଁ ବୋଲି ସମସ୍ତଙ୍କର ବିଶ୍ୱାସ ଓ ଧାରଣା ।

 

ଏଗାର

 

ଭାଷାକୋଷ ପ୍ରଣେତା ସ୍ୱର୍ଗୀୟ ଗୋପାଳ ଚନ୍ଦ୍ର ପ୍ରହରାଜଙ୍କ ଗ୍ରାମର ଘଟଣା । ଜଣେ ଭଦ୍ରବ୍ୟକ୍ତିଙ୍କର ଦୁଇ ତିନୋଟି ପିଲା ଗୋଟିକୁ ୬।୭ ବର୍ଷ ହେବ ତା ତଳଟି ୫ ବର୍ଷର ତା’ ତଳଟି ତାଠୁ ସାନ । ପିଲାଗୁଡ଼ିକ ଏକା ସାଙ୍ଗରେ ଖେଳନ୍ତି । ପିଲାଙ୍କ ମଧ୍ୟରେ ସ୍ନେହ ଯଥେଷ୍ଟ ଥାଏ । ହଠାତ୍ ଦିନେ ବଡ଼ ପୁଅଟି ମରିଗଲା । ଶୋକସନ୍ତପ୍ତ ପରିବାର କୌଣସି ପ୍ରକାରେ ସେ କଥା ଭୁଲିଗଲେ । ବର୍ଷକ ପରେ ଦିନେ ଦ୍ୱିତୀୟ ପିଲାଟି ପାଖରେ ଥିବା ଗୋଟିଏ ଗଛକୁ ଲକ୍ଷ୍ୟକରି କହି ଉଠିଲା—“ଭାଇନା, ଭାଇନା, ସେଠି ସେ ଗଛ ଉପରେ କାହିଁକି ବସିଛୁ ? ଓହ୍ଲାଇ ଆ । ଆ ଖେଳିବୁ-।” ବାପମା ଦୌଡ଼ି ଆସି ଦେଖିଲେ—ପିଲାଟା ସେ ଗଛମୂଳକୁ ଦୌଡ଼ି ଦୌଡ଼ି ଯାଉଛି ଏବଂ “ଭାଇନା ଓହ୍ଲାଇ ଆ” ବୋଲି ଡାକ ଛାଡ଼ୁଛି । ସାହି ପଡ଼ିଶାର ଲୋକେ ଧାଇଁ ଆସିଲେ । ଦେଖିଲେ ପିଲାଟି ତଳେ ନିଚାଡ଼ି ହୋଇ ପଡ଼ି ବେହୋସ ହୋଇଯାଇଛି । କୌଣସି ପ୍ରକାରେ ତାକୁ ଚେତ୍ କରାଇଲେ । ଏ କଥା କଣ ପଚାରିଲାରୁ ପିଲାଟା ଗଛ ଉପରକୁ ଚାହିଁ କହିଲା–ଆଉ ନାହିଁ-। କୁଆଡ଼େ ଚାଲିଗଲାଣି । ଭାଇନା ଆସିଥିଲା । ହେଇଟି ସେ ଗଛ ଉପରେ ବସିଥିଲା । ମତେ ଡାକୁଥିଲା । କାହିଁ ଚାଲିତ ଗଲାଣି !

 

ତହିଁ ଆରଦିନ ଠିକ୍ ସେମିତିଆ ପୁଣିଥରେ ଘଟିଲା ! ପିଲାଟା ପୁଣିଥରେ ଗଛକୁ ଲକ୍ଷ୍ୟକରି ଡାକ ପକାଇଲା, “ସେଠି କାହିଁକି ସେମିତି ବସିଛୁ ଭାଇନା, ଆ ଖେଳିବା” । ପୁଣିଥରେ ସେ ପିଲା ବେହୋସ ହେଲା ଏବଂ ତାକୁ ଚେତ୍ କରାଗଲା ।

 

ସେତିକିରେ ସେ ରହସ୍ୟ ଶେଷ ହେଲା ନାହିଁ । ଦୁଇଦିନ ଛାଡ଼ି ଠିକ୍ ଏହିଭଳି ଘଟଣା ବାରମ୍ୱାର ଘଟିବାକୁ ଲାଗିଲା । ପିଲାଟା ଥରକୁ ଥର ବେହୋସ ହୋଇ ଅତ୍ୟନ୍ତ ଦୁର୍ବଳ ହୋଇଗଲା-। କ’ଣ କରିବେ ବୋଲି ବାପମା ବଡ଼ ଚିନ୍ତିତ ହୋଇ ପଡ଼ିଲେ । ବିଭିନ୍ନ ଗୁଣୀ ଗାରେଡ଼ି ମଧ୍ୟ କଲେ-। ଶେଷକୁ ଦେଖାଗଲା କାହିଁକି କେଜାଣି ଘଟଣାଟି ବନ୍ଦ ହୋଇଯାଇଛି । କେମିତି ବନ୍ଦ ହେଲା ଏବଂ କାହିଁକି ବନ୍ଦ ହେଲା, ସେ କଥା କହି ହେବ ନାହିଁ । ଛୋଟ ପିଲାଟିର ମାନସିକ ବିକୃତ ଘଟିଥିବାର କୌଣସି ପ୍ରମାଣ ମଧ୍ୟ ମିଳିଲା ନାହିଁ । କୌଣସି କାରଣ ମଧ୍ୟ ନଥିଲା । ତେବେ କ’ଣ ମୃତ୍ୟୁ ପରେ ବଡ଼ ପୁଅଟିର ପ୍ରେତାତ୍ମା ସାନ ଭାଇ ସହିତ ଖେଳିବାକୁ ଆସୁଥିଲା ? ସାନ ଛୁଆଟା ସେହି ସମୟରେ ଏକୁ ତାକୁ ଡାକି କହୁଥିଲା, “ହେଇ ପରା ଦେଖୁଛ, ଭାଇନା ସେଇଠି ବସିଛି, ମତେ ଡାକୁଚି । ତୁମେ କ’ଣ ତାକୁ କେହି ଦେଖିପାରୁନା ? ତା’ କଥା ଶୁଣି ପାରୁନା ?”

 

ଏ ଘଟଣା ପଛରେ ଯେଉଁ ସତ୍ୟଟି ନିହିତ ଅଛି, ତାହା ଉଦ୍‍ଘାଟନ କରି ଦେଖିବା ଲାଗି ଆଜି ଯାକେ କୌଣସି ଉପାୟ ଆବିଷ୍କୃତ ହୋଇ ପାରିନାହିଁ । ଲୋକେ ଆଜି ସେ ଘଟଣାକୁ ମିଥ୍ୟା ବୋଲି କହି ପାରନ୍ତି । କିନ୍ତୁ ଦିନ ଆସିବ, ଯେତେବେଳେ ତାହାକୁ ହିଁ ଭବିଷ୍ୟତର ବିଜ୍ଞାନ ସତ୍ୟ ବୋଲି ପ୍ରମାଣ କରି ଦେଇପାରିବ ।

 

ବାଆର

 

ମନ୍ଦର ପୁର ଗାଆଁର ଗୋଟିଏ ଘଟନା । ବାଜ ସୂତାର ଭଉଣୀ-ଘର ମଣିଜୋରି ଗାଁଆଁରେ । ମନ୍ଦର ପୁରଠାରୁ ବାର ଚଉଦ ମାଇଲ ବାଟ । ବାଜସୂତାର ଗରିବ ଲୋକ ଏବଂ ଭଉଣୀଟିର ଶାଶୁଘର ପୁଆଣିଘର ଡାକରା ଆସିଲା । ଦାନ ଯୌତୁକ ଓ ଭାର ବେଭାର ଦେବାକୁ ଶକ୍ତି ନାହିଁ, ଅଥଚ ଭଉଣୀଟିକୁ ଶାଶୁଘରେ ଛାଡ଼ି ଦେଇ ଆସିବାକୁ ହିଁ ହେବ । ତେଣୁ ବାଜ ନିଜେ ତାକୁ ନେଇ ତା’ ଶାଶୁଘର ଯାକେ ଗଲା । ବୋହୂ ପିଲାଟିକୁ ଘରକୁ ନେଇ ବାଜ ସୂତାର ପ୍ରତି ସେମାନେ ନିତାନ୍ତ ଅବଜ୍ଞା ଓ ତାଚ୍ଛିଲ୍ୟ ପ୍ରକାଶ କଲେ ମୁହଁସଞ୍ଜ ବେଳକୁ ବାଜ ମନ ଦୁଃଖରେ ଘରମୁହାଁ ଫେରିଲା । ପ୍ରଥମେ ପଡ଼ିଲା ନାଳ-ବନ୍ଧ ରାସ୍ତା । ରାସ୍ତାଉପରେ ଏକୁଟିଆ ଆସୁ ଆସୁ ଦେଖିଲା—ଅଦୂରରେ ଜଣେ ଲୋକ ଛତାଧରି ଆଗେ ଆଗେ ଚାଲିଚି । ତାର ଅସ୍ପଷ୍ଟ ଛାୟା—ରୂପ ଦେଖାଯାଉଚି । ସୂତାର ତା’ ପାଖକୁ ଲାଗିଯିବାକୁ ଯେତେ ଚେଷ୍ଟା କରୁଛି, ତେତେ ସେ ଦୂରେଇ ଯାଉଚି । ଏକୁଟିଆ ବାଟକୁ ସାଥି ଜଣେ ପାଇବ ବୋଲି ଯେତେ ଆଶା କରି ଧାଉଁଚି ସୂତାର, ତେତେ ସେ ଦୂରହୋଇ ଯାଉଚି । ଏକି ଅଦ୍ଭୂତ କଥା ? ଶେଷକୁ ସୂତାର ହତାଶ ହୋଇ ଆଗରେ ଦିଶୁଥିବା ଗାଁ ଭିତରକୁ ପଶିଲା ।

 

ସେ ଗାଁରେ ଦେଖିଲା ଜଣକ ଘରୁ ବର ଯାତ୍ରୀଏ ବରକୁ ଘେନି ଅନ୍ୟ କୌଣସି ଗ୍ରାମକୁ ବାହାରିବେ ବୋଲି ପେଟ୍ରୋମାକ୍‍ସ ଲାଇଟ ଗୁଡ଼ିକ ଜାଳୁଛନ୍ତି । ସୁବୁ ଜଳି ସରିଲାଣି, କାହିଁକି କେଜାଣି ଗୋଟାଏ ବତି ଜଳୁନାହିଁ । ବାଜ ସୂତାର ପାଖକୁ ଯାଇ କହିଲା—ଛାଡ଼, ମୁଁ ଲଗାଇ ଦେବି-। ଲୋକେ ପଚାରିଲେ—ତୁମେ କିଏ ? କେଉଁ ଆଡ଼େ ଯିବ ?

 

ସୂତାର ନିଜର ସବୁ ଦୁଃଖ କହିଗଲା । ଆଲୁଅଟାକୁ ସେ ଜାଳିଦେଲା ପରେ ବରପକ୍ଷର ଲୋକେ ତା’ ଉପରେ ସନ୍ତୁଷ୍ଟ ହୋଇ କିଛି ତାକୁ ଖାଇବାକୁ ଦେଲେ । ଖାଇ ସାରି ପାଣି ପିଇ ସୂତାର ପୁଣି ନିଜ ବାଟରେ ବାହାରି ପଡ଼ିଲା । ସେମାନେ କହିଲେ—“ହୁଏତ ଆମ ସାଥିରେ ଚାଲ, ନୋହିଲେ ଭୋର ପର୍ଯ୍ୟନ୍ତ ଏଇଠାରେ ଶୋଇ ପଡ଼ ।” ମାତ୍ର ସୂତାରର ମନ କୌଣସି କଥାରେ ରାଜି ହୋଇ ପାରିଲା ନାହିଁ । ତା’ ମନରେ ନିଆଁ ଲାଗି ଯାଇଚି । ସେ ଚାହେଁ ଘରେ ପହୁଞ୍ଚି ଆତ୍ମୀୟ ସ୍ୱଜନଙ୍କୁ ନିଜ କଥା ଗୁଡ଼ିକ କହି ମନଟାକୁ ହାଲୁକା କରାଇବ । ଏଣେ ଜହ୍ନ ଆଲୁଅ ବିଞ୍ଚିହୋଇ ପଡ଼ିଥାଏ । ତେଣୁ ସେ ସେମାନଙ୍କଠାରୁ ବିଦାୟ ନେଇ ନିଜ ବାଟରେ ଚାଲିବାକୁ ଆରମ୍ଭ କଲା । ଏ ଗାଁକୁ ଆସି ଏଗାଁକୁ ଛାଡ଼ିଗଲା ବେଳକୁ ପାୟ ଦୁଇ ଘଣ୍ଟା କାଳ ଅତିବାହିତ ହୋଇଯାଇଥାଏ ତାର-। ତଥାପି ଗାଁ–ଦାଣ୍ଡ ଛାଡ଼ି ନାଳ-ବନ୍ଧ ଉପରକୁ ଉଠିଲା ବେଳକୁ ବାଜ ଦେଖିଲା ସେଇ ଛତାଧରା ଲୋକଟି ତାରି ଆଗେ ଆଗେ ଚାଲିଚି, ଛତାଟାକୁ ଏପଟ ସେପଟ ଘୂରାଉଚି । ବାଟ ଓଗାଳି ଛିଡ଼ା ହେଉନାହିଁ କି ବାଟ ଛାଡ଼ି ଯାଉ ନାହିଁ । ଏ ଅଦ୍ଭୁତ କଥା ଦେଖି ବାଜର ମନ ବଦଳି ଗଲା । ଶେଷକୁ ସେ ନାଳ ବନ୍ଧରୁ ଗଡ଼ି ଗହୀର ଭିତରେ ବାଟ କାଟି ଚାଲିବାକୁ ଆରମ୍ଭ କଲା । ତାପରେ ପଡ଼ିଲା ଗହୀର-ଦଣ୍ଡା ଏବଂ ଦଣ୍ଡା କଡ଼େ କଡ଼େ କିଆହୁଡ଼ା । ହୁଡ଼ା ପାଖରେ ଠାଏ ଦେଖିଲା ଗୋଟାଏ ଘୁଷୁରି ସଡ଼ ସଡ଼ ହୋଇ ଚାଲିଛି । ନାଳ-ବନ୍ଧ ଛାଡ଼ି ଆସିଲା ବେଳୁ ଛତାଧରା ଲୋକଟା ଅଦୃଶ୍ୟ ହୋଇ ଯାଇଥାଏ । ଏଥର ଦେଖା ଦେଇଛି ଘୁଷୁରି । ବାଜ ଚାଲିଛି ଦଣ୍ଡାଏ ଦଣ୍ଡାଏ । ଘୁଷୁରିଟା ଚାଲିଛି କିଆ ହୁଡ଼ା କଡ଼େ କଡ଼େ । ଏହିଭଳି ଭାବେ ପ୍ରାୟ ମାଇଲିଏ ବାଟ କଟିଗଲା । ବାଜଟା ବଡ଼ ସାହାସୀ । ହେଲେବି ତା ଛାତିଟା ବେଳେ ବେଳେ ଦବି ଯାଉଥାଏ ।

 

କିଛି ବାଟ ଗଲାପରେ ଦେଖାଗଲା, ଘୁଷୁରିଟା ଆଉ ଦେଖାଯାଉ ନାହିଁ । ତା’ ପରିବର୍ତ୍ତେ ଗୋଟାଏ ଷଣ୍ଢ ଆଗକୁ ମାଡ଼ି ଚାଲିଚି । ଚାଲିଚି କିଆ ହୁଡ଼ା କଡ଼େ କଡ଼େ ଏବଂ ବାଜର ଚାଲି ସହିତ ମମତା ରକ୍ଷା କରି କରି । ବାଜ ଠାଏ ଠିଆ ହୋଇଗଲା । ତେବେବି ରକ୍ଷା ନାହିଁ । ବାଟର ଦି କଡ଼ରେ ଥିବା ଦୁଇଟା ଝଙ୍କାଳିଆ ଗଛ ସତେକି ତା ଉପରକୁ ଢଳି ଆସୁଚନ୍ତି । ପର ମୁହୂର୍ତ୍ତରେ ତାଆରି ମୁଣ୍ଡଉପରେ ଓହଳି ପଡ଼ିବେ, ମାଡ଼ି ବସିବେ । ତେଣୁ ବାଜ ସାହସ ବାନ୍ଧି ଚାଲିବାକୁ ଆରମ୍ଭ କରିଦେଲା । ଖୁବ୍‍ ଜୋର ଜୋର ଚାଲିଲା । ଧଇଁ ସଇଁ ହୋଇ ଏକ ପ୍ରକାର ଦୌଡ଼ିବାକୁ ଆରମ୍ଭ କରି ଦେଲା । କିନ୍ତୁ ହାୟ ! ଇଏ କଅଣ ? ଦେଖିଲା ଅଦ୍ଭୂତ ଭାବେ ଲମ୍ବା ଲୋକଟାଏ ଦଣ୍ଡା ଉପରେ ଲମ୍ବା ହୋଇ ଶୋଇ ରହିଚି । ମୋଟା ମୋଟା ଗୋଡ଼ ଦିଇଟା ଏବଂ ଉଚ୍ଚା ପେଟଟା ସ୍ପଷ୍ଟ ଭାବେ ଦେଖା ଯାଉଚି । ଗୋଡ଼ର ବୁଢ଼ା ଆଙ୍ଗୁଠି ଦୁଇଟାକୁ ସେ ହଲାଉଚି । ବାଜ ଚମକି ପଡ଼ି ଠିଆ ହୋଇଗଲା । ଠିଆ ହୋଇ କଟମଟ କରି ଚାହିଁଲା । ଚାହିଁ ଚାହିଁ ଦେଖିଲା । ଦେଖିଲା–ଯାହା ସେ ଦେଖୁଚି, ତାହା ସେ ସୁସ୍ପଷ୍ଟ ଭାବେ ଦେଖୁଚି । ସ୍ୱପ୍ନ ନୁହେଁ କି ମତିଭ୍ରମ ନୁହେଁ-। ବାଜ ଆଉ ଆଗେଇ ପାରିଲା ନାହିଁ । ଛତାଟାକୁ ଭରାଦେଇ ଡାହାଣ କଡ଼କୁ ଥିବା କିଆ ହୁଡ଼ାର ଟିକିଏ ଫାଙ୍କ ସ୍ଥାନ ଦେଖି ଆରପଟକୁ ଡେଇଁ ପଡ଼ିଲା । ଗହୀର ବିଲ ଭିତର ଦେଇ ଆଗକୁ ଏକ ପ୍ରକାର ଦୌଡ଼ି ଯିବାକୁ ଆରମ୍ଭ କଲା । ବାଁକଡ଼ କିଆ-ହୁଡ଼ା ଓ ଦଣ୍ଡା ଭିତରେ ପଛେଇ ରହିଗଲା—ଶୋଇଥିବା ଲମ୍ବା ମଣିଷଟା । ତେଣିକି ଭୁଲରେ ସୁଦ୍ଧା ଆଖି ନ ବୁଲାଇ ବାଜ ସୂତାରେ ଧଇଁ ସଇଁ ହୋଇ ଆଗକୁ ମାଡ଼ି ଚାଲିଲା । ଦଣ୍ଡା ବାଟେ ଅଳ୍ପ ଦୂର ଯାଇଥିଲେ ଓଳକଣା ଗ୍ରାମରେ ସେ ପହୁଞ୍ଚି ପାରି ଥାଆନ୍ତା । ମାତ୍ର ବାଟ-ବାଉଳା ହୋଇ ପ୍ରାଣ ମୂର୍ଚ୍ଛା । ଚାଲି ଚାଲି ରାତି ପ୍ରାୟ ତିନିଟା ବେଳକୁ ନଳିତିଗିରି ଗାଁଆର ଗୋଟିଏ ବାଉଁଶ ବଣ ଭିତରେ ପହୁଞ୍ଚିଲା । ବାଁକଡ଼ ଛାଇ ଭିତରୁ କିଏ ହାଙ୍କି ଦେଲା—କିଏରେ ତୁ ? ଭୂତ ନା ପ୍ରେତ ?

 

ବାଜର ସାରା ଦିହ ଥର ଥର ହୋଇ ଥରି ଉଠିଲା । ଭାବିଲା—ମୁଁ’ତ ନିଜେ ମଣିଷ ଟାଏ-। ଏ ଲୋକଟା ପୁଣି କିଏ ? ଭୂତ ନା ପ୍ରେତ ।

 

ଛାଇ ଆଡ଼ୁ ଅସ୍ପଷ୍ଟ ରୂପଟା ପାଖକୁ ମାଡ଼ି ମାଡ଼ି ଆସୁଛି ଏବଂ ହାଙ୍କୁଚି–କିଏରେ ତୁ ?

 

ବାଜ କଥା କହି ନ ପାରି କେବଳ ଜବାବ ଦଉଚି—ହୁଁ, ମୁଁ ।

 

ସାମନା ସାମନି ଠିଆହେଲା ଛାଇଟା । ପଚାରିଲା—ହୁଁ, ମୁଁ ? ତୁ କିଏ ରେ ?

 

ବାଜର ପାଟି ଖନିମାରି ଯାଉଥାଏ । ଜବାବରେ କହିଲା–ମୁଁ, ମୁଁ, ମୁଁ,ମୁଁ, –ବାଜ ସୂତାର-

 

ପାଖ ଆଖ ଗାଁରେ ରାଜ–ମିସ୍ତ୍ରୀ ବାଜ ସୂତାରକୁ ଲୋକେ ଚିହ୍ନନ୍ତି । ଛାୟା ମୂର୍ତ୍ତିଟି ଆଗକୁ ମାଡ଼ିଆସି ବାଜର ହାତଟାକୁ ଧରି ପକାଇ କହିଲା–ଏତେ ରାତିରେ ବାଜ, ତୁ କୁଆଡ଼େ ଆସିଲୁରେ ?

 

ବାଜ ! ଆଉ ବାଜ ! ତା ଚେତା ବୁଡ଼ି ଆସୁଚି ସେତେ ବେଳକୁ । ଭୂତଟା ତାକୁ ଧରି ପକାଇଲାଣି । ସେ ଥର ଥର ଥରି ଥରି ପଡ଼ିଯିବା ଉପରେ । ଛାଇ-ମୂର୍ତ୍ତିଟା କହି ଉଠିଲା–ଡରନାରେ ବାଜ; ମୁଁ ମନୁମିଆଁ । ତୁମ ଗାଁକୁ ବେପାର କରିଯାଏଁ ପରା । ମତେ ତୁ ଚିହ୍ନି ପାରୁ ନାହିଁ-?

 

ପ୍ରାଣ ପଶିଲା । ମନୁ ମିଆଁକୁ ବାଜ କୁଣ୍ଢେଇ ପକେଇଲା । ଏତେ ରାତିରେ ମନୁମିଆଁ ନିଜର ବାଉଁଶ ବଣ ଭିତରେ ଝାଡ଼ା ଫେରୁଥିଲା, ଛଞ୍ଚେଇ ପାରି ନାହିଁ । ବାଜିଆ ଆସି ଏ ବଣ ଭିତରେ ପଶିଲାରୁ ମିଆଁ–ପୁଅ ଡ଼ରି ହରି ଛାନିଆ ହୋଇ ଯାଇଚି । ତାକୁ ପୁଣି କୁଣ୍ଢେଇ ପକାଇଲାଣି ବାଜିଆ । ଦିହେଁଯାକ ଭିଡ଼ା ଓଟରା ହୋଇ ଦାଣ୍ଡ ପିଣ୍ଡାକୁ ଆସିଲେ । ମନୁମିଆଁ ଡାକ ପକାଇଲା ବିବିକି ତାର—ପାଣିଆଣ । ଇଏ ଛଞ୍ଚେଇବ ବୋଲି ବିବି ପାଣି ଢାଳେ ଆଣି ପିଣ୍ଡା ଉପରେ ଥୋଇବ କଅଣ, ସ୍ୱାମୀ ପାଖରେ ଲୋକଟାକୁ ଦେଖି—“ବାପରେ” ବୋଲି ଚିତ୍କାର ଛାଡ଼ି ଘର ଭିତରକୁ ପଳାଇଗଲା । ମନୁମିଆଁ ଛଞ୍ଚେଇ ହବ କଅଣ ? ବାଜିଆ ଆଗ ସେ ଢାଳଟାକୁ ନେଇ ମୁହଁ ପାଖକୁ ଉଠାଇ ଢକ ଢକ ହୋଇ ପାଣିତକ ପିଇଗଲା । ତା’ ପରେ କହିଲା—ଆହେ ! ବଞ୍ଚିଗଲି ଚଚ୍ଚା । ଆଜିକା ପାଇଁ ବଞ୍ଚିଗଲି ।

 

ତା’ ପରେ ମନୁମିଆଁ ଆଗରେ ସେ ରାତିର ସବୁ ଘଟନାକୁ ବର୍ଣ୍ଣନା କରିଗଲା । ସେଇଠି ପ୍ରାୟ ରାତି ଭୋର ହୋଇଗଲା । ସକାଳ ହେଲାରୁ ମନୁମିଆଁକୁ ସାଙ୍ଗରେ ଧରି ବାଜ ଆସିଲା ଓଳକଣା ଯାକେ । ସେଠି ତା’ ନାନୀଘର । କିଛି ସମୟ ବିଶ୍ରାମ ନେଇ ସେଠୁଁ ଆସିଲା ଖଡ଼ିଆରି ଗାଁ ଯାକେ । ଏଠି ତା’ ଶଶୁର ଘର । ଆଉ ତା’ ହାତ ଗୋଡ଼ ଚଳୁନାହିଁ । ତାର ପାଣି ପରି ଗୋଟାଏ ଝାଡ଼ା ହୋଇଗଲା । ଘର ସେଠୁ ଦୂଇ ମାଇଲ ରାସ୍ତା । ଶଶୁର ଘରୁ ଗାଡ଼ି କରି ଗାଁକୁ ଆସି ବେମାର ପଡ଼ିଲା । ବେମାର ବୋଇଲେ ରକ୍ତ ଝାଡ଼ା । ଲାଗିରହିଲା ଛଅ ସାତ ମାସ ଯାକେ । ସାଲେପୁର ଡାକ୍ତରଙ୍କ ପାଖରେ ବହୁ ଦିନ ଧରି ଚିକିତ୍ସା କଲା ପରେ, ସେ ସାତ ମାସ ବାଧିକା ପଡ଼ିସାରି ଭଲ ହେଲା ।

 

ସେ ବଞ୍ଚିଲା । କିନ୍ତୁ ଆଜିସୁଦ୍ଧା ସେଦିନ ରାତିର କୌଣସି କଥାକୁ ସେ ପାସୋରି ଦେଇ ପାରିନାହିଁ । ଭଉଣୀ ଘରକୁ ଆଉ ସେ କେବେହେଁ ଯାଇନାହିଁ । ସେଦିନ ରାତିରେ ସେ ଛତା ବାଲାକୁ ଦେଖିଚି, ଘୁଷୁରି ଓ ଷଣ୍ଢକୁ ଦେଖିଚି । ଲମ୍ବ ହୋଇ ଶୋଇଥିବା ଲୋକଟାକୁ ମଧ୍ୟ ଦେଖିଚି-। ଆଉ ଦେଖିଚି ବାଉଁଶ ବଣ ଭିତରେ ମନୁମିଆଁକୁ । ସମସ୍ତେ ତାକୁ ଭୂତପରି ଦେଖା ଦେଇଚନ୍ତି । କିନ୍ତୁ ଭଉଣୀର ଶାଶୁଘରର ଲୋକେ ସେମାନଙ୍କଠାରୁ ବଡ଼ ଭୂତ ବୋଲି ସେ ମନେ କରି ଦୁଆର ମାଡ଼ୁ ନାହିଁ ଆଜିଯାକେ ।

 

ତେର

 

ଅବସର ନେବାକୁ ଆଉ ଚାରି ପାଞ୍ଚ ବର୍ଷ ବାକି ଥାଏ । ଶ୍ରୀଯୁକ୍ତ ଚାଟାର୍ଜୀ ବିହାର ଅନ୍ତର୍ଗତ ଗୋଟିଏ ଜିଲ୍ଲାର କଲେକ୍ଟର ରୂପେ କାମ କରୁ ଥାଆନ୍ତି । ଅନେକ ଦିନରୁ ତାଙ୍କର ସ୍ତ୍ରୀ-ବିୟୋଗ ଘଟିଥାଏ । ଏକ ମାତ୍ର ପୁତ୍ର ଏମ୍‍.ଏ. ପାସ୍‍ ପରେ ତତ୍‍କାଳୀନ ଇଂରେଜ ସରକାରଙ୍କ ନୌବାହିନୀ ବିଭାଗରେ ନେଭି ଅଫିସର ରୂପେ କାମ କରୁ ଥାଆନ୍ତି । ତେତେବେଳେ ଦ୍ୱିତୀୟ ମହାସମର ଚାଲିଥାଏ । ତେଣେ ଜର୍ମାନ ଏବଂ ଏଣେ ଜାପାନ ଇଂରେଜମାନଙ୍କ ବିରୁଦ୍ଧରେ ଜଳ ସ୍ଥଳ ଆକାଶ ସବୁ ଦିଗରେ ଆକ୍ରମଣ ଚଳାଇ ଥାଆନ୍ତି । ହିଟଲରଙ୍କ ହୁଙ୍କାରରେ ପୃଥିବୀର ଜନତା ଥରହର ହେଉ ଥାଆନ୍ତି । ଶ୍ରୀଯୁକ୍ତ ଚାଟାର୍ଜୀଙ୍କ ପୁତ୍ର ନେଭି ଅଫିସରଙ୍କୁ ଶ୍ରୀମାନ ଚାଟାର୍ଜୀ ବୋଲି ନାମ ଦେଇ ଏ ଲେଖାଟି ଶେଷ କରିବି ।

 

ଶ୍ରୀମାନ ଚାଟାର୍ଜୀଙ୍କ ଶରୀର ସୁସ୍ପଷ୍ଟ, ବଳିଷ୍ଟ ଏବଂ ସୁଦୀର୍ଘ । ବୁଦ୍ଧିରେ ସେ ଅତ୍ୟନ୍ତ ପ୍ରତ୍ୟୁତ୍ପନ୍ନମତି ଥିବାରୁ ଖଣ୍ଡିଏ ଅନୁସନ୍ଧାନକାରୀ ଇଂରେଜ ଯୁଦ୍ଧ-ଜାହାଜରେ ତାଙ୍କୁ ସର୍ବୋଚ୍ଚ ନୌଯୁଦ୍ଧ ବିଶାରଦ ଅଫିସର ରୂପେ ନିଯୁକ୍ତ କରାଯାଇଥାଏ । ନୌଯୁଦ୍ଧ ନିପୁଣ ସୈନ୍ୟଦଳଙ୍କୁ ଘେନି ସେ ତାଙ୍କର ଜାହାଜ ଖଣ୍ଡିକୁ ଧରି ବଙ୍ଗୋପସାଗର ଏବଂ ଆରବ ସାଗର ମଧ୍ୟରେ ଏଣେ ତେଣେ ବିଚରଣ କରୁଥାଆନ୍ତି । ତାଙ୍କର କାମ ଥାଏ—ଜାପାନୀ ବୁଡ଼ା ଜାହାଜର ଗତିବିଧି ଲକ୍ଷ୍ୟକରି ଆକ୍ରମଣ କରିବା । ଜାପାନୀମାନେ ଛୋଟ ଛୋଟ ବୁଡ଼ା-ଜାହାଜରେ ସମୁଦ୍ର ପାଣି ତଳେ ବୁଡ଼ି ବୁଡ଼ି ଭାରତ ମହାସାଗର ସାରା ବୁଲୁ ଥାଆନ୍ତି ଏବଂ ଇଂରେଜ ଜାହାଜ ଦେଖିଲେ ପାଣିତଳୁ ଟର୍ପେଡୋ ଆଦି ଯନ୍ତ୍ର-ଚାଳିତ ମାରଣାସ୍ତ୍ର ଫିଙ୍ଗି ଶତ୍ରୁ ପକ୍ଷର ବଡ଼ ଛୋଟ ଜାହାଜ ଗୁଡ଼ିକୁ ଭାଙ୍ଗି ଦେଉଥାଆନ୍ତି । ବୁଡ଼ା ଜାହାଜ ଗଭୀର-ପାଣି ତଳେ ବୁଡ଼ି ବୁଡ଼ି ଚାଲୁଥାଏ । ଉପରକୁ ଅତି ଛୋଟ ଯନ୍ତ୍ରଟିଏ ଭାସୁଥାଏ । ସେହି ଯନ୍ତ୍ରଦ୍ୱାରା ପାଣି ଉପରର ଚତୁର୍ଦିଗାଚିତ୍ର ବୁଡ଼ା-ଜାହାଜ ଭିତରେ ଥିବା ଯନ୍ତ୍ର ଦର୍ପଣରେ ପରିଷ୍କାର ଭାବେ ଫୁଟି ଦିଶୁଥାଏ । ସେଇ ଚିତ୍ର ଦେଖି ବୁଡ଼ାଜାହାଜ ଚାଳକ ପାଣି ଉପରେ ଭାସୁଥିବା ବଡ଼ ବଡ଼ ଜାହାଜ ତଳକୁ ନିଜ ବୁଡ଼ାଜାହାଜଟିକୁ ଗତି କରାଇ ଆଣେ ଏବଂ ସେହି ଅବସ୍ଥାରେ ପାଣିତଳୁ ଟର୍ପେଡୋ ଆକ୍ରମଣ କରାଯାଏ । ଉପର ଜାହାଜର ତଳି କିମ୍ବା କଡ଼ପଟ ହେଉ ଫାଟି କଣା ହୋଇଯାଏ । ପାଣି ପଶିଗଲେ ଜାହାଜର ଲୋକେ ନିତାନ୍ତ ନିରାଶ୍ରୟ ଭାବେ ସାଗର ବକ୍ଷରେ ଭାସି ବୁଡ଼ି ମରନ୍ତି ।

 

ଶ୍ରୀମାନ ଚାଟାର୍ଜୀଙ୍କ କାମଥାଏ ଏହି ଭଳି ଭାବେ ପାଣି ତଳେ ତଳେ ଗତି କରୁଥିବା ବୁଡ଼ାଜାହାଜର ଗତି-ବିଧି ପ୍ରତି ଲକ୍ଷ୍ୟ ରଖିବା । ତଳେ ତଳେ ବୁଡ଼ି ବୁଡ଼ି ଚାଲୁଥିଲା ବେଳେ ବୁଡ଼ା ଜାହାଜର ଇଞ୍ଜିନ-ଘରୁ ଉଠୁଥିବା ବାଷ୍ପ ସମୁଦ୍ର ପାଣିର ଉପର ପତ୍ତନକୁ ଉଠିଲା ବେଳକୁ ଭୁଟୁ ଭୁଟୁ ହୋଇ ଜଳ ବୁଦ୍‍ବୁଦ୍‍ ସୃଷ୍ଟି କରି ଚାଲିଥାଏ, ଏବଂ ତଳେ ଗତି କରୁଥିବାରୁ ପାଣି ପତ୍ତନ ଉପରେ ଉଚ୍ଚ ଲହଡ଼ାଟିଏ ଜଣା ପଡ଼ି ଯାଉଥାଏ ।

 

ଏହିଭଳି ଭାବେ ବୁଡ଼ା ଜାହାଜ ଖଣ୍ଡିକର ଗତି ନିରୂପଣ କରି ଶ୍ରୀମାନ ଚାଟାର୍ଜୀଙ୍କ ଯୁଦ୍ଧ ଜାହାଜଟି ଜୀବନମୂଚ୍ଛା ତାହାରି ଉପରକୁ ଗତି କରିଯାଏ, ଏବଂ ଜାହାଜ ଉପରୁ ଅତି ଅଳ୍ପ ସମୟ ମଧ୍ୟରେ ଓଜନିଆ ବୋମାଟିଏ ଠିକ୍ ବୁଡ଼ା ଜାହାଜ ଉପରକୁ ଫିଙ୍ଗି ଦିଆଯାଏ । ସେ ବୋମା ବୁଡ଼ାଜାହାଜ ଉପରେ ଆଘାତ କରି ତାକୁ ଭାଙ୍ଗିଦିଏ । ତଳୁ ଟର୍ପୋଡୋ ଉପର ଆଡ଼କୁ ଗତି କରି ଆସିବାକୁ ଟିକେ ବିଳମ୍ବ ହୁଏ । ବୋମା ଫିଙ୍ଗିବା ଏବଂ ଟର୍ପୋଡୋ ତଳୁ ଉପରକୁ ନିକ୍ଷେପ କରିବା ଭିତରେ ଯେଉଁ ସାମାନ୍ୟ ଟିକିଏ ସମୟର ବ୍ୟବଧାନ ଥାଏ, ତାହାରି ଭିତରେ ଉପର ଜାହାଜଟି ତୀର-ବେଗରେ ଦୂରେଇ ନଗଲେ ସର୍ବନାଶ । ପୁଣି ଉପରେ ଥିବା ଓଜନଦାର ବୋମାଟିର ଓଜନ ପ୍ରାୟ ତିନି ମହଣ ହେବ । ତାକୁ ଅତି ଯତ୍ନରେ ଜାହାଜର ନିରାପଦ ସ୍ଥାନରେ ରଖାଯାଇଥାଏ । ଜାହାଜର ଧାର ପର୍ଯ୍ୟନ୍ତ ତାକୁ ଟେକି ନେଇ ସାବଧାନତା ସହିତ ପାଣି ତଳକୁ ଫିଙ୍ଗିବା ଲାଗି ଛୋଟ କ୍ରେନ୍‍ଟିଏ ରଖାଯାଇଥାଏ । ମନୁଷ୍ୟ ଏକୁ ହାତରେ ଉଠାଇ ନେଇ ପାରିବା କଠିନ କଥା; ଆଉ ମଧ୍ୟ ନେଉ ନେଉ ହାତରୁ ଖସି ପଡ଼ିବାର ଭୟ ମଧ୍ୟ ଅଛି । ସାମାନ୍ୟ ଟିକିଏ ଅସାବଧାନତାବଶତଃ ଜାହାଜ ଉପରେ ଠୁକର ବାଜିଲେ ସେ ବୋମା ସେହିଠାରେ ଫୁଟିଯିବ ଏବଂ ସମସ୍ତ ଜାହାଜଟିକୁ ବିଧ୍ୱସ୍ତ କରିଦେବ । ଏହିଭଳି ଏକ ଗୁରୁଦାୟିତ୍ୱ ବହନ କରି ନେଭି ଅଫିସର ଶ୍ରୀମାନ ଚାଟାର୍ଜୀ ଜୀବନକୁ ପାଣି ଛଡ଼ାଇ ଯାପାନୀ ବୁଡ଼ାଜାହାଜର ପଛରେ ଧାଇଁ ଥାଆନ୍ତି । ଶ୍ରୀମାନ ଚାଟାର୍ଜୀ, ଆଇ: ଇ: ଏସ୍‍: ଅଫିସରଙ୍କର ଏକୋଇର ବାଳା ବିଶିକେଶନ ।

 

ଏମିତି କେତେ ମାସ ସେ ଏଣେ ତେଣେ ବୁଲିଲେ । କେତେ ସେ ବୁଡ଼ା-ଜାହାଜ ଦେଖିଲେ । କେତେଟାକୁ ସେ ଭାଙ୍ଗିଚନ୍ତି, କେତୁଟାବି ପଳାଇ ଯାଇଚନ୍ତି । କେତେଟା ମଧ୍ୟ ଆକ୍ରମଣ କରିଛନ୍ତି ଯେ ଶ୍ରୀମାନ ଚାଟାର୍ଜୀ ନିଜର ଅଦମ୍ୟ ଉତ୍ସାହ ଓ ସାହାସିକତା ବଳରେ ନିଜ ଜାହାଜଟିକୁ ତୀର ବେଗରେ ଦୂରେଇ ନେଇ ନିଜକୁ ଏବଂ ଅଧୀନସ୍ଥ ନାବିକ ଯୋଦ୍ଧାମାନଙ୍କୁ ରକ୍ଷା କରି ନେଇଚନ୍ତି । ହଠାତ୍ ଦିନେ ଅତି ଶଙ୍କଟଜନକ ପରିସ୍ଥିତିରେ ସେ ପୂରାପୂରି କିଂକର୍ତ୍ତବ୍ୟବିମୂଢ଼ ହୋଇପଡ଼ିଲେ । ତଳେ ତଳେ ଗତି କରି ଆସୁଥିବା ଶତ୍ରୁପକ୍ଷୀୟ ବୁଡ଼ା-ଜାହାଜଟି ଉପରକୁ ଚଢ଼ାଉ କରି ଯାଇଚନ୍ତି, ଏଣେ ବୋମା ଉତ୍ତୋଳନକାରୀ କ୍ରେନ ଖଣ୍ଡିକ ବ୍ୟବହାର କଲାବେଳକୁ ଜଣା ପଡ଼ିଲା—ଅଚଳ ହୋଇ ଯାଇଚି ।

 

ଟିକିଏ ବିଳମ୍ବ କଲେ ତଳୁ ଟର୍ପୋଡୋ ମାଡ଼ରେ ନିଜ ଜାହାଜ ଖଣ୍ଡିକ ଖଣ୍ଡ ବିଖଣ୍ଡ ହୋଇଯିବ । ସମସ୍ତେ ଅତି ହତାଶ ଭାବରେ ଭଗବାନଙ୍କୁ ଡାକିବାକୁ ଆରମ୍ଭ କରି ଦେଲେଣି । ଜାହାଜ ଚାଳକଟି ଇଞ୍ଜିନ-ଘରେ ବସି ଇଞ୍ଜିନଟାକୁ ରୋକି ଦେଇଛି । ଉପରୁ ନିର୍ଦ୍ଦେଶ ନପାଇଲେ ଆଗକୁ ସେ ଚଳାଇ ନେଇ ପାରୁନାହିଁ । କାପ୍‍ଟେନ କିଛି ଆଦେଶ ଦେଇ ପାରୁ ନାହାନ୍ତି । ଶ୍ରୀମାନ ଚାଟାର୍ଜୀ କ୍ରେନ ପାଖକୁ ଧାଇଁଚନ୍ତି । ଜାହାଜରେ ହା ହା କାର ପଡ଼ିଗଲାଣି । ତଳେ ଥାଇ ଶତ୍ରୁର ବୁଡ଼ା-ଜାହାଜଟା ଗତିକରି ପଳାଇ ଯାଉନାହିଁ ମଧ୍ୟ । କ୍ରେନ ଯନ୍ତ୍ରଟା ସମ୍ପୂର୍ଣ୍ଣ ଅଚଳ । ବୋମାଟାକୁ ଟେକି ନେବାକୁ କେହି ସାହାସ କରୁ ନାହାନ୍ତି । “ଗାଈକି ମାଇଲେ ମଲି, ଗାଈ ମାଇଲେ ମଲି,” ଏହିଭଳି ଅବସ୍ଥାରେ ପଡ଼ି ଶ୍ରୀମାନ ଚାଟାର୍ଜୀ କାହାରିକ ଅପେକ୍ଷା ନକରି ନିଜେ ବୋମା ପାଖକୁ ଧାଇଁଗଲେ । ବଳିଷ୍ଠ ବାହୁ ଦୁଇଟି ବଢ଼ାଇ ସେତେବଡ଼ ଓଜନିଆ ବୋମାଟିକି ଉପରକୁ ଉଠାଇ ଧାର ଯାକେ ଏକୁଟିଆ ଧାଇଁଲେ । ମନ ଭିତରେ ଥାଏ ଏକମାତ୍ର ସାହସ ଓ ଭରସା–ଜୀବନ ମରଣ ପରୀକ୍ଷାର ଶେଷ ମୂହୁର୍ତ୍ତରେ ସାହାସ ଅବଲମ୍ବନ କରିବା ଛଡ଼ା ଅନ୍ୟ ଗତି କିଛି ନାହିଁ । ସୈନ୍ୟଦଳ ମଧ୍ୟରେ ଯେଭଳି ଆତଙ୍କ ଓ ବିଶୃଙ୍ଖଳତା ଦେଖା ଦେଲାଣି ଏ ପରିସ୍ଥିତିରେ ସେମାନଙ୍କ ସାହାଯ୍ୟ ଘେନି ବୋମା ଉତ୍ତୋଳନ କରି ନେଲା ବେଳକୁ ନିଶ୍ଚୟ କାହାରି ଅସାବଧାନତା ଘଟିବ ଏବଂ ବୋମାଟି ହାତରୁ ଖସିପଡ଼ି ସଂଘର୍ଷ ସୃଷ୍ଟି କରିବ । ଅତଏବେ ସମସ୍ତେ ମରିବେ—ଶତ୍ରୁର ବିନା ଆକ୍ରମଣରେ ମଧ୍ୟ । ତେଣୁ ସେ ଏକାକୀ ଉକ୍ତ ବୋମାଟିକୁ ଜାହାଜର ଧାର ଯାକେ କଷ୍ଟେ ମଷ୍ଟେ ବହି ନେଇ ବୁଡ଼ା ଜାହାଜର ଭୁଟିକୁ ଲକ୍ଷ୍ୟ କରି ଅସୀମ ସାହସିକତାର ସହିତ ପାଣି ଭିତରକୁ ଫିଙ୍ଗିଦେଲେ । ତା’ ପରେ ଇଞ୍ଜିନ-ଚାଳକକୁ ଆଦେଶ ଦେଲେ—ଚଲାଓ ।

 

ଜାହାଜଟି ତୀରବେଗରେ ଆଗକୁ ମାଡ଼ି ଚାଲିଲା । ସମସ୍ତ ସୈନ୍ୟ ଓ ନାବିକ ଭଗବାନଙ୍କ ନାମରେ ଚିତ୍କାର କରିଉଠିଲେ ।

 

ତଳେ ଥିବା ଯାପାନୀ ବୁଡ଼ା–ଜାହାଜଟି ଟର୍ପେଡା ମାରିବାକୁ ବେଳ ପାଇ ପାରିଲା ନାହିଁ-। ହଠାତ୍ ଉପରୁ ଆସି ମାଡ଼ ବାଜିଲା ଏବଂ ତାଙ୍କ ଜାହଜଟି ଖଣ୍ଡ ବିଖଣ୍ଡ ହୋଇ ଫାଟିଗଲା । ପାଣି ଉପରକୁ ଭାସି ଉଠିଲେ ଏଗାର ଜଣ ଯାପାନୀ ନୌଯୋଦ୍ଧା । ସେମାନଙ୍କୁ ପାଣି ଉପରୁ ଉଦ୍ଧାର କରି ଆଣି ଶ୍ରୀମାନ ଚାଟାର୍ଜୀ ବନ୍ଦୀ କଲେ । ତହିଁ ମଧ୍ୟରେ ଥାଆନ୍ତି ଜଣେ ଅଫିସର । ବିଶୁଦ୍ଧ ଇଂରାଜୀ ଭାଷାରେ ଶ୍ରୀମାନ ଚାଟର୍ଜୀଙ୍କୁ ସେ କହିଲେ—ସାଲ୍ୟୁଟ ଯୁବକ, ଆଜି ଆମେ ତୁମ ନିକଟରେ ବନ୍ଦୀ । ପାଣିରେ ବୁଡ଼ି ମରି ଥାଆନ୍ତୁ, ବନ୍ଦୀ ରୂପେ ହେଉନା କାହିଁକି ତୁମେ ଆମକୁ ରକ୍ଷାକରିଚ, ସେଥିଲାଗି ଧନ୍ୟବାଦ ଜଣାଉଚୁଁ । କିନ୍ତୁ ହାୟ ତୁମର ଜୀବନଟି ସମ୍ପୂର୍ଣ୍ଣ ଭାବେ ସଙ୍କଟାପନ୍ନ ବୋଲି ଜାଣିବ । ଆଜିଠାରୁ ଠିକ୍ ସାତ ଦିନ ଦିନ ତୁମେ ନିଶ୍ଚୟ ମରିଯିବ ।

 

“ମୁଁ ମରିଯିବି ମିଷ୍ଟର ବନ୍ଦୀ ! ହସ ମାଡ଼ୁଚି ତୁମ କଥାଟା ଶୁଣି । ଭାବିଚ ଏମିତି ଭାବେ ଭୟ ଦେଖାଇଲେ ମୁଁ ତୁମକୁ ଛାଡ଼ି ଦେବି ବୋଲି ? ସେ ଆଶା ସମ୍ପୂର୍ଣ୍ଣ ବୃଥା ବୋଲି ଜାଣିବ”—

 

ଶ୍ରୀମାନ ଚାଟାର୍ଜୀ ଏତିକି କହି ହୋ ହୋ ହୋଇ ହସି ଉଠିଲେ ।

 

ଜାପାନୀ ଅଫିସର ଉତ୍ତର ଦେଇ କହିଲେ—ଯୁବକ ବନ୍ଧୁ ! ଶତ୍ରୁ ହେଲେବି ତୁମେ ମୋ ପ୍ରାଣ ବଞ୍ଚାଇଚ । ସମୁଦ୍ର ପାଣି ଉପରେ ନିରାଶ୍ରୟ ଭାବେ ଭାସିବାକୁ ଛାଡ଼ିଦେଇଥିଲେ ଆମେ ଏଗାର ଜଣ ନିଶ୍ଚୟ ମରିଯାଇ ଥାଆନ୍ତୁ ଏବଂ ଶାଙ୍କୁଚ ମଗରଙ୍କ ଖାଦ୍ୟ ହୋଇଥାଆନ୍ତୁ । ଇଂରେଜ ସରକାର ଏବଂ ଜାପାନ ସରକାର ମଧ୍ୟରେ ଯୁଦ୍ଧ ଚାଲିଚି ସିନା । ତୁମେ ଭାରତୀୟ ଆମରତ ଶତ୍ରୁ ନୁହେଁ ! ଆମେ ଜାପାନ ସରକାର ପାଇଁ ଏବଂ ତୁମେ ଇଂରେଜ ସରାକାର ତରଫରୁ ଲଢ଼ିବାକୁ ବାହାରିଚ । ବୀରପରି ଲଢ଼ିବା ହେଲା ଆମର କର୍ତ୍ତବ୍ୟ । ବ୍ୟକ୍ତିଗତ ଭାବେ ତୁମ ମୋ ମଧ୍ୟରେ ଶତ୍ରୁତା ନାହିଁତ । ଆମ ବୁଡ଼ା ଜାହାଜ ମଧ୍ୟରେ ଜଣେ ପ୍ରେତ-ଚାଳକ ଗୁଣିଆ ସୈନ୍ୟ ଥିଲା । ତୁମ ଜାହାଜଟିକୁ ଦେଖିଲା ମାତ୍ରେ ସେ ତାର ମନ୍ତ୍ରବଳରେ ତୁମର ବୋମାବାହୀ କ୍ରେନ୍‍ଟିକୁ ଆଚଳ କରି ଦେଇଥିଲା । ତା’ ବିଦ୍ୟାର ପ୍ରମାଣ ଆମେ ଏଥି ପୂର୍ବରୁ ବହୁଥର ପାଇ ସାରିଥିଲୁ । ଆମେ ଆଶା କରି ନ ଥିଲୁଁ ଯେ ତୁମେ ଏକା ଏତେ ବଡ଼ ବୋମାଟାକୁ ଉଠାଇ ତଳକୁ ଫିଙ୍ଗିଦେଇ ପାରିବ ବୋଲି-। ଆଶା କରିଥିଲୁ କ୍ରେନଟା ବନ୍ଦ ହୋଇଗଲା ପରେ ତୁମ ଲୋକଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି ହୋଇଯିବ ଏବଂ ଟର୍ପୋଡୋ ଛାଡ଼ିବାକୁ ଆମେ ସୁବିଧା ପାଇଯିବୁ । ମାତ୍ର ତୁମେ ଆଜି ଅସାଧ୍ୟ ସାଧନ କଲ, ଏବଂ ଏକୁଟିଆ ବୋମାଟିକୁ ଉଠାଇ ଫିଙ୍ଗି ଦେଇପାରିଲ । ପ୍ରାଣ ବିକଳରେ ଆମେ ଟର୍ପୋଡୋ ଛାଡ଼ିଚୁ ସତ, କିନ୍ତୁ ବିଳମ୍ବ ହୋଇଗଲା । ତୁମ ଜାହାଜଟା ତୀର-ବେଗରେ ଗତି କଲାରୁ ଆମେ ଲକ୍ଷ୍ୟଭ୍ରଷ୍ଟ ହୋଇଗଲୁ । ଆମେ ତେଣୁ ସମସ୍ତେ ଆଜି ଏଭଳି ଅବସ୍ଥାରେ ତୁମ ହାତରେ ବନ୍ଦୀ ହେଲୁଁ । ମାତ୍ର ଆମ ଗୁଣିଆ ସାଙ୍ଗଟି ବାହାରକୁ ବାହାରି ଆସି ନପାରି ସାଗର ତଳେ ସମାଧି ଲାଭକଲା । ଶେଷ ଦେଖାବେଳେ ସେ ଏତିକି ମାତ୍ର ମୋତେ କହିଯାଇଚି—ଯେଉଁ ପ୍ରେତକୁ ପଠାଇ ସେ ତୁମ କ୍ରେନଟିକୁ ଅଚଳ କରି ଦେଇଥିଲା, ତୁମେ ବୋମାଟିକୁ ଉଠାଇ ନେଲାବେଳକୁ ସେଇ ପ୍ରେତ ତୁମକୁ ଆକ୍ରମଣ କଲା । ତୁମେ ଆଜିଠାରୁ ସାତଟି ଦିନ ଦିନ ନିଶ୍ଚୟ ମରିଯିବ ଏଥିରେ ସନ୍ଦେହ ନାହିଁ । ଏ ପ୍ରେତ ଆକ୍ରମଣରୁ ତୁମକୁ ଉଦ୍ଧାର କରିଥିଲେ କରି ପାରି ଥାଆନ୍ତା ଏକମାତ୍ର ସେଇ ଜଣକ । ସେ କିନ୍ତୁ ଆଜି ଆରବ ସାଗରର ଅତଳ ଜଳ ତଳେ ଶେଷ ନିଶ୍ୱାସ ଛାଡ଼ି ଚାଲି ଯାଇଚି ।

 

ବନ୍ଦୀର କଥାଟା ଶ୍ରୀମାନ ଚାଟାର୍ଜୀଙ୍କର ବିଶ୍ୱାସ ହେଲା ନାହିଁ । ସେ ହସି ହସି କହି ଉଠିଲେବନ୍ଦୀ, ପାଗଳ ହୋଇଯାଇଚି ଏବଂ ପ୍ରଳାପ କରୁଚି ।

 

ବନ୍ଦୀ ଏଗାରଜଣଙ୍କୁ ଘେନି ବିଜୟୀ ଯୁଦ୍ଧ-ଜାହାଜ ଖଣ୍ଡିକ ବମ୍ବେ ଉପକୂଳ ଆଡ଼କୁ ଗତି କଲା । ମାତ୍ର ଘଟନାର ଚବିଶ ଘଣ୍ଟା ମଧ୍ୟରେ ଶ୍ରୀମାନ ଚାଟାର୍ଜୀଙ୍କୁ ଜ୍ୱର ଆକ୍ରମଣ କଲା । ଡାକ୍ତର କହିଲେ—କିଛି ନୁହେଁ, ଉତ୍ତେଜନା ଏବଂ କଠିନ ଶକ୍ତି ପ୍ରୟୋଗ ହେତୁଁ ଶରୀରରେ ପୀଡ଼ା ଜାତ ହେଲା ଏବଂ ଜ୍ୱର ଆସିଗଲା । ତିନି ମହଣର ବୋମା ଉତ୍ତୋଳନ ବଡ଼ ସହଜ କାମ ନୁହେଁ । ହାତ ଗୋଡ଼ ମାଂସପେଶୀ ଉପରେ ପ୍ରବଳ ଚାପ ପଡ଼ିଚି ଏବଂ ହୃତ୍‍ପିଣ୍ଡ, ଫୁସ୍‍ଫୁସ୍‍ ଓ ପଞ୍ଜରା ହାଡ଼ ଉପରେ ନିଶ୍ଚୟ ପ୍ରବଳ ବାଧା ଘଟିଚି ।

 

ସେ ଔଷଧ ଦେଲେ । କିନ୍ତୁ ଫଳ କିଛି ହେଲା ନାହିଁ । ଦେଢ଼ ଦିନ ପରେ ଜାହାଜଟି ଆସି ବମ୍ବେ ବନ୍ଦରରେ ଲାଗିଲା । ତେତେବେଳକୁ ଶ୍ରୀମାନ ଚାଟାର୍ଜୀଙ୍କ ଜ୍ୱର ପ୍ରବଳ ଆକାର ଧାରଣ କରିଥାଏ । ତାଙ୍କୁ ହାସପାତାଳକୁ ନିଆଯାଇ ବିଭିନ୍ନ ପରୀକ୍ଷା ପରେ ସୁଦକ୍ଷ ଚିକିତ୍ସକଙ୍କ ଦ୍ୱାରା ସାଧ୍ୟ ମତେ ଚିକିତ୍ସା କରାଗଲା । ମାତ୍ର କ୍ରମେ କ୍ରମେ ତାଙ୍କ ଅବସ୍ଥା ଗୁରୁତର ଆକାର ଧାରଣ କଲା-। ସେ କହିଲେ—ହେଇଟି ଶୁଣନ୍ତୁ ଡାକ୍ତର ବାବୁ, ଏ ଜ୍ୱର ସାଧାରଣ ଜ୍ୱର ନୁହେଁ । ମୋ ଭିତରେ ସତେକି ଗୋଟାଏ କିଛି ଅଦ୍ଭୂତ ଶକ୍ତି କାମ କରୁଚି । ଜାପାନୀ ଅଫିସର କହିଥିବା କଥାକୁ ମୁଁ ଧୀରେ ଧୀରେ ସତ ବୋଲି ମଣିବାକୁ ଆରମ୍ଭ କଲିଣି । ମୁଁ ଆଉ ମୋ ଭିତରେ ନାହିଁ । ନିଶ୍ଚୟ ମରିଯିବି । ଆପଣ ବାପାକୁ ଡାକନ୍ତୁ, ମୁଁ ଦେଖିବି, ତାଙ୍କଛଡ଼ା ଏ ସଂସାରରେ ମୋର ହୋଇ କେହି ଆଉ ନାହିଁ ।

 

ମିଲିଟାରି କାରବାର । ସଙ୍ଗେ ସଙ୍ଗେ ଖଣ୍ଡେ ଉଡ଼ାଜାହାଜ ପଠାଗଲା ଏବଂ ବେତାର ଯତ୍ନ ସାହାଯ୍ୟରେ ଶ୍ରୀଯୁକ୍ତ ଚାଟାର୍ଜୀଙ୍କ ନିକଟକୁ ଖବର ପଠାଗଲା । ଏକମାତ୍ର ପୁତ୍ରର ଏଭଳି ଦୁଃସମ୍ବାଦ ଶୁଣିପାରି ସଙ୍ଗେ ସଙ୍ଗେ ସେ ଛୁଟି ନେଇ ଉକ୍ତ ଉଡ଼ାଜାହାଜରେ ବମ୍ବେ ଆସି ପୁଅ ପାଖରେ ରହୁଞ୍ଚିଲେ । ବାପାଙ୍କୁ ପାଗଳ ପରି କୁଣ୍ଢାଇ ପକାଇ ଶ୍ରୀମାନ ଚାଟାର୍ଜୀ କହି ପକାଇଲେ ସବୁ କଥା–ଯାହା ଯାହା ଘଟି ଯାଇଚି ଏବଂ ଯାହା ଯାହା ଘଟୁଚି । —ବାପା,ମୁଁ ଆଉ ବଞ୍ଚି ପାରିବି ନାହିଁ । ଜାପାନୀ ଅଫିସର କହିଛନ୍ତି ସାତ ଦିନ । ଆଜି ହେଲା ପାଞ୍ଚଦିନ । ହୁଏତ ଆଉ ଦୁଇଟି ଦିନ ବାକୀ ରହିଲା ।

 

ବାପା ଦୀର୍ଘଶ୍ୱାସ ଛାଡ଼ି ସ୍ଥାନୀୟ ମିଲଟାରୀ ଅଫିସରଙ୍କୁ ଚାହିଁ କହିଲେ—ଦୟା କରି ଜାପାନୀ ଅଫିସରଙ୍କ ନିକଟକୁ ମୋତେ ନେଇ ଦେଖା କରାଇ ଦେଇପାରିବ କି ?

 

“ନିଶ୍ଚୟ-ନିଶ୍ଚୟ । ଆସନ୍ତୁ ମୋ ସାଥିରେ” ।

 

ଦୁହେଁଯାକ ବନ୍ଦୀ ନିକଟକୁ ଗଲେ । ସବୁ କଥା ଶୁଣି ଜାପାନୀ ବନ୍ଦୀ ଅଫିସର ସଜଳ ନୟନରେ ଶ୍ରୀଯୁକ୍ତ ଚାଟାର୍ଜୀଙ୍କ ହାତଟାକୁ ଧରି ପକାଇ କହି ଉଠିଲେ—ମୁଁ ବି ଆପଣଙ୍କ ତୁଲ୍ୟ ଏକମାତ୍ର ପୁତ୍ରର ପିତା । ପୁତ୍ର–ସ୍ନେହ କଅଣ ମୁଁ ନିଶ୍ଚୟ ଜାଣେ । କିନ୍ତୁ ମହାଶୟ, ମୋତେ କ୍ଷମା ଦିଅନ୍ତୁ । କିଛି କରି ପାରିବି ନାହିଁ । ଗୁଣିଆଟି ମରି ଯାଇଛି ଏବଂ କହି ଯାଇଛି ଶ୍ରୀମାନ ଚାଟାର୍ଜୀ ସାତ ଦିନ ଦିନ ନିଶ୍ଚୟ ଚାଲିଯିବେ ।

 

—ଚାଲିଯିବ ? ଠିକ୍ କହୁଚ ବନ୍ଧୁ ? ମୋ ପୁଅ ଚାଲିଯିବ ?

 

ବନ୍ଦୀର ହାତଟିକି ଧରି ପକାଇଛନ୍ତି ଶ୍ରୀଯୁକ୍ତ ଚାଟାର୍ଜୀ, ଏବଂ ଉଭୟେ କାନ୍ଦୁଚନ୍ତି । ରକ୍ତ ମାଂସର ଶରୀର ଉଭୟଙ୍କର । ପ୍ରାଣ ଉଭୟଙ୍କର ସମାନ ।

 

କିନ୍ତୁ ଉପାୟ ନାହିଁ । କୌଣସି ଉପାୟ ସତକୁ ସତ କିଛି ମାତ୍ର କାମ ଦେଲା ନାହିଁ । ଠିକ୍ ସାତ ଦିନ ଦିନ ଶ୍ରୀମାନ ଚାଟାର୍ଜୀ ଚିରଦିନ ପାଇଁ ଆଖି ବୁଜିଲେ । ପାଗଳ ପରି ବାପା ତାଙ୍କର ତଳେ ଲୁଟି ପଡ଼ିଲେ । ସ୍ୱତନ୍ତ୍ର ଏକ ଉଡ଼ାଜାହାଜରେ ପୁଅର ଶବ ଏବଂ ବାପାଙ୍କୁ ଘେନି କେତେ ଜଣ ମିଲଟାରୀ ଅଫିସର ପାଟନାରେ ଥିବା ତାଙ୍କ ଘର ଯାକେ ଆଣି ଛାଡ଼ିଲେ । ଶବ-ସଂସ୍କାର ଓ ଅନ୍ତେଷ୍ଟି କ୍ରିୟା ବଢ଼ିଲା । ବାପା କିନ୍ତୁ କର୍ମସ୍ଥାନକୁ ଆଉ ଫେରିଲେ ନାହିଁ । ଛୁଟି ନେଇ ଏକୁଟିଆଟି ଘରେ ବସିରହି ଅହରହ କାନ୍ଦିବାକୁ ଲାଗିଲେ । ଏକ ପ୍ରକାର ସେ ମୂକ ପାଲଟି ଗଲେ ବୋଲି ରହିଲେ ଚଳେ । ଛୁଟିପରେ ଛୁଟି ନେଲେ ଏବଂ ଅବସର ସମୟ ପୂର୍ବରୁ ଅସମର୍ଥତା ବସତଃ ଅବସର ଗ୍ରହଣ କରି ନେଲେ ।

 

ଚାଟାର୍ଜୀ ସାହେବ ଘରୁ ବାହାରନ୍ତି ନାହିଁ । ନିଜ ଘରର ବୈଠକଖାନାରେ ଏକୁଟିଆ ବସିରହି ସର୍ବଦା ପୁଅକୁ ଚିନ୍ତା କରି ଲୋତକ ତ୍ୟାଗ କରୁଥାଆନ୍ତି । ବେଳେ ବେଳେ ସମବେଦନା ଜଣାଇବା ପାଇଁ କେହି ସମାସ୍କନ୍ଧ ବନ୍ଧୁ ଆସି ନୀରବ ଭାବେ କିଛି ସମୟ ପାଖରେ ବସନ୍ତି । ଦୀର୍ଘ ନିଃଶ୍ୱାସ ଟାଣନ୍ତି । ନୀରବରେ ବିଦାୟ ଘେନି ଯାଆନ୍ତି । ଆଖିରେ ଆଖି ଲୋତକ ବର୍ଷଣ କରି ଚିହ୍ନା ଜଣା ହୁଅନ୍ତି ଏବଂ ଉତ୍ତର ବିନିମୟ କରନ୍ତି ।

 

ବୈଠକଖାନାଟି ଭିତରେ ଅସ୍ପଷ୍ଟ ଆଲୋକ ବିରାଜମାନ କରୁଥାଏ । ଝରକା ଗୁଡ଼ିକରେ ଏବଂ ଦ୍ୱାର ଦେଶରେ ମୋଟା ପରଦା ଝୁଲୁଥାଏ । ଆଗକୁ ଆଉ ଗୋଟିଏ ପ୍ରବେଶ କୋଠରୀ । ତା’ ଆଗକୁ ବାହାର ପଟ ବାରଣ୍ଡା । ଦିନେ ଖରାବେଳେ ଚାଟାର୍ଜୀ ସାହେବ ଏକୁଟିଆ ବସିଥିଲେ । ଧୀରେ ଧୀରେ ପରଦା ଆଡ଼େଇ ଜଣେ ବନ୍ଧୁ ଆସି ପାଖ ଚୌକିରେ ବସିଲେ । ଦୁହେଁ ଯାକ ନୀରବ ନିଶ୍ଚଳ । କୌଣସି ଆଡ଼େ କିଛି ମାତ୍ର ସୋର ଶବ୍ଦ ନାହିଁ । ଦୁଇବନ୍ଧୁ ନିର୍ବାକ ହୋଇ ବସି ରହିଚନ୍ତି । ଏହିଭଳି ଭାବେ ପ୍ରାୟ ଅଧ ଘଣ୍ଟାଏ ବିତିଲା । ହଠାତ୍ ଦେଖାଗଲା ଦୁଆର ମୁହଁରୁ ପରଦାକୁ ଆଡ଼େଇ ଗୋଟିଏ ଛାୟା-ମୂର୍ତ୍ତି ଭିତରକୁ ପ୍ରବେଶ କରୁଚି । ଧୀରେ ଧୀରେ ଆଗକୁ ଆସି ଦୁହିଁଙ୍କ ଆଗରେ ପଡ଼ିଥିବା ଅନୁଚ୍ଚ ଟେବୁଲଟିର ସାମନାରେ ସେ ଛିଡ଼ା ହୋଇଗଲା । ହାତ ହଲାଇ ଅସ୍ପଷ୍ଟ ଗଳାରେ କହିଲା—ବାବା, ଆପଣ ମୋପାଇଁ ଏତେ ଚିନ୍ତିତ ହୋଇ ପଡ଼ିଚନ୍ତି କାହିଁକି ? ମନେ କରନ୍ତୁ ମୁଁ ମରି ନାହିଁ, ବଞ୍ଚିଚି । ପ୍ରାଣୀ ଦେହରେ ପଞ୍ଚଭୂତ ବିଦ୍ୟମାନ ଥାଏ ବୋଲି ଆମେ ହିନ୍ଦୁ ବିଶ୍ୱାସ କରୁଁ—କ୍ଷିତି, ଆପ୍, ତେଜ, ମରୁତ୍‍, ବ୍ୟୋମ । ଏଇ ପାଞ୍ଚୋଟି ଭିତରୁ କ୍ଷିତି ଟିକି ଛାଡ଼ିଦେଲେ ଅନ୍ୟ ଚାରୋଟିଯାକ ଅଦୃଶ୍ୟ–ସତ୍ତା । ମୁଁ କେବଳ କ୍ଷିତି ଟିକି ହରାଇ ଆସିଛି । ଅନ୍ୟ ଚାରି ସତ୍ତାକୁ ଘେନି ମୁଁ ଆପାତତଃ ବିଦ୍ୟମାନ ଅଛି । ତୁମେ ମୋତେ ଏକାଗ୍ରଭାବେ ଭାବି ହେଉଚ-। ତେଣୁ ମୁଁ ବହୁ କଷ୍ଟରେ ଛାୟାରୂପ ଧରି ଆସିଚି । ଭୁଲିଯାଅ ମୁଁ ମରିଚି ବୋଲି । ମୁଁ ବଞ୍ଚିଚି ଏବଂ ଅରୂପ-ସତ୍ତା ଘେନି ବିଦ୍ୟମାନ ଅଛି । ତୁମେ ମୋତେ ପ୍ରେତ କୁହ କି ଭୂତ କୁହ । ବଡ଼ କଷ୍ଟରେ ମୁଁ ନିଜକୁ ଘନୀଭୂତ କରି ଛାୟା ମୂର୍ତ୍ତି ଧରିଚି । ଏହିଭଳି ଭାବେ ଘନୀଭୂତ ଶୂନ୍ୟତା ସୁନୀଳ ଆକାଶର ରୂପଧରେ । ବର୍ଣ୍ଣହୀନ ଜଳ ରାଶି ନୀଳବର୍ଣ୍ଣ ଧାରଣ କଲେ ଏବଂ ବାୟୁମଣ୍ଡଳରେ ଅଦୃଶ୍ୟ ଜଳୀୟ–ବାଷ୍ପ ମରୀଚିକା ରୂପେ ଗ୍ରହଣ କରିଥାଏ । ମୁଁ ମରିନାହିଁ; ରୂପ ବଦଳାଇଚି ମାତ୍ର-। ଠିକ୍‍ ପୂର୍ବ ପରି ମୁଁ ତୁମର ପୁଅ ହୋଇ ଅଛି । ତୁମେ ଖଣ୍ଡିଏ ପ୍ଲାଞ୍ଚେଟ ବ୍ୟବହାର କର । ଆବଶ୍ୟକ ହେଲେ ମୋତେ ଡାକିବ । ମୁଁ ନିଶ୍ଚୟ ତୁମ ପାଖକୁ ଆସିବି ଏବଂ ତୁମ କଥାର ଜବାବ ଦେବି-। ଦରକାର ବେଳେ ସାହାଯ୍ୟ ମଧ୍ୟ କରିବି ।

 

ଏତିକି କହି ଛାୟା-ମୂର୍ତ୍ତି ପଛେଇଗଲା ଏବଂ ପରଦାର ଅନ୍ତରାଳରେ ଅଦୃଶ୍ୟ ହୋଇଗଲା । ଶ୍ରୀଯୁକ୍ତ ଚାଟାର୍ଜୀ ଦୀର୍ଘଶ୍ୱାସ ଟାଣି ପାଖରେ ବସିଥିବା ବନ୍ଧୁଙ୍କୁ ପଚାରିଲେ—ଆପଣ କଅଣ ଦେଖିଲେ ? କଅଣ ଶୁଣିଲେ ?

 

ବନ୍ଧୁ ପଚାରିଲେ—ଆପଣ ?

 

ଯିଏ ଯାହା ଦେଖିଲେ ଏବଂ ଶୁଣିଲେ କହିଗଲେ । ଉଭୟଙ୍କ କଥା ମିଳିଗଲା । ବନ୍ଧୁ ଜାଣିଲେ ଶ୍ରୀଯୁକ୍ତ ଚାଟାର୍ଜୀଙ୍କ ମସ୍ତିଷ୍କ ବିକୃତ ଏହା ନୁହେଁ । ଉପରେ ଲୌକିକତା ଏବଂ ଭିତରେ ଭୟ, ଶେଷକୁ ସେ ଧୀରେ ଧୀରେ ବିଦାୟ ଘେନି ଚାଲି ଗଲେ ।

 

ତା’ ପରେ ଶ୍ରୀଯୁକ୍ତ ଚାଟାର୍ଜୀ ଧୀରେ ଧୀରେ ସୁସ୍ଥ ହେଲେ ଏବଂ ପାଞ୍ଚୋଟ ଟିଏ ଅଣାଇ ଏକାଗ୍ରତା ଅଭ୍ୟାସ କରିବାକୁ ଲାଗିଲେ । କିଛିଦିନ ପରେ ପୁଅଠାରୁ ଉତ୍ତର ମଧ୍ୟ ପାଇଲେ । ତେଣିକି ଯେତେବେଳେ ସେ ଡାକନ୍ତି, ପୁଅ ତେତେବେଳେ ପାଖକୁ ତାଙ୍କର ଆସେ ଏବଂ ପାଞ୍ଚଟି ମାଧ୍ୟମରେ ପ୍ରଶ୍ନର ଯଥାର୍ଥ ଉତ୍ତର ଦିଏ । ଥରେ ଶ୍ରୀଯୁକ୍ତ ଚାଟାର୍ଜୀଙ୍କୁ ଶ୍ୱାସ ରୋଗ ଧରିଲା । ସେ ପୁଅକୁ ଡାକି ପଚାରିଲେ । ପୁଅ ଗୋଟିଏ ଅଦ୍ଭୂତ ଔଷଧ ବତାଇ ଦେଇଗଲା । ସେ ଔଷଧ କରାଇ ଚାଟାର୍ଜୀ ମହାଶୟ ଖାଇଲେ ଏବଂ ଭଲ ହୋଇଗଲେ । ତା’ପରେ ସେ ପୁଅର ଅନୁମତି ଘେନି ସେହି ଔଷଧକୁ ଶ୍ୱାସରୋଗୀମାନଙ୍କୁ ବିତରଣ କରୁଛନ୍ତି ।

 

ପୁଅର ପ୍ରେତାତ୍ମା ଏବେ ହୁଏତ ଅଦୃଶ୍ୟ ଭାବେ ବିଦ୍ୟମାନ ଅଛି ଏବଂ ବାପାଙ୍କ ଡାକ ଶୁଣି ଆସୁଚି । ଅଳ୍ପଦିନ ତଳର କଥାଇଏ, ଏବଂ ଶ୍ରୀଯୁକ୍ତ ଚାଟାର୍ଜୀ ଏବେବେି ଜୀବିତ ଅଛନ୍ତି ।

 

(କଟକର ଜଣେ ଅବସର ପ୍ରାପ୍ତ ଆଇ.ଏ. ଏସ. ଙ୍କ ଠାରୁ ଏ ଗଳ୍ପ ସଂଗୃହୀତ)

 

ଚଉଦ

(କ)

 

ଓଡ଼ିଶାର ବିଭିନ୍ନ ଅଞ୍ଚଳ ବୁଲି ବହୁସ୍ଥାନରେ ବସା ବାନ୍ଧି ରହିଥିଲି । ଭୂତ, ପ୍ରେତକଥା ଲୋକଙ୍କଠାରୁ ଶୁଣିଥିଲି । ମାତ୍ର ବିଶ୍ୱାସ କରି ପାରି ନଥିଲି । ବଣ, ଜଙ୍ଗଲଠାରୁ ଆରମ୍ଭ କରି ମଡ଼ା ମଶାଣି ଓ ଭୂତ-କୋଠି ଯାକେ ବୁଲି ବୁଲି କିଛି ପ୍ରାୟ ଦେଖି ନଥିଲି । ୧୯୫୩-୫୪ରେ ମୁଁ ଛୁଆପିଲାଙ୍କୁ ଘେନି କୋରାପୁଟ ଜିଲ୍ଲାର ଜୟପୁର ସହରରେ ଗୋଟିଏ ଭଡ଼ାଘରେ ବସାକରି ରହିଥାଏଁ । ଏ ଘରକୁ ଆସିବା ଆଗରୁ ସ୍ଥାନୀୟ ଲୋକେ ମୋତେ ଭୟ ଦେଖାଇ କହୁଥିଲେ—ଏ ଘରେ ରୁହନ୍ତୁ ନାହିଁ । ଭୂତ ପ୍ରେତର ଦୌରାତ୍ମ୍ୟ ଅଛି । ଲୋକଙ୍କୁ ବିଶ୍ୱାସ ନକରି ଭାବିଥିଲି ନିଶ୍ଚୟ ଏହା କୌଣସି ଦୁଷ୍ଟ ଦୁର୍ବୃତ୍ତ ବ୍ୟକ୍ତିର କାର୍ଯ୍ୟ ହୋଇଥିବ । ମୁଁ କାହାରି କିଛି ଅନିଷ୍ଟ ନକଲେ, କିଏ କିଆଁ ମୋର କିଛି ଅନିଷ୍ଟ କରିବ ? ମାତ୍ର ବସାକରି ରହିବାର ଦୁଇଟି ମାସ ପରେ ଦିନେ ସଞ୍ଜବେଳେ ମୋ ବସା ଘରର ଟିଣ-ଛାତ ଉପରେ ଦୁଲ ଦୁଲ ହୋଇ ଭଙ୍ଗା ଇଟା ପଡ଼ିବାର ଦେଖାଗଲା । ସେଇ ଦିନଠାରୁ ଲାଗଲାଗ ମାସେ ପର୍ଯ୍ୟନ୍ତ ସନ୍ଧ୍ୟା ପରେ ରାତି ନଅଟା ଯାକେ ପ୍ରତିଦିନ ପନ୍ଦର କୋଡ଼ିଏ ଖଣ୍ଡ ଭଙ୍ଗାଇଟା ପଡ଼ିବାକୁ ଲାଗିଲା । ମାତ୍ର ତାହା କାହାରି ଉପରେ ପଡ଼େ ନାହିଁ । ଖପରଲି ଛାତ ଉପରେ ପଡ଼ିଲେ ଖପରା ଭାଙ୍ଗିଯାଏ । ଇଟା ଖଣ୍ଡଗୁଡ଼ିକ ଗୋଟିଏ ନିର୍ଦ୍ଧିଷ୍ଟ ଦିଗରୁ ଆସେ । ଏକଥା ଶୁଣି ବହୁ ପରିଚିତ ବ୍ୟକ୍ତି ସନ୍ଧ୍ୟା ବେଳକୁ ମୋ ଘରକୁ ଆସି ଏ ଦୃଶ୍ୟ ଦେଖିବାକୁ ଲାଗିଲେ । ଆଗେ ଆଗେ ପିଲାଏ ଭୟ କରୁଥିଲେ, ପଛକୁ ତାହା ଅଭ୍ୟାସରେ ପଡ଼ିଗଲାରୁ ଭୟ ଭାଙ୍ଗିଗଲା । କାରଣ ଇଟା ଖଣ୍ଡମାନ କାହାରି ଉପରେ ପଡ଼େ ନାହିଁ ।

 

ଏ ଇଟା ପହିଲି ହୋଇ କୁମାରପୂର୍ଣ୍ଣମା ରାତିରେ ପଡ଼ିଲା । ଯେଉଁ ଦିଗରୁ ଏସବୁ ପଡ଼ିଲା ଏବଂ ପଡ଼େ ସେ ଦିଗରେ ମୋ ବସାକୁ ଲାଗି ପଡ଼ିଶା ହେଲେ ଜଣେ ସମ୍ଭ୍ରାନ୍ତ ମୁସଲମାନ ଭଦ୍ରବ୍ୟକ୍ତି । ତାଙ୍କ ଝିଅଟି ଆସି ଆମ ପିଲାଙ୍କ ସହିତ ଅଗଣା ଭିତରେ କୁମାର ପୂର୍ଣ୍ଣିମାରେ ଖେଳ ଖେଳୁଥିବା ଅବସ୍ଥାରେହିଁ ଇଟା ପଡ଼ିବାକୁ ଆରମ୍ଭ କଲା, ସୁତରାଂ ମୁସଲମାନ ଭଦ୍ରଲୋକଙ୍କ ଘରୁ ଏଭଳି ଇଟା ଫିଙ୍ଗା ଯିବାର ସନ୍ଦେହ କରିବାର କୌଣସି କାରଣ ନାହିଁ । ଏଇଟା ଉଭୟ ଜହ୍ନରାତି ଓ ଅନ୍ଧାର ରାତିରେ ପଡ଼େ । ପାଖରେ ଥିବା ଉଚ୍ଚ ଦୋମହଲା ଘର ଉପରକୁ ଉଠି ଆମେ ଏବଂ ଅନ୍ୟାନ୍ୟ କେତେକ ଲୋକ ଅନେକ ଥର ଲୁଚିବସି ଇଟା ଆସୁଥିବା ଦିଗକୁ ଲକ୍ଷ୍ୟ କରିବାକୁ ଚେଷ୍ଟା କରିଛୁ । ମାତ୍ର କେବେ ହେଲେ କାହାରିକୁ କେହି ଦେଖି ନାହିଁ । ତେଣୁ ଏହା କୌଣସି ଦୁର୍ବୃତ୍ତ ବ୍ୟକ୍ତିର କାର୍ଯ୍ୟ ନୁହେଁ ବୋଲି ଶେଷକୁ ଆମ୍ଭେମାନେ ନିଶ୍ଚିତଭାବେ ଜାଣିଲୁ । ମୁସଲମାନ ଭଦ୍ରଲୋକଙ୍କ ଘରେ ମଧ୍ୟ ବେଳେ ବେଳେ ଏ ଇଟା ପଡ଼ୁଥାଏ । ଏ ଘଟଣାର ପୂର୍ବ ବର୍ଷ ଦିନ ବେଳେ ତାଙ୍କ ଅଗଣାରେ ବଡ଼ ବଡ଼ ଇଟା ପଡ଼ୁଥିବାର ଜୟପୁରବାସୀ ବହୁ ଲୋକ ଦେଖିଛନ୍ତି । ସେ ଇଟା ପଡ଼ିବା ମଝିରେ ମଝିରେ କିଛି ଦିନ ପାଇଁ ଅବଶ୍ୟ ବନ୍ଦ ହୋଇଯାଏ । ମାତ୍ର କିଛିଦିନ ଛାଡ଼ି ପୁଣି ପଡ଼େ । ସେଗୁଡ଼ିକ ଖୁବ୍‍ ଉତ୍ତପ୍ତ ଥାଏ । ସତେକି ପୋଡ଼ା ହେଉଥିବା କୌଣସି ଏକ ଇଟା ଭାଟିରୁ ସେଗୁଡ଼ିକୁ ସଦ୍ୟ ସଂଗ୍ରହ କରି କେହି ଫିଙ୍ଗୁଛି । ତେତେବେଳେ ପୋଡ଼ା ହେଉଥିବା ଇଟାଭାଟି ଖୋଜି ଲୋକେ ଯାହା ଦେଖିଥିଲେ ତାହା ହେଉଛି—ଅନ୍ତତଃ କ୍ୱାଟରେ ଦେଢ଼କ୍ୱାଟର ବାଟ ଦୂରରେ ଜଗନ୍ନାଥ ସାଗର ସେପଟକୁ ଇଟା ଭାଟିରେ ନିଆଁ ଲାଗିଥାଏ । ତେଣୁ ଏତେ ଦୂରରୁ ଏତେ ବଡ଼ ବଡ଼ ଇଟା ନିର୍ଦ୍ଦିଷ୍ଟ ଏକ ସ୍ଥାନକୁ ଫିଙ୍ଗିବା କୌଣସି ବ୍ୟକ୍ତି ପକ୍ଷେ ସମ୍ପୂର୍ଣ୍ଣ ଅସମ୍ଭବ । ପୁଣି ଏ ଇଟା ପଡ଼ିବାରୁ ମୁସଲମାନ ଭଦ୍ରଲୋକଙ୍କର ଗୋଟିଏ ଯୁବକ ପୁଅ ମୂର୍ଚ୍ଛାଯିବାକୁ ଆରମ୍ଭ କଲେ-। ଇଟା ପଡ଼ିବାକୁ ଆରମ୍ଭ ହେଲା ମାତ୍ରେ ସେ ମୂର୍ଚ୍ଛା ଯାଆନ୍ତି ଏବଂ ବହୁ କଷ୍ଟରେ ତାଙ୍କୁ ହୋସ କରାଯାଏ । ବହୁ ପ୍ରକାର ଚେଷ୍ଟାରେ ଏ କାର୍ଯ୍ୟର କୌଣସି କାରଣ ଜଣାପଡ଼ି ନଥିଲା । କିଛିଦିନ ପରେ ଛାଏଁ ଛାଏଁ ସେ ଇଟା ପଡ଼ିବା ବନ୍ଦ ହୋଇଗଲା । ମାତ୍ର ତାଙ୍କ ପୁଅଟି ସାମୟିକ ମୂର୍ଚ୍ଛା ଯାଆନ୍ତି ।

 

ଏବେ ମୋ ବସାରେ ଇଟା ପଡ଼ିଲା । କେହି ଲୋକ ପକାଉଥିଲେ, କେତେ ଦିନ ଧୈର୍ଯ୍ୟଧରି ସେ ଅବା ପକାନ୍ତା ! ନିଶ୍ଚୟ ଏହା କୌଣସି ମନୁଷ୍ୟର କାର୍ଯ୍ୟ ନୁହେ ବୋଲି ଆମେ ଜାଣିଲୁ । ଏ ବିଶ୍ୱାସ ମୋ ମନରେ ଜନ୍ମିଲା ପରେ ଭୟ କରିବା ପରିବର୍ତ୍ତେ ରହସ୍ୟ—ଭେଦ କରିବାକୁ ମୋ ଶକ୍ତିମତେ ମୁଁ ଚେଷ୍ଟା କଲି । କିନ୍ତୁ କୌଣସି ସିଦ୍ଧାନ୍ତରେ ଉପନୀତ ହୋଇ ପାରିଲି ନାହିଁ ।

 

ଇଟା ପଡ଼ିବାର ପ୍ରାୟ ମାସକ ପରେ, ରାତି ସେତେବେଳେକୁ ପ୍ରାୟ ଦଶଟା ହେବ । ମୋ ବସାର ବାଡ଼ିପଟକୁ ଖଣ୍ଡେ ପକା ପାଚେରୀ । ତେଣିକି ନିକାଞ୍ଚନ ଶୂନ୍ୟ ପଡ଼ିଆ । ପାଚେରୀ ଭିତରେ ମୋର ଅଗଣା ଓ ପାଇଖାନା, ପିଣ୍ଡା ଓ ରନ୍ଧାଘର । ପିଣ୍ଡା ଉପରେ ବସି ମୋ ସ୍ତ୍ରୀ ଖାଉଛନ୍ତି ଏବଂ ମୁଁ ଅଦୂରରେ ବସିଛି । ପଛକୁ ଆଉ ଗୋଟିଏ ଛୋଟ ଅଗଣା ଅଛି । ତାହାରି ଭିତରେ ରହି ରହି ଖଣ୍ଡେ ଦିଖଣ୍ଡ ଇଟା ଦୁଲ୍‍ଦୁଲ୍ ହୋଇପଡ଼ୁଛି । ଅଦୂରରେ ଥିବା କଦମ୍ବ ଗଛର ଉଚ୍ଚ ଡାହିରେ ଚଢ଼େଇ ଗୋଟାଏ ଦୁଇଟି ଫଡ଼ଫଡ଼ ହେଉଛନ୍ତି । ମୋ ସାମନା ପଟକୁ ଥିବା ପାଚେରୀ ସେପଟେ ଯେଉଁ ନିକାଞ୍ଚନ ଶୂନ୍ୟ ପଡ଼ିଆ ଅଛି ସେ ଦିଗରୁ ଇଟା ଖଣ୍ଡମାନ କେବେହେଁ ଆସେ ନାହିଁ । ଆସେ କେବଳ ଡାହାଣ ପଟେ ଥିବା ମୁସଲମାନ ଭଦ୍ରଲୋକଙ୍କ ଘରଦିଗରୁ । ଏଇ ନିର୍ଜନ ମୁହୂର୍ତ୍ତରେ ମନଭିତରେ ମୋର ଗୋଟାଏ ଖିଆଲ ପଶିଲା । ସବୁଦିଗ ଶୁନ୍‍ଶାନ୍‍ । ଘର ଭିତରେ ପିଲାଏ ଶୋଇ ପଡ଼ିଲେଣି । ଅଗଣା ଭିତରକୁ ଯାଇ ଛିଡ଼ା ହେଲି । ଅନୁଚ୍ଚ ଗଳାରେ କହିଲି, “କିଏ ମହାତ୍ମା, ଅମୋକ୍ଷ୍ୟ ପ୍ରେତ ହୋଇ ରହିଛି ? ବୋଧ ହୁଏ ତୁମର ଶୁଦ୍ଧିକ୍ରିୟା ହୋଇ ପାରିନାହିଁ । ଏ କଳ୍ପନା ମୋର ଯଦି ସତ ହୁଏ, ତେବେ ପ୍ରମାଣ ସ୍ୱରୂପ କାଲିଠାରୁ ଢେଲା ପଡ଼ିବା ବନ୍ଦ ହୋଇଯାଉ । ତୁମର ଶୁଦ୍ଧିକ୍ରିୟା କରି ଆତ୍ମାର ତୃପ୍ତି ବିଧାନ ନିମନ୍ତେ ମୁଁ ଚେଷ୍ଟା କରିବି ।”

 

ଏତିକି କହି ପିଣ୍ଡା ଉପରକୁ ଉଠି ଆସିଛି କି ନାହିଁ, ମୁଁ ଏବଂ ମୋର ସ୍ତ୍ରୀ ଉଭୟେ ସ୍ପଷ୍ଟଭାବେ ଅଦୂର ଆକାଶରେ “ସୁ” କରି ଶବ୍ଦ ଶୁଣି ପାରିଲୁ । ପବନ ନାହିଁ, ପକ୍ଷୀ ନାହିଁ, ସେ ଶବ୍ଦ ସମ୍ପୂର୍ଣ୍ଣ ନୂତନ ଏବଂ ଅଦ୍ଭୂତ ଲାଗିଲା । ସ୍ତ୍ରୀ ଚମକି ପଡ଼ି କହି ଉଠିଲେ, “ଦେଖ, ତୁମ କଥାର ଜବାବ ଦେଲା । ପଳାଇ ଆସ । ଏ ଅଦ୍ଭୂତ ଶକ୍ତି ସଙ୍ଗେ ଖେଳା–ଖେଳି କର ନାହିଁ; ନିରାପଦ ନୁହେଁ । ଲୋକେ କହନ୍ତି, ପ୍ରେତ ସବୁବେଳେ କୌଣସି ଲୋକର ଶରୀର ଆଶ୍ରୟ କରି ନିଜ ମନକଥା ପ୍ରକାଶ କରିଥାଏ । ତାକୁ ପ୍ରେତ ଆଶ୍ରା କରିଛି ବୋଲି କହନ୍ତି ।”

 

ଭାବିଲି, ଥିଓଜଫିଷ୍ଟମାନେ ଏହାକୁହିଁ କହନ୍ତି—ସ୍ପିରିଟ ମିଡ଼ିୟମ କରିବା କଥା । ମନଭିତରେ ଭୟ ଜାତହେଲା । ଉଭୟେ କବାଟ କିଳି ଘର ଭିତରକୁ ଆସିଲୁ । ରାଣ ଦେଲା ପରି ତହିଁଆର ଦିନଠାରୁ ମାସେକାଳ ଇଟା ପଡ଼ିବା ବନ୍ଦ ହୋଇଗଲା । ଏକଥା ମୁଁ ଅନେକ ଭଦ୍ରଲୋକଙ୍କୁ କହିଲି । ପଡ଼ିଶା ମୁସଲମାନ ଭଦ୍ରଲୋକ କହିଲେ, “ମୁଁ କେତେ ପ୍ରକାରେ ଗୁଣିବ ଗାରେଡ଼ି କରି ବିଫଳ ହୋଇଛି । ଏମିତି କିଛି ଦିନ ପଡ଼ି ବନ୍ଦ ହୋଇଯାଏ । ପୁଣି ପଡ଼େ”

 

ମୁଁ କହିଲାରୁ ବନ୍ଦ ହୋଇଗଲା—ଏ ବିଷୟ କାକତାଳୀୟ ନ୍ୟାୟ ବୋଲି ମୋର ମନେ ହେଲା ନାହିଁ । ବରଂ ବିଶ୍ୱାସ ଜନ୍ମିଲା ଯେ ପ୍ରେତଟି ମୋ କଥା ଶୁଣିପାରିଛି ଏବଂ ପ୍ରମାଣ ଦେଇଛି । ମୁଁ ତେଣିକି ସେ କିଏ, ତା’ର ବାପ ନାଁ କ’ଣ, ଗୋତ୍ର କଅଣ ଇତ୍ୟାଦି ଜାଣିବାକୁ ଚେଷ୍ଟା କଲି । ଶୁଦ୍ଧିକ୍ରିୟା ପାଇଁ ଏସବୁ ନିତାନ୍ତ ଦରକାର । ମାତ୍ର ସ୍ୱର୍ଗୀୟ ଐତିହାସିକ ବିଦ୍ୟାଧର ସିଂହଦେଓ ମହାଶୟ ମୋତେ କେତେକ ପରିମାଣରେ ନିରୁତ୍ସାହିତ କରି କହିଲେ,“ପ୍ରେତାତ୍ମାର ଶୁଦ୍ଧିକ୍ରିୟା ଲାଗି ଗୟାରେ ପିଣ୍ଡ ଦେବା ଦରକାର । ଆପଣ ବା କାହିଁକି କଷ୍ଟ କରି ଏତେ ପଇସା ଖର୍ଚ୍ଚ କରିବେ-?” ଏକଥା ଶୁଣି ମୁଁ ମୋର ପ୍ରତିଶ୍ରୁତି ରକ୍ଷା କରିବାରେ ଅବହେଳା କଲି । ତେଣୁ କିଛି ଦିନ ପରେ ପୁଣି ଇଟା ପଡ଼ିବାକୁ ଆରମ୍ଭ କଲା ।

 

ମୋର ଧାରଣା—ମନୁଷ୍ୟର ସ୍ଥୂଳ ଶରୀର ମଧ୍ୟରେ ସୂକ୍ଷ୍ମ ଶରୀର ବିଦ୍ୟମାନ । ଆଶା, ଆକାଂକ୍ଷା, ପ୍ରବୃତ୍ତି, ନିବୃତ୍ତି ଇତ୍ୟାଦିକୁ ଘେନି ମନ ବିଦ୍ୟମାନ । ସ୍ଥୂଳ ଶରୀରର ଶକ୍ତି ସୀମାବଦ୍ଧ ହେଲେ ହେଁ ସୂକ୍ଷ୍ମ ଶରୀର ଓ ମନର ଶକ୍ତି ଅକଳନୀୟ । ଦୃଷ୍ଟାନ୍ତ ସ୍ୱରୂପ ମଣିଷ ମନ କରୁଛି ପାଞ୍ଚ ହଜାର ମହଣର ପଥର ଉଠାଇ ଫିଙ୍ଗି ଦେବାକୁ । ମୁହୂର୍ତ୍ତକ ମଧ୍ୟରେ ମନ ଲକ୍ଷ ଲକ୍ଷ ଯୋଜନ ଗତି କରି ଫେରି ଆସି ପାରୁଛି । ଯେଉଁଠାରେ ବାୟୁର ଗତି ନାହିଁ, ସୂର୍ଯ୍ୟକିରଣ ପଡ଼ୁନାହିଁ, ସେଠାକୁ ମଧ୍ୟ କଳ୍ପନା ବଳରେ ମନ ପ୍ରବେଶ କରି ପାରୁଛି । ସ୍ଥୂଳ ଶରୀରର ଶକ୍ତି ସୀମାବଦ୍ଧ ହେଲେ ହେଁ, ଭିତରେ ଥାଇ ମନ ମଣିଷର ଆଶା ଆକାଂକ୍ଷା ଦ୍ୱାରା ପରିଚାଳିତ ହୋଇ ଅଙ୍ଗ ପ୍ରତ୍ୟଙ୍ଗକୁ କାମ କରିବାକୁ ଆଦେଶ ଦିଏ । ସ୍ଥୂଳ ଶରୀର କିନ୍ତୁ ତାହା ସହିତ ସମତା ରଖି ଦୌଡ଼ି ପାରେ ନାହିଁ । ଅଙ୍ଗ ପ୍ରତ୍ୟଙ୍ଗ ହେଲେ ବିଜୁଳିତାର ଓ ବଲବ୍ । ଇଚ୍ଛା-ଶକ୍ତି ହେଲା ବିଦ୍ୟୁତ୍ ଶକ୍ତି । ତାର ସାମର୍ଥ୍ୟ ଅକଳନୀୟ ହେଲେ ହେଁ ସୂକ୍ଷ୍ମ ତାର ମଧ୍ୟଦେଇ ଗତିକଲା ବେଳେ ତାରର ସହନୀୟତା ଉପରେ ସେ ନିର୍ଭର କରି ସୀମିତ ଶକ୍ତି ପ୍ରୟୋଗ କରିଥାଏ । ଅଧିକ ଶକ୍ତି ପ୍ରୟୋଗ କଲେ ତାର ଓ ବଲବ୍ ପୋଡ଼ିଯାଏ । ଇଚ୍ଛା-ଶକ୍ତି ପ୍ରବଳ ହେଲେ ମଣିଷ ପାଗଳ ହୋଇଯାଏ । ଅତ୍ୟଧିକ ଆନନ୍ଦ, ଅତିରିକ୍ତ ଦୁଃଖ, ଚିନ୍ତା ଓ ଉଦବେଗ ଦ୍ୱାରା ମନୁଷ୍ୟର ହୃତ୍‍ପିଣ୍ଡ–କ୍ରିୟା ବନ୍ଦ ହୋଇଯାଏ । ଶରୀରର ସୂକ୍ଷ୍ମ ଶିରା ପ୍ରଶିରା ଫାଟିଯାଏ । ମନୁଷ୍ୟ ମରିଯାଏ । ଯେଉଁଠାରେ ଶରୀରର ଶକ୍ତି ପରାଜୟ ସ୍ୱୀକାର କରୁଛି ସେଠାରେ ମନୁଷ୍ୟର ବୁଦ୍ଧି ନୂତନ ଉଦ୍ଭାବନା କରି ଚାଲିଚି । ଓଜନିଆ ଜିନଷ ଉଠାଇବା ପାଇଁ ମନୁଷ୍ୟ ଉଦ୍ଭାବନ କରୁଛି ‘କ୍ରେନ୍ । ଉଡ଼ିବାର ଇଚ୍ଛାକୁ ପୂରଣ କରିବା ପାଇଁ ମଣିଷ ଗଢ଼ୁଛି ବ୍ୟୋମଯାନ । ଅସାଧ୍ୟ-ସାଧନ-ପଟୁ ହେଲେ–ମନୁଷ୍ୟର ମନ, ଇଚ୍ଛାଶକ୍ତି, ଆଶା, ଆକାଂକ୍ଷା, ଓ କଳ୍ପନା—ଯାହାକୁ ମିଶାଇ ମୁଁ କହିବି ସୂକ୍ଷ୍ମ–ଶରୀର । ପୂର୍ବରୁ ଲେଖିଛି ଖୁଡ଼ି ମରିଗଲା ପରେ ତା’ର ପ୍ରେତାତ୍ମା ଆମ୍ୱ ଗଛର ମୋଟା ଡାହିକୁ ଆଶ୍ରାକଲାରୁ ତାହା ଭାଙ୍ଗି ପଡ଼ିଲା । ବଞ୍ଚିଥିଲା ବେଳେ ଖୁଡ଼ି କେବେହେଁ ଏତେ ବଡ଼ ଡାହିକୁ ଭାଙ୍ଗିପାରି ନଥାନ୍ତା । ସୁତରାଂ ସ୍ଥୂଳ ଶରୀର ଅପେକ୍ଷା ସୂକ୍ଷ୍ମ ଶରୀରର ଶକ୍ତି-ସାମର୍ଥ୍ୟ ଯଥେଷ୍ଟ ବେଶି । ଡାକ୍ତରୀ କବିରାଜୀର ସ୍ଥୂଳ ଔଷଧ ଅପେକ୍ଷା ହୋମିଓପ୍ୟାଥିକ ବିଜ୍ଞାନର ସୂକ୍ଷ୍ମାତିସୂକ୍ଷ୍ମ ଔଷଧ କଣିକାର ଶକ୍ତି ଯଥେଷ୍ଟ ଅଧିକ । ଆଜିର ପୃଥିବୀରେ ପରମାଣୁ ଶକ୍ତି କଥା ଲୋକେ ପ୍ରାୟ ସମସ୍ତେ ଜାଣନ୍ତି ।

 

ସୂକ୍ଷ୍ମ ଶରୀରର ରୂପରେଖ କିପରି ? ରୂପ ନଥିଲେ ବି ରେଖ ଅଛ । ଆମ ଭିତରେ ଅଳ୍ପ ପରିମାଣ ବାୟୁ ଅଛି । ମାତ୍ର ବାହାରେ ଅଛି ଯଥେଷ୍ଟ । ମୁଣ୍ଡ ଉପରେ ଆମର ବାୟୁର ପ୍ରବଳ ଚାପ । ବାୟୁର ଶକ୍ତି ଓ ସାମର୍ଥ୍ୟ ଅକଳନୀୟ । ବାୟୁକୁ ଆମେ ଦେଖି ପାରୁନାହୁଁ । ଇଥର୍ ମଧ୍ୟ ଏକ ଅଦୃଶ୍ୟ ଶକ୍ତି । ଏ ଦୁଇଟି ପଦାର୍ଥ ଭଳି ସୂକ୍ଷ୍ମ ଶରୀର କୌଣସି ଏକ ସୂକ୍ଷ୍ମ ଉପାଦାନ । ମନୁଷ୍ୟ ମଲାପରେ ମଧ୍ୟ ତାହା ଅକ୍ଷୟ ଅବ୍ୟୟ ହୋଇ ରହିଯାଏ । ଆଶା—ଆକାଂକ୍ଷା—ଉଦବେଗ—ଉତ୍ତେଜନା—କଳ୍ପନା-ଜଳ୍ପନା–ଜନିତ ସୂକ୍ଷ୍ମ ଶରୀରହିଁ ହେଲା ପ୍ରେତାତ୍ମା । ତାହାର ଅନୁଭୂତି ଅଛି, ସ୍ନେହ–ମମତା ଓ ମୋହ ମାୟା ମଧ୍ୟ ଅଛି । ଆପଣା-ପର ଜ୍ଞାନବି ଅଛି । ଶରୀର ନଥିଲେ ହେଁ ସେହି ଅଶରୀରୀ ଶକ୍ତି ବିଦ୍ୟମାନ ରହିଥାଏ । କାୟା ନଥିଲେବି ସେ ଛାୟାବିସ୍ତାର କରିପାରେ ।

 

ଅଶରୀରୀ ଶକ୍ତି ଅଛି କେମିତି ? ଏ ପ୍ରଶ୍ନର ଉତ୍ତର ହେଲା—କୌଣସି କାର୍ଯ୍ୟ ସାଧନ କଲାବେଳେ ଯଥାର୍ଥରେ କାମଟି କରୁଛି କିଏ ? ମନ-ଇଚ୍ଛାଶକ୍ତି ନା ଅଙ୍ଗ ପ୍ରତ୍ୟଙ୍ଗ? ମନର ନିର୍ଦ୍ଦେଶ ଓ ପ୍ରେରଣା ବିନା ଅଙ୍ଗ ପ୍ରତ୍ୟଙ୍ଗ ଚାଳିତ ହୋଇ ପାରିବେ କି ? ମନ ହେଲା ଶକ୍ତିର ଆଧାର ଓ ଯନ୍ତ୍ରୀ । ଅଙ୍ଗ, ଅବୟବ ହେଲେ ଯନ୍ତ୍ରବତ୍ ନିମିତ୍ତ ମାତ୍ର । ମୃତ୍ୟୁ ପରେ ସୂକ୍ଷ୍ମ ଶରୀର ଜୀବନ୍ତ ଥାଏ ଓ ଜଡ଼ ପଦାର୍ଥ ଉପରେ ତାର କ୍ରିୟା ବିଦ୍ୟମାନ ରହିଥାଏ ।

 

ଦ୍ୱିତୀୟ ପ୍ରଶ୍ନ ହେଲା—କାୟା ନଥାଇ ଛାୟା ? ଉତ୍ତର ଅତି ସହଜ । ସୂର୍ଯ୍ୟାସ୍ତ ପରେ ମଧ୍ୟ ଆକାଶର ଧୂଳିକଣା ମଧ୍ୟରେ ଆଲୋକ ବିଦ୍ୟମାନ ଥାଏ । ଚଳଚ୍ଚିତ୍ରରେ ଛାୟା ହିଁ ଖେଳ ଦେଖାଏ, କାୟାତ ନୁହେଁ । ଛାୟା ଯେବେ ଜିଲେଟିନ୍ ଲେପା କାଗଜ ଓ ଫିଲମ ଉପରେ କାୟାକୁ ଛାଡ଼ି ରହିପାରିଲା, ତେବେ ମୃତ୍ୟୁପରେ ମନୁଷ୍ୟର ଇଚ୍ଛା-ଶକ୍ତି ପ୍ରେତାତ୍ମାର ଇଚ୍ଛାରେ ପ୍ରକଟିତ ହୋଇ ପାରିବାରେ ଅସମ୍ଭବ କ’ଣ ? ମୃତ୍ୟୁ ପରେ ଯନ୍ତ୍ରମୟ ଅସ୍ଥି, ମଜ୍ଜା, ମେଦ, ରକ୍ତ, ଶିରାପ୍ରଶିରାର ମୃତ୍ୟୁ ଘଟେ । ମରେ ନାହିଁ କିନ୍ତୁ—ଆଶା ଆକାଂକ୍ଷା, ରାଗ ଦ୍ୱେଷ, ଜ୍ଞାନ, ଧ୍ୟାନ ଓ ଧାରଣା । ପାଣି ହାଣ୍ଡି ଭାଙ୍ଗିଗଲେ ପାଣିତକ ଇଡ଼ିଯାଇ ମାଟିତଳକୁ ଭେଦିଯାଏ । ପାଣିରେ ମିଶିଥିବା ଧୂଳିମଳି ଓ ଅନ୍ୟାନ୍ୟ ପଦାର୍ଥ ଛାଙ୍କି ହୋଇ ଉପରେ ରହିଯାଆନ୍ତି । ନିର୍ମଳ ଜଳ ଭୂଇଁ ତଳକୁ ଚାଲିଯାଏ । ସେହିପରି ପ୍ରେତାତ୍ମା ସ୍ତର ସ୍ତର ଉପରକୁ ଉଠି ନିର୍ମଳ ହୁଏ । ବିଭିନ୍ନ ଗୁଣ ଛାଡ଼ି ନିଗୁଣ ହୁଏ । ଶେଷକୁ ମହାଶୂନ୍ୟରେ ବିଲୀନ ହୋଇଯାଏ—ଯାହାକୁ କହନ୍ତି ମୁକ୍ତି ବା ନିର୍ବାଣ । ମହାଶୂନ୍ୟ ବୋଲି ମୁଁ କିନ୍ତୁ କିଛି କଳ୍ପନା କରି ପାରୁନାହିଁ । ମହାଶୂନ୍ୟ ବୋଲି ଆମେ ଯାହାକୁ କହୁଁ–ତାହା ବାସ୍ତବିକ ଶୂନ୍ୟ ନୁହେଁ—ପୂର୍ଣ୍ଣ । ସ୍ଥୂଳ, ସୂକ୍ଷ୍ମ, ଜୀବ, ଜଡ଼ ଜୀବନ, ମରଣ, ଜ୍ଞାନ, ବିଜ୍ଞାନ, ଆଲୋକ, ଅନ୍ଧକାର, ସୃଷ୍ଟି, ସ୍ଥିତି, ଲୟ, ସଗୁଣ, ନିର୍ଗୁଣ—ସବୁରି ମୂଳ ଉପାଦାନର ଅନନ୍ତ ଅକ୍ଷୟ ଅବ୍ୟୟ ଆଧାର ହେଲା ସେହି ପରିପୂର୍ଣ୍ଣ ଅପରୀସୀମ ମହାଶୂନ୍ୟ—ଶୂନ୍ୟାର୍ଣ୍ଣବ । ସେହିଠାରୁ ସବୁ ଉଦ୍ଭବ ହେଉଛି ଏବଂ ସେହିଠାକୁ ପୁଣି ସବୁ ଲେଉଟି ଯାଉଛି ଏହି ଓଲଟ ପାଲଟହିଁ ହେଲା ସୃଷ୍ଟି–ରହସ୍ୟ । ଯିବା ଆସିବା ଲାଗିରହିଛି ସିନା, ଏ ସୃଷ୍ଟିରେ ଜନ୍ମ ମୃତ୍ୟୁ ହୋଇ କିଛି ନାହିଁ । ଅନାଦି କାଳରୁ ଏହି ଖେଳ ଆରମ୍ଭ ହୋଇଛି ଏବଂ ଅନନ୍ତ କାଳ ଯାକେ ଏହି ଖେଳ ଲାଗିଥିବ । ଏହାହିଁ ହେଲା ସୃଷ୍ଟି–ସ୍ଥିତି–ଲୟର ରହସ୍ୟ ଭେଦ—

 

(ଖ)

 

ଜୟପୁରରେ ଘଟୁଥିବା ଘଟଣାଟିକୁ ମୁଁ ଆଂଶିକ ଭାବେ ପ୍ରବନ୍ଧ ଆକାରରେ ୬–୩–୫୪ ତାରିଖ ସମାଜରେ ପ୍ରକାଶ କରାଇ ଥିଲି । ତାହା ପଢ଼ି ଶ୍ରୀଯୁକ୍ତ କୃପାସିନ୍ଧୁ ହୋତା—ସତ୍ୟବାଦୀ, ଏବଂ ଶ୍ରୀ ଅନ୍ନବାନନ୍ଦ ମହାପାତ୍ର, ଘୋଷାଲ ବାଗାନ ଲେନ୍, ହାଓଡ଼ା ମୋତେ ଖଣ୍ଡିଏ ଖଣ୍ଡିଏ ପତ୍ର ଦେଇଥିଲେ । ତାହା ତାଙ୍କର ଗଭୀର ଚିନ୍ତାର ପରିଚୟ ଦିଏ । ପ୍ରେତ–ତତ୍ତ୍ୱ ସମ୍ୱନ୍ଧରେ ସେମାନେ ଯଥେଷ୍ଟ ଚର୍ଚ୍ଚା କରିଛନ୍ତି ବୋଲି ମୋର ବିଶ୍ୱାସ ହେଲା । ମୋ ବସାରେ ଇଟା ପଡ଼ିବା କଥା ଘେନି ସ୍ଥାନୀୟ କଲେଜର ଅଲେଜର ଅଧ୍ୟାପକ, ଅଫସର ତଥା ବିଶିଷ୍ଟ ଭଦ୍ରବ୍ୟକ୍ତିମାନଙ୍କ ସଙ୍ଗେ ପ୍ରାୟ ପ୍ରତ୍ୟୟ ଅଳ୍ପ ବହୁତେ ଆଲୋଚନା ହୁଏ । ସେଦିନ ରାତିର ପ୍ରତିଶ୍ରୁତି ପରେ କିଛି ଦିନ ପାଇଁ ଇଟା ପଡ଼ିବା ବନ୍ଦ ହୋଇଯାଇଥିଲେ ହେଁ ମୁଁ ମୋ ପ୍ରତିଶ୍ରୁତି ରକ୍ଷା ନକରିବାରୁ ପୁଣି ଥରେ ଇଟା ପଡ଼ିଲା । ତେତେବେଳେ ଶ୍ରୀ କାଙ୍ଗାଳି ଚରଣ ପତି ଜୟପୁର କଲେଜର ଅଧ୍ୟାପକ ଥାଆନ୍ତି । ଜୟପୁରଠାରେ ସେ ଅରବିନ୍ଦ ପାଠଚକ୍ରଟିଏ ସ୍ଥାପନ କରି ଥାଆନ୍ତି । ପ୍ରାୟ ପ୍ରତ୍ୟହ ସଞ୍ଜବେଳେ ସେ ମୋ ବସାକୁ ଆସନ୍ତି ଏବଂ ଏହି ଅଦ୍ଭୁତ ଘଟନା ସମ୍ୱନ୍ଧରେ ମୋ ସହିତ ଆଲୋଟନା କରନ୍ତି । ଥରେ ସେ ମୋତେ କହିଲେ—ଆପଣ ଏ ସମ୍ୱନ୍ଧରେ ଅରବିନ୍ଦ ଆଶ୍ରମର ଶ୍ରୀ ମାଆଙ୍କ ନିକଟକୁ ପତ୍ର ଦିଅନ୍ତୁ । ତାଙ୍କୁ କଥା ମାନି ଖଣ୍ଡିଏ ଚିଠି ମୁଁ ପଣ୍ଡିଚେରି ଆଶ୍ରମକୁ ଲେଖିସବୁ ଘଟନା ଜଣାଇ ସାହାଯ୍ୟ ମାଗିଲି । ଚିଠି ଲେଖି ସାରି କୌଣସି କାର୍ଯ୍ୟବଶତଃ ଏକୁଟିଆ କଟକ ବାହାରି ଆସିଲି । କଟକଠାରେ ଜଣେ ପଣ୍ଡିତ ମୋ କଥା ଶୁଣି ଉକ୍ତ ପ୍ରେତ ଉଦ୍ଦେଶ୍ୟରେ ପିଣ୍ଡଦାନ ବ୍ୟବସ୍ଥା ଦେଲେ-। ବ୍ୟବସ୍ଥା ସଙ୍ଗେ ସଙ୍ଗେ ମନ୍ତ୍ର ଓ ପ୍ରଣାଳୀ ମଧ୍ୟ ବଢ଼ାଇ ଦେଲେ । ଛ ସାତ ଦିନ ପରେ ଜୟପୁରକୁ ଫେରି ଦେଖିଲି ମୋର ଦ୍ୱିତୀୟ କନ୍ୟା କଲ୍ୟାଣୀ ସାଙ୍ଘାତିକ ଜ୍ୱରରେ ପଡ଼ିଛି । ସ୍ଥାନୀୟ ଡାକ୍ତର ଶ୍ରୀ ହରେନ ଦତ୍ତ ଏମ. ବି. ବି. ଏସ. ଙ୍କର ସବୁ ଚେଷ୍ଟା ବ୍ୟର୍ଥ ହୋଇଛି । ଜ୍ୱରର କାରଣ ସ୍ୱରୂପ ଯେଉଁ ଘଟଣା ଶୁଣିଲି ତହିଁରେ ମୋର ହୃତକମ୍ପ ଜାତ ହେଲା । ପିଲାଟିକୁ ସେତେବେଳେ ବୟସ ଆଠ କି ନଅ ହେବ । ଜୟପୁର ସହରର ପ୍ରଧାନ ରାସ୍ତା ଏବଂ ଲୋକଗହଳି ଅଞ୍ଚଳରେ ଅବସ୍ଥିତ ଘୋଷା ଦାସପାତାଳ ନିକଟ ସ୍କୁଲରେ ସେ ପଢ଼େ । ମୋ ଅନୁପସ୍ଥିତ ସମୟରେ ଦିନେ ଚାରିଟାବେଳେ ସ୍କୁଲ ଛୁଟି ହେଲାବେଳକୁ ସେ ଦେଖିଲା, ସ୍କୁଲ ହତା ଓ ପ୍ରଧାନ ରାସ୍ତା ଦୋସମାଳିରେ ଥିବା ଗୋଟିଏ (ଉଚ୍ଚ) ଗଛର ଶିଖର ଦେଶରେ ଦୀର୍ଘକାୟ ଛାୟା ମୂର୍ତ୍ତିଟିଏ ଛିଡ଼ା ହୋଇ ଲମ୍ୱ ଲମ୍ୱ ହାତ ଦୁଇଟିକୁ ହଲାଉଛି । ମୁଣ୍ଡ ତା’ର ଦିଶୁ ନାହିଁ । ଅନ୍ୟ ପିଲାମାନଙ୍କୁ ଡାକି କଲ୍ୟାଣୀ କହିଲା—“ଭୂତ କେମିତି ହାତ ହଲାଉଛି ଦେଖ । କଳା ହୋଇ ଡେଙ୍ଗାଟାଏ” । ସ୍କୁଲରୁ ଫେରି ଘରକୁ ଆସି ସେଇ କଥା ସେ କହିଲା । ସେଇ ଦିନ ସଞ୍ଜବେଳକୁ ତାକୁ ଜ୍ୱର ହେଲା । ତହିଁଆର ଦିନ ଖରାବେଳେ ଅଗଣାରେ ଖେଳୁଥିବା ଅବସ୍ଥାରେ ତା’ ଡାହାଣ ଆଣ୍ଠୁ ଉପରେ ଛୋଟ ଇଟା ଟୁକୁରାଟିଏ ଆସି ପଡ଼ିଲା । ଏତେ ଦିନ ହେଲା ସନ୍ଧ୍ୟାପରେ ବହୁ ସଂଖ୍ୟାରେ ଇଟା ପଡ଼ୁଥିଲା, କିନ୍ତୁ କାହାରି ଉପରେ ପଡ଼ୁନଥିଲା । ସେଇଦିନହିଁ ପ୍ରଥମ ଥର କଲ୍ୟାଣୀ ଉପରେ ଦିନବେଳେ ସେ ଟୁକୁରାଟି ପଡ଼ିଲା । ଏବଂ ସେଇଦିନ ସଞ୍ଜକୁ ଜ୍ୱର ହେଲା ଏବଂ ସାଙ୍ଘାତିକ ଆକାର ଧାରଣ କଲା । କଟକରୁ ଫେରି ଏଇ ଘଟଣା ଶୁଣି ମୁଁ ଡାକ୍ତରଙ୍କ ସହ ପରାମର୍ଶ କଲି ଏବଂ କହିଲି “ଆପଣ ଯାହା ଔଷଧ ଦେବାର ଦିଅନ୍ତୁ, ମୁଁ କାଲି ମୋ ଔଷଧ ପ୍ରୟୋଗ କରିବି ।”

 

ଡାକ୍ତର ପରାରିଲେ—ତା’ମାନେ ?

 

କହିଲି—ପ୍ରେତ ଉଦ୍ଦେଶ୍ୟରେ ପିଣ୍ଡଦାନ କରି ଦେବି ।

 

ତାହାହିଁ କଲି । ଜଣେ ପୁରୋହିତଙ୍କୁ ଡାକି କଟକର ପଣ୍ଡିତ କହିବା ଅନୁସାରେ ଯଥାତଥା ଯଥାନାମରେ ପିଣ୍ଡଦାନ କରି ଦେଲି । ଠିକ ସେଇଦିନ ମଧ୍ୟ ପଣ୍ଡିଚେରୀ ଆଶ୍ରମରୁ ପତ୍ର ଖଣ୍ଡିଏ ଏବଂ ଶ୍ରୀମାଙ୍କ ପୁଷ୍ପ–ପ୍ରସାଦ ପାଇଲି । ଲେଖାଥିଲା—“ଶ୍ରୀମାଙ୍କ ଫଟଟି ଝୁଲାଇ ଦେଇ ପ୍ରତ୍ୟହ ସଞ୍ଜକୁ ଧୂପବତି ଜଳାଇବେ ।”

 

ଯେଉଁ କାରଣରୁ ହେଉନା କାହିଁକି ଠିକ୍ ସେଇଦିନୁ କଲ୍ୟାଣୀର ଜ୍ୱର ଓ ଇଟା ପଡ଼ିବା ବନ୍ଦ ହୋଇଗଲା । ପିଣ୍ଡଦାନ ଓ ପଣ୍ଡିଚେରୀରୁ ପତ୍ରପ୍ରାପ୍ତି ଏକ ସମୟରେ ଘଟିଲେ ସୁଦ୍ଧା ପରବର୍ତ୍ତୀ ଘଟଣାରୁ ଜାଣି ପାରିଲି ଯେ, ପିଣ୍ଡ ଦାନ ଦ୍ୱାରା ଉକ୍ତ ପ୍ରେତର ଉପଦ୍ରବ ବନ୍ଦ ହୋଇ ନାହିଁ । ପ୍ରେତ ତୃପ୍ତହେବା ପରିବର୍ତ୍ତେ ମୋ ଉପରେ ବିରକ୍ତ ହୋଇଛି ।

 

ତା’ର ସାମାନ୍ୟ କିଛିଦିନ ପରେ ମୋ ଘର କଟକ ଜିଲ୍ଲା ରଘୁନାଥ ପୁରରୁ ଖଣ୍ଡିଏ ଚିଠି ପାଇଲି । ରଘୁନାଥପୁର ହାଇସ୍କୁଲର ହେଡ଼ମାଷ୍ଟର ଲେଙ୍କା ବାବୁ ମୋ ଘରେ ବସା କରିଥିଲେ । ସେ ଲେଖିଥିଲେ—ମୋ ଘରେ ସନ୍ଧ୍ୟା ପରେ ଇଟା ପଥର ପଡ଼ିବାକୁ ଆରମ୍ଭ କରି ଦେଇଛି । ସ୍ଥାନୀୟ ଲୋକେ ଏବଂ ଶିକ୍ଷକ ଓ ଛାତ୍ରମାନେ ସାରାରାତି ଜଗିରହି ଘର ଚାରିପଟେ ପହରା ଦେଇ, ଛାତ ଉପରେ ଚଢ଼ି, ଟର୍ଚ୍ଚମାରି ତାହାରି କିଛି ପତ୍ତା ପାଇ ପାରୁ ନାହାନ୍ତି । ମୋ ଘର ଜୟପୁରଠାରୁ ଚାରି ଶହ ମାଇଲ ଦୂରରେ ଅବସ୍ଥିତ । ଏତେ ଦୂରରେ ଥିବା ମୋ ଘରକୁ ପ୍ରେତ ଠଉର କଲା କିପରି, ତାହା ଅନୁମାନ କରିବା କଷ୍ଟକର । ସବୁକଥା ଲେଖି ପଣ୍ଡିଚେରୀକୁ ପୁଣି ଖଣ୍ଡିଏ ଚିଠି ଦେଲି । ପରେ ଗ୍ରାମରୁ ପତ୍ର ପାଇଲି, ଇଟା ପଥର ପଡ଼ିବା ବନ୍ଦ ହୋଇ ଯାଇଛି । କିଛିଦିନ ପରେ ଜୟପୁର ବସାରେ ପୁଣି ଇଟା ପଡ଼ିଲା । ଛୁଆପିଲାଙ୍କୁ ଧରି ବିଦେଶ ଜାଗାରେ ପଡ଼ିଥିବା ବେଳେ ଆଉ ଅଧିକ ପରିମାଣରେ ଏଭଳି ମହାର୍ହ ବହୁଦର୍ଶିତା ଅର୍ଜନ କରିବା ପାଇଁ ମୁଁ ଆଉ ଧୈର୍ଯ୍ୟ ଧରି ରହି ପାରିଲି ନାହିଁ । ଏଣୁ କିଛି ଦିନପରେ ସେ ବସାଛାଡ଼ି ଅନ୍ୟତ୍ର ଅପସରି ଗଲି । ଅନ୍ୟ ବସାରେ ଥାଇ ଶୁଣିପାରିଲି, ମୋର ପୁର୍ବବସାରେ କିଛି ଦିନ ଲଗାଏତ୍ ଇଟା ପଥର ପଡ଼ୁଥିଲା । ସେହି ଅଦ୍ଭୁତ ଶକ୍ତି ଉପରେ ସାଧୁ–ସନ୍ୟାସୀମାନଙ୍କର ପ୍ରଭାବ ପକାଇବାର ସାମର୍ଥ୍ୟ ଅଛି ବୋଲି ମୋର ବିଶ୍ୱାସ ହେଲା । ତଥାପି ସେମାନେ ସାଧାରଣତଃ ପ୍ରେତର ସ୍ୱାଧୀନତାରେ ବାଧା ଦେବାକୁ ଇଚ୍ଛା କରନ୍ତି ନାହିଁ । ଅଶରୀରୀ ହେଲେହେଁ ସେମାନେ ଏକପ୍ରକାର ଅଦ୍ଭୁତ ପ୍ରାଣୀ ବିଶେଷ । ଅନ୍ୟ ବସାରେ ଥାଇ ମୁଁ କିଛିଦିନ ଲଗାଏତ୍ ଏ ବିଷୟରେ ଅନୁସନ୍ଧାନ ଚଳାଇଲି ।

 

ଯାହା ଜାଣିଲି, ତାହା ହେଉଛି—ମୋ ବସାର ପରବର୍ତ୍ତୀ ଘର ହେଲା ମୁସଲମାନ ଭଦ୍ରବ୍ୟକ୍ତିଙ୍କର । ସେଠାରୁ ସାତ ଆଠଟି ଘର ଛାଡ଼ି ଜଣେ ପଶ୍ଚିମା ବ୍ୟବସାୟୀଙ୍କର । ପ୍ରାୟ କୋଡ଼ିଏ ବର୍ଷ ତଳେ ତାଙ୍କର ପ୍ରଥମା ସ୍ତ୍ରୀ ଗୋଟିଏ ପୁତ୍ର–ସନ୍ତାନ ଜନ୍ମକରି ମରିଯାଇଥିଲେ । ସେ ଛୁଆଟିକୁ ମଣିଷକଲେ ତା’ର ଜେଜେମା । ପଶ୍ଚିମା ବ୍ୟବସାୟୀ ଜଣେ ଜୈନ ସମ୍ପ୍ରଦାୟର ଲୋକ । କିନ୍ତୁ ତାଙ୍କର ପ୍ରଥମା ସ୍ତ୍ରୀ ଥିଲେ ଜଣେ ହିନ୍ଦୁକୁଳର । ତାଙ୍କ ମୃତ୍ୟୁ ପରେ ଜୈନ ସମ୍ପ୍ରଦାୟଭୁକ୍ତ ସ୍ୱାମୀ କୌଣସି ଅନ୍ତ୍ୟେଷ୍ଟିକ୍ରିୟା କଲେ ନାହିଁ । ହିନ୍ଦୁ ମତାବଲମ୍ବିନୀ ସ୍ତ୍ରୀ ନିଜର ପାରମ୍ପରିକ ମତ ଘେନି ମୃତ୍ୟୁ ମୁଖରେ ପଡ଼ିଥିବାରୁ ତାଙ୍କର ଆତ୍ମା ମୁକ୍ତିଲାଭ କରି ପାରି ନାହିଁ । କାରଣ ତାଙ୍କର ବିଶ୍ୱାସ ଥିଲା, ଶୁଦ୍ଧି କ୍ରିୟା ନହେବା ପର୍ଯ୍ୟନ୍ତ ଆତ୍ମାର ମୁକ୍ତି ଘଟେ ନାହିଁ । ଶିଶୁ ସନ୍ତାନକୁ ଛାଡ଼ି ଯାଇଥିବାରୁ ମୃତ୍ୟୁ ପରଦିନଠାରୁ ଉପର ମହଲାରେ ଥିବା ତାଙ୍କ ଶୋଇଲା ଘରର ବାରଣ୍ଡା ଉପରକୁ ସେ ଯା ଆସ କରନ୍ତି । ତାଙ୍କର ପାଦର ନୂପୁର ଓ ହାତର କଙ୍କଣ ଧ୍ୱନି ପ୍ରାୟ ପ୍ରତ୍ୟହ ତାଙ୍କ ଶାଶୁ ଶୁଣିପାରନ୍ତି । ଛୁଆଟିକୁ ଘେନି ସେ ସେହି ଉପର ମହଲାରେ ରହନ୍ତି । ଛୁଆଟିକୁ ଦେଖିବା ପାଇଁ ମା ପ୍ରାୟ ପ୍ରତ୍ୟହ ଆସେ । ସମସ୍ତେ ତାର ଗତିବିଧି ଲକ୍ଷ୍ୟ କରନ୍ତି । କିନ୍ତୁ କେହି କିଛି ଦେଖି ପାରନ୍ତି ନାହିଁ । ଲୋକ ମୁଖରୁ ଶୁଣାଯାଏ ସେହି ପ୍ରେତ ମୋ ବସାର ଏହି ଶୂନ୍ୟ ଘରେ ଆଶ୍ରୟ ନେଇଛି । ସେ ବସା ମାଲିକ ଜଣେ ତେଲେଙ୍ଗା ଭଦ୍ରଲୋକଙ୍କଠାରୁ ଏ ଘରକୁ କିଣିଥିଲେ ଏବଂ ଉକ୍ତ ତେଲେଙ୍ଗା ଭଦ୍ରଲୋକ ଆଉ ଜଣେ ଲୋକଠାରୁ ତାହା କିଣି ଥିଲେ । ପ୍ରଥମ ବିକ୍ରେତା ନିଃସନ୍ତାନ ହୋଇ ମରିଯିବାରୁ ଦୂରଗ୍ରାମ ନିବାସୀ ତାଙ୍କ ଓ୍ୱାରସ ଏ ଘରକୁ ପ୍ରଥମେ ବିକ୍ରୟ କରିଥିଲେ । ଗୋଟିଏ ହାତରୁ ଅନ୍ୟ ହାତକୁ ଏବଂ ତତ୍ପରେ ଅନ୍ୟ ହାତକୁ ହସ୍ତାନ୍ତରିତ ହୋଇଥିଲେ ସୁଦ୍ଧା ଏ ଘରେ ଆଜିଯାକେ କେହି ବସବାସ କରି ରହି ପାରୁନଥିଲେ । ତା’ର କାରଣ ହେଲା, ପଶ୍ଚିମା ବ୍ୟବସାୟୀଙ୍କ ସ୍ତ୍ରୀ ମଲା ପରଠାରୁ ଏହିଭଳି ଭାବରେ ବାରମ୍ବାର ଇଟାପଥର ପଡ଼ୁଥିଲା ।

 

୧୯୫୪ ମସିହା ଜୁନ ମାସରେ ଜୟପୁରରୁ ମୁଁ କଟକକୁ ବଦଳି ହୋଇ ଆସିଲି । ତା’ର ପ୍ରାୟ ବର୍ଷକ ପରେ କେବଳ ଏହି ବିଷୟରେ ଅନୁସନ୍ଧାନ କରିବା ପାଇଁ ପୁଣିଥରେ ଜୟପୁରକୁ ଗଲି-। ଶୁଣିଲି ମୁଁ ଛାଡ଼ି ଆସିବା ପରେ ଜଣେ ଶିଖ ହୋଟେଲ-ଚାଳକ ସେହି ଘରେ ଗୋଟିଏ ହୋଟେଲ ଆରମ୍ଭ କରିଥିଲେ । ସେବି ସେହି ପ୍ରେତର ଉପଦ୍ରବ ସହ୍ୟ କରି ନ ପାରି ସେ ଘରକୁ ଛାଡ଼ି ଦେଲେ-। ଏବେ କ’ଣ ଘଟୁଛି ସେ କଥା କହି ପାରିବି ନାହିଁ । ଏହାହିଁ ହେଲା ମୋର ବ୍ୟକ୍ତିଗତ ଅନୁଭୂତିର କଥା ।

 

ପନ୍ଦର

 

କଟକର ଜଣେ ବୃଦ୍ଧ ଶିକ୍ଷକଙ୍କର ଜଣେ ଘନିଷ୍ଟ ବନ୍ଧୁ ଥିଲେ । ଶିକ୍ଷକଙ୍କର ଗୋଟିଏ ପୁଅ ଏବଂ ବନ୍ଧୁଙ୍କର ଗୋଟିଏ ପୁଅ । କୌଣସି କାରଣରୁ ବନ୍ଧୁ-ପୁତ୍ରଟି ହଠାତ୍ ଦିନେ ନିରୁଦ୍ଦେଶ୍ୟ ଭାବେ ଘରୁ କୁଆଡ଼େ ଚାଲିଗଲେ । ବାପା ବହୁତ ଖୋଜା ଖୋଜି କଲେ ଏବଂ ଖବର କାଗଜରେ ଖବର ପ୍ରକାଶ କଲେ । ମାତ୍ର ଫଳ କିଛି ହେଲା ନାହିଁ । ବର୍ଷ ବର୍ଷ ଧରି ପିଲାଟିର କୌଣସି ସନ୍ଧାନ ମିଳିଲା ନାହିଁ । ବରଂ ସେହି ଚିନ୍ତାରେ ବୃଦ୍ଧ ମହାଶୟ ଦିନକୁ ଦିନ ରୁଗ୍‍ଣ ଓ ଦୁର୍ବଳ ହୋଇ ପଡ଼ିଲେ-। ଅନେକ ଦିନ ଆଗରୁ ତାଙ୍କର ସ୍ତ୍ରୀ ବିୟୋଗ ଘଟିଥାଏ । ତେଣୁ ବୃଦ୍ଧ, ରୁଗ୍‍ଣ, ଓ ଦୁର୍ବଳ ଅବସ୍ଥାରେ ମଧ୍ୟ ତାଙ୍କୁ ନିଜ ହାତରେ ରନ୍ଧାବଢ଼ା କରି ଖିଆପିଆ କରିବାକୁ ପଡ଼ୁଥାଏ । ଶିକ୍ଷକ-ବନ୍ଧୁ ମଝିରେ ମଝିରେ ଆସନ୍ତି ଏବଂ ସମବେଦନା ଜଣାଇ ଘରକୁ ଫେରି ଯାଆନ୍ତି ।

 

ଧୀରେ ଧୀରେ ତାଙ୍କର ଶାରୀରିକ ଅବସ୍ଥା ଖରାପ ହେବାକୁ ଲାଗିଲା । ଅବଶେଷରେ ଦିନେ ଶିକ୍ଷକ ମହାଶୟଙ୍କୁ ଡାକି ସେ ନିକଟରେ ବସାଇଲେ । କଥା କହିବାର ଶକ୍ତି ମଧ୍ୟ ତେତେବେଳକୁ ତାଙ୍କର ଶେଷ ହୋଇ ଆସୁଚି । ସମ୍ପର୍କୀୟ ପୁତୁରା ଜଣେ ଆସି ତାଙ୍କର ଯଥାସମ୍ଭବ ତତ୍ତ୍ୱ ନେଉଚନ୍ତି । ତେତେବେଳକୁ ପୁତ୍ର ଚିନ୍ତାହିଁ ତାଙ୍କୁ ଏକା ବେଳକେ ଶେଷ କରି ସାରିଲାଣି । ଜାଣି ସାରିଲେଣି, ଦିନେ ଓଳିଏ ଭିତରେ ସେ ଚାଲିଯିବେ । ଶିକ୍ଷକ ବନ୍ଧୁଙ୍କୁ ଅତି ନିଭୃତରେ କ୍ଷୀଣ କଣ୍ଠରେ କହିଲେ “ମୁଣ୍ଡ ତଳେ ମୁଁ ଯେଉଁ ତକିଆଟି ଦେଇଚି, ତାକୁ ସିଲେଇ ମୁହଁ ଫିଟାଇ ଯାହା ପାଇବେ ଘରକୁ ନେଇ ଯାଆନ୍ତୁ । ତା ଭିତରେ ମୋର ଖଣ୍ଡିଏ ଲେଖା ଅଛି । ପଢ଼ି ଯାହା କରିବାର କରିବେ । ମୁଁ ଚାଲିଲି ।”

 

ବୃଦ୍ଧ କାନ୍ଦୁଚନ୍ତି—ଅତି ଅଧୀର ଭାବେ । ଶିକ୍ଷକ-ବନ୍ଧୁ ଅତି ନିକଟକୁ ମୁଁହ ନେଇ ବୁଝାଉଚନ୍ତି । ଠିକ୍ ତା’ ପରେ ପରେ ବୃଦ୍ଧ ବାକ୍‍ଶକ୍ତିହୀନ ହୋଇଗଲେ ।

 

ଶିକ୍ଷକ ମହାଶୟ ବୃଦ୍ଧଙ୍କ ପୁତୁରାକୁ ଲୁଚାଇ ତକିଆଟି ଫିଟାଇ ଖଣ୍ଡିଏ ଲଫାପାଖୋଳ ମୁଦା ଅବସ୍ଥାରେ ପାଇଲେ । ତାର ଦିନକ ମଧ୍ୟରେ ବୃଦ୍ଧ ଚାଲିଗଲେ । ପଛେଇ ରହିଗଲେ ଶିକ୍ଷକ ବନ୍ଧୁ ।

 

ବୃଦ୍ଧ ମରିଗଲା ପରେ ତାଙ୍କ ପୁଅଟି ପାଇଁ ଶିକ୍ଷକ ମହାଶୟ ବହୁତ ଖୋଜା ଖୋଜି କଲେ ସତ, ମାତ୍ର କୌଣସି ସନ୍ଧାନ ତାର ପାଇ ପାରିଲେ ନାହିଁ । ସେ ବି ବୃଦ୍ଧ ହୋଇ ଯାଇଥିବାରୁ ବେଶି ଦିନ ରହିପାରିଲେ ନାହିଁ । ଛଅ ସାତ ମାସପରେ ହଠାତ୍ ଦିନେ ତାଙ୍କର ହୃତପିଣ୍ଡ-କ୍ରିୟା ବନ୍ଦ ହୋଇଗଲା । ଘରେ କେହି ଉପସ୍ଥିତ ନଥିବା ଅବସ୍ଥାରେ ତାଙ୍କ ଜୀବନର ଅବସାନ ଘଟିଲା ।

 

ପୁଅଟି କୌଣସି ଗୋଟିଏ ସରକାରୀ ଅଫିସରେ ଚାକିରି ଖଣ୍ଡିଏ ଧରିଥାଏ । ଦୁଇଟି ଛୋଟ ଛୋଟ ପିଲା ଓ ସ୍ତ୍ରୀକୁ ଘେନି ତାର ଚାରିଜଣିଆ ପରିବାରଟିଏ । ସ୍ୱଳ୍ପ ଆୟରେ ଟାଣି ଓଟାରି ହୋଇ ତା’ ସଂସାରଟି ଚଳିଯାଏ । ଧାର ଉଧାର କରି ପିଲାଙ୍କର ଅନ୍ତେଷ୍ଟି କ୍ରିୟାଟିକି ସେ ବଢ଼ାଇଲା-। ତା’ ପରେ ଧୀରେ ଧୀରେ ବାପାଙ୍କୁ ସେ ଭୁଲିଯିବାକୁ ଲାଗିଲା ।

 

ସାଇ ପଡ଼ିଶାରେ ଶିକ୍ଷକ ମହାଶୟଙ୍କୁ ସମସ୍ତେ ପ୍ରାୟ ଭଲ ପାଉଥିଲେ । ସେ ଥିଲେ ଜଣେ ସରଳପ୍ରକୃତିର ନିରହଙ୍କାରୀ ଗୁଣୀ ଲୋକ । ସବୁବେଳେ ସେ ପ୍ରାୟ ବହିପତ୍ର ପଢ଼ାପଢ଼ି ଘେନି ସମୟ କାଟନ୍ତି । ତାଙ୍କ ପଢ଼ା ଘରେ ତିନିଖଣ୍ଡ ଆଲମାରିରେ ବିଭିନ୍ନ ଧରଣର ବହି ଗୁଡ଼ିଏ ଭରି ରହିଥାଏ । ବୁଢ଼ା ଥିଲାବେଳେ ସେ ଗୁଡ଼ିକରେ ସେ ନିଜେ ଯେଉଁ ଚାବିଟିମାନ ବନ୍ଦ କରି ଦେଇ ଯାଇଥିଲେ ସେ ଗୁଡ଼କୁ ତାଙ୍କ ଅନ୍ତେ କେହି କେବେ ଫିଟାଇ ନାହିଁ । ପଢ଼ା ପଢ଼ି ଦିଗରେ ପୁଅର ବେଳ ଥାଏ ନାହିଁ, କି ପ୍ରବୃତ୍ତି ମଧ୍ୟ ଥାଏ ନାହିଁ ।

ପାଞ୍ଚ ଛଅ ମାସ ପରେ ହଠାତ୍ ଦିନେ ଦେଖାଗଲା ଗୋଟିଏ ଆଲମାରିର ଚାବିଟା ଛାଁ କୁ ଛାଁ ଫିଟିଯାଇଚି । ପୁଅଟି ସେ ଘରେ ବସିଚି ତ ହଠାତ୍ ଆଲମାରି କବାଟ ଖୋଲା କେତେଖଣ୍ଡ ବହି ଆସି ତଳେ କୁଢ଼େଇ ହୋଇଗଲା । ଆବା କାବା ହୋଇ ସେ ଖାଲି ଏଣେ ତେଣେ ଅଣ୍ଡାଳି ହେଲା ଏବଂ ସ୍ତ୍ରୀ ପିଲାଙ୍କୁ ଡାକି ପାଟି ତୁଣ୍ଡ କରି ଉଠିଲା–ଚାବିଟାକୁ କିଏ ଫିଟେଇ ରଖିଥିଲା କୁହ-?

କିନ୍ତୁ ଚାବିଟିକୁ ଫିଟାଇଥିବାର କେହି ସ୍ୱୀକାର କଲେ ନାହିଁ । ତେଣୁ ସେ ଘରୁ ଚାବିକାଠି ଆଣି ତଳେ ପଡ଼ିଥିବା ବହି ଗୁଡ଼ିକ ଯଥା ସ୍ଥାନରେ ସଜାଡ଼ି ରଖି ପୁଣି ଥରେ ଚାବି ପକାଇ ଦେଲା ।

ତହିଁ ଆରଦିନ ପୁଣି ଥରେ ସେହି ଘଟନା ଘଟିଲା । ପୁଣି ସେହିପରି ବହି କିତାପ ଫୋପଡ଼ା ଫୋପଡ଼ି । ସାଇ ପଡ଼ିଶାଏ ଜାଣିଲେ । ଭୟରେ କେହି ସେ ଘର ଭିତରେ ପଶିଲେ ନାହିଁ କି ବହିକିତାପ ଛୁଇଁଲେ ନାହିଁ । ଶେଷକୁ ପୁଅ ନିଜେ ବହିଗୁଡ଼ିକ ଯଥାସ୍ଥାନରେ ସଜାଡ଼ି ରଖି ପୁଣି ତାଲା ପକାଇଲା । ତା’ ପରେ ଚାଲିଲା ଅନ୍ୟାନ୍ୟ ଜିନିଷର ଫୋପଡ଼ା ଫୋପଡ଼ି । ଢାଳଟା ପିଣ୍ଡା ଉପରେ ଅଛି ତ ଚାହୁଁ ଚାହୁଁ ଅଗଣାରେ ଯାଇ ପଡ଼ିଲାଣି । ବିଛଣା ତଳେ ରଖା ଯାଇଥିବା ଚିଜ ଆସି ପିଣ୍ଡା ଉପରେ ପଡ଼ିଲାଣି । କିଏ କହିଲା ବୀର-ବାହୁଟି ଲାଗିଚି । କିଏ ବା କହିଲା ଭୂତ ପ୍ରେତର ଦୌରାତ୍ମ୍ୟ । ଭୟରେ ତଟସ୍ଥ ହୋଇ ଚାରୋଟି ପ୍ରାଣୀ ବଡ଼ କଷ୍ଟରେ ଚଳୁଥାଆନ୍ତି । ବେଳେ ବେଳେ ଇଚ୍ଛାହୁଏ ଛାଡ଼ି ଛୁଡ଼ି କୁଆଡ଼ିକି ପଳାଇ ଯିବେ । କିନ୍ତୁ ଘର ଛାଡ଼ି ଯିବେ କୁଆଡ଼େ ? ଶେଷକୁ ଧୀରେ ଧୀରେ ଦିହସୁଆ ହୋଇଗଲା । ମୋଟ ଉପରେ ଯେତେ ଯାହା ଘଟୁନା କାହିଁକି, କାହାରି କିଛି ଅନିଷ୍ଟ ହୁଏ ନାହିଁ । ପୁଣି କର୍ତ୍ତା ନିଜେ ଘରେ ଉପସ୍ଥିତ ନଥିଲା ବେଳେ କିଛି ମାତ୍ର ଘଟୁ ନାହିଁ । ସେଥିରୁ ଅନୁମାନ ହେଲା ଯେ, ଯାହା କିଛି ଅଦ୍ଭୂତ ଘଟନା ଘଟୁଚି ନ ଘଟିଯାଉଚି ସବୁତକ ଏକମାତ୍ର ତାଙ୍କୁଇ ଉଦ୍ଦିଷ୍ଟ । ତା’ ପରେ ଧୈର୍ଯ୍ୟଧରି ସେ ନିତି ପ୍ରତି ଘଟନାଗୁଡ଼ିକୁ ଲିପିବଦ୍ଧ କରି ରଖିବା ପାଇଁ ଖଣ୍ଡିଏ ଡାଇରି ଖାତା ଖୋଲିଲେ । ଏଣେ ଇଆ ତାଆଠୁ ଶୁଣି ଗୁଣୀ-ଗାରିଡ଼ି ଡକାଇ ଯିଏ ଯାହା ବରାଦ ଦେଲା ତାହା ସବୁ କରିବାକୁ ଲାଗିଲେ । ଦିନବେଳେ କେହି କେତେବେଳେ ହୁଏତ ତାଙ୍କ ଘରକୁ ଆସନ୍ତି ଦେଖିବାକୁ । ମାତ୍ର ସଞ୍ଜହେଲେ କୋକୁଆଭୟ । ଯାହା ଘରେ ବାଘ ପଶିଚି ତା’ ଘରକୁ ଯିବ କିଏ, କେଉଁ ସାହସରେ ?

କିଛି ଦିନ ପରେ ଦିନେ ସେ ଦାଣ୍ଡଘରେ ଚୌକି ଖଣ୍ଡିକ ଉପରେ ବସି ଟେବୁଲ ଉପରେ କାଗଜ ରଖି କଅଣ ସବୁ ଲେଖୁଚନ୍ତି, ହଠାତ୍ ଖୁଟକିନା ଶବ୍ଦଟାଏ ହେଲା । ସେ ଦିଗକୁ ଚାହିଁଲା ମାତ୍ରେ ଦେଖାଗଲା—ଆଲମାରିର ଚାବିଟା ଖଟ୍‍କିନା ଶବ୍ଦ କରି ଫିଟି ଯାଇଚି । କବାଟଟା ଛାଁ କୁ ଛାଁ ମେଲା ହୋଇଯାଉଚି । ତଟସ୍ଥ ହୋଇ ଚୌକି ଖଣ୍ଡିକ ଉପରେ ସେ ବସି ରହିଲେ । କାହାକୁ ଡାକପକାଇବେ ବୋଲି ଚେଷ୍ଟା କରୁଚନ୍ତି, ମାତ୍ର ପାଟି ଫିଟୁନାହିଁ । ଉଠିଯିବାକୁ ଶକ୍ତି ପାଉନାହିଁ । ଦେହ–ହାତ କାଠ ପାଲଟି ଯାଉଚି । ଚିତ୍ର–ପିତୁଳା ପରି ସେ ଚାହିଁ ରହିଚନ୍ତି ତ ଦେଖିଲେ ଗୋଟାଏ ମୋଟା ବହି ଛାଁ କୁ ଛାଁ ଆସି ଟେବୁଲ ଉପରେ ଥୁଆ ହେଲା । ମନକୁ ମନ ଦି’ କଡ଼କୁ ମେଲା ହୋଇଗଲା । ଦେଖାଗଲା—ତା’ ଭିତରେ ଅଛି ଲମ୍ବା ଲଫାଫାଟାଏ । ମୁହଁ ବନ୍ଦ ହୋଇଚି ଏବଂ ନିଜେ ନିଜେ ଆସି ତାହା ଏଙ୍କ ସାମନା ଉପରେ ପଡ଼ିଯାଉଚି ।

କି ଲଫାଫା ଇଏ ? ଭୌତିକ କାଣ୍ଡ ଏକୁଇ କହନ୍ତି । ମନ ଭିତର କହୁଚି—ଫିଟାଇ ଦେଖ, ମାତ୍ର ହାତ ଯାଉ ନାହିଁ ଆଗକୁ ତାକୁ ଛୁଇଁ ଦେବାକୁ । ଶେଷକୁ ପନ୍ଦର କୋଡ଼ିଏ ମିନିଟ ଶୁନ୍‍ଶାନ୍‍ କଟିଲା । ଆଉ କିଛି ଅଦ୍ଭୁତ ଘଟନା ଘଟୁନାହିଁ । ବହି ଓ ଲଫାଫା ଆୁ ହଲ ଚଲ ହେଉନାହାନ୍ତି । ଧୀରେ ଧୀରେ ହାତ ବଢ଼ାଇ ସେ ତାକୁ ଉଠାଇଲେ । ମୁହଁଟା ବନ୍ଦଥିଲା । ଧୀରେ ଧୀରେ ଫିଟାଇଲେ । ଲଫାଫା ଭିତରେ ଥିବା କାଗଜ ପତ୍ର ଯାକ ବାହାରକୁ ଆଣିଲେ ।

କିନ୍ତୁ ଚାହିଁଦେଲା ମାତ୍ରେ ଛାନିଆରେ ସାରା ଦିହ ଥରିଉଠିଲା । ପାଦ ତଳେ ହଠାତ୍ ଗୋଟାଏ ଗୋଖର ସାପକୁ ଦେଖିପକାଇଲେ ମନିଷର ଅବସ୍ଥା ଯାହା ହେଉଥାଏ ତାହାହିଁ ହେଲା, ଖସ ଖସ ହୋଇ କାଗଜପତ୍ରଯାକ ଟେବୁଲ ଉପରେ ପଡ଼ିଗଲା । ନୀରବ ଭାବେ କିଛି ସମୟ ବସିରହିଲା ପରେ ଦେଖାଗଲା ଆଉ କିଛି ଘଟୁନାହିଁ । ଟେବୁଲ ଉପରେ ପଡ଼ିଚି ଖଣ୍ଡେ କାହାର ଚିଠି ଏବଂ କେତେ ଖଣ୍ଡ ଶହେ-ଟଙ୍କିଆ ନୋଟ । ଚାରିଆଡ଼କୁ ଚାହିଁ ଭୟ-ଭୀତ ଅବସ୍ଥାରେ ହାତ ବଢ଼ାଇ ଗୋଟାଇ ନେଇ ଖଣ୍ଡ କଣ୍ଡ କରି ଗଣିଲା ବେଳକୁ ବାହାରିଲା ଏଗାର ଖଣ୍ଡ ଶହେ–ଟଙ୍କିଆ ନୋଟ ।

ପୁଣି ଥରେ, ପୁଣି ଥରେ କରି ତିନି ଚାରିଥର ସେ ତାକୁ ଗଣିଲା । ନିକିଟି ନାକିଟି ପରଖି ଦେଖିଲା—ଦେଖିଲା ଭୁଲ ହେଉ ନାହିଁ—ଠିକ୍ ଅଛି ଏବଂ ଠିକ୍ ଏଗାର ଖଣ୍ଡ ଶହେ-ଟଙ୍କିଆ ନୋଟ । ତା’ ପରେ ସେ ଚିଠି ଖଣ୍ଡିକ ଟେକି ଧରି ପଢ଼ିବାକୁ ଚେଷ୍ଟା କଲା । ଦେଖିଲା ଲେଖିଚନ୍ତି ବାପାଙ୍କ ସାଙ୍ଗ—ଲେଖାହୋଇଚି—ବାପାଙ୍କୁ : —

ପ୍ରିୟ

ଶେଷ ପର୍ଯ୍ୟନ୍ତ ପିଲାଟିର ସନ୍ଧାନ ପାଇ ପାରିଲି ନାହିଁ । ମୁଁ କିନ୍ତୁ ରହି ପାରୁ ନାହିଁ । ଚାଲିଲି । ଏଥି ସଙ୍ଗେ ଏଗାର ଖଣ୍ଡି ଶହେ ଟଙ୍କାଆ ନୋଟ ରହିଲା–ମୋ ଜୀବନର ଯତ୍ ସାମାନ୍ୟ ସଞ୍ଚୟ । ଚିଠିଟି ଲେଖିଲା ବେଳକୁ କାନ୍ଦ ମାଡ଼ୁଚି । ସନ୍ଦେହ ହେଉଚି ହୁଏତ ତୁମ ହାତରେ ଏ ଲଫାପାଟା ପଡ଼ିବା ପୂର୍ବରୁ ଶେଷ ଶ୍ୱାସ ଛାଡ଼ିଥିବି । ଯଦିବା ତୁମ ହାତରେ ପଡ଼େ ତେବେ ମୋର ବିଶ୍ୱାସ ତୁମେ ନିଶ୍ଚେ ତା’ ସନ୍ଧାନ ପାଇବ । ଏବଂ ତା’ ହାତରେ ଏତକ ଦେବ ।

 

ଇତି

ମଇତ୍ର ।

 

ଚିଠି ଖଣ୍ଡିକ ଧରି ସେ ବାବୁ ଦୁଇ ତିନି ଥର ପଢ଼ିଲେ । ଜାଣିଲେ ମଉସା ମରିବା ପୂର୍ବରୁ ଏ ଚିଠି ଓ ନୋଟତକ ବାପାଙ୍କ ହାତରେ ନିଶ୍ଚୟ ଦେଇ ଯାଇଚନ୍ତି । ବାପା ଏକୁ ଆଣି ଏଇ ବହିଟି ଭିତରେ ପୂରାଇ ରଖିଥିଲେ । କାହାରିକି କିଛି ନକହି ହଠାତ୍ ମରିଗଲେ । ତା’ ପରେ ସେ ଆଜିଯାକେ ଅଶରୀରୀ ରୂପେ ଚେଷ୍ଟା କରୁଚନ୍ତି ମୋତେ ଏହା ଦେବାଲାଗି । ମୁଁ ଚଣ୍ଡାଳ ବୃଥାରେ ଗୁଣି ଗାରିଡ଼ି କରୁଚି ସିନା !

 

ଗୁମ ହୋଇ ଓଳିଏ କାଳ ସେହିଠାରେ ସେ ବସି ରହିଲେ । ଭାବିଲେ ନୋଟତକ ଘେନି କଅଣ କରିବେ ? କାହାକୁ କିଛି ଏ ବିଷୟରେ କହିବେ କି ନାହିଁ ?

 

ଭିତରେ ଭିତରେ ଏଗାର ଶହ ଟଙ୍କା ପ୍ରତି ଲୋଭ ହେଉଥାଏ । ତା ସଙ୍ଗେ ସଙ୍ଗେ ସ୍ୱର୍ଗତଃ ବାପାଙ୍କୁ ଭୟ ମଧ୍ୟ ହେଉଥାଏ । ତେବେ କଅଣ କରିବେ ଏଇଟିହିଁ ହେଲା ତା ପରବର୍ତ୍ତୀ ସମସ୍ୟା । ଦୀର୍ଘ ନିଃସ୍ୱାସ ଛାଡ଼ି ଅନେକବେଳ ପରେ ଉଠିଯାଇ କାହାରିକି କିଛି ନକହି ନୋଟ ଓ ଚିଠିକୁ ଥରେ ସେ ଲାଫାପାଟି ଭିତରେ ପୂରାଇ ମୁହଁ ବନ୍ଦ କରି ନିଜ ଘରେ ଥିବା ଗୋଟିଏ ଟ୍ରଙ୍କ ଭିତରେ ପୂରାଇ ତାଲା ପକାଇ ଦେଲେ ।

 

ତାଲା ପକାଇବା ପରେ ମଧ୍ୟ ସେ ନିଶ୍ଚିନ୍ତ ହୋଇ ପାରିଲେ ନାହିଁ । ଯକ୍ଷ ଦେଇଥିବା ଧନର ସେ ରକ୍ଷକ । ଠିକ୍ ଅଛି କି ନାହିଁ ଏ କଥା ଜାଣିବା ପାଇଁ ପ୍ରତ୍ୟହ ଦୁଇଥର କରି ଫିଟାଇ ଦେଖନ୍ତି । ଦେଖନ୍ତି ଠିକ୍ ଅଛି । ସ୍ତ୍ରୀ ପଚାରିଲେ କିଛି କହନ୍ତି ନାହିଁ । ଟ୍ରଙ୍କଟାକୁ ଫିଟାଇବାକୁ ବାରମ୍ବାର ବାରଣ କରନ୍ତି । ବାରଣ କଲାରୁ ସ୍ତ୍ରୀଙ୍କର ଆଗ୍ରହ ବଢ଼େ । ସେ ଦିନେ ନିତାନ୍ତ ବଳାଇଲାରୁ ସବୁ କଥା କହିଗଲେ । ଏ କଥା ଶୁଣି ସ୍ତ୍ରୀ ବିଚାରୀ ଆତଙ୍କରେ ମ୍ରୀୟମାଣ ହୋଇଗଲା-। କହିଲା–ହଳାହଳ ବିଷ ସେ । ମଉସାଙ୍କ ପୁଅକୁ ତୁରନ୍ତ ଖୋଜି ତା ହାତରେ ଧରାଇ ଦିଅ । ତା ପରେ ଆମେ ନିଶ୍ଚିନ୍ତ ହେବା ସିନା !

 

ଘରର କର୍ତ୍ତା ସେ । ଘରେ ତାର ଯକ୍ଷର ସମ୍ପତ୍ତି । କିଏ କାଳେ ଚୋରି କରି ନେଇଯିବ ! ଘର ଛାଡ଼ି ଯିବ ବା କୁଆଡ଼େ ? ଚିନ୍ତାରେ ତାର ଦିନ ରାତି ନିଦ ହେଲା ନାହିଁ । ଏହିଭଳି ଭାବରେ କିଛିଦିନ କଟିଲା । ତା ପରେ ଆଉ କିଛି ଫିଙ୍ଗା ଫୋପଡ଼ା ଦେଖାଗଲା ନାହିଁ । ଆଲମାରି ସେଇ ଦିନରୁ ଯେ ବନ୍ଦ ହେଲା–ଆଉ ଫିଟିଲା ନାହିଁ ସମସ୍ତେ କହିଲେ–ଯାହା ହେଉ ବୀର-ବାହୁଟି ବନ୍ଦ ହେଲା । କିନ୍ତୁ ବୀର ବାହୁଟିତ ଟ୍ରଙ୍କ ଭିତରେ ତାଲା ପଡ଼ି ରହିଚି ! ଚୋର ମା ଲାଜେ ନ କାନ୍ଦେ –ଯେବେ କାନ୍ଦେ କବାଟ କିଳି ତୁନି ତୁନି କାନ୍ଦେ ।

 

ସ୍ୱାମୀ ସ୍ତ୍ରୀ ଦୁହିଁଙ୍କି ଦିନ ରାତି ଚିନ୍ତା ଭାବନାରେ ନିଦ ହୁଏ ନାହିଁ । ଧୀରେ ଧୀରେ ଦୁହେଁଯାକ ଶୁଖିଯିବାକୁ ଲାଗିଲେ । ଏଣେ ନିତି ପ୍ରତି ଡାଇରି ଲେଖା ଚାଲିଥାଏ । ହଠାତ୍ ଦିନେ ଦେଖାଗଲା ଡାଇରି ଖାତାର ସାଦା କାଗଜରେ କଅଣ ଗୁଡ଼ାଏ କଳା କଳା ଗାର କିଏ ଗାରେଇଚି । ଭଦ୍ରଲୋକ ଦି ପିଲାଙ୍କୁ ଡାକି ଗାଳି ଦେଇ ପଚାରିଲେ ଏ ଗୁଡ଼ାକ କିଏ ଗାରେଇଚି ?

 

ପିଲାଏ ଭୟରେ ଥରି ଥରି ମନାକଲେ ।

 

ସ୍ତ୍ରୀଙ୍କି ପଚାରିଲାରୁ ସେ କାବା ହୋଇଗଲେ ।

 

ତା’ ପରେ ପ୍ରତିଦିନ ଦେଖାଗଲା ଏଣୁ ତେଣୁ ଗୁଡ଼ାଏ ଗାର, ଅକ୍ଷର କିଛି ନାହିଁ । କିମ୍ଭୂତ କିମାକାର ଗାର ଗୁଡ଼ାଏ ପଡ଼ିଚି । ହୁଏତ କାଳିରେ, ନୋହିଲେ ଲୁହା କଣ୍ଟାଟାରେ; ସତେକି କିଏ ଗୁଡ଼ାଏ ଏଣୁ ତେଣୁ ରାମ୍ପି ପକାଇଚି । ଶେଷକୁ ଦିନେ ସଞ୍ଜପରେ ଭଦ୍ରଲୋକ ବସି ଡାଇରି ଖାତାଟି ଫିଟାଇ ଟେବୁଲ ଉପରେ ଥୋଇଚନ୍ତି ଲେଖିବାକୁ ସାଦା ପୃଷ୍ଠା ଉପରେ କାଠି କଲମ ଚାଲିଲା ପରି ଚରଚର ଶବ୍ଦ ହେଲା । ଖାଲି ଶବ୍ଦ ହେଉଚି ଏବଂ ଗାର ଗୁଡ଼ାଏ ରାମ୍ପି ହୋଇ ଯାଉଚି । ଖାତାଟାକୁ ଛାଡ଼ିଦେଇ ଭୟରେ ସେ ଦୂରକୁ ପଳାଇଗଲେ । ସ୍ତ୍ରୀ ସବୁ କଥା ଶୁଣି ଧୀର ସ୍ଥିର ଭାବେ କହିଲେ–ହୁଏତ ବାପା କଅଣ ଲେଖି ଜଣାଉଚନ୍ତି । ପଢ଼ିବାକୁ ଚେଷ୍ଟାକର ।

 

ଦୁହେଁଯାକ ନିକିଟି ନାକଟି ଦେଖି ଦେଖି କିଛି ପଢ଼ି ପାରିଲେ ନାହିଁ । ହୁଏତ ସେ ଅକ୍ଷର ଚିହ୍ନିବାର ଶକ୍ତି ମରଜଗତରେ କାହାରି ନାହିଁ ।

 

ତାପରେ ସେ ଡାଇରି ଲେଖା ବନ୍ଦ କରିଦେଲେ । ଏ ସବୁ କଥାକୁ ସେ ସାଇପଡ଼ିଶାଙ୍କ କାନକୁ ନେଲେ ନାହିଁ । ବିଶ୍ୱାସ ନକରି ବରଂ ଲୋକେ ଏଙ୍କୁ ପାଗଳ ବୋଲି କହିବେ ସିନା ? ଏମିତି ମାସେ ଖଣ୍ଡେ ଗଲା । ଟ୍ରଙ୍କ ଭିତରେ ଥିବା ମୁଦା ଲଫାପାଟା କଥା ମନେ ପଡ଼ିଗଲାକ୍ଷଣି ଦେହ ଥରି ଉଠେ, କଲିଜା କମ୍ପି ଯାଏ–ଭୟରେ, ଆତଙ୍କରେ । ଛୁଆପିଲା ନେଇ ଘର କରୁଚନ୍ତି—ଗୋଖର ସାପକୁ ଘେନି ଖେଳ ଚାଲିଚି । କେତେବେଳେ କି ବିପଦ ଘଟିବ କିଏ ଜାଣେ ?

 

ଦିନେ ରାତିରେ ପରିବାରଟିର ସମସ୍ତେ ଶୋଇ ପଡ଼ିଛନ୍ତି । ଦକ୍ଷିଣ ପଟର ଖିଡ଼ିକିଟି ଅଳ୍ପ ମେଲା ହେଇଚି । ଝିରି ଝିରି ହୋଇ ପବନଟା ଭିତରକୁ ପ୍ରବେଶ କରୁଚି । ଗୃହସ୍ଥଙ୍କ ପତଳା ନିଦ ଭାଜି ଭାଜି ନାହିଁ । ଜାଗ୍ରତ ନୁହେଁ କି ନିଦ୍ରିତ ନୁହେଁ, ତନ୍ଦ୍ରା ଘାରି ରହିଚି ମନପ୍ରାଣକୁ । ଧୀରେ ପବନ ସାଙ୍ଗରେ ସତେକି ଅତି ଦୂରରୁ ଶବ୍ଦ ତରଙ୍ଗ ଧୀରେ ଧୀରେ ଭାସି ଆସୁଚି । ତାଙ୍କୁ ଶୁଭୁଚି ତନ୍ଦ୍ରା ମଧ୍ୟରେ ସ୍ୱପ୍ନ ଭିତରର ଶବ୍ଦପରି—ବାପା କହୁଚନ୍ତି—ଅତି ଅସ୍ପଷ୍ଟ ଭାବେ—ସେ ଟୋକା ନରେନ୍ଦ୍ର କୂଳରେ ଅଛି । ଡାକି ଆଣି ତା’ ଟଙ୍କା ତାକୁ ଦେଇଦେ ।

 

ଦେଇଦେ, ଦେଇଦେ, ଦେଇ ଇ ଦେ–ରଖନା । ଚେଇଁ ଉଠିଲେ ସେ, ଦେହଟା ବରଡ଼ା ପତ୍ର ପରି ଥରୁଚି । “ଏଁ, ଇଏ କି ସ୍ୱପ୍ନ ?”

 

ସ୍ତ୍ରୀକି ଡାକି ଉଠାଇ ସବୁ କଥା କହିଲେ । ତେତେବେଳେ ଯାକେ ରାତି ପାହି ନଥାଏ । ମୁହୂର୍ତ୍ତଟି ଲାଗୁଥାଏ ଯୁଗ ପ୍ରାୟ । ଖିଡ଼ିକି ବନ୍ଦ କରିଦେଇ ଦି ପ୍ରାଣୀ ଭଗବାନଙ୍କୁ ଡାକି ବାରମ୍ବାର ମୁଣ୍ଡିଆ ମାରୁଥାଆନ୍ତି । ବାପାଙ୍କ ଉଦ୍ଦେଶ୍ୟରେ ମୁଣ୍ଡ ବାଡ଼େଇ କାନ୍ଦୁ ଥାଆନ୍ତି—ଆମେ ତା ଚିଜ ରଖିବୁ ନାହିଁ ବାପା । ଆମକୁ ଭୁଲ ବୁଝ ନାହିଁ । ଆମେ ସେ ହଳାହଳ ବିଷକୁ ରଖିବାକୁ ଚାହୁଁନା ।

 

ତହିଁଆର ଦିନ ସକାଳ ହେଲାରୁ ସେ ବାବୁ ପୁରି ବାହାରି ଗଲେ । ଠିକ୍ ନରେନ୍ଦ୍ର କୂଳରେ ହିଁ ମଉସାଙ୍କ ପୁଅକୁ ପାଇଲେ । ତାକୁ ଦେଖି କୁଣ୍ଢେଇ ପକାଇ ତୁନି ତୁନି ସବୁ କଥା କହିଲେ । ଉପର ଓଳିକି ଦିହେଁଯାକ କଟକ ଫେରି ଆସିଲେ । ନିଭୃତରେ ଟ୍ରଙ୍କ ଫିଟାଇ ସ୍ୱାମୀ-ସ୍ତ୍ରୀ ଉଭୟେ ତାଙ୍କ ହାତରେ ଲଫାପାଟି ସମର୍ପି ଦେଲେ । ଭିତରୁ ସେ ଏଗାର ଶହ ଟଙ୍କା ନୋଟ ସାଙ୍ଗରେ ବାପାଙ୍କ ଚିଠି ପଢ଼ି ସବୁ କଥା ବୁଝି ପାରିଲା । ତା’ ପରେ ସେ ନିଜ ଘରକୁ ଯାଇ ରହିବାର ଯୋଗାଡ଼ କଲା ।

 

କକେଇ ପୁଅ ଭାଇଟି ଏକୁ ଦେଖି ମନେ ମନେ ବିରକ୍ତ ହେଲା ସତ, ମାତ୍ର କଅଣ କରିବ, ଦଖଲ ଛାଡ଼ିଦେବା ଛଡ଼ା ଅନ୍ୟ ଉପାୟତ ନାହିଁ ! ସବୁ ହେଲା । କିନ୍ତୁ ସେ ପିଲାଟି କାହିଁକି ଘର ଛାଡ଼ି ଯାଇଥିଲା, ସେ କଥାଟିର କାରଣ ସେ କହିଲା ନାହିଁ ।

 

ନରେନ୍ଦ୍ର କୂଳରେ ସେ ପିଲା ଥିବାର ଖବର ସଙ୍ଗ୍ରହ କଲା କିଏ, ଏବଂ ତନ୍ଦ୍ରାମଧ୍ୟରେ ଅସ୍ପଷ୍ଟ ସ୍ୱରରେ ସେ ସମ୍ବାଦ ଦେଇ ଗଲା କିଏ ? ଡାଇରି ଖାତାରେ କିଏ କି ଭାଷାରେ ସଙ୍କେତ ଦେଉଥିଲା ଏବଂ ଲୁକକାୟିତ ନୋଟ ପୂର୍ଣ୍ଣ ଲଫାଫାଟିକୁ ପୁଅର ଦୃଷ୍ଟି ଉପରକୁ ଆଣିବା ନିମନ୍ତେ କିଏ ଏତେ ପ୍ରକାର ଅଦ୍ଭୁତ ଚେଷ୍ଟା କରିଥିଲା—ଏସବୁ କଥାର ପୁଙ୍ଖାନୁପୁଙ୍ଖ ବିଚାର ଆଲୋଚନା କରାଗଲେ ପ୍ରେତତତ୍ତ୍ୱ ସମ୍ବନ୍ଧରେ ବହୁତ କଥା ଲୋକଲୋଚନକୁ ଆସିପାରିବ ସିନା !

Image